କୋରାପୁଟ୍‌: ଡାକ୍ତରଖାନା ମନାକଲା, ଡ୍ରେନ୍‌ରେ ସନ୍ତାନ ପ୍ରସବ କଲେ ମହିଳା

କୋରାପୁଟ୍‌: କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ସକାଳେ ଏକ ଅଭବନୀୟ ଘଟଣା ଘଟିଛି। ନିଜ ସ୍ୱାମୀଙ୍କୁ ଡାକ୍ତରଖାନାକୁ ନେଇ ଆସିଥିବା ଜଣେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ମାତ୍ର ସେ ସାଙ୍ଗରେ ତାଙ୍କ ପୁରୁଣା ପେସକ୍ରିପ୍‌ସନ ଓ କାର୍ଡ ଆଣି ନ ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ନ କରି କାଗଜପତ୍ର ନେଇ ଆସିବାକୁ କହି ଫେରାଇ ଦେଇଥିଲେ। ମାତ୍ର ମହିଳାଜଣକ ଡାକ୍ତରଖାନା ପରିସରରେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଡ୍ରେନ୍‌ ପାଖରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ପାୟ ଅଧ ଘଣ୍ଟାରୁ ଅଧିକ ସମୟରେ ଡ୍ରେନ୍‌ ପାଖରେ ପଡ଼ି ରହିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମହିଳା ଓ ଶିଶୁ କନ୍ୟାଙ୍କୁ ଡ୍ରେନ୍‌ ପାଖରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ୍‌ ବ୍ଲକ୍‌ ମସ୍ତିପୁଟ୍‌ ଗ୍ରାମ ପଞ୍ଚାୟତର ଜାନିଗୁଡ଼ା ଗ୍ରାମର ରଘୁ ମୁଦୁଲିଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ସଙ୍ଗରେ ଧରି ତାଙ୍କ ଗର୍ଭବତୀ ପତ୍ନୀ ଦିମାଇ ମୁଦୁଲି (୩୨ ବର୍ଷ) କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି ସକାଳେ ଆସିଥିଲେ। ସ୍ୱାମୀଙ୍କ ଚିକିତ୍ସା ପରେ ସେ ଘରକୁ ଯିବା ପୂର୍ବରୁ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ଏ ପ୍ରସଙ୍ଗରେ ସେ ସେଠାରେ ଥିବା ଜଣେ ନର୍ସଙ୍କୁ କହିଥିଲେ। ମାତ୍ର ନର୍ସ ଜଣକ ଦିମାଇଙ୍କୁ ତାଙ୍କ କାର୍ଡ ଓ କାଗଜପତ୍ର ମାଗିଥିଲେ। ମାତ୍ର ତାହା ଦିମାଇ ମଦୁଲିଙ୍କ ପାଖରେ ନ ଥିବାରୁ କାଗଜ ଆଣି ଆସିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବ ବୋଲି ନର୍ସ ଜଣକ କହିଥିଲେ। ଏହା ପରେ ଦିମାଇ ଡାକ୍ତରଖାନା ପରିସରରେ ଶୌଚାଳୟକୁ ଯାଉଥିବା ବେଳେ ଏକ ଡ୍ରେନ୍‌୍‍ ପାଖରେ ବସିପଡ଼ିଥିଲେ। ସେଠାରେ ସେ ଗର୍ଭଯନ୍ତ୍ରଣା ପାଇବା ସହିତ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ସେହିପରି ପ୍ରାୟ ଅଧଘଣ୍ଟା ସେଠାରେ ପଡ଼ି ରହିଥଲେ। ଶେଷର ତାଙ୍କ ସ୍ୱାମୀ ରଘୁ ମୁଦୁଲି ଦିମାଇଙ୍କ ପାଖରେ ପହଞ୍ଚି ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିିବା ଜାଣି ଡାକ୍ତରଖାନା କର୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଅଧଘଣ୍ଟା ପରେ ଶିଶୁକନ୍ୟା ସହିତ ଦିମାଇଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜନନୀ ସୁରକ୍ଷା ଯୋଜନା ନେଇ ସରକାର ଯେତେ ବି ଯୋଜନା କଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ଯେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ତାହା ଦିମାଇଙ୍କ ଘଟଣାରୁ ଜଣାପଡ଼ୁଛି। ବଶେଷ କରି ଡାକ୍ତରଖାନାରେ ପ୍ରସବ ପାଇଁ ସରକାର ଯୋର ଦେଉଥିବା ବେଳେ ଡାକ୍ତରଖାନା ଆସି ଜଣେ ମହିଳା ଡ୍ରେନ୍‌ ପାଖରେ ଶିଶୁକନ୍ୟା ଜନ୍ମ ଦେବା ଆମ ବ୍ୟବସ୍ଥାରେ ରହିଥିବା ଖୁଣକୁ ପଦରରେ ପକାଉଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର