ମୁଦ୍ରା ରୋମାଞ୍ଚ

0 114

କାର୍ଲ ମାର୍କ୍ସଙ୍କର ଏକ ସୁପରିଚିତ, ବହୁଳ ଉଦ୍ଧୃତ ଉକ୍ତି ହେଉଛି: ‘‘ଇତିହାସର ପୁନରାବୃତ୍ତି ଘଟି ଚାଲିଥାଏ; ପ୍ରଥମେ ଏକ ଟ୍ରାଜେଡ଼ି ରୂପେ ଏବଂ ପରେ ଏକ ଫାର୍ସ୍‌ ରୂପେ।’’ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ଘଟି ଚାଲିଥିବା ସ୍ଖଳନ ପ୍ରତି ଯଦି ମାର୍କ୍ସଙ୍କର ଏହି ନିୟମ ଲାଗୁ କରାଯାଏ, ତେବେ ଯାହା ଦେଖାଯିବ ତାହାକୁ ଏହି ନିୟମର ବିପରୀତ ବୋଲି ବିଚାର କରାଯାଇପାରେ; ଇତିହାସର ପୁନରାବୃତ୍ତି ଯାତ୍ରା ପ୍ରଥମେ ଏକ ଫାର୍ସ୍‌ର୍ ରୂପେ ଆରମ୍ଭ ହୁଏ ଏବଂ ପରେ ତାହା ଟ୍ରାଜେଡ଼ିର ରୂପ ନିଏ। ୧୮୯୫ରେ ପ୍ରଥମେ ଅଭିନୀତ ବିଚକ୍ଷଣ ପ୍ରତ୍ୟୁତ୍ପନ୍ନମତିତା ସମ୍ପନ୍ନ ବ୍ରିଟିସ ନାଟ୍ୟକାର ଓସ୍କାର୍‌ ଓ୍ଵାଇଲ୍‌ଡ଼ଙ୍କର ପ୍ରସିଦ୍ଧ ଲୋକପ୍ରିୟ କାଳଜୟୀ ନାଟକ ‘ଦି ଇମ୍ପୋଟାନ୍‌ସ ଅଫ୍‌ ବିଙ୍ଗ୍‌ ଅର୍ନେଷ୍ଟ’କୁ ଏକ କମେଡ଼ି ବା ଫାସ୍‌ର୍ ରୂପେ ଉପଭୋଗ କରାଯାଇପାରେ। ଏହି ନାଟକର ଦ୍ୱିତୀୟ ଅଙ୍କରେ ସେ ସମୟରେ ବ୍ରିଟେନ୍‌ର ଉପନିବେଶ ଥିବା ଭାରତର ମୁଦ୍ରା ଟଙ୍କାର ଉଲ୍ଲେଖ ଦେଖିବାକୁ ମିଳିଥାଏ। ଏହି ଅଙ୍କର ଏକ ଦୃଶ୍ୟରେ ନାଟକର ଅନ୍ୟତମା ନାୟିକା ସେସିଲି କାର୍ଡ୍ୟୁଙ୍କୁ ତାଙ୍କର ଗଭର୍ଣ୍ଣେସ୍‌ (ଘରୋଇ ଶିକ୍ଷୟିତ୍ରୀ ତଥା ତତ୍ତ୍ୱାବଧାରିକା) ମିସ୍‌ ପ୍ରିଜ୍‌ମ କହିଛନ୍ତି: ‘‘ସେସିଲି, ତୁମେ ମୋର ଅନୁପସ୍ଥିତିରେ ତୁମର ଅର୍ଥଶାସ୍ତ୍ର ପାଠ କରିବ। ଟଙ୍କାର ସ୍ଖଳନ ଉପରେ ଥିବା ଅଧ୍ୟାୟକୁ ତୁମେ ବାଦ୍‌ ଦେଇ ଦେଇପାର। ଏହା ଟିକିଏ ଅତିରିକ୍ତ ଚାଞ୍ଚଲ୍ୟ ସୃଷ୍ଟି ପ୍ରବଣ। ଏହି ଧାତବ ସମସ୍ୟା (ସେତେବେଳେ ଧାତବ ଟଙ୍କାର ଅଧିକ ପ୍ରଚଳନ ଥିଲା) ମାନଙ୍କର ମଧ୍ୟ ରୋମାଞ୍ଚ ସୃଷ୍ଟିକାରୀ ଦିଗ ରହିଛି।’’

ଏଥର ଏହାର ଏକ ଶତାବ୍ଦୀ ପରର ସମୟକୁ ଆସିବା। ସମୟ ହେଉଛି ୨୦୧୧। କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର। ସେ ବର୍ଷ ଜୁଲାଇରେ ଆମେରିକୀୟ ଡଲାର୍‌ ପିଛା ଭାରତୀୟ ଟଙ୍କାର ବିନିମୟ ହାର ଥିଲା ୪୪ ଟଙ୍କା। ୨୦୧୩ ଜୁନ୍‌ ଶେଷ ବେଳକୁ ସେଥିରେ ସ୍ଖଳନ ଘଟି ହୋଇ ଯାଇଥିଲା ଡଲାର୍‌ ପିଛା ୬୦ ଟଙ୍କା। ଏହି ସ୍ଖଳନ ଆଉ ଓସ୍କାର୍‌ ଓ୍ଵାଇଲ୍‌ଡ ସୁଲଭ ଏକ ଫାର୍ସ୍‌ ନଥିଲା; ଏହା ଥିଲା ଦୁଇ ବର୍ଷ ମଧ୍ୟରେ ଏକ ସତସତିକା ତୀକ୍ଷ୍‌ଣ ୨୭% ସ୍ଖଳନ, ଯାହାକୁ ତତ୍କାଳୀନ ବିରୋଧୀ ଦଳମାନେ ଏକ ଟ୍ରାଜେଡ଼ି ରୂପେ ଚିତ୍ରିତ କରିଥିଲେ। ସେମାନେ ମନମୋହନ ସିଂହ ସରକାରକୁ ଏହି ଟ୍ରାଜେଡ଼ି ପାଇଁ ଦାୟୀ କରିଥିବା ବେଳେ, ସରକାର ଏହାକୁ ନିଜ ନିୟନ୍ତ୍ରଣ ବାହାରେ ଥିବା ଆମେରିକାର ଅର୍ଥନୈତିକ କାର୍ଯ୍ୟକ୍ରମର ଫଳ ରୂପେ ପ୍ରଦର୍ଶିତ କରିଥିଲେ। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ବ୍ୟବସ୍ଥା ‘ଫେଡ଼େରାଲ୍‌ ରିଜର୍ଭ’ର ଚେଆରମ୍ୟାନ୍‌ ବେନ୍‌ ବର୍ଣ୍ଣାଙ୍କେ ମେ’ ମାସରେ ଘୋଷଣା କରିଥିଲେ ଯେ ୨୦୦୮ର ବିତ୍ତୀୟ ସଂକଟରୁ ମୁକୁଳିବା ପାଇଁ ଶିଳ୍ପ ବାଣିଜ୍ୟକୁ ସହାୟକ ହେବା ଉଦ୍ଦେଶ୍ୟରେ ସୁଧ ହାରକୁ ନୀଚା ରଖିବା ଲାଗି ‘ଫେଡ଼େରାଲ ରିଜର୍ଭ’ ଯେଉଁ ବଣ୍ଡ୍‌ କ୍ରୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ସେଥିରେ ଅନ୍ତ ଘଟିବାର ସମୟ ଉପସ୍ଥିତ(ତଥାକଥିତ ‘ଟେପରିଂ’)। ଏହାର ଅର୍ଥ ଥିଲା ଆମେରିକାରେ ସୁଧ ହାରରେ ବୃଦ୍ଧି ଘଟିବାକୁ ଯାଉଛି। ଅଧିକ ସୁଧ ଅର୍ଥ ଆନ୍ତର୍ଜାତିକ ପୁଞ୍ଜି ନିବେଶକମାନେ ସେଥିରୁୁ ଅଧିକ ଆୟ କରିବା ଲୋଭରେ ଅନ୍ୟ ଦେଶ ମାନଙ୍କୁ ଡଲାର୍‌ ଆକାରରେ ନିବେଶ କରିଥିବା ପୁଞ୍ଜି ପ୍ରତ୍ୟାହାର କରି ଆମେରିକା ମୁହାଁ ହେବାକୁ ଆରମ୍ଭ କଲେ। ଏହା ଫଳରେ ସେ ସବୁ ଦେଶ ମାନଙ୍କରେ ଡଲାର୍‌ର ଯୋଗାଣ ସଂକୁଚିତ ହେବାରେ ଲାଗିଲା ଏବଂ ବଜାର ନିୟମ ଅନୁସାରେ ଡଲାର୍‌ର ବିନିମୟ ମୂଲ୍ୟରେ ବୃଦ୍ଧି ଘଟିବାକୁ ଲାଗିଲା। ଫଳରେ ସ୍ଥାନୀୟ ମୁଦ୍ରା ମାନଙ୍କର ଡଲାର୍‌ ଆକାରରେ ବିନିମୟ ମୂଲ୍ୟରେ ହ୍ରାସ ଘଟି ଚାଲିଲା। ସେତେବେଳେ ଏହି କାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ ଅନ୍ୟ ସମସ୍ତ ବିକାଶଶୀଳ ଦେଶମାନଙ୍କର ମୁଦ୍ରାମାନ ମଧ୍ୟ ଦୁର୍ବଳ ହୋଇ ଯାଇଥିଲେ।

ଇତିହାସକୁ ଅନୁସରଣ କରି ଏବେ ୨୦୧୮ ସେପ୍‌ଟେମ୍ବରକୁ ଆସିଯିବା। ସୋମବାର ୧୦ ତାରିଖ ଦିନ ବୈଦେଶିକ ମୁଦ୍ରା ବଜାରରେ କାରବାର ଶେଷ ହେବା ବେଳକୁ ଡଲାର୍‌ ପିଛା ଟଙ୍କାର ବିନିମୟ ହାର ହୋଇଥିଲା ୭୨.୪୫ ଟଙ୍କା, ଯାହା ହେଉଛି ଟଙ୍କାର ସର୍ବକାଳୀନ ନ୍ୟୂନତମ ବିନିମୟ ମୂଲ୍ୟ। ଗତବର୍ଷ ଏହି ସମୟ ତୁଳନାରେ ଡଲାର୍‌ ବିନିମୟରେ ଟଙ୍କା ମୂଲ୍ୟରେ୧୩% ହ୍ରାସ ଘଟିଛି। ଇତିହାସର ଚକ ଘୂରି ଯାଇଛି। ୨୦୧୩ର ୟୁପିଏ ସରକାର ଆମେରିକାରେ ଘଟୁଥିବା ଘଟଣା ସମ୍ମୁଖରେ ଅସହାୟ ଥିବା ଭଳି ବର୍ତ୍ତମାନର ଏନ୍‌ଡିଏ ସରକାର ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେଠାରେ ଆଉ ବର୍ଣ୍ଣାଙ୍କେ ନାହାନ୍ତି ଓ ‘ଟେପରିଂ’ର ଅନ୍ତ ଘଟିଛି। କିନ୍ତୁ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଆମେରିକାର ଅର୍ଥନୈତିକ ସ୍ୱାସ୍ଥ୍ୟରେ ଏପରି ବୃଦ୍ଧି ଘଟି ଚାଲିଛି ଯେ ଆନ୍ତର୍ଜାତିକ ପୁଞ୍ଜି ନିବେଶକମାନେ ଆମେରିକାକୁ ସବୁଠାରୁ ଲାଭପ୍ରଦ ଓ ନିରାପଦ ନିବେଶ ସ୍ଥଳୀ ରୂପେ ବିଚାର କରୁଛନ୍ତି। ସେଠାରେ ପ୍ରକାଶିତ ସଦ୍ୟତମ ନିଯୁକ୍ତି ରିପୋର୍ଟ ଅନୁସାରେ ଅଗଷ୍ଟରେ ବିଗତ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ବେକାରି ସର୍ବନିମ୍ନ ସ୍ତର ଛୁଇଁଥିଲା ଏବଂ ୧୯୩୦ର ମହା ଅବସ୍ଫୀତି ପରଠାରୁ ବର୍ତ୍ତମାନ ଶ୍ରମିକ ମାନଙ୍କ ମଜୁରି ହାରରେ ଦ୍ରୁତତମ ବୃଦ୍ଧି ଘଟିଛି। ଆମେରିକୀୟ ଅର୍ଥନୀତିର ଦୁଇ-ତୃତୀୟାଂଶ ହେଉଛି ଖାଉଟି ବ୍ୟୟ। ବର୍ତ୍ତମାନ ସେଥିରେ ଏପରି ଉନ୍ନତି ଦେଖାଯାଇଛି ଯାହା ମୁଦ୍ରାସ୍ଫୀତି ହାରକୁ ‘ଫେଡେରାଲ ରିଜର୍ଭ’ର ଧାର୍ଯ୍ୟ ଲକ୍ଷ୍ୟ ୨%ରେ ପହଞ୍ଚାଇ ଦେଲାଣି। ଏହାର ଅର୍ଥ ମୁଦ୍ରାସ୍ଫୀତିକୁ କାବୁ କରିବା ପାଇଁ ‘ଫେଡେରାଲ ରିଜର୍ଭ’ ସୁଧ ହାରରେ ବୃଦ୍ଧି ଘଟାଇବା ସମ୍ପୂର୍ଣ୍ଣ ସମ୍ଭବ। ତାହେଲେ ଅଧିକ ପୁଞ୍ଜି ନିବେଶକମାନେ ଆମେରିକା ଦିଗରେ ଛୁଟିବେ ଓ ଡଲାର୍‌ ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ- ଟଙ୍କା ଆହୁରି ଦୁର୍ବଳ ହେବ।

ଏହି ସମୟରେ ଆନ୍ତର୍ଜାତିକ ତୈଳଦରରେ ବୃଦ୍ଧି ଯୋଗୁଁ ଭାରତର ଆମଦାନି ବିଲ୍‌ରେ ଘଟିଥିବା ବୃଦ୍ଧି ମଧ୍ୟ ଟଙ୍କାକୁ ଦୁର୍ବଳ କରିବାରେ ସହାୟକ ହୋଇଛି। ଇରାନ୍‌ ଓ ରୁଷିଆ ଉପରେ ଟ୍ରମ୍ପ୍‌ ଲଗାଇଥିବା ବାଣିଜ୍ୟ ବାସନ୍ଦ ନୀତି ଯୋଗୁଁ ତୈଳ ଯୋଗାଣରେ ସଂକୋଚନ ଘଟି ପରିସ୍ଥିତିକୁ ମଧ୍ୟ ଖରାପ କରିଛି। ଏହି ସମୟରେ ସାଧାରଣ ନିର୍ବାଚନ ଆସନ୍ନ ହୋଇଥିବାରୁ ସରକାରଙ୍କ ଉପରେ ଚାପର ତୀବ୍ରତା ସହଜେ ଅନୁମେୟ। ବିରୋଧୀ ଦଳ ଓ ଗଣମାଧ୍ୟମର ସମାଲୋଚନାକୁ ସ୍ତୀମିତ କରିବା ପାଇଁ ସରକାର ବୈଦେଶିକ ମୁଦ୍ରା ପାଣ୍ଠିକୁ ବ୍ୟବହାର କରି ଟଙ୍କା ମୂଲ୍ୟ ହ୍ରାସ କରିବା ପାଇଁ ପ୍ରଲୋଭିତ ହୋଇପାରନ୍ତା। ସେହିପରି ଟିକସ ହ୍ରାସ କରି କିମ୍ବା ତୈଳ କମ୍ପାନିମାନଙ୍କ ଉପରେ ବୋଝ ଲଦି ସରକାର ତୈଳ ଦର ହ୍ରାସ କରିବାକୁ ଚାହିଁ ପାରନ୍ତି। ଏ ଉଭୟ ପଦକ୍ଷେପ ସ୍ୱଳ୍ପକାଳୀନ ରାଜନୈତିକ ଲାଭ ଆଣିପାରେ, କିନ୍ତୁ ଏଥିଯୋଗୁଁ ଯେଉଁ ରାଜକୋଷୀୟ ନିଅଣ୍ଟ ସୃଷ୍ଟି ହେବ ତାହା ଅର୍ଥନୀତିର ଦୀର୍ଘକାଳୀନ କ୍ଷତି ଘଟାଇବ ଏବଂ ଭାରତ ଉପରେ ନିବେଶକମାନଙ୍କ ବିଶ୍ୱାସ ଦୁର୍ବଳ କରିବ। ଅତଏବ ଅର୍ଥନୀତିର ଦୀର୍ଘକାଳୀନ ମଙ୍ଗଳ ପାଇଁ ସରକାର ବର୍ତ୍ତମାନ ଦାନ୍ତ ଚିପି ଅଟଳ ରହିବା ହିଁ ବାଞ୍ଛନୀୟ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.