ଯୁବକଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ୨ ଦୁର୍ବୃତ୍ତ ଫେରାର

ଭଞ୍ଜନଗର: ଗାଁ ନିକଟରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛନ୍ତି ୨ ଦୁର୍ବୃତ୍ତ । ପ୍ରଥମେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଧୂମୁଛାଇ ଗାଁରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଆକ୍ରମଣର ଶିକାର ହୋଇଛନ୍ତି ଧୂମୁଛାଇ ଗାଁର ଶତ୍ରୁଘ୍ନ ନାୟକଙ୍କ ପୁଅ ସନ୍ତୋଷ ନାୟକ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି, ଆଜି ଅପରାହ୍ନ ୧ଟାରେ ସନ୍ତୋଷ ନାୟକ ଗାଁ ଛକରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କର ୨ ଜଣ ସହଯୋଗୀ ଘଟଣାସ୍ଥଳକୁ ଆସିଥିଲେ। ଦୁଇ ଜଣ ସହଯୋଗୀ ସନ୍ତୋଷଙ୍କ ସହିତ କୌଣସି କାରଣକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିଥିଲେ। ଏହା ପରେ ହଠାତ ଉତ୍ତେଜିତ ହୋଇ ସେମାନେ ସନ୍ତୋଷଙ୍କ  ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସନ୍ତୋଷ ଜଳୁଥିବା ବେଳେ ଉଭୟ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୁଲିସ କହିବା ଅନୁସାରେ ସନ୍ତୋଷ ନିଆଁରେ ପୋଡ଼ିଯାଉଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀର କର୍ମୀମାନେ ପହଞ୍ଚି ସନ୍ତୋଷକୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସନ୍ତୋଷଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ଭଞ୍ଜନଗର ଆଇଆଇସି ସୁଦୀପ୍ତ କୁମାର ସାହୁ ଓ ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର