ଅନୁଗୁଳ: ୩ ମହିଳାଙ୍କ ସ୍ୱାମୀ ଥିଲେ ସହକାରୀ ଶିକ୍ଷକ, ୪ର୍ଥ ପତ୍ନୀ ପାଇଁ ଯୁବତୀକୁ କଲେ ଅପହରଣ

ପାଇକସାହି: ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ବେହେରାଙ୍କ ଘରୁ ତାଲା ଭାଙ୍ଗି ପୁଲିସ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଂଚଳରୁ ଏହି ମାମଲା ଆସିଛି। ଠାକୁରଗଡ଼ ଆଇଆଇସି ଗୋବାକ୍ଷ ନାୟକଙ୍କ ସୂଚନା ଅନୁସାରେ ହଣ୍ଡପା ଥାନା ଅଞ୍ଚଳର ୨୩ ବର୍ଷୀୟ ଯୁବତୀଙ୍କୁ ଠାକୁରଗଡ଼ର ଶିକ୍ଷକ ରବୀନ୍ଦ୍ର ଅପହରଣ କରି ନିଜ ଘରେ ତାଲା ବନ୍ଦ କରି ରଖିଥିଲା। ଥାନାରେ ଅଭିଯୋଗ ପରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ଯୁବତୀଙ୍କୁ ସୋମବାର ରାତି ଉଦ୍ଧାର କରିଛି। ଅପହରଣ ଘଟଣା ଦିନ ଯୁବତୀ ଜଣକ ସିଲେଇ ଶିଖିବା ପାଇଁ ଅନୁଗୁଳ ଯାଇଥିଲେ। ମାତ୍ର ସେ ସେଦିନ ଆଉ ଘରକୁ ଫେରି ନଥିଲେ। ପରେ ସେ ଅପହରଣ ହୋଇଥିବା ସନ୍ଦେହ କରାଯାଇଥିଲା।

ହଣ୍ଡପା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଠାଗୁରଗଡ଼ ଥାନା ସହିତ ଯୋଗାଯୋଗ କରିଥିଲା। ଆଇଆଇସି ନିଜର ଟିମ୍‌ ସହିତ ଅତର୍କିତ ଭାବେ ରାତ୍ରୀକାଳୀନ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ପରେ ଯୁବତୀଙ୍କୁ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ କହିଛି, ଅଭିଯୁକ୍ତ ରବୀନ୍ଦ୍ର ବେହେରା ଯୁବତୀଙ୍କୁ ଭଲ ପାଉଥିଲା। ସେ ବିବାହ କରିବାକୁ ଚାହୁଁଥିଲା। ମାତ୍ର ସେ ପୂର୍ବରୁ ୩ ଜଣ ମହିଳାଙ୍କୁ ବିବାହ କରିଥିବାରୁ ଯୁବତୀଙ୍କ ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ। ରବୀନ୍ଦ୍ରର ପ୍ରଥମ ସ୍ତ୍ରୀର ପିଲା ଛୁଆ ଥିବା ବେଳେ ୨ୟ ଓ ୩ୟ ସ୍ତ୍ରୀଙ୍କ କୌଣସି ସନ୍ତାନ ନାହାନ୍ତି। ରବୀନ୍ଦ୍ରଙ୍କ ପାଖରେ ତା’ର ୩ ଜଣ ସ୍ତ୍ରୀ ରହୁ ନାହାନ୍ତି। ଅଭିଯୁକ୍ତ ଖୁବ ଶୀଘ୍ର ଗିରଫ ହେବ।

ସମ୍ବନ୍ଧିତ ଖବର