ଦଳରୁ ମୋଦୀ ବିରୋଧୀ ସ୍ୱର

0 145

ଅର୍ଥନୈତିକ ମାନ୍ଦାବସ୍ଥାର ଚାପରେ ବିଜେପି ଦେଖାଇଥିବା ‘ଅଚ୍ଛେଦିନ୍‌’ର ସ୍ୱପ୍ନ ଯେତେ ଅଧିକ ଦୂରକୁ ଠେଲି ହୋଇ ଯାଉଛି, ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକକ ନାୟକତ୍ୱ ସେତେ ଅଧିକ ଆହ୍ଵାନର ସମ୍ମୁଖୀନ ହେଉଛି। ଅଭିବୃଦ୍ଧିରେ ମନ୍ଥରତା ନେଇ ‘ନମୋ’ କେବଳ ବିରୋଧୀ ଦଳଙ୍କ ଆକ୍ରମଣର ନିଶାଣରେ ନାହାନ୍ତି, ନିଜ ଦଳ ଭିତରୁ ମଧ୍ୟ ବିରୋଧର ସାମ୍ନା କରୁଛନ୍ତି। ଚଉଦ ପରିବର୍ତ୍ତନ ପରେ ବିଜେପିରେ ଉପେକ୍ଷିତ ଅନେକ ମୋଦୀ ପୀଡ଼ିତଙ୍କୁ ମାନ୍ଦାବସ୍ଥା ପାଲଟା ଆକ୍ରମଣ ପାଇଁ ସୁଯୋଗ ଦେଇଛି। ନିଜର ହଜି ଯାଇଥିବା ରାଜନୈତିକ ସତ୍ତାର ପୁନଃଆବିଷ୍କାର ଲାଗି ଅର୍ଥନୀତିର ସାଂପ୍ରତିକ ଦୁଃସ୍ଥିତି ଅନେକ ‘ପୂର୍ବତନ’ଙ୍କ ପାଇଁ ଅବକାଶ ସୃଷ୍ଟି କରିଛି। ଏହି କ୍ରମରେ ପ୍ରଥମେ ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ ଅର୍ଥନୀତିର ଏ ଅସୁସ୍ଥ ଅବସ୍ଥା ପାଇଁ ମୋଦୀଙ୍କ ନୀତି ଓ ଆଭିମୁଖ୍ୟକୁ କାଠଗଡ଼ାରେ ଠିଆ କଲେ। ସୌରୀଙ୍କ ମତରେ ସବୁଠାରୁ ବଡ଼ ଅର୍ଥନୈତିକ ପଦକ୍ଷେପ କୁହାଯାଉଥିବା ବିମୁଦ୍ରାୟନ, ଗତ ସତୁରି ବର୍ଷର ସବୁଠାରୁ ବଡ଼ ଭୁଲ୍‌। ପରେ ଅନ୍ୟତମ ମୁଖର ବିଜେପି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରିକଳ୍ପିତ ତଥାକଥିତ ଅଭିବୃଦ୍ଧି ମୁହାଁ, ସଂସ୍କାରବାଦୀ ଅର୍ଥନୈତିକ ନକ୍ସା ଉପରେ ପ୍ରଶ୍ନ ଉଠାଇଥିଲେ। ଏହି କ୍ରମରେ ମାନ୍ଦାବସ୍ଥା ନେଇ ‘ମୋଦୀନମିକ୍ସ’ ଉପରେ ସଦ୍ୟତମ ଆକ୍ରମଣକାରୀ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା। ଫଳରେ ଅର୍ଥନୀତିରେ ମାନ୍ଦାବସ୍ଥା ନେଇ ଦଳ ଭିତରୁ ଭିନ୍ନମତବାଦୀଙ୍କ ପ୍ରତିବାଦର ସ୍ୱର ଅଧିକ ଶାଣିତ ହେଉଛି।

