ବେଆଇନ୍‌ କରତ କଳ ଜବତ, ୧୦ ଲକ୍ଷ ଟଙ୍କାର ଚୋରା କାଠ ଓ ଯନ୍ତ୍ରପାତି ଜବତ

ସମ୍ବଲପୁର: ବନ ବିଭାଗ ପକ୍ଷରୁ ଶୁକ୍ରବାର ବଡ଼ବଜାର ବଙ୍ଗାଳିପଡ଼ାଠାରେ ଏକ ବେଆଇନ୍‌ କରତ କଳ ଉପରେ ଚଢାଉ କରାଯାଇ ବହୁ ପରିମାଣରେ ଶାଗୁଆନ କାଠ ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ଚୋରା କାଠ ଓ ଯନ୍ତ୍ରପାତି ଜବତ କରାଯାଇଛି। କିଛି ଦିନ ତଳେ ଫାର୍ମ ରୋଡ୍‌, ଚେରୁଆପଡ଼ା ଅଞ୍ଚଳରେ ବେଆଇନ୍‌ କରତ କଳ ସିଜ୍‌ କରିଥିବା ସମ୍ବଲପୁର ବନ ବିଭାଗ ଏଥର ବଡ଼ବଜାର ଅଞ୍ଚଳରେ ଏହି ଚଢ଼ାଉ କରିଛି।

ସୂଚନା ଅନୁସାରେ ବନ ବିଭାଗର ଚଢ଼ାଉ ବେଳେ ପ୍ରାୟ ୨୫୦ ଘନ ଫୁଟ୍‌ର କାଠ ଗଣ୍ଡି ମିଳିଛି, ଯେଉଁଥିରେ ଅଧିକାଂଶ ଶାଗୁଆନ କାଠ ବୋଲି ଜଣାଯାଇଛି। ଏହି କାଠର ମୂଲ୍ୟ ପ୍ରାୟ ୮.୫ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଚଢ଼ାଉ ସମୟରେ ୧.୫ ଲକ୍ଷ ଟଙ୍କା ମୂଲ୍ୟର ଯନ୍ତ୍ରପାତି ଜବତ ହୋଇଛି। ତେବେ ଜବରଦଖଲ ହୋଇଥିବା ସରକାରୀ ଜମିରେ ଏହି ବେଆଇନ୍‌ କରତ କଳ ଚାଲିଥିବାରୁ ଏହାକୁ କିଏ ପରିଚାଳନା କରୁଥିଲା ଜଣା ପଡ଼ିନାହିଁ ବୋଲି ସମ୍ବଲପୁର ଡିଏଫ୍‌ଓ ସଂଜିତ କୁମାର ସୂଚନା ଦେଇଛନ୍ତି। ଏହା ଉପରେ ତଦନ୍ତ ଚାଲିଥିବା ବେଳେ ସମସ୍ତ ଚୋରା କାଠ ଓ ଯନ୍ତ୍ରପାତି ଜବତ କରାଯାଇ କରତ କଳକୁ ସିଜ୍‌ କରାଯାଇଛି।

ସମ୍ବନ୍ଧିତ ଖବର