ନବରଂଗପୁର: ସାପ କାମୁଡ଼ାରେ ଯୁବକର ମୃତ୍ୟୁ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ପଂଚାୟତର ଟଙ୍କପଖନା ଗ୍ରାମରେ ନାଗ ସାପ କାମୁଡ଼ାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ଯୁବକଙ୍କ ନାମ ଗୋପିନାଥ ଗଣ୍ଡ (୨୪) ବୋଲି ଜଣାପଡିଛି। ସୂଚନା ମୁତାବକ ଟଙ୍କପଖନା ଗ୍ରାମର ବନସୁ ଗଣ୍ଡଙ୍କ ସାନ ପୁଅ ଗୋପନାଥ ଗଣ୍ଡ ସୋମବାର ଅପରାହ୍ଣ ସାଢେ ୫ଟାରେ ପୋଖରୀରେ ଗାଧୋଇ ଆସି ଦେହରେ ନଡ଼ିଆ ତେଲ ଲାଗେଇବାକୁ ଘର ଥାକ ଉପରେ ଥିବା ତେଲ ଡବା ଆଣିବାକୁ ଯାଉଥିବା ବେଳେ ପୂର୍ବରୁ ସେଠାରେ ଥିବା ଏକ ନାଗ ସାପ ଗୋପୀନାଥର ଡାହାଣ ହାତର ମଝି ଆଙ୍ଗୁଠିକୁ ଚୋଟ ମାରିଥିଲା।

ଗୋପୀନାଥ ଚିତ୍କାର କରି ତଳେ ପଡି ଛଟପଟ ହେବା ଦେଖି ପରିବାର ଲୋକେ ଧାଇଁ ଆସି ସାପଟିକୁ ମରିଦେଇଥିଲେ ଏବଂ ଗୋପନାଥକୁ ଚିକିତ୍ସା ନିମନ୍ତେ ରାଇଘର ଡାକ୍ତରଖାନାକୁ ଆଣିବାକୁ ପ୍ରସ୍ତୁତ ହେବା ସମୟରେ ଘଟଣା ସ୍ଥଳରେ ତାର ମୃତୁ ଘଟିଥିଲା।

ଆଜି ତାର ବଡ଼ଭାଇ ସୋନୁରାମ ରାଇଘର ଥାନାରେ ଜଣେଇବାରୁ ରାଇଘର ଥାନା ଏ ଏସ୍‌ ଆଇ ବୁଲୁ ପଟନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏ ନେଇ ରାଇଘର ଥାନାରେ ଏକ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର