ପ୍ରକୃତିର ପ୍ରତ୍ୟାବର୍ତ୍ତନ

ବିଜୟ କେତନ ପଟ୍ଟନାୟକ

ସୌରମଣ୍ତଳରେ ଆମ ଗ୍ରହ, ଆମ ସମସ୍ତଙ୍କର ବାସସ୍ଥଳୀ ପୃଥିବୀର ସୃଷ୍ଟି ୪୫୦ କୋଟି ବର୍ଷ ପୂର୍ବରୁ ହୋଇଛି। କିନ୍ତୁ ମାନବ ଜାତି ସୃଷ୍ଟିର ଇତିହାସ ମାତ୍ର ୨ ଲକ୍ଷ ବର୍ଷ ତଳର ଘଟଣା। ବିଗତ ହଜାର ହଜାର ବର୍ଷର କ୍ରମବିବର୍ତ୍ତନ ଫଳରେ ମନୁଷ୍ୟ ମସ୍ତିଷ୍କର ଏପରି ଅଭିବୃଦ୍ଧି ଘଟିଲା ଯେ ସେ ପୃଥିବୀ ଓ ତାର ପ୍ରାକୃତିକ ସମ୍ବଳ ଉପରେ ଅକଥନୀୟ ନିୟନ୍ତ୍ରଣ ହାସଲ କଲା। ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳରେ ସୁସଜ୍ଜିତ ମନୁଷ୍ୟ ଯେବେ ପ୍ରକୃତି ବିରୋଧରେ ‘ଯୁଦ୍ଧ˚ ଦେହି’ ଡାକରା ଦେଲା ଅଥବା ପ୍ରକୃତିକୁ କରାୟତ୍ତ କରିବା ପାଇଁ ନିରନ୍ତର ଅଭିଯାନ ଆରମ୍ଭ କରି ଦେଲା, ସେତେବେଳେ ପାରିପାର୍ଶ୍ବିକ ଭାରସାମ୍ୟ ଓ ସନ୍ତୁଳିତ ପରିବେଶରେ ଅସ୍ଥିରତା ତଥା କମ୍ପନ ସୃଷ୍ଟି ହେଲା। ଭୂ-ଗର୍ଭରେ ଗଚ୍ଛିତ ଜୀବାଣୁ ଇନ୍ଧନ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳର ପରିମାଣ ସୀମିତ। କିନ୍ତୁ ଭୂପୃଷ୍ଠରେ ଉପଲବ୍‌ଧ ଦୁଇଟି ପ୍ରମୁଖ ପ୍ରାକୃତିକ ସମ୍ବଳ ବାୟୁ ଓ ଜଳ; ପ୍ରକୃତିର ଚମତ୍କାର ପୁନଃ ଚକ୍ରଣ ବ୍ୟବସ୍ଥା ହେତୁ ଅସୀମ ମନେ ହେଉଥିଲେ ମଧ୍ୟ ତାହା ଅପରିମେୟ ନୁହେଁ। ଗତ ମାତ୍ର ୨୦୦- ୩୦୦ ବର୍ଷ ଭିତରେ ଅବାଞ୍ଛିତ ହସ୍ତକ୍ଷେପ ଫଳରେ, ଏ ଦୁଇଟି ସମ୍ପଦ ପୃଥିବୀର ଆବର୍ଜନା ଭଣ୍ତାରରେ ପରିଣତ ହୋଇସାରିଛି।

ଏପ୍ରିଲ ମାସ ୨୬ ତାରିଖ ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଟି ଶବ୍ଦ ଉପରେ ଗୁରୁତ୍ବ ଦେଇଥିଲେ। ଶବ୍ଦ ଗୁଡ଼ିକ ହେଉଛି ‘ପ୍ରକୃତି’, ‘ବିକୃତି’ ଓ ‘ସ˚ସ୍କୃତି’। ପ୍ରକୃତି, ପରିବେଶ ଓ ପରିସ˚ସ୍ଥାକୁ ଆମ୍ଭେମାନେ ପୁରୁଷାନୁକ୍ରମିକ ରୀତିରେ ପୂର୍ବ ପିଢ଼ି ଠାରୁ ପାଇଛୁ ଏବ˚ ଭବିଷ୍ୟତ୍‌ ପିଢ଼ିଙ୍କ ପାଇଁ ଏହାକୁ ଆମେ ଯେଉଁ ସ୍ଥିତିରେ ପାଇଥିଲୁ, ସେହି ସ୍ଥିତିରେ ଛାଡ଼ିଯିବାକୁ ହେବ। ଏହା ସମ୍ଭବ ହେବ ଯଦି ପ୍ରକୃତି ଓ ପର୍ଯ୍ୟାବରଣ ସହିତ ଆମେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଆପଣେଇ ପାରିବା; ଯଦି ବୁଝିପାରିବା ପ୍ରକୃତି ମନୁଷ୍ୟର ଅଧୀନ ନୁହେଁ, ବର˚ ମନୁଷ୍ୟ ପ୍ରକୃତିର ଅଧୀନ। ଏ ପୃଥିବୀରେ ଜୀବନ ଜାଲ ମଣିଷ ନିଜେ ବିଛାଇ ନାହିଁ। ବର˚ ଏ ଜୀବନ ଜାଲରେ ସେ ଗୋଟିଏ ସୂତାଖିଅ ମାତ୍ର। ମନୁଷ୍ୟ ସମାଜର ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ପୃଥିବୀର ପ୍ରାକୃତିକ ପରିବେଶ ନିକଟରେ ଯଥେଷ୍ଟ ସାଧନ ରହିଛି, କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀର ଅଯୌକ୍ତିକ ଆବଶ୍ୟକତା ପାଇଁ ପୃଥିବୀର ସମ୍ବଳ ଯଥେଷ୍ଟ ନୁହେଁ। ଅନ୍ୟାନ୍ୟ ଭୌଗୋଳିକ ପରିସ˚ସ୍ଥା ପରି ପୃଥିବୀର ମଧୢ ଏକ ଧାରଣ କ୍ଷମତା ରହିଛି। ଗୋଟେ ପଟେ ଜନସ˚ଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି, ଅନ୍ୟପଟେ ପାଶ୍ଚାତ୍ୟ ଦେଶର ଉନ୍ନତ ଜୀବନଯାପନ ଶୈଳୀ ପଛରେ ଗୋଡ଼ାଇବା କାରଣରୁ ଆମେ ପୃଥିବୀର ପ୍ରାକୃତିକ ସମ୍ବଳ ଉପରେ ଯଥେଷ୍ଟ ଚାପ ସୃଷ୍ଟି କରୁଛେ। ପ୍ରକୃତି ଓ ଜୈବ ବିବିଧତାକୁ ଉତ୍ପୀଡ଼ନ କରି ଚାଲିଛେ। ଏହା ହେଉଛି ‘ବିକୃତି’। ଅନ୍ୟ ପକ୍ଷରେ ନିଜର ଆବଶ୍ୟକତା ପୂରଣ ନିମନ୍ତେ ଯଥେଷ୍ଟ ସମ୍ବଳ ନ ଥିଲେ ମଧୢ ଯଦି ଜଣେ ଅପେକ୍ଷାକୃତ ଅଧିକ ସମ୍ବଳହୀନ ବ୍ୟକ୍ତିର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଯତ୍‌ କି˚ଚିତ୍‌ ଚେଷ୍ଟା କରିବ; ତାହା ହେବ ‘ସ˚ସ୍କୃତି’। ଅନ୍ଧ କବି ଭୀମଭୋଇଙ୍କର ସେ ବାକ୍ୟଟି ମନେ ପଡ଼ିଯାଏ, ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ପାଉ।’’

