ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ନ ଥିଲେ ହେଁ ‘ପ୍ରସ୍ତୁତ ହୋଇଛି’ ବୋଲି ବିଇଓ କାର୍ଯ୍ୟାଳୟଙ୍କୁ ଜଣାଇଲେ ପ୍ରଧାନଶିକ୍ଷକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅନ୍ତର୍ଗତ ପାଲିପଡ଼ା ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ନ ଥିଲେ ମଧ୍ୟ ମଧ୍ୟାହ୍ଣ ଭୋଜନ ହୋଇଛି ବୋଲତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟକୁ ପ୍ରଧାନଶିକ୍ଷକ ଭୀମସେନ ମହାକୁଡ଼ ମ୍ୟାସେ୍‌ଜ କରି ଜଣାଇଛନ୍ତି । ଅପରାହ୍ନରେ ଏହି ଘଟଣା ଲୋକଲୋଚନକୁ ଆସିଛି। ସୂଚନା ଅନୁସାରେ, ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୨୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଆଜି ସ୍କୁଲକୁ ୨୧ ଜଣ ପିଲା ପାଠ ପଢ଼ି ଆସିଥିଲେ। ସ୍କୁଲରେ ମଧ୍ୟାହ୍ନ ଭୋଜନ ହୋଇ ନ ଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ହୋଇଥିବା ବିଇଓ କାର୍ଯ୍ୟାଳୟକୁ ମ୍ୟାସେଜ କରାଯାଇଛି। ଘଟଣାର ତଦନ୍ତ ପରେ ଏହା ଜଣାପଡ଼ିଛି।

ନିୟମ ଅନୁସାରେ ମଧ୍ୟାହ୍ନ ଭୋଜନ ରୋଷେୟା ବିଦ୍ୟାଳୟକୁ ୧୦ଟାରେ ଆସିବା କଥା। ମାତ୍ର ପାଲିପଡ଼ା ସ୍କୁଲର ରୋଷେୟା କୁନି ଗଡ଼ିଆଙ୍କ ଜଣେ ସଂପର୍କୀୟଙ୍କ ମୃତ୍ୟୁ ଯୋଗୁଁ ସେ ଆଜି ସ୍କୁଲକୁ ଆସି ନ ଥିଲେ କିନ୍ତୁ କୁନିଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ ରୋଷେଇ ପାଇଁ କର୍ତ୍ତୃପକ୍ଷ ଅନ୍ୟ ବ୍ୟବସ୍ଥା କରି ନ ଥିଲେ। ପ୍ରଧାନଶିକ୍ଷକ ଭୀମସେନ ମହାକୁଡ଼ ବିଇଓ କାର୍ଯ୍ୟାଳୟକୁ ମଧ୍ୟାହ୍ନ ଭୋଜନ ହୋଇଥିବା ନେଇ ମ୍ୟାସେଜ୍‌ କରିଥିଲେ।

ବିଦ୍ୟାଳୟରେ ସମସ୍ତ ପିଲା ଓ ରୋଷେୟା ଆସିବା ପରେ ଛାତ୍ର ଉପସ୍ଥାନ ଦେଖାଯାଇଥାଏ। ଏହା ପରେ ବିଇଓ କାର୍ଯ୍ୟାଳୟକୁ ଛାତ୍ର ଉପସ୍ଥାନ ସଂପର୍କରେ ମ୍ୟାସେଜ୍‌ ପଠାଯାଇଥାଏ। ପ୍ରଧାନଶିକ୍ଷକ ଆଜି ପାଖାପାଖି ମଧ୍ୟାହ୍ନ ୧୨ ଟା ସମୟରେ ବିଇଓ କାର୍ଯ୍ୟାଳୟକୁ ମ୍ୟାସେଜ୍‌ କରିଥିଲେ। ସେହି ସମୟରେ ସେ ରୋଷେୟା ଅନୁପସ୍ଥିତ ଥିବା କଥା ଚିନ୍ତା କରି ନ ଥିଲେ।

ଆଜି ସାଢ଼େ ୩ଟାରେ ଆମ ପ୍ରତିନିଧି ସ୍କୁଲକୁ ଯାଇ ଭୀମସେନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେହି ସମୟରେ ସେ ସ୍କୁଲରେ ଅନୁପସ୍ଥିତ ଥିଲେ। ଏହା ପରେ ସହାୟକ ଶିକ୍ଷକ ଅନିତା ପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ରୋଷେୟା କୁନି ଗଡ଼ିଆଙ୍କ ଜଣେ ସଂପର୍କୀୟଙ୍କ ମୃତ୍ୟୁ ଘଟିଥିବାରୁ ସେ ଆଜି ଆସିପାରି ନ ଥିଲେ। ତେଣୁ ରୋଷେଇ ହୋଇ ପାରି ନ ଥିଲା। ଏବାବଦରେ ସିଆରସିସି ଶିବ ପୂଜାରୀଙ୍କୁ ପଚାରାଯିବାରୁ ସେ କହିଥିଲେ, ପ୍ରଧାନଶିକ୍ଷକ ସାଢ଼େ ୩ଟାରେ ବିଦ୍ୟାଳୟରେ ଅନୁପସ୍ଥିତ ଥିବାର ମୁଁ ଜାଣି ନାହିଁ। ସେହିଭଳି ମଧ୍ୟାହ୍ନ ଭୋଜନ ରୋଷେଇ ନ ହେବାର ସୂଚନା ମୋ ପାଖରେ ନାହିଁ।

ଘଟଣା ସଂପର୍କରେ ବିଇଓ ଶଶିଭୂଷଣ ସେଠୀ କୁହନ୍ତି, ଘଟଣାର ସତ୍ୟସତ୍ୟା ଥିଲେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଟଙ୍କା ଦିଆଯିବ ଓ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର