ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ନିଖୋଜ

ବାରିପଦା: ଅମ୍ଫାନ୍ ପରବର୍ତ୍ତୀ ସମୟରେ ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ବାରିପଦା ସଦର ଥାନା ଅନ୍ତର୍ଗତ ଝିଙ୍କପାଳରେ ଘଟିଛି ଏହି ଘଟଣା। ନଦୀ ସ୍ରୋତରେ ଭାସି ନିଖୋଜ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡାଅସ୍ତିଆ ଗ୍ରାମର ଅମିତ ସିଂ(୩୫)। କୌଣସି କାମକୁ ନେଇ ସେ ନଦୀ ଆରପାରିରେ ଥିବା ମହୁଲିଆ ଗ୍ରାମକୁ ଯାଉଥିବା ସମୟରେ ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି।

ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଦୁଇ ଦୁଇ ଥର ନଦୀ ଜଳରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସଫଳତା ମିଳିନଥିବା ଜଣାପଡ଼ିଛି। ବୁଧବାର ଅମ୍ଫାନ୍ ବାତ୍ୟା କାରଣରୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ନଦୀରେ ସୁଅ ପଡ଼ିଛି। ତେଣୁ ନଦୀ ପାର ହେଉଥିବା ବେଳେ ଅସାବଧାନତାବଶତ ଅମିତ ଭାସିଯାଇଥିବା ଜଣାପଡ଼ିଛି। ଏ ନେଇ ବାରିପଦା ସଦର ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର