ସମ୍ବଲପୁର: ଗୁପ୍‌ଚୁପ୍‌ ବେପାରୀରୁ ଲକ୍ଷପତି ହେବାର ନିଶା, ୬ କେଜି ଗଞ୍ଜେଇ ଓ ୧ ଲକ୍ଷ ଟଙ୍କା ସହିତ ମହିଳା ଗିରଫ

ସମ୍ବଲପୁର: ଚୋରା ଗଞ୍ଜେଇ ସଂଗ୍ରହ କରାଯାଉଥିଲା ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ। ଯୋଗାଣ ହେଉଥିଲା ମଧ୍ୟପ୍ରଦେଶର ଲହର ଅଞ୍ଚଳକୁ। ଆଉ ଏହି ଚୋରା ଗଞ୍ଜେଇ କାରବାରର ପେଣ୍ଠ ହୋଇଥିଲା ସମ୍ବଲପୁର। ଏକଦା ମଧ୍ୟପ୍ରଦେଶର ଲହର ସହରରେ ଗୁପ୍‌ଚୁପ୍‌ ବିକ୍ରିି କରୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ଏହି ଚୋରା ଗଞ୍ଜେଇ କାରବାର କରି ବର୍ତ୍ତମାନ ସମ୍ବଲପୁରରେ ଲକ୍ଷ ପତି। ଏହି ପରି ଏକ ଘଟଣାରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ନଗଦ ୧ଲକ୍ଷ ୭ଶହ ଟଙ୍କା ଓ ୬ କେଜି ଗଞ୍ଜେଇ ଜବତ କରିଛି। ଅନ୍ୟତମ ଅଭିଯୁକ୍ତ ତଥା ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଥିିବା ଜଣାଯାଇଛିି।

ଧନୁପାଲି ଥାନା ଇନସପେକ୍ଟର କମଳ ପଣ୍ଡାଙ୍କ ଠାରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲାରୁ ମଧ୍ୟପ୍ରଦେଶକୁ ଭାୟା ସମ୍ବଲପୁର  ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୁଲିସକୁ ବିଭିନ୍ନ ସମୟରେ ସୂଚନା ମିଳୁଥିଲା। ତେବେ ଏହିପରି ଏକ ଠୋସ୍‌ ସୂଚନା ଆଧାରରେ ପୁଲିସ ସମ୍ବଲପୁରର ଏକ ଦମ୍ପତ୍ତିଙ୍କ ଉପରେ ନଜର ରଖିଥିଲା।

ମଧ୍ୟପ୍ରଦେଶର ଲହର ଅଞ୍ଚଳର ମୂଳବାସିନ୍ଦା ଦେଶରାଜ ଖୁସଓ୍ଵା ଓ ତାଙ୍କ ପତ୍ନୀ ପଦ୍ମିନୀ ଖୁସ୍‌ଓ୍ଵା ୩/୪ ବର୍ଷ ତଳେ ମଧ୍ୟପ୍ରଦେଶର ଲହର ଅଞ୍ଚଳରେ ଗୁପଚୁପ୍‌ ବେପାର କରୁଥିଲେ। ପରେ ସେମାନେ ହଠାତ ସମ୍ବଲପୁର ଚାଲି ଆସିଥିଲେ। ଏଠାରେ ସେମାନେ ସ୍ଥାୟୀ ଭାବେ ରହିବା ସହିତ ଗଞ୍ଜେଇ ଚୋରା କାରବାର ଆରମ୍ଭ କରିଥିଲେ। ସେମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଗଞ୍ଜେଇ ଚୋରରେ କିଣି ଲହରରେ ବିକ୍ରି କରୁଥିଲେ। ଏଥିରୁ ମିଳୁଥିବା ମୋଟା ଟଙ୍କାରେ ଗତ ୨ ବର୍ଷ ମଧ୍ୟରେ ସମ୍ବଲପୁରରେ ଜମି କି ଘର ମଧ୍ୟ ତିଆରି କରିଛନ୍ତି। ତେବେ ଗତକାଲି ଖୁସୁଓ୍ଵା ଦମ୍ପତି ପୁଣି ଗଞ୍ଜେଇ ଆଣିଥିବା ସୂଚନା ପାଇ ପୁଲିସ ଚଢ଼ାଉ କରିବାରୁ ଘର ଭିତରୁ ୬ କେଜି ଗଞ୍ଜେଇ ,ନଗଦ ୧ ଳକ୍ଷ ଟଙ୍କା ଜବତ କରିଛି। ଘଟଣାସ୍ଥଳରୁ ଦେଶରାଜ ଫେରାରା ହୋଇ ଯାଇଥିବାବେଳେ ତାଙ୍କ ପତ୍ନୀ ପଦ୍ମିନୀଙ୍କୁ ଗିରଫ କରାଯାଇଥିିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର