କାଠ ଅଙ୍ଗାରର ଚାହିଦା ଏବେ ବି ରହିଛି: କୋରାପୁଟ ଜିଲା ଓ ପଡୋଶୀ ଜିଲ୍ଲାରେ ବିପୁଳ ପରିମାଣର ବିକ୍ରି ହେଉଛି
ପରିବେଶ ବିଗୁଡୁଥିବା ଅଭିଯୋଗ କଲେ ପରିବେଶବିଦ୍
ଜୟପୁର: ରୋଷଇ କରି ଖାଇବା ପାଇଁ ଲୋକେ ପୂର୍ବରୁ ଜାଳେଣି ପାଇଁ କାଠ ବ୍ୟବହାର କରି ଆସୁଥିଲେ। ତାପରେ ଏହି କାଠକୁ ଜଙ୍ଗଲରେ ଜାଳି ଅଙ୍ଗାର ଭାବେ ପ୍ରସ୍ତୁତି କରି ଏଥିରେ ରୋଷଇ କରୁଥିଲେ। ଯୁଗ ବଦଳିଲା। ଏହା ସାଙ୍ଗକୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଦୁର୍ଗମ ଗାଁରୁ ଆରମ୍ଭ କରି ସହରର ବସ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ଘରକୁ ଗ୍ୟାସ ଚୁଲା ଯୋଗାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ବି ସହରର ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଗ୍ରାମାଂଚଳର ଲୋକେ ପୂର୍ବ ପ୍ରଚଳିତ କରି ଆସୁଥିବା ପ୍ରଥାକୁ ବନ୍ଦ କରି ପାରିନାହାନ୍ତି। ଏହି ସ୍ଥିତିରେ କାଠ ଅଙ୍ଗାରର ଚାହିଦା ବହୁଳ ପରିମାଣର ରହିଛି। କାଠ କାଠୁରିଆ ମାନେ ଜଙ୍ଗଲରୁ କାଠ କାଟି ଜଙ୍ଗଲ ମଧ୍ୟରେ ହିଁ କାଠକୁ ପୋଡି ବଡ ଗାତ ଗାତ କରି ସେଥି ମଧ୍ୟରେ ଏହି ପୋଡିଯାଇଥିବା କାଠକୁ ପୋତି ଅଙ୍ଗାର ପ୍ରସ୍ତୁତ କରୁଛନ୍ତି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରୁଛନ୍ତି। ଏହା ଦ୍ଵାରା ଜଙ୍ଗଲ ନଷ୍ଟ ହେବା ସହ ପରିବେଶ ବି ଅବକ୍ଷୟ ହେଉଛି। ତେବେ ବିଭାଗ ସବୁ ଜାଣି ନଜାଣିବା ଅଭିନୟ କରୁଛି ବୋଲି ପରିବେଶବିଦ୍ମାନେ ଅଭିଯୋଗ କରିଛନ୍ତି।
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଜାନିଗୁଡାର ହରି ଜାନି ନିଜ ସାଇକେଲରେ ଏପରି ଅଙ୍ଗାର ପ୍ରସ୍ତୁତି କରି ବସ୍ତାରେ ଭରି ଏହାକୁ ସାଇକେଲରେ ନେଇ ନବରଙ୍ଗପୁରରେ ବିକ୍ରି କରୁଥିବା କହିଛନ୍ତି। କିଛି ଚା’ ଦୋକାନ, ହୋଟେଲ, କିଛି ସଉଦା ଦୋକାନ ସହ କିଛି ଲୋକେ ବି ଅଙ୍ଗାର କିଣୁଛନ୍ତି ବୋଲି କହିଛନ୍ତି ହରି। ସେଭଳି ବୋରିଗୁମ୍ମା, କୋଟପାଡ, ଜଗଦଲପୁର ପର୍ଯ୍ୟନ୍ତ ଏହି କାଠ ଅଙ୍ଗାର ବିକ୍ରି କରୁଥିବା କହିଛନ୍ତି ରଘୁନାଥ ପୁଜାରୀ। କାଉଡି ୫୦୦ରୁ ୮୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା କହିଛନ୍ତି।
ଏପରିକି ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ନବଜାତ ଶିଶୁଙ୍କୁ ଅଙ୍ଗାର ନିଆଁରେ ସେକ୍ ଦେବା ପ୍ରକ୍ରିୟା ଆଜି ବି ଜାରି ରହିଛି। ସେଭଳି ମନ୍ଦିର ଗୁଡିକରେ ଝୁଣା ଦେବା, ବିଭିନ୍ନ ପୂଜା, ବାହା, ବ୍ରତ, ଜାନିଯାତ୍ରା ଆଦିରେ ବି ଏହାର ବ୍ୟବହାର ହେଉଛି। ତେବେ ପୂର୍ବ ଅପେକ୍ଷା ଏବେ ଅଙ୍ଗାର ପୋଡିବା ବ୍ୟକ୍ତିଙ୍କ ସଂଖ୍ୟାବି କମି ଯାଇଛି ବୋଲି କହିଛନ୍ତି ହରି ଓ ରଘୁନାଥ।
ଦିନ ତମାମ କାଠ ସଂଗ୍ରହ କରି ଗାତ ଖୋଳି ଏଥିରେ ପୋତି ଦୁଇ ଦିନ ପରେ ବାହାର କରି ସାଇକେଲରେ ନେଇ ସହରରେ କିମ୍ବା ଗାଁରେ ବିକ୍ରି ବଟା କରିବା ସହଜ କାମ ନୁହେଁ ବୋଲି କହିଛନ୍ତି। ଏପରିକି ଏହା ମଧ୍ୟରେ ପୁଣି ବନବିଭାଗ କର୍ମଚାରୀଙ୍କ ଦାଉ ବି ରହିଛି ବୋଲି କହିଛନ୍ତି। କେବଳ ବୋରିଗୁମ୍ମା ରେଂଜରୁ ନବରଙ୍ଗପୁର ନେଇ ବିକ୍ରି ହେଉଛି ତାହା ନୁହେଁ ସେଭଳି ଜୟପୁର ସହରକୁ ବି ଆଖପାଖ ଗାଁରୁ କିଛି ଅଙ୍ଗାରକାଉଡିଆ ଅଙ୍ଗାର ଆଣି ବିକ୍ରି କରୁଥିବା ବି ଦେଖିବାକୁ ମିଳିଛି। ତେବେ ଜଙ୍ଗଳରୁ କାଠ କାଟି ପୁଣି ଜଙ୍ଗଲ ମଧ୍ୟରେ ଗାତ କରି ଏହାକୁ ପୋତି ନିଆଁରେ ପୋଡିବା ଦ୍ଵାରା ଜଙ୍ଗଲ କ୍ଷୟ ହେବା ସହ ପରିବେଶ ପ୍ରତି ବିପଦ ଦେଖାଦେଉଛି ବୋଲି ପରିବେଶଦ୍ ରାଜେଶ ପାଣିଗ୍ରାହୀ କହିଛନ୍ତି। ଏପରି ହେବା ଦ୍ଵାରା ଆମ ଚାରିପାର୍ଶ୍ଵରେ ଥିବା ଜଙ୍ଗଲର ସବୁଜିମା ହରାଇବା ସହ ପରିବେଶ ବି ନଷ୍ଟ ହେବାରେ ଲାଗୁଛି ବୋଲି କହିଛନ୍ତି। ବନବିଭାଗର ଅଧିକାରୀମାନେ କାଁଭାଁ ଜବତ କରି ପରବର୍ତ୍ତୀ ସମୟରେ ଯଥାପୂର୍ବଂକୁ ତଥା ପରଂରେ ନ ରହି ଏହି ଅଙ୍ଗାରକାଉଡିଆଙ୍କୁ ପରିବେଶ କିଭଳି ସୁରକ୍ଷା କରାଯିବ ସେ ଦିଗରେ ବି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।