ରୁଗ୍‌ଣ ରପ୍ତାନି

0 83

ପେଟ୍ରୋଲ୍‌, ଡିଜେଲ୍‌ ଆଦି ତୈଳ ଦରରେ ଘଟି ଚାଲିଥିବା ହୁ ହୁ ବୃଦ୍ଧି ଖାଉଟିମାନଙ୍କ ପାଇଁ ଯେତିକି ମୁଣ୍ଡବିନ୍ଧାର କାରଣ ହୋଇଛି ସରକାରଙ୍କ ପାଇଁ ପ୍ରାକ୍‌-ନିର୍ବାଚନୀ ବର୍ଷରେ ଯେ ତା’ଠାରୁ ଅଧିକ ମୁଣ୍ଡବିନ୍ଧାର କାରଣ ହୋଇ ଉଭା ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଖାଉଟିମାନଙ୍କର ଅସନ୍ତୋଷ ସରକାରଙ୍କ ଚିନ୍ତାର ଏକମାତ୍ର କାରଣ ନୁହେଁ। ଦେଶ ମୁହାଁମୁହିଁ ହେବାକୁ ଯାଉଥିବା ଅନ୍ୟ ଏକ ସମ୍ଭାବ୍ୟ ସାମଗ୍ରିକ ଅର୍ଥନୈତିକ ସମସ୍ୟା ଯେ ସରକାରଙ୍କୁ ବିବ୍ରତ କଲାଣି, ଗତ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କର ବ୍ୟୟ ସଚିବ (ଏକ୍ସପେଣ୍ଡିଚର୍‌ ସେକ୍ରେଟାରି) ଏସ୍‌ ସି ଗାର୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଥିବା ମନ୍ତବ୍ୟରୁ ତାହାର ସୂଚନା ମିଳିଛି। ସେ କହିଛନ୍ତି ଯେ ଆନ୍ତର୍ଜାତିକ ତୈଳ ଦର ବୃଦ୍ଧି ଯୋଗୁଁ ଭାରତର ‘ଚଳନ୍ତି ହିସାବ ନିଅଣ୍ଟ’ (କରେଣ୍ଟ୍‌ ଏକାଉଣ୍ଟ ଡେଫିସିଟ୍‌’- ‘ସିଏଡି’) ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଲାଣି।
ଶ୍ରୀ ଗାର୍ଗଙ୍କର ଚିନ୍ତା ମଧ୍ୟ ଯଥାର୍ଥ। ୨୦୧୬ ଆରମ୍ଭ କାଳରେ ଆନ୍ତର୍ଜାତିକ ବଜାରରେ ତୈଳ ଦର ବ୍ୟାରେଲ୍‌ ପିଛା ପ୍ରାୟ ୩୦ ଡଲାର୍‌ ଥିବା ବେଳେ ବର୍ତ୍ତମାନ ତାହା ବ୍ୟାରେଲ୍‌ ପିଛା ୮୦ ଡଲାର୍‌ ଛୁଇଁଲାଣି (ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଥାର୍ଥରେ କହିଥିବା ଭଳି ଭେନେଜୁଏଲା ଓ ଇରାନ୍‌ ଭଳି କେତେକ ପ୍ରମୁଖ ତୈଳ ରପ୍ତାନିକାରୀ ଦେଶମାନଙ୍କରେ ରାଜନୈତିକ ତଥା କୂଟନୈତିକ କାରଣ ମାନ ଯୋଗୁଁ ତୈଳ ଯୋଗାଣ ସଂକୁଚିତ ହେବାରୁ ଏବଂ ତୈଳ ରପ୍ତାନିକାରୀ ସଂଘର ଯୋଗାଣ ସଂକୋଚନ ନୀତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି)। ଭାରତ ତାହାର ତୈଳ ଆବଶ୍ୟକତା ପୂରଣ କରିବା ପାଇଁ ବିଦେଶରୁ ବିପୁଳ ପରିମାଣର ତୈଳ ଆମଦାନି କରିଥାଏ। ଏଣୁ ତୈଳ ଦରରେ ଏଭଳି ବୃଦ୍ଧି ଯୋଗୁଁ ଭାରତର ଆମଦାନି ବ୍ୟୟରେ ବିଶେଷ ବୃଦ୍ଧି ଘଟିବା ନିଶ୍ଚିତ। ଯଦି ରପ୍ତାନି ଆୟରେ ସେହି ଅନୁପାତରେ ବୃଦ୍ଧି ନଘଟେ, ତେବେ ଚଳନ୍ତି ହିସାବ ନିଅଣ୍ଟ (ସିଏଡି)ରେ ବୃଦ୍ଧି ଘଟିବା ସ୍ୱାଭାବିକ, କାରଣ ଭାରତର ମୋଟ ରପ୍ତାନି ଆୟ ପ୍ରାୟ ସର୍ବଦା ମୋଟ ଆମଦାନି ବ୍ୟୟର ପଛରେ ପଡ଼ିଥାଏ। ଏବେ ଅନୁମାନ କରାଯାଉଛି ଚଳିତ ବିତ୍ତ ବର୍ଷର ଶେଷ ବେଳକୁ ଭାରତର ‘ସିଏଡି’ ଦେଶର ‘ମୋଟ ବାର୍ଷିକ ଉତ୍ପାଦ’ (ଜିଡିପି)ର ୨% ଛୁଇଁବ।

ଏହାର ଗୁରୁତ୍ୱ ବୁଝିବା ପାଇଁ ସୂଚାଇବା ଆବଶ୍ୟକ ଯେ ବର୍ଷକ ତଳର ସିଏଡି/ଜିଡିପି ଅନୁପାତର ଏହା ହେଉଛି ପ୍ରାୟ ତିିନିଗୁଣ!
‘ସିଏଡି’ରେ ଯଦି ଏଭଳି ଲଗାତର ବୃଦ୍ଧି ଘଟି ଚାଲେ ତେବେ ଆମଦାନି ପାଇଁ ଏବଂ ବୈଦେଶିକ ଋଣ ପରିଶୋଧ ପାଇଁ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଖର୍ଚ୍ଚ କରି ଚାଲିବାକୁ ପଡ଼ିଥାଏ ଏବଂ ପରିସ୍ଥିତିରେ ଉନ୍ନତି ନଘଟିଲେ ଶେଷରେ ୧୯୯୧ଭଳି ସଂକଟ ସୃଷ୍ଟି ହୋଇପାରେ ଯେତେବେଳେ ଭାରତ ସରକାରଙ୍କୁ ବିଦେଶରେ ୨୦ ଟନ୍‌ ସୁନା ବନ୍ଧା ପକାଇବାକୁ ହୋଇଥିଲା। ବର୍ତ୍ତମାନ ଅବଶ୍ୟ ପରିସ୍ଥିତି ସେଭଳି ନାହିଁ; ରିଜର୍ଭ ବ୍ୟାଙ୍କ୍‌ ନିକଟରେ ଏବେ ଯେତେ ପରିମାଣର ବୈଦେଶିକ ମୁଦ୍ରା ଗଚ୍ଛିତ ଅଛି ତାହା ଦେଶର ପୂରା ଗୋଟିଏ ବର୍ଷର ଆମଦାନି ଚାହିଦା ପୂରଣ କରିବା ପାଇଁ ଯଥେଷ୍ଟ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦେଶର ଚଳନ୍ତି ହିସାବ ନିଅଣ୍ଟକୁ ଲଗାମଛଡ଼ା ଭାବରେ ସମ୍ପ୍ରସାରିତ ହେବାକୁ ଦିଆଯାଇପାରିବ। ତୈଳ ଦରରେ ତୀକ୍ଷ୍‌ଣ ବୃଦ୍ଧି ବର୍ତ୍ତମାନ ‘ସିଏଡି’ ପାଇଁ ସମସ୍ୟା ସୃଷ୍ଟି କରିଛି ସତ, କିନ୍ତୁ ଏହା ମଧ୍ୟ ସତ ଯେ ଯଦି ରପ୍ତାନି ଆୟରେ ମଧ୍ୟ ସନ୍ତୋଷଜନକ ଭାବରେ ବୃଦ୍ଧି ଘଟୁଥାନ୍ତା, ତେବେ ତୈଳ ଦରରେ ବୃଦ୍ଧି ଘଟିଲେ ମଧ୍ୟ ଆମ ସିଏଡି ପାଇଁ କୌଣସି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ସଚିବ ଗାର୍ଗଙ୍କ ଭଳି ସରକାରଙ୍କର ଉପଦେଷ୍ଟାମାନଙ୍କ ପର୍ଯ୍ୟନ୍ତ ବର୍ତ୍ତମାନ ତୈଳ ଦର ବୃଦ୍ଧିର ସିଏଡି ଉପରେ ପ୍ରଭାବ ନେଇ ଯେଉଁ ଭଳି ଚିନ୍ତିତ ହେଉଛନ୍ତି, ଦେଶର ରପ୍ତାନିରେ କିପରି ବୃଦ୍ଧି ଘଟିବ, ସେଥିପ୍ରତି ମଧ୍ୟ ଆନ୍ତରିକ ଧ୍ୟାନ ଦେବା ବୋଧହୁଏ ଅଧିକ ଜରୁରୀ।

ଏଠାରେ ଉଲ୍ଲେଖ ଆବଶ୍ୟକ ଯେ ୧୯୯୧ର ସଂକଟ ଯୋଗୁଁ ଦେଶରେ ଯେଉଁ ଅର୍ଥନୈତିକ ଉଦାରୀକରଣ ଓ ସଂସ୍କାର କାର୍ଯ୍ୟକ୍ରମ ମାନ ଆରମ୍ଭ ହେଲା, ତାହାର ଫଳ ସ୍ୱରୂପ ଭାରତର ରପ୍ତାନି କ୍ଷେତ୍ରରେ ଯେଉଁ ବୃଦ୍ଧି ଦେଖାଦେବାକୁ ଲାଗିଲା ତାହାର ଏକ ପ୍ରମାଣ ସ୍ୱରୂପ ୨୦୧୩ ବେଳକୁ ଦେଶର ମୋଟ ରପ୍ତାନି ଦେଶର ‘ଜିଡିପି’ର ୨୫% ଠାରୁ ମଧ୍ୟ ଅଧିକ ହୋଇଯାଇଥିଲା। ଏହା ଯେ ପୂର୍ବ ତୁଳନାରେ ପ୍ରାୟ ଚାରିଗୁଣ ଥିଲା, ତାହା ନୁହେଁ, ଏହା ମଧ୍ୟ ସାରା ପୃଥିବୀ ପାଇଁ ହାରାହାରିର ପ୍ରାୟ ପାଖାପାଖି ଥିଲା। କିନ୍ତୁ ତା‘ ପରର ପାଞ୍ଚ ବର୍ଷ ମଧ୍ୟରେ ଦେଶର ରପ୍ତାନି କ୍ଷେତ୍ରରେ ଏପରି ଶିଥିଳତା ଦେଖାଯାଇଛି ଯାହା ଯୋଗୁଁ ବର୍ତ୍ତମାନ ଦେଶର ରପ୍ତାନି ଗତ ୧୪ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ଯାଇ ପହଞ୍ଚି ସାରିଲାଣି।
ସାମ୍ପ୍ରତିକ ସମୟରେ ରପ୍ତାନିର ଏହି ରୁଗ୍‌ଣ ଅବସ୍ଥାର କାରଣ ଖୋଜି ବାହାର କରିବା ମଧ୍ୟ କଷ୍ଟକର ନୁହେଁ। ଏକ ତାତ୍‌କାଳିକ କାରଣ ତ ଜଳ ଜଳ ହୋଇ ଦେଖାଯାଉଛି: ଗତ ଜୁଲାଇଠାରୁ କାର୍ଯ୍ୟକାରୀ ହୋଇଥିବା ଜିଏସ୍‌ଟିର ଅପାରଗ ପ୍ରୟୋଗ ସାରା ଦେଶରେ ସକ୍ରିୟ ଥିବା ପ୍ରାୟ ସମସ୍ତ ରପ୍ତାନିକାରୀଙ୍କୁ ଚୁପୁଡ଼ି ଦେବା ପରି ଅବସ୍ଥା ସୃଷ୍ଟି କରିଛି। ସେମାନେ ରପ୍ତାନି କରିଥିବାରର ପ୍ରମାଣ ଦେବା ପରେ ସରକାରଙ୍କ ଠାରୁ ଫେରସ୍ତ ପାଇବାକୁ ଥିବା ପ୍ରାୟ ୧୦,୦୦୦ କୋଟି ଟଙ୍କା (ଦେଢ଼ ବିଲିଅନ୍‌ ଡଲାର୍‌) ସରକାରଙ୍କ ପାଖରେ ପଡ଼ି ରହିଛି। ଛୋଟ ଆକାରର ରପ୍ତାନିକାରୀ ମାନଙ୍କ ପାଇଁ ଏହା ଗୁରୁତର କର୍ମପୁଞ୍ଜି (ଓ୍ଵାର୍କିଙ୍ଗ୍‌ କ୍ୟାପିଟାଲ୍‌) ସମସ୍ୟା ସୃଷ୍ଟି କରୁଛି। ଗାର୍ଗଙ୍କ ଭଳି ନାଲିଫିତାପ୍ରେମୀ ଅମଲାମାନେ ଯେ ଏଥିପାଇଁ ମୁଖ୍ୟତଃ ଦାୟୀ, ତାହା ସରକାର ଭଲ ରୂପେ ହୃଦୟଙ୍ଗମ କରିବା ଉଚିତ।

ଏହା ବାଦ୍‌ ନିରବ ମୋଦୀ ମହାଠକେଇ ପରବର୍ତ୍ତୀ ସମୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଏପରି ଆତଙ୍କ ଖେଳିଯାଇଛି ଯେ ନିୟନ୍ତ୍ରକମାନେ ବ୍ୟାଙ୍କ୍‌ ଗ୍ୟାରେଣ୍ଟି ପ୍ରଦାନ ବ୍ୟବସ୍ଥାକୁ ନିଷିଦ୍ଧ କରି ଦେଇଛନ୍ତି। ଏହି ବ୍ୟାଙ୍କ୍‌ ଗ୍ୟାରେଣ୍ଟି ବ୍ୟବହାର କରି ରପ୍ତାନିକାରୀମାନେ ତୁରନ୍ତ ସେମାନଙ୍କର ପ୍ରାପ୍ୟ ପାଇ ପାରୁଥିଲେ। ଏବେ ସେଥିରେ ଘଟୁଥିବା ବିଳମ୍ବ ରପ୍ତାନିକାରୀମାନଙ୍କ ପାଇଁ ସମ୍ବଳ ସମସ୍ୟା ସୃଷ୍ଟି କରୁଛି। ମୋଦୀଙ୍କର ଅବିମୃଶ୍ୟକାରୀ ବିମୁଦ୍ରୀକରଣ ଆଘାତ ଯୋଗୁଁ ଅଧିକାଂଶ ରପ୍ତାନିକାରୀଙ୍କର ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍‌) ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିଲା। ସେମାନେ ସେ ସବୁର ପୁନଃ ନିର୍ମାଣ ପାଇଁ ଉଦ୍ୟମ କରୁଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ପରି ଏଭଳି ନୂତନ ସମସ୍ୟା ମାନଙ୍କର ଆବିର୍ଭାବ ଘଟିଛି। ଏକ ବିଡ଼ମ୍ବନା ସଦୃଶ ଭାରତୀୟ ରପ୍ତାନିକାରୀଙ୍କର ବିଦେଶୀ ପ୍ରତିଦ୍ୱନ୍ଦ୍ୱୀମାନେ କେବଳ ଯେ ଏହାର ସୁଯୋଗ ନେଇ ବିଦେଶରେ ବଜାର ଦଖଲ କରିବାରେ ଲାଗିଛନ୍ତି, ତାହା ନୁହେଁ, ସେମାନେ ଏହି ସୁଯୋଗରେ ଭାରତୀୟ ବଜାରରେ ମଧ୍ୟ ପ୍ରବେଶ କରିବାରେ ଲାଗିଛନ୍ତି। ରପ୍ତାନି କ୍ଷେତ୍ରରେ ଅନ୍ୟ ଅନେକ ଦୀର୍ଘକାଳୀନ ସମସ୍ୟା ମାନ ରହିଛି; କିନ୍ତୁ ମୋଦୀ ସରକାର ତତ୍‌କ୍ଷଣାତ୍‌ ଫଳ ପାଇବାକୁ ଚାହୁଁଥିଲେ ଏ ସବୁ ତାତ୍‌କାଳିକ ଆତ୍ମସୃଷ୍ଟ ସମସ୍ୟା ମାନଙ୍କର ସମାଧାନ କରିବା ଜରୁରୀ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.