କୃତ୍ରିମ ନ୍ୟାୟ!

ପ୍ରକୃତି ବୁଦ୍ଧି ଉପରେ ମନୁଷ୍ୟକୁ ବସ୍ତୁତଃ ଏକଚାଟିଆ ଅଧିକାର ଦେଇଛି। ଏହି ବୁଦ୍ଧି ବଳରେ ମନୁଷ୍ୟ କରିଥିବା ଅସ˚ଖ୍ୟ କୃତ୍ରିମ ଉଦ୍ଭାବନମାନ ତା’ର ଜୀବନଧାରଣର ମାନ ଓ ଶୈଳୀରେ ନିରନ୍ତର ପରିବର୍ତ୍ତନ ଘଟାଇ ଚାଲିଛନ୍ତି। ମନୁଷ୍ୟ କିନ୍ତୁ ବିଜ୍ଞାନ, କାରିଗରି, ଶିଳ୍ପ, ବାଣିଜ୍ୟ, ଅର୍ଥନୀତି, ରାଜନୀତି ଆଦିରେ ନିଜର ବୁଦ୍ଧି ବଳରେ ହାସଲ କରି ଚାଲିଥିବା ପରିବର୍ତ୍ତନମାନଙ୍କରେ ସନ୍ତୁଷ୍ଟ ନ ହୋଇ ନିଜର ପ୍ରାକୃତିକ ବୁଦ୍ଧି ପ୍ରୟୋଗ କରି କୃତ୍ରିମ ବୁଦ୍ଧି ସୃଷ୍ଟି କରିବାକୁ ସର୍ବଦା ସ୍ବପ୍ନ ଦେଖି ଆସିଛି। କୁହାଯାଇପାରେ ବି˚ଶ ଶତାବ୍ଦୀର ମଧୢଭାଗ ପର୍ଯ୍ୟନ୍ତ ମନୁଷ୍ୟର ଏହି ସ୍ବପ୍ନ ପୌରାଣିକ କାହାଣୀ, ଗଳ୍ପ, ଉପନ୍ୟାସ, ସିନେମା ଆଦିରେ ସୀମିତ ଥିଲା। ମନୁଷ୍ୟ ବୁଦ୍ଧି ସୃଷ୍ଟିରେ ଈଶ୍ବରଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ପୋଷଣ କରି ଆସିଥିବା ଏହି କଳ୍ପନା ବିଳାସ ବାସ୍ତବତାର ରୂପ ନେଲା ଯେତେବେଳେ ୧୯୫୦ ଦଶକରେ ‘କୃତ୍ରିମ ବୁଦ୍ଧି’ ବା ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ’ (‘ଏଆଇ’) ଇଞ୍ଜିନିଅରିଙ୍ଗ୍‌ ବିଦ୍ୟାର ଏକ ନୂତନ ଶାଖା ରୂପେ ଜନ୍ମଲାଭ କଲା।

ଏଥି ପୂର୍ବରୁ କମ୍ପ୍ୟୁଟର‌୍‌କୁ ମୁଖ୍ୟତଃ ଜଟିଳ ଦ୍ରୁତ ହିସାବପତ୍ର (ଯେମିତି ‘ପାଏ’ର ଦଶମିକ ବିନ୍ଦୁ ପରବର୍ତ୍ତୀ ଏକ ନିୟୁତତମ ସ୍ଥାନର ମୂଲ୍ୟ ନିରୂପଣ) କିମ୍ବା କୌଣସି ଅଫିସରେ କର୍ମଚାରୀମାନଙ୍କର ଦରମା ବିବରଣୀ ପ୍ରସ୍ତୁତି ଆଦିର ଏକ ସହଜ ମାଧୢମ ରୂପେ ବିଚାର କରାଯାଉଥିଲା। ଏହା ପରଠାରୁ କିନ୍ତୁ ଯେଉଁ ଅଗ୍ରଗତି ଘଟିଛି, ସେଥିରେ ଚାଳକ ବିହୀନ ମଟର ଗାଡ଼ିର ଆବିର୍ଭାବଠାରୁ ଆରମ୍ଭ କରି କମ୍ପ୍ୟୁଟର ପ୍ରୋଗ୍ରାମ୍‌ ଦ୍ବାରା ରୋଗ ନିରୂପଣ ପର୍ଯ୍ୟନ୍ତ ଅସୁମାରି ‘ଏଆଇ’ ପରିଚାଳିତ କାର୍ଯ୍ୟମାନ ମନୁଷ୍ୟର ସାଧାରଣ ଜୀବନ ଶୈଳୀର ଅ˚ଶ ପାଲଟି ଗଲାଣି। ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠି ‘ଏଆଇ’ର ଉପସ୍ଥିତି ନାହିଁ- କୃଷି, ଶିଳ୍ପ, ବାଣିଜ୍ୟ, ଯୁଦ୍ଧ, ପରିବେଶ, ରାଜନୀତି… ସବୁଠାରେ ଏହାର ପଦ ଚିହ୍ନ ବିସ୍ତାର ଲାଭ କରିବାରେ ଲାଗିଛି।

ଏଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଶନିବାର ଦିନ ବେଙ୍ଗାଲୁରୁ ଠାରେ ରାଜ୍ୟସ୍ତରୀୟ ନ୍ୟାୟିକ ଅଧିକାରୀମାନଙ୍କର ଏକ ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କଲାବେଳେ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଏସ୍‌ ଏ ବୋବ୍‌ଡେ଼ ଦେଶର ଅଦାଲତମାନଙ୍କରେ ନ୍ୟାୟ ପ୍ରଦାନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ‘କୃତ୍ରିମ ବୁଦ୍ଧି’ ପ୍ରୟୋଗ କରାଯିବାର ସମ୍ଭାବନା ବିଷୟରେ ସୂଚନା ଦେଇଛନ୍ତି। ‘ଏଆଇ’ ଦୁନିଆରେ ମନୁଷ୍ୟର କାର୍ଯ୍ୟ କରିଥାଏ କମ୍ପ୍ୟୁଟର‌୍‌ ବା ରୋବଟ୍‌। ଏଣୁ ଏକ ଧାରଣା ସୃଷ୍ଟି ହୋଇପାରେ ଯେ ନ୍ୟାୟାଳୟରେ ‘ଏଆଇ’ ବ୍ୟବହାର ପରେ ଜଣେ ମାନବ ନ୍ୟାୟାଧୀଶ ମାମଲାର ବିଚାର ନ କରି କମ୍ପ୍ୟୁଟର‌୍‌ ନିମିଷକ ମଧୢରେ ସେ କାର୍ଯ୍ୟ ସମ୍ପାଦନ କରିବ, ଯାହାଫଳରେ ଦେଶର ଅଦାଲତମାନଙ୍କରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା କୋଟି କୋଟି ମାମଲା ଏକ ଯାଦୁ ଛଡ଼ିର ସ୍ପର୍ଶ ଲାଭ କଲା ଭଳି ଦିନ କେଇଟାରେ ସମାହିତ ହୋଇଯିବେ। ମୁଖ୍ୟ ବିଚାରପତିଙ୍କର ଏହି ଘୋଷଣା ଆମ ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହିତ ଓତପ୍ରୋତ ଭାବରେ ଜଡ଼ିତ ସମସ୍ତଙ୍କୁ- ବିଚାରପତିରୁ ଓକିଲ ପର୍ଯ୍ୟନ୍ତ ଛାନିଆ କରି ଦେଇପାରେ ଯେ ସେମାନେ ଏଣିକି ଅଲୋଡ଼ା ହୋଇଯିବେ। କୃତ୍ରିମ ବୁଦ୍ଧିର ପ୍ରବେଶ ପରେ ନ୍ୟାୟିକ ଯୁଦ୍ଧ କ୍ଷେତ୍ରର ସୈନ୍ୟ ସାମନ୍ତମାନେ ବେକାର ହୋଇଯିବେ, ଯେମିତି ମହାଭାରତ ଯୁଦ୍ଧରେ ପାଣ୍ତବ ସେନାର ଅବସ୍ଥା ହୋଇଥାନ୍ତା, ଯଦି ବେଲାଳସେନ ପ୍ରବେଶ କରିଥାନ୍ତେ।

ତେବେ ଏପରି ଆଶଙ୍କା ଯେ ଏଠାରେ ଅମୂଳକ, ତାହା ‘ଏଆଇ’ର ମୌଳିକ ଚରିତ୍ର ସମ୍ବନ୍ଧରେ ପରିଚିତମାନଙ୍କୁ ଜଣା। ‘ଏଆଇ’ ଦୁନିଆରେ ଯେଉଁ ଏକ ବାସ୍ତବ ସତ୍ୟ ଦେଖିବାକୁ ମିଳିଥାଏ, ତାହା ହେଲା: ଏଠାରେ କଠିନ ସମସ୍ୟାମାନ ହେଉଛି ସହଜ, ଏବ˚ ସହଜ ସମସ୍ୟାମାନ ହେଉଛି କଠିନ। ‘ଏଆଇ’ ବିନା ମାନବ ଚାଳକରେ ଗାଡ଼ି ଚଳାଇ ଦେଇପାରେ, କିମ୍ବା ସେଆର‌୍‌ ବଜାରରେ କେଉଁ ସେଆର‌୍‌ କିଣିବା ଲାଭଜନକ ହୋଇପାରେ ତାହା ଅତ୍ୟନ୍ତ ଜଟିଳ ଅନୁଶୀଳନ କରି କହି ଦେଇପାରେ; କିନ୍ତୁ ତାକୁ ଯଦି ପଚରା ଯାଏ- ରାମବାବୁ ଅଫିସ ଗଲାବେଳେ ତାଙ୍କ ମୁଣ୍ତଟିକୁ ଘରେ ରଖି ଦେଇଯାନ୍ତି ନା ସାଙ୍ଗରେ ନେଇଯାଆନ୍ତି, ତେବେ ‘ଏଆଇ’ ହଡ଼ବଡେ଼ଇ ଯିବ; ଓଟ ଚଡ଼ି ପିନ୍ଧେ କି ନାହିଁ ପଚାରିଲେ ‘ଏଆଇ’ର ମଧୢ ସେଇ ଅବସ୍ଥା ହେବ। ମୁଖ୍ୟ ବିଚାରପତି ବୋବ୍‌ଡେ ଏହା ବୋଧହୁଏ ଭଲ ରୂପେ ହୃଦୟଙ୍ଗମ କରି ତାଙ୍କ ଅଭିଭାଷଣରେ ସ୍ପଷ୍ଟ କରି ଦେଇଛନ୍ତି ଯେ ‘ଏଆଇ’ ମାନବ ବିଚାରପତିମାନଙ୍କୁ ସ୍ଥାନଚ୍ୟୁତ କରିବ ନାହିଁ କି ସେମାନଙ୍କ ବିଚାରଶକ୍ତି ବା ବିବେକର ସ୍ଥାନ ନେବ ନାହିଁ। କେବଳ ରାୟ ପ୍ରଦାନ ପ୍ରକ୍ରିୟାର ‘‘ପୁନଃପୌନିକ, ଗାଣିତିକ ଏବ˚ ଯନ୍ତ୍ରବତ୍‌ ଅ˚ଶମାନ’’ ପାଇଁ ‘ଏଆଇ’ର ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି।

ନ୍ୟାୟିକ ପ୍ରକ୍ରିୟାରେ ‘ଏଆଇ’ର ପ୍ରୟୋଗ ସମ୍ବନ୍ଧରେ ଚିନ୍ତା କରିବାରେ ଭାରତର ମୁଖ୍ୟ ବିଚାରପତି ପ୍ରଥମ ନୁହଁନ୍ତି। କେତେକ ଉନ୍ନତ ଦେଶମାନଙ୍କରେ ଏହା କେବେଠାରୁ ଦେଖା ଗଲାଣି। ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ବିଚାରପତିମାନେ ଜାମିନ ଆବେଦନର ବିଚାର ପାଇଁ କିମ୍ବା ବନ୍ଦୀମାନଙ୍କୁ ପ୍ୟାରୋଲ୍‌ ପ୍ରଦାନ କରିବା ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ‘ଏଆଇ’ର ସହାୟତା ନେଉଛନ୍ତି। ସେହିପରି ଭାରତରେ ମଧୢ ଅଦାଲତର କେଉଁ କେଉଁ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ‘ଏଆଇ’ର ସାହାଯ୍ୟ ନିଆଯାଇପାରିବ, ତାହା ଚିହ୍ନଟ କରାଯାଇପାରିବ। ‘ପ୍ରୋସେସ୍‌ ସର୍ଭିସ୍‌’ ଭଳି ଗତାନୁଗତିକ କାର୍ଯ୍ୟଠାରୁ ସାକ୍ଷ୍ୟ ପ୍ରମାଣ ମୂଲ୍ୟାୟନ କରିବା ପର୍ଯ୍ୟନ୍ତ କାର୍ଯ୍ୟରେ ‘ଏଆଇ’ର ସଫଳ ପ୍ରୟୋଗ କରାଯିବାର ବିଶେଷ ସୁଯୋଗ ରହିଛି।

ଏହାଦ୍ବାରା ଅଦାଲତରେ ଅଧିକ ପ୍ରକୃତ ନ୍ୟାୟିକ ସମୟ ଉପଲବ୍‌ଧ ହେବ ଯାହା ପୂର୍ବରୁ ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟରେ ନଷ୍ଟ ହେଉଥିଲା; ନ୍ୟାୟପାଳିକା ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥାତ୍‌ କରଦାତା ପ୍ରଦତ୍ତ ଅର୍ଥର ଅଧିକ ସଦୁପଯୋଗ ହେବ; ଏବ˚ ଏହା ରାୟ ପ୍ରସ୍ତୁତିରେ ସମ୍ପୃକ୍ତ ବିଚାରପତିଙ୍କର ସମ୍ଭାବ୍ୟ ବ୍ୟକ୍ତିଗତ ପସନ୍ଦ ଜନିତ ପକ୍ଷପାତିତାର ପ୍ରଭାବକୁ ସୀମିତ କରିବ। ଯେହେତୁ ‘ଏଆଇ’ ଭାବ ପ୍ରବଣତାହୀନ ଆକଳନ କରି ଆବଶ୍ୟକ ଉପାଦାନମାନ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଏ, ତାହାକୁ ଭିତ୍ତି କରି ବିଚାରପତି ଯେଉଁ ନିଷ୍ପତ୍ତି ନେବେ, ତାହା ଯୁକ୍ତିନିଷ୍ଠ ଓ ନିଷ୍ପକ୍ଷ ହେବାର ସମ୍ଭାବନା ଅଧିକ ହେବ। ତାହା ପୁଣି ସ୍ବଳ୍ପ ସମୟ ମଧୢରେ ସମ୍ଭବ ହେବ। ବିଶାଳ ଜନସ˚ଖ୍ୟା ଚାପଗ୍ରସ୍ତ ଭାରତରେ ଦ୍ରୁତ ବର୍ଦ୍ଧିଷ୍ଣୁ ମାମଲା ସ˚ଖ୍ୟା, ସ୍ଥାଣୁ ପ୍ରାୟ ବିଚାରପତି ସ˚ଖ୍ୟା ଏବ˚ ମନ୍ଥର ମାନବଚାଳିତ ପ୍ରକ୍ରିୟାରେ କବଳିତ ନ୍ୟାୟ ବ୍ୟବସ୍ଥାକୁ ବିଚାରପତିଙ୍କ ମାନବୀୟ ବୁଦ୍ଧି ସହିତ ଏହି କୃତ୍ରିମ ବୁଦ୍ଧି ମିଶି ଚଳଚଞ୍ଚଳ କରିବା ଉଚିତ।

ସମ୍ବନ୍ଧିତ ଖବର

Comments are closed.