କଷ୍ଟ କ୍ରିକେଟ୍‌

ପାକିସ୍ତାନରୁ ପ୍ରକାଶ ପାଉଥିବା ସୂଚନା ଅନୁସାରେ ଇମ୍ରାନ୍‌ ଖାନ୍‌ ସମ୍ଭବତଃ ଅଗଷ୍ଟ ୧୪ (ପାକିସ୍ତାନ ସ୍ୱାଧୀନତା ଦିବସ) କିମ୍ବା ଅଗଷ୍ଟ ୧୫ (ଭାରତ ସ୍ୱାଧୀନତା ଦିବସ) ଦିନ ସେ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଇତି ମଧ୍ୟରେ ତାଙ୍କର ଦୁଇ ମୁଖ୍ୟ ବିରୋଧୀ ପକ୍ଷ- ନଓ୍ଵାଜ ସରିଫ୍‌ଙ୍କର ‘ପିଏମ୍‌ଏଲ୍‌-ଏନ୍‌’ ଏବଂ ଭୁଟ୍ଟୋ ପରିବାର ନେତୃତ୍ୱାଧୀନ ‘ପିପିପି’- ଇମ୍ରାନ୍‌ଙ୍କ ବିଜୟର ବୈଧତା ଉପରେ ପ୍ରଶ୍ନବାଚୀ ଲଗାଇବା ବନ୍ଦ କରି ଏକ ମିଳିତ ବିରୋଧୀ ପକ୍ଷ ରୂପେ ତାଙ୍କର ମୁକାବିଲା କରିବାକୁ ପ୍ରସ୍ତୁତ ହେଲେଣି। ଏ ଦୁଇ ପାରମ୍ପରିକ ଶତ୍ରୁ ପୂର୍ବ ଶତ୍ରୁତା ଭୁଲି ମିଳିତ ଭାବରେ ଇମ୍ରାନ୍‌ ସରକାର ସହିତ ମୁହାଁମୁହିଁ ହେବା ପାକିସ୍ତାନରେ ବିରୋଧୀ ଦଳମାନଙ୍କର ଶକ୍ତି ବୃଦ୍ଧିରେ ଯେତିକି ସହାୟକ, ଇମ୍ରାନ୍‌ ସରକାରକୁ ଏକ ବିଧିବଦ୍ଧ ନିର୍ବାଚିତ ସରକାରର ସ୍ୱୀକୃତି ପ୍ରଦାନରେ ସେତିକି ସହାୟକ। ତେଣୁ ମନେ ହୋଇପାରେ ଯେ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଭାବରେ ବର୍ତ୍ତମାନ ନିର୍ବିଘ୍ନରେ କ୍ଷମତା ଉପଭୋଗ କରିବେ।

ବାସ୍ତବତା କିନ୍ତୁ ଏପରି ନ ହୋଇପାରେ। ଇମ୍ରାନ୍‌ଙ୍କ ଦଳ ପାକିସ୍ତାନର ପ୍ରାୟ ସମସ୍ତ ଅଞ୍ଚଳରେ ଉତ୍ତମ ପ୍ରଦର୍ଶନ କରିଥିଲେ ହେଁ ପାକିସ୍ତାନର ନେସନାଲ୍‌ ଆସେମ୍ବ୍ଲି (ପାର୍ଲାମେଣ୍ଟ୍‌)ରେ ତାଙ୍କ ଦଳ ‘ପାକିସ୍ତାନ ତେହ୍‌ରିକ୍‌ ଏ ଇନ୍‌ସାଫ୍‌’ (ପିଟିଆଇ) ହାସଲ କରିଥିବା ଅନ୍ତିମ ସ୍ଥାନ ସଂଖ୍ୟା ବର୍ତ୍ତମାନ ୧୧୧ରେ ସୀମିତ ରହିଛି। ନେସନାଲ୍‌ ଆସେମ୍ବ୍ଲିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ଆସନ ସଂଖ୍ୟା ହେଉଛି ଅନ୍ୟୂନ ୧୩୭। ଏହି ନିର୍ଣ୍ଣାୟକ ସଂଖ୍ୟାରେ ପହଞ୍ଚିବା ପାଇଁ ତେଣୁ ଇମ୍ରାନ୍‌ଙ୍କୁ ସ୍ୱାଧୀନ ଭାବରେ ନିର୍ବାଚିତ ବିଧାୟକ ଏବଂ ଅନ୍ୟ କ୍ଷୁଦ୍ର ଦଳମାନଙ୍କ ସମର୍ଥନ ଉପରେ ନିର୍ଭର କରିବାକୁ ପଡ଼ିବ (ଆଶ୍ୱସ୍ତିର କଥା ଇମ୍ରାନ୍‌ଙ୍କୁ ତାଙ୍କର ପୁରାତନ ସହଯୋଗୀ ଇସଲାମୀୟ ମୌଳବାଦୀ ଦଳମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।)