ରାସୋମନ୍‌

0

‘‘ଏକମ୍‌ ସତ୍‌ ବିପ୍ରା ବହୁଧା ବଦନ୍ତି’’। ସତ୍ୟ ହେଉଛି ଗୋଟିଏ, କିନ୍ତୁ ବିପ୍ର ବା ବିଜ୍ଞ ଜନମାନେ ତାହାକୁ ଭିନ୍ନ ଭିନ୍ନ ପ୍ରକାରେ ବଖାଣିଥାନ୍ତି। ଋଗ୍‌ଦେବର ଏହି ପ୍ରସିଦ୍ଧ ଉକ୍ତିର ପ୍ରାସଙ୍ଗିକତା ଯେ କେବଳ ଆଧୢାତ୍ମିକ ଆଲୋଚନା ପରିସର ମଧୢରେ ସୀମିତ ନୁହେଁ, ତାହାର ଏକ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ୧୯୫୦ରେ ପ୍ରସିଦ୍ଧ ଜାପାନୀ ନିର୍ଦ୍ଦେଶକ ଆକିରା କୁରୋସାଵାଙ୍କ ଦ୍ବାରା ନିର୍ମିତ ମନସ୍ତାତ୍ତ୍ବିକ ଅପରାଧ- ରୋମାଞ୍ଚ ଫିଲ୍‌ମ ‘ରାସୋମନ୍‌’ରେ। ପୃଥିବୀର ସିନେମା ଇତିହାସରେ ଅନ୍ୟତମ ସର୍ବକାଳୀନ ସର୍ବଶ୍ରେଷ୍ଠ କୃତି ରୂପେ ବିବେଚିତ ଏହି ଫିଲ୍‌ମରେ ଘଟିଥିବା ‘ଏକମ୍‌ସତ୍‌’ ରୂପକ ଘଟଣା ହେଉଛି ଏକ ଜଙ୍ଗଲରେ ଜଣେ ସାମୁରାଇ ଯୋଦ୍ଧାଙ୍କର ହତ୍ୟା ଏବ˚ ତାଙ୍କ ପତ୍ନୀଙ୍କର ଧର୍ଷଣ। ଏହାକୁ ଆଖିରେ ଦେଖିଥିବା ଚାରିଜଣ ‘ବିପ୍ର’ ବା ସାକ୍ଷୀ ଏ ଘଟଣାର ଯେଉଁଭଳି ବର୍ଣ୍ଣନା କରନ୍ତି ତାହା ଚାରି ଭିନ୍ନ ଭିନ୍ନ ପ୍ରକାରର। ଏକା ଘଟଣା କିପରି ଭିନ୍ନ ଭିନ୍ନ ଦର୍ଶକଙ୍କ ଦୃଷ୍ଟିରେ ଭିନ୍ନ ଭିନ୍ନ ରୂପ ପରିଗ୍ରହଣ କରିଥାଏ, ତାହା ହିଁ କୁରୋସାଵା ଏଭଳି ପ୍ରଭାବଶାଳୀ ଢ଼ଙ୍ଗରେ ତାଙ୍କର ଏହି ଫିଲ୍‌ମରେ ପ୍ରତିପାଦନ କରିଥିଲେ ଯେ ପରବର୍ତ୍ତୀ ସମୟରେ ସାହିତ୍ୟରୁ ଆରମ୍ଭ କରି ମନୋବିଜ୍ଞାନ, ଆଇନଶାସ୍ତ୍ର, ସମାଜବିଜ୍ଞାନ ଓ ଇତିହାସ ପର୍ଯ୍ୟନ୍ତରେ ‘ରାସୋମନ୍‌ ପ୍ରିନ୍‌ସିପ୍ଲ’ (ରାସୋମନ୍‌ ନିୟମ) ବା ‘ରାସୋମନ୍‌ ଇଫେକ୍ଟ’ (ରାସୋମନ୍‌ ପ୍ରଭାବ) ରୂପରେ ଏହାର ବ୍ୟାପକ ପ୍ରୟୋଗ ହୋଇଥିବା ଦେଖାଯାଇଛି।
ଗତ ରବିବାର ଦିନ ଇ˚ଲଣ୍ତର ମାଞ୍ଚେଷ୍ଟର‌୍‌ ଠାରେ ଏକ ଘଟଣା ଘଟିଥିଲା। ସେ ସହରର ଓଲ୍‌ଡ଼ ଟ୍ରାଫର୍ଡ ଷ୍ଟାଡ଼ିଅମ୍‌ରେ ଏକ କ୍ରିକେଟ୍‌ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହା ଏକ ଏକଦିବସୀୟ ମ୍ୟାଚ୍‌ ଥିଲା ଏବ˚ ଦୁଇ ପ୍ରତିଦ୍ବନ୍ଦ୍ବୀ ଟିମ୍‌ ମଧୢରୁ ଗୋଟିଏ ଟିମ୍‌ ଏ ମ୍ୟାଚ୍‌ ଜିତିଲା ଓ ଅନ୍ୟ ଟିମ୍‌ଟି ହାରିଲା। ଏହା ହେଲା ସେଦିନର ‘ଏକମ୍‌ ସତ୍‌’। କିନ୍ତୁ ଯେଉଁ ମୁହୂର୍ତ୍ତରେ ଏ ଦୁଇ ଟିମ୍‌କୁ ଅନାମଧେୢୟ ନ ରଖି ସେମାନଙ୍କର ନାମ ପ୍ରକାଶ କରି ଦିଆଯାଏ, ତତ୍‌କ୍ଷଣାତ୍‌ ସେ ମ୍ୟାଚ୍‌ଟି ଆଉ ଏକ ସାଧାରଣ କ୍ରିକେଟ ଖେଳ ମଧୢରେ ସୀମିତ ନ ରହି ଭୌଗୋଳିକ-ରାଜନୀତିରୁ ଆରମ୍ଭ କରି ସାମରିକ ବଳ କଷାକଷି, ରାଜନୈତିକ ମତବାଦ ଏବ˚ ଏପରିକି ଧର୍ମ ବିଶ୍ବାସ ଭଳି କ୍ଷେତ୍ରରେ ଖେଳା ଯାଇଥିବା ଏକ ମ୍ୟାଚ୍‌ର ରୂପ ଧାରଣ କରିଥାଏ।
ଅବଶ୍ୟ ଟିମ୍‌ ଦୁଇଟି ଥିଲେ ଭାରତ ଓ ପାକିସ୍ତାନ୍‌। କେବଳ ନିରୁତା ପରିସ˚ଖ୍ୟାନ ଉପରେ ଦୃଷ୍ଟି ନିବଦ୍ଧ କଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଏକ ଵାର୍ଲଡ଼ କପ୍‌ ମ୍ୟାଚ୍‌ରେ ଦୁଇ ପଡେ଼ାଶୀ ଦେଶଙ୍କ ମଧୢରେ ଏହା ଥିଲା ସପ୍ତମ ଭେଟ ଏବ˚ ଏଥରକୁ ମିଶାଇ ସାତ ଥର ଯାକ ଭାରତ ପାକିସ୍ତାନକୁ ପରାସ୍ତ କରିଛି। କୌଣସି ଏକ ତୃତୀୟ ନିରାସକ୍ତ ଦେଶର ଦର୍ଶକଙ୍କୁ କେବଳ ସେଦିନ ପଡ଼ିଆରେ ଉଭୟ ପକ୍ଷର ବ୍ୟାଟ୍‌ ବଲ୍‌ ମଧୢରେ ପ୍ରତିଯୋଗିତା ଓ ସେଥିରେ ଗୋଟିଏ ପକ୍ଷର ବିଜୟ ଏବ˚ ଅନ୍ୟ ପକ୍ଷର ପରାଜୟ ଦୃଷ୍ଟିଗୋଚର ହୋଇଥିବ। କିନ୍ତୁ ସେଦିନ ପଡ଼ିଆରେ ଖେଳ ଚାଲିଥିଲା ବେଳେ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥାଇ ଖେଳ ଦେଖୁଥିବା ତଥା ନିଜ ନିଜ ଦେଶରେ ଟେଲିଭିଜନରେ ମ୍ୟାଚ୍‌ର ସିଧା ପ୍ରସାରଣ ଦେଖୁଥିବା ଉଭୟ ପକ୍ଷର ସମର୍ଥକମାନଙ୍କ ମଧୢରେ ଯେଉଁ ତୀବ୍ର ଆବେଗ ଓ ଉତ୍କଣ୍ଠା ସଞ୍ଚରି ରହିଥିଲା ତାହା କେବଳ କୌଣସି ଏକ ଖେଳରେ ଜିତିବାର ଆଶା କିମ୍ବା ହାରିବାର ଆଶଙ୍କା ଭଳି ଏକ ସାଧାରଣ ନିତିଦିନିଆ ମନସ୍ତତ୍ତ୍ବ ମଧୢରେ ସୀମିତ ନ ଥିଲା। ପରିବେଶ ଏଭଳିି ଅତିବାସ୍ତବ ଶ୍ରେଣୀର ଥିଲା ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ଦଳର ପୂର୍ବତନ କ୍ୟାପ୍‌ଟେନ୍‌ ଥିବା ଇମ୍ରାନ୍‌ ଖାନ୍‌ ମଧୢ ନିଜର ମନଶ୍ଚକ୍ଷୁରେ ଖେଳପଡ଼ିଆକୁ ଓହ୍ଲାଇ ପଡ଼ିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ପାକିସ୍ତାନ ଟିମ୍‌ କିଭଳି ରଣକୌଶଳ ଅବଲମ୍ବନ କରିବା ଉଚିତ୍‌, ସେ ସମ୍ବନ୍ଧରେ ସେ ଟିମ୍‌କୁ ଉପଦେଶ ଦେଇଥିଲେ।
ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। ଏକ ବର୍ଷା ବାଧା ପ୍ରାପ୍ତ ମ୍ୟାଚ୍‌ରେ ଦ୍ବିତୀୟରେ ବ୍ୟାଟିଙ୍ଗ୍‌ କରିବା ପାକିସ୍ତାନ ପାଇଁ ସହାୟକ ହେବା କଥା। କିନ୍ତୁ ତା’ ସତ୍ତ୍ବେ ଭାରତ ଏକ ଚମକପ୍ରଦ ବିଜୟ ହାସଲ କରିବାରେ ସକ୍ଷମ ହେଲା। ଏବେ ତାଙ୍କର ପ୍ରଥମେ ବୋଲିଙ୍ଗ୍‌ କରିବାକୁ ପସନ୍ଦ କରିବାକୁ ପାକିସ୍ତାନର ପୂର୍ବତନ କ୍ରିକେଟର‌୍‌ଙ୍କ ଠାରୁ ଆରମ୍ଭ କରି ସେଠାକାର ଗଣମାଧୢମ ପର୍ଯ୍ୟନ୍ତ କ୍ୟାପ୍‌ଟେନ୍‌ ସରଫ୍‌ରାଜ୍‌ ଅହମ୍ମଦ୍‌ଙ୍କର ମୂର୍ଖାମି ରୂପେ ଉର୍ତ୍ସନା କରାଯାଉଛି। ଯେଉଁ ଟସ୍‌ ଜିଣିବା ନିଷ୍ପକ୍ଷ ଦର୍ଶକମାନଙ୍କୁ ପାକିସ୍ତାନର କ୍ୟାପ୍‌ଟେନ୍‌ଙ୍କର ଏକ ସୌଭାଗ୍ୟ ଭଳି ପ୍ରତୀୟମାନ ହୋଇଥାଏ, ପାକିସ୍ତାନୀ ଦର୍ଶକମାନଙ୍କ ଦୃଷ୍ଟିରେ ତାହା ଏବେ ଏକ ଦୁର୍ଭାଗ୍ୟ ଭଳି ମନେ ହେଉଛି।ା ରାସୋମନ୍‌ ପ୍ରଭାବ?
ଗତ ଫେବ୍ରୁଆରିରେ ପୁଲ୍‌ଵାମାପରେ ଆତଙ୍କବାଦୀ ଆକ୍ରମଣ ଓ ତା’ର ଜବାବରେ ବାଲାକୋଟ୍‌ରେ ଭାରତର ବିମାନ ଆକ୍ରମଣ ପରେ ଖେଳ ପଡ଼ିଆରେ ଦୁଇ ଦେଶର କ୍ରିକେଟ୍‌ ଟିମ୍‌ ମଧୢରେ ଏହି ପ୍ରଥମ ମୁକାବିଲା ଉଭୟ ଦେଶର ଅଧିକା˚ଶ ଦର୍ଶକମାନଙ୍କ ପାଇଁ ଦୁଇ ଦେଶ ମଧୢରେ ଲାଗି ରହିଥିବା ଯୁଦ୍ଧ ଭଳି ଅବସ୍ଥାର ସମ୍ପ୍ରସାରଣ ପରି ଥିଲା- କେବଳ ଏକ କ୍ରିକେଟ ଖେଳ ନ ଥିଲା। ଏହାର ଏକ ପ୍ରମାଣ ସ୍ବରୂପ ପାକିସ୍ତାନୀ ଟେଲିଭିଜନ୍‌ ବିଜ୍ଞାପନରେ ସେଠାରେ ସାମୟିକ ବନ୍ଦୀ ଥିବା ଵିଙ୍ଗ୍‌ କମାଣ୍ତର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା- ଭାରତୀୟ ଟିମ୍‌ର ସେଇଭଳି ଦଶା ହେବ ବୋଲି ଏହା ଥିଲା ଚେତାବନୀ। ଘଟଣାଚକ୍ରରେ ବାଲାକୋଟ୍‌ରେ ବୋମା ମାଡ଼ ପରି ଭାରତୀୟ ଟିମ୍‌ ପାକିସ୍ତାନକୁ ଧରାଶାୟୀ କରିଦେଲା। ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟିରେ ଏହା ଆଦୌ କ୍ରିକେଟ୍‌ ଖେଳରେ ଏକ ବିଜୟ ନ ଥିଲା। ଭାରତର ବିଜୟ ପରେ ପରେ ତାଙ୍କର ଟ୍ବିଟ୍‌ ଥିଲା: ‘‘ ପାକିସ୍ତାନ ଉପରେ ଆଉ ଏକ ମାଡ଼ (ଷ୍ଟ୍ରାଇକ୍‌) ଏବ˚ ପରିଣାମ ଏକା ପ୍ରକାର’’। ଅର୍ଥାତ୍‌ ବାଲାକୋଟ୍‌ ମାଡ଼ ପରେ ପାକିସ୍ତାନ ଉପରେ ଏହା ଆଉ ଏକ ମାଡ଼। ତୃତୀୟ ପକ୍ଷ ଦୃଷ୍ଟିରେ ଯାହା ଖେଳ, ଶାହ ଓ ତାଙ୍କ ପରି ଅନ୍ୟ ଅଗଣିତ ଭାରତୀୟମାନଙ୍କ ପାଇଁ ଏହା ଥିଲା ଦୁଇ ଦେଶ ମଧୢରେ ଏକ ସଦ୍ୟତମ ଲଢେ଼ଇ।