ଦଳର ଅନ୍ୟତମ ମାର୍ଗଦର୍ଶକ ବିଚାର କରାଯାଉଥିବା ସିହ୍ନା ଏକ ଜାତୀୟ ସମ୍ବାଦପତ୍ରରେ ଲେଖିଥିବା ପ୍ରବନ୍ଧରେ ବର୍ତ୍ତମାନର ମାନ୍ଦାବସ୍ଥା ପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ତାଙ୍କ ଲେଖାରେ ସିହ୍ନା ମୁଖ୍ୟତଃ ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କୁ କଟୁ ସମାଲୋଚନା କରି ତାଙ୍କ ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ମଧ୍ୟ, ବାସ୍ତବରେ ଯେ ତାଙ୍କ ବାଣର ଲକ୍ଷ୍ୟ ମୋଦୀ ଏହା ଆଦୌ ଅଛପା ରହୁନାହିଁ। ଅର୍ଥନୀତି ନେଇ ଏ ଆକ୍ରମଣ ଯେ ଦଳ ଭିତରେ ମୋଦୀଙ୍କ ନେତୃତ୍ୱ ବିରୋଧରେ ଏକ ରାଜନୈତିକ ଅଭିଯାନର ଅଂଶ ଏଥିରେ ମଧ୍ୟ ସନ୍ଦେହର ଅବକାଶ ନାହିଁ। ପରୋକ୍ଷରେ ସିହ୍ନା ବାଜପେୟୀଙ୍କ ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ଓ ମିଳିତ ନେତୃତ୍ୱର ଆଲୋକରେ ମୋଦୀ ସରକାରଙ୍କୁ ଦେଖାଇ ତାଙ୍କର ଏକକ ନାୟକତ୍ୱ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଅବକ୍ଷୟର ଅନ୍ଧାରୁଆ ଦିଗ ପ୍ରତି ଇଙ୍ଗିତ କରିଛନ୍ତି। ଜେଟ୍‌ଲୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ମାତ୍ରାତିରିକ୍ତ ନିର୍ଭରଶୀଳତା ଆଡ଼କୁ ଅଙ୍ଗୁଳି ଦେଖାଇ ଯଶୋବନ୍ତ ସିହ୍ନା ଉଲ୍ଲେଖ କରିଛନ୍ତି ଯେ, ହୋଇଥିବାରୁ ତାଙ୍କର ଦୁଇଜଣ ସହଯୋଗୀ ଯଶୋବନ୍ତ ସିଂହ ଓ ପ୍ରମୋଦ ମହାଜନଙ୍କୁ ବାଜପେୟୀ ମନ୍ତ୍ରିମଣ୍ଡଳରେ ନେଇ ନଥିଲେ। ଅଥଚ, ଅମୃତସର ଲୋକସଭା ଆସନରେ ପରାଜିତ ହେବା ପରେ ମଧ୍ୟ ଜେଟ୍‌ଲୀଙ୍କୁ କେବଳ ମନ୍ତ୍ରିମଣ୍ଡଳରେ ନିଆଗଲା ନାହିଁ, ଅର୍ଥ ଓ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଗଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମୋଦୀଙ୍କ ଏକକ ନାୟକତ୍ୱ, ଏକଛତ୍ରବାଦୀ ମନୋଭାବ ବିରୋଧରେ ଦଳ ମଧ୍ୟରେ ଚାପି ହୋଇ ରହିଥିବା ଅସନ୍ତୋଷ ମାନ୍ଦାବସ୍ଥା ନେଇ ପ୍ରତିବାଦରେ ପ୍ରତିଫଳିତ ହେଉଛି। ଦଳ ମଧ୍ୟରେ ଏକ ଭୟର ବାତାବରଣ ରହିଥିବା ନେଇ ସିହ୍ନାଙ୍କ ଇଙ୍ଗିତ ତଥାକଥିତ ଆଭ୍ୟନ୍ତରୀଣ ଗଣତନ୍ତ୍ର ନେଇ ଦଳୀୟ ନେତୃତ୍ୱର ଦାବି ଉପରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Panda Mobile only

ମାନ୍ଦାବସ୍ଥା ନେଇ ଅସନ୍ତୋଷ କେବଳ ଦଳ ମଧ୍ୟରେ ସୀମିତ ରହି ନାହିଁ, ବିଜେପି ସହ ଅନୁବନ୍ଧିତ କେତେକ ସଂଗଠନ ମଧ୍ୟ ମୋଦୀ ସରକାରଙ୍କ ଆର୍ଥିକ ନୀତି ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି। ସ୍ୱଦେଶୀ ଜାଗରଣ ମଞ୍ଚ ଓ ଅନ୍ୟ କେତେକ ସଂଗଠନ ପୂର୍ବରୁ କ୍ଷୁବ୍‌ଧ। ବିଜେପିର ଆଦର୍ଶଗତ ଜନ୍ମଦାତା ଆର୍‌ଏସ୍‌ଏସ୍‌ ପରିଚାଳିତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ ଏନ୍‌ଡିଏ ସରକାରଙ୍କ ନୀତି ବିରୋଧରେ ନଭେମ୍ବରରେ ଆନ୍ଦୋଳନକୁ ଓହ୍ଲାଇବା ଲାଗି ଘୋଷଣା କରିଛି। କେତେକ ଅଣ-ରାଜନୈତିକ ଚାଷୀ ସଂଗଂନ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଋଣ ଛାଡ଼ ଦାବିରେ ଆନ୍ଦୋଳନକୁ ଓହ୍ଲାଇ ସାରିଛନ୍ତି ଓ ଆଉ କେତେକ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ସଂକେତ ସ୍ପଷ୍ଟ ଯେ, ଅର୍ଥନୈତିକ ମାନ୍ଦାବସ୍ଥା ନେଇ ମୋଦୀଙ୍କ ନେତୃତ୍ୱ ଓ ଏନ୍‌ଡିଏ ସରକାର ବିରୋଧରେ ରାଜନୈତିକ ପ୍ରତିକୂଳତା କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଅର୍ଥନୈତିକ ମାନ୍ଦାବସ୍ଥା ମୋଦୀ ଓ ତାଙ୍କ ସରକାର ପାଇଁ ଏବେ ଏକ ରାଜନୈତିକ ଆହ୍ଵାନ।

ତେବେ, ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରଙ୍କ ପ୍ରତିକ୍ରିୟା କ’ଣ? ମାନ୍ଦାବସ୍ଥାର ମୁକାବିଲା ପାଇଁ ଯୋଜନା କ’ଣ? ଆଶ୍ଚର୍ଯ୍ୟର ବିଷୟ, ବର୍ତ୍ତମାନ ସୁଦ୍ଧା କୌଣସି ଯୋଜନା ନାହିଁ। କାରଣ, ମାନ୍ଦାବସ୍ଥାର ସମସ୍ତ ଲକ୍ଷଣ ଜଳ ଜଳ ହୋଇ ଦିଶୁଥିବା ସତ୍ତ୍ୱେ ସରକାର ଏ ବାସ୍ତବତାକୁ ମାନିବାକୁ ନାରାଜ ଯେ ଅର୍ଥନୀତିରେ ମନ୍ଥରତା ଆସିଛି। ଏହାକୁ ‘ସାମୟିକ’, ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଭାଷାରେ ‘ବୈଷୟିକ’ ବୋଲି କହି ଟାଳି ଯାଉଛନ୍ତି। ବାସ୍ତବତା ଯେତେ ଅସ୍ୱସ୍ତିକର ହେଲେ ସୁଦ୍ଧା ତାକୁ ସ୍ୱୀକାର କରିବାକୁ ପଡ଼ିବ, ଅନ୍ୟଥା ମୁକାବିଲାର ଉପାୟ ବାହାରିବ କୁଆଡ଼ୁ? କିଛିଦିନ ପୂର୍ବରୁ ପ୍ରଚାର ହେଲା ସରକାର ମାନ୍ଦାବସ୍ଥାର ମୁକାବିଲା ପାଇଁ ୪୦ ହଜାରରୁ ୬୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା ବିଷୟ ଚିନ୍ତା କରୁଛନ୍ତି। ଆଶା ସୃଷ୍ଟି ହେଲା ଯେ, ସରକାର ମାନ୍ଦାବସ୍ଥାର ବାସ୍ତବତାକୁ ଅନ୍ତତଃ ଗ୍ରହଣ କରି ଏହାର ମୁକାବିଲା ପାଇଁ କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ପ୍ୟାକେଜ୍‌ ଘୋଷଣା ବିଳମ୍ବିତ ହେବା ଫଳରେ ସେ ଆଶା ମଉଳି ଯାଉଛି। ବଜେଟ ନିଅଣ୍ଟ ପରିମାଣ ସୀମା ଟପିଗଲେ ଅବସ୍ଥା ଆହୁରି ବିଗିଡ଼ିଯିବା ଆଶଙ୍କାରେ ସରକାର ପ୍ୟାକେଜ୍‌ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା କୁହାଯାଉଛି। ପ୍ୟାକେଜ୍‌ ବଦଳରେ ସରକାର ଅର୍ଥନୀତିକୁ ଆକ୍ରାନ୍ତ କରିଥିବା ସମସ୍ୟାର ଅନୁଧ୍ୟାନ ଲାଗି ଏକ କମିଟି ଗଠନ କଲେ। ତେବେ ଏ କମିଟିର ଉଦ୍ଦେଶ୍ୟ ଅର୍ଥନୀତିକୁ ଆକ୍ରାନ୍ତ କରିଥିବା ସମସ୍ୟାର ଅନୁଧ୍ୟାନ କରିବା ଯେତେ ନୁହେଁ, ତା ଠାରୁ ଅଧିକ ନୀତି ଆୟୋଗରେ ଭାରସାମ୍ୟ ରକ୍ଷା କରିବା। ଆୟୋଗର ନୂତନ ଉପାଧ୍ୟକ୍ଷ ଭାବେ ରାଜୀବ କୁମାରଙ୍କ ନିଯୁକ୍ତିରେ କ୍ଷୁବ୍‌ଧ ବିବେକ ଦେବରାୟଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ଅର୍ଥନୈତିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରୂପେ ଅବସ୍ଥାପିତ କରାଯାଇଛି। ଏବେ ରୋଗର ଅନୁଧ୍ୟାନ ଅପେକ୍ଷା କିନ୍ତୁ ରୋଗର ଉପଚାର ଅଧିକ ଜରୁରୀ।

ପ୍ରଧାନମନ୍ତ୍ରୀଙ୍କ ଆଗରେ ଏବେ ଦ୍ୱୈତ ଆହ୍ଵାନ। ଉଭୟ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ତାଙ୍କୁ ଆହ୍ଵାନର ମୁକାବିଲା କରିବାକୁ ପଡ଼ିବ। ତେବେ, ଅର୍ଥନୈତିକ କ୍ଷେତ୍ରରେ ଆହ୍ଵାନର ମୁକାବିଲା ଉପରେ ମୋଦୀଙ୍କୁ ପ୍ରାଥମିକତା ଦେବାକୁ ହେବ। କାରଣ ମାନ୍ଦାବସ୍ଥାର ମୁକାବିଲାରେ ସରକାରଙ୍କ ପ୍ରଦର୍ଶନ ରାଜନୈତିକ କ୍ଷେତ୍ରରେ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.