। କିନ୍ତୁ ଏହି ଅଣମୌଳବାଦୀ ଗୋଷ୍ଠୀଙ୍କର ସମର୍ଥନ ପାଇବା ପାଇଁ ଇମ୍ରାନ୍‌ଙ୍କୁ ମଧ୍ୟ ଉଚ୍ଚ ମୂଲ୍ୟ ଦେବାକୁ ପଡ଼ିବ। ଉଦାହରଣସ୍ୱରୂପ ଇମ୍ରାନ୍‌ଙ୍କ ଦଳର ମୁଖ୍ୟ ଅର୍ଥଯୋଗାଣକାରୀ ରୂପେ ପରିଚିତ ଜାହାଙ୍ଗିର୍‌ ତରିନ୍‌ ସ୍ୱାଧୀନ ସଭ୍ୟମାନଙ୍କୁ ତୁଷ୍ଟ କରିବା ପାଇଁ ସେମାନଙ୍କୁ ନିଜର ବ୍ୟକ୍ତିଗତ ଜେଟ୍‌ ବିମାନରେ ବସାଇ ଇସଲାମାବାଦକୁ ଆଣିଛନ୍ତି। ଠିକ୍‌ ଏହିଭଳି ଦୁର୍ନୀତିମୂଳକ ରାଜନୀତି ବିରୁଦ୍ଧରେ ଯୁଦ୍ଧ ଥିଲା ଇମ୍ରାନ୍‌ଙ୍କର ନିର୍ବାଚନୀ ଇସ୍ତାହାରର ମୁଖ୍ୟ ପ୍ରତିଶ୍ରୁତି। ସେହିପରି କରାଚିର ସର୍ବାଧିକ ନିନ୍ଦିତ ଦୁର୍ନୀତିଗ୍ରସ୍ତ ଓ ହିଂସାପ୍ରବଣ ଦଳ ‘ମୁତ୍ତାହିଦା କୌମି ମୁଭ୍‌ମେଣ୍ଟ’ (ଏମ୍‌କ୍ୟୁଏମ୍‌)କୁ ନିଜ ପକ୍ଷକୁ ଆଣିବା ପାଇଁ ଇମ୍ରାନ୍‌ଙ୍କ ଉଦ୍ୟମ ତାଙ୍କ ନିଜ ଦଳ ‘ପିଟିଆଇ’ର କେତେକ ନେତାମାନଙ୍କୁ ଅବାକ୍‌ କରି ଦେଇଛି।

ତେବେ ରାଜନୀତିରେ ନେତାମାନେ ‘ତୋ ବାକ୍ୟ ତୁହି ରକ୍ଷା କର’ ନୀତି ପାଳନ କରିବେ ବୋଲି କେହି ଆଶା କରନ୍ତି ନାହିଁ। ଇମ୍ରାନ୍‌ଙ୍କର ଏହି ରାଜନୈତିକ ସୁବିଧାବାଦ ତେଣୁ ହୁଏତ ସମୟକ୍ରମେ ଲୋକଙ୍କର ଦେହସୁହା ହୋଇଯାଇପାରେ। କିନ୍ତୁ ଅର୍ଥନୀତି ହେଉଛି ଏକ ଭିନ୍ନ କ୍ଷେତ୍ର ଯେଉଁଠି ଭାବମୂର୍ତ୍ତି ଅପେକ୍ଷା କଠିନ ହିସାବପତ୍ର ଅଧିକ ଗୁରୁତ୍ୱ ବହନ କରିଥାଏ। ପାକିସ୍ତାନର ଅର୍ଥନୀତି ବର୍ତ୍ତମାନ ଏପରି ସଂକଟର ସମ୍ମୁଖୀନ, ଯାହାର ସମାଧାନ ପାଇଁ ଇମ୍ରାନ୍‌ଙ୍କୁ ଯଥେଷ୍ଟ ସମୟ ମିଳିବ ନାହିଁ- ତୁରନ୍ତ କିଛି ପଦକ୍ଷେପ ନେବାକୁ ପଡ଼ିବ। ସରକାର ଏକ ‘ଆନ୍ତର୍ଜାତିକ ଦେଣନେଣ’ (ବାଲାନ୍‌ସ ଅଫ୍‌ ପେମେଣ୍ଟ୍‌ସ) ସଂକଟର ଦ୍ୱାର ଦେଶରେ। ଦେଶର ‘ଚଳନ୍ତି ହିସାବ ନିଅଣ୍ଟ’ (କରେଣ୍ଟ୍‌ ଆକାଉଣ୍ଟ୍‌ ଡେଫିସିଟ୍‌) ବୃଦ୍ଧି