ରତ୍ନନେଇ ଯାଇଥିଲେ, ବଜ୍ରପାତରେ ଯୁବକ ମୃତ 

ଶେରଗଡ଼: ଲକଡାଉନ ଯୋଗୁଁ ସବୁ ବନ୍ଦ ସମୟ ଅତିବାହିତ କରିବା ପାଇଁ କିଛି ସାଙ୍ଗ ସହ ରତ୍ନନେଇ ଠାକୁରାଣୀଙ୍କ ଦର୍ଶନ ନିମନ୍ତେ ପାହାଡ଼କୁ ଯାଇଥିବା ବେଳେ ଗତ ରାତିରେ ବଜ୍ରପାତ ଘଟିବା ଫଳରେ ଗଞ୍ଜାମ ଜିଲ୍ଲା ଶେରଗଡ଼ର ତପନ କୁମାର ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ଏହି ଘଟଣାକୁ ନେଇ ସମଗ୍ର ଶେରଗଡ଼ରେ ଶୋକର ଛାୟା ଖେଳି ଯାଇଛି ।
ଶେରଗଡ଼ ପାଇକସାହିର ତପନ ଏବଂ ଆଉ ପାଞ୍ଚ ଜଣ ଗତକାଲି ଅପରାହ୍ନରେ ରତ୍ନନେଇ ଯାଇଥିଲେ । ସନ୍ଧ୍ୟାରେ ରୋଷଇ କରି ଖାଇବା ପରେ ତପନ ପାହାଡ଼ ଉପରେ ବସି ମୋବାଇଲ ଧରି ଦେଖୁଥିବା ବେଳେ ରାତ୍ରୀ ପ୍ରାୟ ୯ଟା ସମୟରେ ତପନକୁ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ହିଁ ତପନଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।
ବଜ୍ରପାତ ଯୋଗୁଁ ଅନ୍ୟ ସାଙ୍ଗମାନେ ତଟସ୍ଥ ହୋଇଯାଇଥିଲେ । ବଜ୍ରପାତ ସମୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବଣଭୋଜି ପାଇଁ ଆସିଥିବା ଯୁବକମାନେ ଭୟରେ ସ୍ଥାନ ଛାଡିଥିବା ବେଳେ ଶେରଗଡ଼ରୁ ତପନ ସହ ଯାଇଥିବା ଯୁବକମାନେ ଘଟଣାସ୍ଥଳରେ ରହି ଶେରଗଡ଼କୁ ଫୋନ କରିବା ପରେ ତପନଙ୍କ ପରିବାର ବର୍ଗ ଯାଇ ଶବକୁ ପାହାଡ଼ରୁ ତଳକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ଡାକ୍ତର ମୃତ ଘୋଷଣା କରିଥିଲେ।` ପାଟପୁର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ପୋଷ୍ଟମଟମ ନିମନ୍ତେ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧିତ ଖବର