ଠିକ୍‌ ଏହି ସମୟରେ ଭାରତରେ ହିନ୍ଦୁ ଜାତୀୟତାବାଦୀ ମୋଦୀ ସରକାର ସଦ୍ୟ ସଦ୍ୟ ଦ୍ବିତୀୟ ବାର କ୍ଷମତା ବଜାୟ ରଖିଛି। ପାକିସ୍ତାନ ନିର୍ବାଚନ ପୂର୍ବରୁ ସବୁମନ୍ତେ ମୋଦୀ ଓ ତାଙ୍କ ଦଳ ଭାଜପାକୁ ଖୋଲାଖୋଲି ବିରୋଧ କରି ଚାଲିଥିଲା। ପାକିସ୍ତାନୀମାନଙ୍କ ଦୃଷ୍ଟିରେ ଭାରତୀୟ କ୍ରିକେଟ୍‌ ଟମ୍‌ ମୋଦୀ ଓ ତାଙ୍କ ରାଜନୈତିକ ମତବାଦର ପ୍ରତିନିଧିତ୍ବ କରିଥାଏ। ରବିବାର ଦିନ ଓଲଡ଼୍ ଟ୍ରାଫର୍ଡ ଠାରେ ପରାଜୟ ତେଣୁ ସେମାନଙ୍କ ଦୃଷ୍ଟିରେ ମୋଦୀଙ୍କ ପାଇଁ ଏକ ରାଜନୈତିକ ବିଜୟ ଭଳି ଥିଲା। ଅନେକ ଧର୍ମାନ୍ଧ ପାକିସ୍ତାନୀମାନଙ୍କ ପାଇଁ ତ ଏହା ହିନ୍ଦୁ ଭାରତର ବିଜୟ ଥିଲା। ରାସୋମନ୍‌ ପ୍ରଭାବ? ସୋସିଆଲ ମିଡ଼ିଆରେ ସେମାନେ ଯେଉଁଭଳି ଯୋଭ ପ୍ରକାଶ କରିବାରେ ଲାଗିଛନ୍ତି ସେଥିରୁ ଏହା ସ୍ପଷ୍ଟ ହୋଇଥାଏ (ଯେମିତି ଭାଇଭଉଣୀମାନେ ମାଆକୁ ଏକାଠି ହୋଇ ପ୍ରଶ୍ନ କରୁଛନ୍ତି ‘‘ତୁମେ କ’ଣ ଏହି ଦିନ ଦେଖିବା ପାଇଁ ଆମକୁ ଜନ୍ମ ଦେଇଥିଲ?’’) କିଏ କିଏ ତ ଇତିହାସରେ ପ୍ରବେଶ କରି ପଚାରୁଛନ୍ତି: ‘‘ଦେଶ ବିଭାଜନ ହୋଇ କ’ଣ ପାକିସ୍ତାନର ସୃଷ୍ଟି ଏଥିପାଇଁ ହୋଇଥିଲା?’’ ସତେ ଯେମିତି ‘ଏକମ୍‌ ସତ୍‌’ର ଏଭଳି ବିଭିନ୍ନ ରାସୋମନ୍‌ ସୁଲଭ ରୂପ ଯଥେଷ୍ଟ ନ ଥିଲା, ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି ଆଉଟ୍‌ ନ ହୋଇ ମଧୢ ନିଜେ ନିଜେ ଆଉଟ୍‌ ହୋଇ ଯାଇ ଏପରି ଏକ ଶକ୍ତିଶାଳୀ ପ୍ରହେଳିକା ସୃଷ୍ଟି କରିଛନ୍ତି, ଯାହା ଆଉ କୌଣସି ସନ୍ଦେହର ଅବକାଶ ରଖିନଥାଏ ଯେ ରବିବାରର ଭାରତ-ପାକିସ୍ତାନ ମ୍ୟାଚ୍‌ଟି କୁରୋସାଵାଙ୍କ ଭଳି ନିର୍ଦ୍ଦେଶକଙ୍କ ହାତରେ ପଡ଼ିଲେ ‘ରାସୋମନ୍‌’ ଭଳି ଏକ ଚମତ୍କାର ପ୍ରହେଳିକାପୂର୍ଣ୍ଣ ଫିଲ୍‌ମରେ ରୂପାନ୍ତରିତ ହୋଇପାରନ୍ତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.