ପାଇ ଚାଲିବା ସଙ୍ଗେ ସଙ୍ଗେ ପାକିସ୍ତାନୀ ଟଙ୍କାର ଆନ୍ତର୍ଜାତିକ ବିନିମୟ ମୂଲ୍ୟ ହ୍ରାସ ପାଇ ଚାଲିଛି। ପାକିସ୍ତାନକୁ ତା’ର ତୈଳ ତଥା ଶକ୍ତି ଆବଶ୍ୟକତାର ତିନି-ଚତୁର୍ଥାଂଶ ବିଦେଶରୁ ଆମଦାନି କରିବାକୁ ପଡ଼ିଥାଏ, ଯେଉଁଥିପାଇଁ ବୈଦେଶିକ ମୁଦ୍ରା ଆବଶ୍ୟକ। କିନ୍ତୁ ପାକିସ୍ତାନ ନିକଟରେ ବର୍ତ୍ତମାନ ଗଚ୍ଛିତ ଥିବା ମୋଟ ବୈଦେଶିକ ମୁଦ୍ରାର ପରିମାଣ ହେଉଛି ମାତ୍ର ୯ ବିଲିଅନ୍‌ ଡଲାର୍‌, ଯାହା ଦୁଇ ମାସର ଆମଦାନି ଚାହିଦା ମେଣ୍ଟାଇବା ପାଇଁ ମଧ୍ୟ ଯଥେଷ୍ଟ ନୁହେଁ। ଅତଏବ ଏଭଳି ପରିସ୍ଥିତିରେ ଏକମାତ୍ର ଉଦ୍ଧାର କର୍ତ୍ତା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ନିକଟରେ ପାକିସ୍ତାନ ବର୍ତ୍ତମାନ ହାତ ପତାଇବାକୁ ବାଧ୍ୟ। ପାକିସ୍ତାନ ୧୨ ବିଲିଅନ୍‌ ଡଲାର୍‌ର ଏକ ଉଦ୍ଧାରକାରୀ ଋଣ ପାଇଁ ଆଇଏମ୍‌ଏଫ୍‌ ନିକଟରେ ଆବେଦନ କରିବାକୁ ଯିବାର ସୁରାକ୍‌ ମଧ୍ୟ ମିଳିଲାଣି।

ଆଇଏମ୍‌ଏଫ୍‌ କିନ୍ତୁ ସାଇଲକ୍‌ ପରି ଏକ ନିଷ୍ଠୁର ମହାଜନ ରୂପେ କୁଖ୍ୟାତ। ଋଣଦାନ ପାଇଁ ତାହାକୁ ରାଜି କରାଇବା କାଠିକର ପାଠ ହୋଇପାରେ। ପାକିସ୍ତାନ ଯେ ବର୍ତ୍ତମାନ ଚୀନ୍‌ ନିକଟରେ ବନ୍ଧା ପଡ଼ିଛି, ତାହା ସମସ୍ତଙ୍କୁ ଜଣା। ଚୀନ୍‌ର ବହୁଚର୍ଚ୍ଚିତ ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌’ର ଏକ ମୁଖ୍ୟ ପ୍ରକଳ୍ପ ହେଉଛି ‘ଚାଇନା-ପାକିସ୍ତାନ-ଇକନମିକ୍‌ କରିଡର୍‌’ (ସିପିଇସି), ଯେଉଁଥିରେ ଚୀନ୍‌ ପାକିସ୍ତାନକୁ ଋଣ ଆକାରରେ ୬୨ ବିଲିଅନ୍‌ ଡଲାର୍‌ ପୁଞ୍ଜିନିବେଶ କରିବାକୁ ଯାଉଛି। ତେଣୁ ପାକିସ୍ତାନ ଆଇଏମ୍‌ଏଫ୍‌ରୁ ପାଇବା ଅର୍ଥକୁ ଏହି ଋଣ ପରିଶୋଧରେ ଲଗାଇବାର ସମ୍ଭାବନା ରହିଛି। ସେଥିପାଇଁ ଆଇଏମ୍‌ଏଫ୍‌ର ମୁଖ୍ୟ ସମ୍ବଳ ଯୋଗାଣକାରୀ ଦେଶ ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ପାକିସ୍ତାନର ଋଣ ଆବେଦନକୁ ବିରୋଧ କରିବେ ବୋଲି ଘୋଷଣା କରି ସାରିଲେଣି, କାରଣ ତାହା ଶେଷରେ ଚୀନ୍‌କୁ ଲାଭବାନ୍‌ କରିବ।

ଏଭଳି ବିରୋଧ ସତ୍ତ୍ୱେ ପାକିସ୍ତାନ ଯଦିବା ‘ଆଇଏମ୍‌ଏଫ୍‌’ରୁ ଋଣ ପାଇବାରେ ସଫଳ ହୁଏ, ତେବେ ବି ଇମ୍ରାନ୍‌ଙ୍କ ସମସ୍ୟା ଲାଘବ ହେବ ନାହିଁ। କାରଣ ଆଇଏମ୍‌ଏଫ୍‌ ସର୍ବଦା ତା’ର ଋଣ ସହିତ ଅତ୍ୟନ୍ତ କଠୋର ସର୍ତ୍ତାବଳୀ ଲଗାଇଥାଏ, ଯାହା ସରକାରଙ୍କର ଖର୍ଚ୍ଚ କରିବାର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ସଙ୍କୁଚିତ କରି ଦେଇଥାଏ। ଇମ୍ରାନ୍‌ ନିର୍ବାଚନ ପ୍ରଚାର ସମୟରେ ପାକିସ୍ତାନକୁ ଏକ ‘ଇସଲାମୀୟ ଜନମଙ୍ଗଳ ରାଷ୍ଟ୍ର’ରେ ପରିଣତ କରିବେ ବୋଲି ପାକିସ୍ତାନବାସୀଙ୍କୁ ପ୍ରଲୋଭନ ଦେଖାଇଥିଲେ। ବିନା ଖର୍ଚ୍ଚରେ ସରକାର ଏପରି ଏକ ଜନମଙ୍ଗଳ ରାଷ୍ଟ୍ର ନିର୍ମାଣ କରିବେ କିପରି? ତା’ଛଡ଼ା ଚୀନ୍‌ ସହିତ ‘ସିପିଇସି’ ପାଇଁ ପାକିସ୍ତାନ ଯେଉଁ ରାଜିନାମା କରିଛି, ତା’ର ଗୋପନ ସର୍ତ୍ତାବଳୀ ପ୍ରକାଶ କରିବା ପାଇଁ ଆଇଏମ୍‌ଏଫ୍‌ ପାକ୍‌ ସରକାରଙ୍କୁ ବାଧ୍ୟ କରିବ। ଏ ସର୍ତ୍ତାବଳୀ ପ୍ରକାଶ ପାଇଲେ ପାକିସ୍ତାନରେ ଜନ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସେହିପରି ପାକିସ୍ତାନର ଚିରାଚରିତ ବିଦ୍ୟୁତ୍‌ ନିଅଣ୍ଟ ଜନିତ ଅନ୍ଧାର ଦୂର କରିବା ପାଇଁ ଇମ୍ରାନ୍‌ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ହେଲେ ବିଦ୍ୟୁତ୍‌ ସବ୍‌ସିଡି ଉଚ୍ଛେଦ କରି ଶୁଳ୍‌କ ବୃଦ୍ଧି କରିବାକୁ ହେବ। ଏହା ଲୋକପ୍ରିୟ ହେବ ନାହିଁ। ଆଉ ପାକିସ୍ତାନର ନିରାପତ୍ତା ତଥା ବୈଦେଶିକ ନୀତି ନିର୍ଦ୍ଧାରଣ ପାଇଁ ସେନାବାହିନୀ ଇମ୍ରାନ୍‌ଙ୍କୁ କୌଣସି ସ୍ୱାଧୀନତା ଦେବ ନାହିଁ। ଇମ୍ରାନ୍‌ ଯଦି ତାହା ଜାହିର କରିବାକୁ କ୍ରିକେଟ୍‌ କ୍ୟାପ୍‌ଟେନ୍‌ ଭଳି ଚେଷ୍ଟା କରନ୍ତି, ନିଷ୍ଠୁର ଅମ୍ପାୟାର୍‌ ସେନା ଦିନେ ତାଙ୍କ ହାତରୁ ବ୍ୟାଟ୍‌ ଛଡ଼ାଇ ନେବା ନିଶ୍ଚିତ। କ୍ଷମତାର କ୍ରିକେଟ୍‌ ଇମ୍ରାନ୍‌ଙ୍କ ପାଇଁ ଖେଳପଡ଼ିଆର କ୍ରିକେଟ୍‌ ପରି ସହଜ ହେବାକୁ ଯାଉ ନାହିଁ।

ସମ୍ବନ୍ଧିତ ଖବର