ନବରଙ୍ଗପୁର: ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ନବରଙ୍ଗପୁର: ରାଇଘର ଥାନା ଅନ୍ତର୍ଗତ ଗଦରାପରା ଗ୍ରାମରେ ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଯୁବକ ଜଣକ ଗଦରାପାରା ଜଗନ୍ନାଥ କଲାର (୨୨)ବୋଲି ଜଣାପଡିଛି। କେଉଁ କାରଣରୁ ଜଗନ୍ନାଥ ଏଭଳି ପଦକ୍ଷେପ ନେଇଥିଲେ ତାହାର କାରଣ ଏଯାଏଁ ପୁଲିସ ଖୋଜି ବାହାର କରିବାରେ ସକ୍ଷମ ହୋଇପାରି ନାହିଁ।

ସୂଚନା ଅନୁଯାଇ କଚରାପାରା ପଞ୍ଚାୟତର ଗଦରାପରା ଗ୍ରାମର ହେଜୁରାମ କଲାରଙ୍କ ପୁଅ ଜଗନ୍ନାଥ କଲାର ଶୁକ୍ରବାର ରାତି ପରିବାରଙ୍କ ସହ ଖାଇପିଇ ଶୋଇବାକୁ ଯାଇଥିଲା। ସକାଳେ ପରିବାର ଲୋକେ ଜଗନ୍ନାଥକୁ ତା’ ଶୋଇବା ଘରେ ନପାଇବାରୁ କେଉଁଠିକି ଯାଇଥିବ ବୋଲି ଭାବିଥିଲେ। ହେଜୁରାମ ଶୌଚ ହେବାକୁ ନିକଟସ୍ଥ ପୋଖରୀକୁ ଯିବା ବାଟରେ କରଂଜି ଗଛରେ କେହି ଜଣେ ଝୁଲୁଥିବା ଦେଖି ପାଖକୁ ଯାଇଥିଲେ। ପାଖକୁ ଯାଇ ଦେଖିବା ବେଳକୁ ନିଜ ପୁଅ ଜଗନ୍ନାଥ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ହେଜୁରାମ ପ୍ରଥମେ ପରିବାର ଲୋକଙ୍କୁ ଜଣାଇବା ସହ ଗ୍ରାମବାସୀଙ୍କୁ ମଧ୍ୟ ଖବର ଦେଇଥିଲେ। ମୃତ ଜଗନ୍ନାଥଙ୍କ ବଡବାପା ଇନ୍ଦ୍ରଜିତ କଲାର ରାଇଘର ଥାନାକୁ ଆସି ଲିଖିତ ଭାବେ ଜଣାଇବା ପରେ ରାଇଘର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସହ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପ୍ରକାଶ ଥାଉକି ଜଗନ୍ନାଥ କଲାର +୨ ପାସ୍‌ କରି ଏକ ଟ୍ରାକ୍ଟର ଚଳାଉଥିଲା। ପ୍ରାଥମିକ ତଦନ୍ତରେ ଜଗନ୍ନାଥ କେଉଁ କାରଣରୁ ଆତ୍ମହତ୍ୟା କରିଥିଲା ତାର ସଠିକ କାରଣ ଜଣାପଡି ପାରିନଥିବା ତଦନ୍ତକାରୀ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର