ଆଶା ଓ ଇତିହାସ

ଆବେଗ ଶୂନ୍ୟ ଭାବରେ ଆଇନର ତର୍ଜମା କରି ରାୟ ଶୁଣାଇବା ହେଉଛି ନ୍ୟାୟମୂର୍ତ୍ତିମାନଙ୍କର କାର୍ଯ୍ୟ। ତେଣୁ ଇତିହାସ ସୃଷ୍ଟି କଲା ଭଳି କୌଣସି ନାଟକୀୟ ଘଟଣାରେ ସମ୍ପୃକ୍ତ ରହିବା ବିଚାରପତିମାନଙ୍କ ପାଇଁ ସ୍ବାଭାବିକ ଭାବରେ ବିରଳ ହୋଇଥାଏ। ଆଉ କୌଣସି ଜଣେ ନିର୍ଦ୍ଦିଷ୍ଟ ବିଚାରପତି ଦୁଇ ଦୁଇ ଥର ଇତିହାସ ରଚନାରେ ଅ˚ଶ ଗ୍ରହଣ କରିବା ହେଉଛି ସଂପୂର୍ଣ୍ଣ ଭିନ୍ନ ପରିପ୍ରେକ୍ଷୀରେ ବ୍ୟବହୃତ ଆଇନର ଭାଷାରେ ‘ବିରଳ ଘଟଣାମାନଙ୍କ ମଧୢରେ ବିରଳତମ’। ନଭେମ୍ବର ୧୭ରେ ଅବସର ଗ୍ରହଣ କରିବାକୁ ଯାଉଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଶନିବାର ଦିନ ଅଯୋଧୢା ମାମଲାର ରାୟ ଶୁଣାଇବା ସହିତ ଯେ ଏହି ବିରଳତମ ସମ୍ମାନର ଅଧିକାରୀ ହୋଇଥିଲେ, ତାହା ସେ ହୃଦୟଙ୍ଗମ କରିଛନ୍ତି କି ନାହିଁ ଜଣା ନାହିଁ, କିନ୍ତୁ ଇତିହାସରେ ତାହା ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ।

ଜଷ୍ଟିସ ଗୋଗୋଇ ପ୍ରଥମ ଥର ଇତିହାସ ସୃଷ୍ଟିରେ ଭାଗ ନେଇଥିଲେ ପ୍ରାୟ ଦୁଇବର୍ଷ ତଳେ, ଯେତେବେଳେ ୨୦୧୮ ଜାନୁଆରି ୧୨ ତାରିଖ ଦିନ ସେ ତାଙ୍କର ଅନ୍ୟ ତିନିଜଣ ସାଥୀ ନ୍ୟାୟମୂର୍ତ୍ତିଙ୍କ ସହ ମିଶି ତତ୍‌କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟ ଶୈଳୀ ବିରୁଦ୍ଧରେ ଖୋଲା ଖୋଲି ଅଭିଯୋଗ ପ୍ରକାଶ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହା ଏକ ସମ୍ପୂର୍ଣ୍ଣ ଅଭାବିତ ଓ ଅଭୂତପୂର୍ବ ପଦକ୍ଷେପ ଥିଲା, ଯାହା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଗରିମାକୁ ଆକ୍ଷରିକ ଭାବରେ ଦାଣ୍ତରେ ଗଡ଼ାଇ ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଇତି ମଧୢରେ ଅନ୍ୟ ତିନିଜଣ ନ୍ୟାୟମୂର୍ତ୍ତି ଅବସର ଗ୍ରହଣ କରି ସାରିଛନ୍ତି ଓ ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ପଦ ଅଳଙ୍କୃତ କରି ଏବେ କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି; କିନ୍ତୁ ଯେଉଁ ବ୍ୟବସ୍ଥା ବିରୁଦ୍ଧରେ ସେଦିନ ସେମାନେ ସ୍ବର ଉତ୍ତୋଳନ କରିଥିଲେ, ସେଥିରେ କୌଣସି ବି ପରିବର୍ତ୍ତନ ଘଟିନାହିଁ।

ନ୍ୟାୟମୂର୍ତ୍ତି ଗୋଗୋଇ କିନ୍ତୁ ଶନିବାର ଦିନ ଆଉ ଏକ ଐତିହାସିକ ଘଟଣାରେ ପୌରହିତ୍ୟ କରିବାର ସୁଯୋଗ ପାଇଥିଲେ, ଯାହାର ସେ ଏପରି ସଦ୍‌ବ୍ୟବହାର କରିଛନ୍ତି ଯେ ତାହା ଅତୀତର ସେହି ସାମ୍ବାଦିକ ସମ୍ମିଳନୀ ସୁପ୍ରିମକୋର୍ଟର ସମ୍ମାନ ପ୍ରତି ପହଞ୍ଚାଇଥିବା ସମସ୍ତ କ୍ଷତି ଭରଣା କରି ତା’ର ଗରିମାକୁ ନଭଶ୍ଚୁମ୍ବୀ କରି ତୋଳିଛି କହିଲେ ଅତିରଞ୍ଜନ ହେବ ନାହିଁ। ରଞ୍ଜନ ଗୋଗୋଇଙ୍କ ଅଧୢକ୍ଷତାରେ ସୁପ୍ରିମକୋର୍ଟର ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚ୍‌ ପ୍ରଦାନ କରିଥିବା ଅଯୋଧୢା ରାୟକୁ ବୃହତ୍ତର ଭାରତୀୟ ସମାଜ ଯେଉଁଭଳି ବାହୁ ପ୍ରସାରୀ ସ୍ବାଗତ କରିଛି, ତାହା ଗୋଗୋଇଙ୍କ ଐତିହାସିକ ଅବଦାନର ମୁଖ୍ୟ ପ୍ରମାଣ। କିନ୍ତୁ ଯେତେବେଳେ ସେ ବେଞ୍ଚ୍‌ରେ ସଦସ୍ୟ ଥିବା ତାଙ୍କର ସାଥୀ ବିଚାରପତିମାନେ ମଧୢ ଏଥିପାଇଁ ଗୋଗୋଇଙ୍କ ପ୍ରଶ˚ସାରେ ଶତମୁଖ ହେବା ଦେଖାଯାଇଛି, ତାହା ତାଙ୍କର ଏହି ବିରଳ ଉପଲବ୍‌ଧି ସମ୍ବନ୍ଧରେ ସନ୍ଦେହର ଆଉ କୌଣସି ଅବକାଶ ରଖି ନାହିଁ। ରବିବାର ଦିନ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅ˚ଶ ଗ୍ରହଣ କରିବା ଅବସରରେ ସେମାନେ ନ୍ୟାୟମୂର୍ତ୍ତି ଗୋଗୋଇ କିପରି ସୀମିତ ସମୟ ମଧୢରେ ବିଚାରବନ୍ତ ଭାବରେ ଅଯୋଧୢା ମାମଲାରେ ଏକ ସୁଦୀର୍ଘ ରାୟ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି, ତାହାର ଉଚ୍ଚ ପ୍ରଶ˚ସା କରି ସେମାନେ ତାଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ୍‌ ମନେ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଅର୍ଥାତ୍‌ ଇତିହାସର ଏହି ଅତିପ୍ରିୟ ସନ୍ତାନଙ୍କ ସହିତ ମିଶି ଇତିହାସର ଚକକୁ ଗଡ଼ାଇବାରେ ସାହାଯ୍ୟ କରି ପାରିଥିବାରୁ ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।

ତେଣୁ ଏହା ଏକ ମଧୁର ବିଡ଼ମ୍ବନା ଭଳି ମନେ ହୋଇଥାଏ ଯେ ଯେଉଁ ରାୟ ପ୍ରଦାନ କରି ସୁପ୍ରିମକୋର୍ଟ ଶହ ଶହ ବର୍ଷର ପୁରୁଣା ହିନ୍ଦୁ-ମୁସଲମାନ ବିବାଦରେ ଅନ୍ତ ଘଟାଇ ଇତିହାସର ମୋଡ଼ ବଦଳାଇଛନ୍ତି, ସେଇ ରାୟରେ ମଧୢ କହିଛନ୍ତି ଯେ କୋର୍ଟ କୌଣସି ଐତିହାସିକ ଭୁଲଭଟକାର ସ˚ଶୋଧନ କରିପାରିବ ନାହିଁ। ଜବାବ ସୁଆଲ ସମୟରେ ହିନ୍ଦୁ ପକ୍ଷ ମୋଗଲ ଶାସକମାନଙ୍କ ଦ୍ବାରା ହିନ୍ଦୁ ମନ୍ଦିରମାନଙ୍କର ଯେଉଁ ଧ୍ବ˚ସ ସାଧନ କରାଯାଇଥିଲା ତାହାର ପ୍ରତିକାର କରିବା ପାଇଁ ବାରମ୍ବାର କରିଥିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଗୋଗୋଇ ନେତୃତ୍ବାଧୀନ ବେଞ୍ଚ୍‌ ଏହି ସ୍ପଷ୍ଟୀକରଣ ପ୍ରଦାନ କରିଛି।

ଆବେଦନକାରୀଙ୍କର ଆଭିମୁଖ୍ୟରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପୃଥିବୀର ଅନ୍ୟତମ ପ୍ରାଚୀନତମ ନିରବଚ୍ଛିନ୍ନ ସଭ୍ୟତାର ଦାୟାଦ ଭାରତୀୟମାନେ ସର୍ବଦା ଇତିହାସ ଦ୍ବାରା ଆବିଷ୍ଟ ହୋଇଥାନ୍ତି (ମାର୍କଟ୍ବେନ୍‌ଙ୍କ ଭାଷାରେ ଭାରତ ହେଉଛି ‘‘…ଇତିହାସର ମା’, କିମ୍ବଦନ୍ତୀର ଆଈ ମା’, ପରମ୍ପରାର ଅଣ-ଆଈ ମା’’)। ତେଣୁ ଅତୀତର ଅନ୍ୟାୟକୁ ସେମାନେ ଭୁଲି ନ ଥିବାରେ ଅସ୍ବାଭାବିକତା କିଛି ନାହିଁ। କିନ୍ତୁ ଆମେ ଏହି ସୁଦୀର୍ଘ ଇତିହାସର ଏପରି ଏକ ଅଞ୍ଚଳରେ ପହଞ୍ଚି ସାରିଛେ, ଯେତେବେଳେ ଆଉ ପଛକୁ ଚାହିଁ ଚାହିଁ ବେକ ଦରଜ ନ କରି ସମ୍ମିଳିତ ଭାବରେ ସମ୍ମୁଖରେ ସ୍ଥାପିତ ଲକ୍ଷ୍ୟ ସାଧନ ପାଇଁ ଆଗକୁ ମାଡ଼ି ଚାଲିବା ହିଁ ଆମର ଏକମାତ୍ର ଧେୢୟ ହେବା ଉଚିତ। ଜଣେ ମୁସଲମାନ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟର ସେଇ ବେଞ୍ଚ୍‌ରେ ସଦସ୍ୟ ଥିବା ପାଞ୍ଚଜଣ ଯାକ ବିଚାରପତି ଗୋଟିଏ ସ୍ବରରେ ଏହି ସହସ୍ରାଧିକ ପୃଷ୍ଠାର ରାୟ ଶୁଣାଇବା ଏହି ଐକ୍ୟର ସନ୍ଦେଶ ହିଁ ବହନ କରିଥାଏ।

ଯେଉଁମାନେ ତଥାପି ଇତିହାସକୁ ଛାଡ଼ିବାକୁ କଷ୍ଟକର ମଣୁଥାନ୍ତି, ସେମାନେ ହୁଏତ ଅମର୍ତ୍ୟ ସେନ୍‌ ତାଙ୍କର ପ୍ରସିଦ୍ଧ ପୁସ୍ତକ, ‘ଦି ଆଇଡିଆ ଅଫ୍‌ ଜଷ୍ଟିସ୍‌’ (‘ନ୍ୟାୟର ଧାରଣା’)ରେ ଉଦ୍ଧାର କରିଥିବା ନୋବେଲ ପୁରସ୍କାର ପ୍ରାପ୍ତ କବି ସିମସ୍‌ ହିନିଙ୍କର ଏହି କବିତାରୁ କିଛି ଆଶ୍ବାସନା ଲାଭ କରିପାରନ୍ତି: ‘‘ହିଷ୍ଟ୍ରି ସେଏଜ୍‌, ଡୋଣ୍ଟ୍‌ ହୋପ୍‌/ ଅନ୍‌ ଦିସ୍‌ ସାଇଡ୍‌ ଅଫ୍‌ ଦି ଗ୍ରେଭ୍‌,/ବଟ୍‌ ଦେନ୍‌, ଵାନ୍ସ ଇନ୍‌ ଏ ଲାଇଫ୍‌ ଟାଇମ୍‌/ ଦି ଲଙ୍ଗ୍‌ଡ଼-ଫର‌୍‌ ଟାଇଡାଲ୍‌ େଵଭ୍‌/ଅଫ୍‌ ଜଷ୍ଟିସ୍‌ ବ୍ୟାନ୍‌ ରାଇଜ୍‌ ଅପ୍‌,/ ଆଣ୍ତ୍‌ ହୋପ୍‌ ଆଣ୍ତ୍‌ ହିଷ୍ଟ୍ରି ରାଇମ୍‌।’’ (‘‘ଇତିହାସ କହେ, ଆଶା କର ନାହିଁ/ ତୁମର ଜୀବଦ୍ଦଶାରେ,/ କିନ୍ତୁ ତଥାପି, କେବେ କେବେ ଜୀବନକାଳ ମଧୢରେ ଥରେ/ ନ୍ୟାୟର ବହୁ ପ୍ରତୀକ୍ଷିତ ଜୁଆର ଉଠିପାରେ/ ଏବ˚ ଆଶା ଓ ଇତିହାସର ମିଳନ ଘଟିପାରେ’’)। ସୁପ୍ରିମକୋର୍ଟ ଇତିହାସ ଠାରୁ ନିଜକୁ ଦୂରେଇ ରଖିଛନ୍ତି ସତ, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ, ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ନ୍ୟାୟର ସେଇ ଜୁଆର ସଦୃଶ ଯେଉଁଠି ଆଶା ଓ ଇତିହାସର ମିଳନ ଘଟିଛି ଏବ˚ ତା’ର ସୂତ୍ରଧର ହେଉଛନ୍ତି ଇତିହାସର ଚିହ୍ନିତ ସନ୍ତାନ ରଞ୍ଜନ ଗୋଗୋଇ।

ସମ୍ବନ୍ଧିତ ଖବର

Comments are closed.