୬୦ ଫୁଟ ଉପରେ ଖୁଣ୍ଟରେ ଝୁଲି ମୃତ୍ୟୁ ସହ ଏକ ଘଣ୍ଟା ଲଢ଼େଇ କଲେ ବଇଦୁ

ନବରଙ୍ଗପୁର: କଥାରେ ଅଛି ‘ରଖେ ହରି, ମାରେ କିଏ।’ ଅର୍ଥାତ ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ, ତାଙ୍କୁ କେହି ମାରିପାରିବେ ନାହିଁ। ଆଜି ଏଭଳି ଏକ ଉଦାହାରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ। ଉମରକୋଟ ସହରରେ ଥିବା ଏକ ୬୦ ଫୁଟ ଉଚ୍ଚତାର ବିଦ୍ୟୁତ ଖୁଣ୍ଟରେ ଜଣେ ଯୁବକ ଚଢ଼ି କାମ କରୁଥିଲେ । ଆଉ ଏକ ଘଣ୍ଟା ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ବଇଦୁ ଭତ୍ରା ଜୀବନ ଫେରି ପାଇଛନ୍ତି। ଏହି  ଘଟଣାରେ  ଉମରକୋଟବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୬୦ ଫୁଟ ଉଚ୍ଚ ବିଦ୍ୟୁତ ଖୁଣ୍ଟ ଉପରେ କାମ କରୁଥିବା ବେଳେ ଶ୍ରମିକ ବଇଦୁ ଭତ୍ରାଙ୍କ ହଠାତ ମୁଣ୍ଡ ବୁଲାଇ ଥିଲା। ଫଳରେ ସେ ଅଚେତ ହୋଇଯାଇଥିଲେ। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ବିଦ୍ୟୁତ ଖୁଣ୍ଟରୁ ବଇଦୁଙ୍କୁ ଉଦ୍ଧାର କରିଥିଲା।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ମୂଖ୍ୟ ରାସ୍ତାରେ ପୁରୁଣା ତାର ବଦଳାଇ ସେହି ସ୍ଥାନରେ ଏବେ ନୂଆ କେବୁଲ ତାର ଲଗାଯାଉଛି। ଏହି କେବୁଲ ବଦଳାଇବା କାମ କରିବାକୁ ଆଜି ୬୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢିଥିଲେ ବଇଦୁ ଭତ୍ରାଙ୍କ ସହିତ ଆଉ ଜଣେ ଶ୍ରମିକ। କାମ କରୁଥିବା ସମୟରେ ବଇଦୁ ଭତ୍ରାଙ୍କ ହଠାତ୍‌ ମୁଣ୍ଡ ବୁଲାଇଥିଲା। ଫଳରେ ସେ ଖୁଣ୍ଟ ଉପରେ ହିଁ ଅଚେତ ହୋଇଯାଇଥିଲେ। ବଇଦୁ ବିଦ୍ୟୁତ୍‌ ଖୁଣ୍ଟରେ ହିଁ ଲାଗି ରହିଥିଲେ। ତେଣୁ ସେ ବିଦ୍ୟୁତ୍‌ ଖୁଣ୍ଟରୁ ଓହ୍ଲାଇ ପାରି ନ ଥିଲେ। ସେ ଦୀର୍ଘ ଏକ ଘଣ୍ଟା ଧରି ନିଜ ସାଥି ଶ୍ରମିକଙ୍କ ସହ ଲଟ୍‌କି ରହିଥିଲେ ଓ ମୃତ୍ୟୁ ସହ ସଂଘର୍ଷ କରିଥିଲେ।

ଶ୍ରମିକ ବିଦ୍ୟୁତ୍‌ ଖୁଣ୍ଟରେ ଫସିଥିବା ଦୃଶ୍ୟ ଦେଖି ସାରା ଉମରକୋଟ ସହରର ଳୋକେ ଚକିତ ହୋଇଯାଇଥିଲେ। ଦମକଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ବଇଦୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ତେବେ ସାଧାରଣ ଲୋକଙ୍କ ଜୀବନ ସହ ବିଦ୍ୟୁତ ବିଭାଗ ଖେଳୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ାଇବା ପୂର୍ବରୁ ଶ୍ରମିକମାନଙ୍କୁ ସେଫ୍‌ଟି ବେଲ୍ଟ ଓ ହେଲମେଟ ଦିଆଯାଇ ନ ଥିଲା। ସେମାନଙ୍କୁ ବିପଦପୂର୍ଣ୍ଣ କାମରେ ଲଗାଯାଇଥିଲେ ମଧ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। ଅଭିଯୋଗ ଆସିବା ପରେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ। ଅନେକ ସମୟରେ ବିଦ୍ୟୁତ ବିଭାଗର ଏଭଳି ଅବହେଳା ଯୋଗୁଁ ଅନେକଙ୍କ ଜୀବନ ଯାଉଛି। ଆଜି ଗୋଟିଏ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ସମ୍ବନ୍ଧିତ ଖବର