କେନ୍ଦ୍ରାପଡ଼ା: ବିଲରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଉଦ ଛକ ନିକଟରେ ଥିବା ବିଲରେ ଜଣେ ଅଜଣା ମହିଳାଙ୍କ ମୃତଦେହ ପଡ଼ିଛି। ଆଜି ସକାଳୁ ଏହି ମୃତଦେହ ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିଛନ୍ତି। ମାତ୍ର ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ପାରି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମାର୍ଶାଘାଇ ଥାନା ଅନ୍ତର୍ଗତ ବଉଦ ଛକ ନିକଟ ନୟନଯୋରକୁ ଲାଗି ବିଲ ହୁଡ଼ାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଆଜି ସକାଳେ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତଦେହ ସେଠାକୁ କେମିତି ଆସିଲା ତାହା ଜଣା ଯାଇ ନାହିଁ। କେତେକ ଏହା ଏକ ଅଂଶୁଘାତ ଜନିତ ମୃତ୍ୟୁ ବୋଲି କହୁଥିବା ବେଳେ ପାଖରେ ଥିବା ନୟନଯୋରରେ ପାଣିଥିବାରୁ ଅନ୍ୟ ମାନେ ଏହାକୁ ଅସ୍ୱୀକାର କରୁଛନ୍ତି। ଅପରପକ୍ଷେ ମୃତ ମହିଳାଙ୍କ ପରିଚୟ ଜଣା ନ ପଡ଼ିବା ପରିସ୍ଥିତିକୁ ରହସ୍ୟମୟ କରିଛି।

ସମ୍ବନ୍ଧିତ ଖବର