ବାଲେଶ୍ୱର: ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣେ ପ୍ରସୂତିଙ୍କର ରବିବାର ଦ୍ଵିପ୍ରହରରେ ମୃତ୍ୟୁ ଘଟିଛି। ମୃତ ପ୍ରସୂତି ଜଣକ ହେଲେ ବାହାର୍ଦା ଥାନା ଅନ୍ତର୍ଗତ ଆମାଛିଆ ଗ୍ରାମର ସୁକୁଲ ଚୋପିଆରଙ୍କ ପତ୍ନୀ ସରସ୍ୱତୀ ଚୋପିଆର(୨୩)।
ମିଳିଥିବା ଖବର ଅନୁଯାୟୀ, ଆଜି ଭୋର୍ ସମୟରେ ସରସ୍ୱତୀଙ୍କ ପ୍ରସବଜନିତ ଯନ୍ତ୍ରଣା ହେବା ପରେ ସ୍ୱାମୀ ସୁକୁଲ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ। ସେଠାରେ ସେ ସକାଳ ପ୍ରାୟ ସାଢେ ୬ ଟାରେ ସରସ୍ୱତୀଙ୍କର ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ପୂର୍ବାହ୍ନ ୧୧ଟା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏନେଇ ସ୍ୱାସ୍ଥ୍ୟକର୍ମୀ ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ସେ ଯାଇ ଡାକ୍ତରଙ୍କୁ କହିଥିଲେ। ଦ୍ଵି-ପ୍ରହର ପ୍ରାୟ ୧ଟା ୩୦ ମିନିଟ୍ ବେଳେ ଡାକ୍ତର ଆସି ଦେଖିବା ପରେ ରୋଗୀର ଅବସ୍ଥା ଭଲ ନ ଥିଲା। ତେଣୁ ତାଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ନେଇଯାଅ କହି ସ୍ଥାନାନ୍ତର କରିଦେଲେ। ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପ୍ରବେଶ କରି ଡାକ୍ତର ଦେଖାଇବା ବେଳକୁ ସରସ୍ୱତୀଙ୍କର ଆଉ ଜୀବନ ନଥିଲା।
ସରକାର ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ମାଗଣାରେ ଉପଲବ୍ଧ କରିଥିଲେ ବି ତାହା କେବଳ ପ୍ରହସନ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତିା ଠିକ୍ ସମୟରେ ଯଦି ଚିକିତ୍ସା ଓ ରକ୍ତ ଯୋଗାଇ ଦେଇଥାନ୍ତେ ତା’ହେଲେ ତାଙ୍କ ପତ୍ନୀଙ୍କୁ ସେ ହରାଇନଥାନ୍ତେ ବୋଲି ସୁକୁଲ କହିଛନ୍ତି। ତେବେ ନବଜାତ ଶିଶୁକନ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି। ସୁକୁଲ ଜଣେ ଦିନମଜୁରିଆ ହୋଇଥିବା ବେଳେ ଏହା ପୂର୍ବରୁ ତାଙ୍କର ଦୁଇ ପୁତ୍ର ସନ୍ତାନ ରହିଥିବା ଜଣାପଡ଼ିଛି।