ପ୍ରାରମ୍ଭିକ ଅବସ୍ଥାରେ ପ୍ରକୃତିକୁ ‘ଲାଜକୁଳୀ ଲତା’ ସହିତ ତୁଳନା କରାଯାଇ ପାରେ। ଲାଜକୁଳୀ ଲତାକୁ ଛୁଇଁ ଦେଲେ, ତାହା ଝାଉଁଳି ପଡ଼େ। ପତ୍ରଗୁଡ଼ିକ ମୁଦି ହୋଇଯାଏ। କିଛି ସମୟ ଉପରାନ୍ତେ, ଏହା ପୁନର୍ବାର ସତେଜ ହୋଇ ପୂର୍ବାବସ୍ଥାକୁ ଫେରି ଆସେ। ଠିକ୍‌ ସେହିପରି ସୀମିତ ଢଙ୍ଗରେ ମନୁଷ୍ୟର କିଛିଟା ଅତ୍ୟାଚାରକୁ ପ୍ରକୃତି ତାର ନମନୀୟତା ଗୁଣରେ ସହ୍ୟ କରି ନେଇପାରେ ଏବ˚ ସ୍ଥିତି ସ୍ଥାପକତା କାରଣରୁ କିଛି ସମୟ ପରେ ପ୍ରକୃତି ନିଜର ବିସ୍ମୟକର ଅନ୍ତର୍ନିହିତ ଶକ୍ତି ବଳରେ ପୁନର୍ବାର ପୂର୍ବାବସ୍ଥାକୁ ଫେରି ଆସିପାରେ; କିନ୍ତୁ ମନୁଷ୍ୟର ଅବାରିତ ଅତ୍ୟାଚାର ଓ ପ୍ରକୃତି ଠାରୁ ଆବଶ୍ୟକତାରୁ ଅଧିକ ଆହରଣ ନିମନ୍ତେ ଉତ୍ପୀଡ଼ନ ଯଦି ନିରନ୍ତର ଲାଗି ରୁହେ, ତା’ହେଲେ ପୂର୍ବାବସ୍ଥାକୁ ଫେରି ଆସିବା ସମ୍ଭବ ହେବ ନାହିଁ।

ଆଶ୍ଚର୍ଯ୍ୟର କଥା, କରୋନା ଭୂତାଣୁ ମହାମାରୀ ଭୟରେ ସାରା ବିଶ୍ବରେ ଗତ କିଛିମାସ ହେଲା, ଯେଉଁ ତାଲାବନ୍ଦ ଜାରି ରହିଛି, ତାର ପରିଣାମ ସ୍ବରୂପ ପ୍ରକୃତି ସମ୍ପୂର୍ଣ୍ଣ ରୂପେ ନ ହେଲେ ବି, କେତେକା˚ଶରେ ତାର ପୂର୍ବାବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିପାରିଛି। ଆମ ଦେଶରେ ମାର୍ଚ୍ଚ ମାସ ତୃତୀୟ ସପ୍ତାହ ଠାରୁ ‘ତାଲାବନ୍ଦ’ ଘୋଷଣା ହେବା ପରଠାରୁ ପ୍ରାୟ ୧୩୫ କୋଟି ଲୋକଙ୍କର ଗମନାଗମନ, ଜୀବନ, ଜୀବିକା ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ସମସ୍ତ ଶିଳ୍ପ, କଳ କାରଖାନା, ଦୋକାନ ବଜାର, ଧର୍ମାନୁଷ୍ଠାନ, ବିବାହ-ବ୍ରତ, ସରକାରୀ-ବେସରକାରୀ ଅଫିସ୍‌, ଶିକ୍ଷାନୁଷ୍ଠାନ, ଗାଡ଼ି ମଟର, ରେଳ, ଉଡ଼ାଜାହାଜ ଆଦି ସବୁ କିଛି ବନ୍ଦ।

କରୋନା ମହାମାରୀର ମୁକାବିଲା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷେଧକ ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେଣୁ ତାଲାବନ୍ଦ, ସଙ୍ଗରୋଧ, ସାମାଜିକ ଦୂରତା, ସାବୁନ ଦ୍ବାରା ହାତଧୁଆ ଏବଂ ମାସ୍କ ପିନ୍ଧା ଆଦି ଏବେ ଗୁରୁତ୍ବ ପାଇଛି। ଏହି ମହାମାରୀ କାରଣରୁ ଏବେ ବିଶ୍ବର ୨୧୦ଟି ଦେଶର ୭୮୦ କୋଟି ଲୋକଙ୍କ ମଧୢରୁ ଅର୍ଧାଧିକ ଅର୍ଥାତ୍‌ ୪୦୦ କୋଟି ଗୃହବନ୍ଦୀର ଜୀବନ ବିତାଉଛନ୍ତି। ଆମ ଦେଶରେ ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ଅଦ୍ୟାବଧି ତାଲାବନ୍ଦ ଜାରି ରହିଛି। ଏହା ଦ୍ବାରା ଆମ ମାନଙ୍କର ଦୈନନ୍ଦିନ ଚାଲିଚଳଣ, କାର୍ଯ୍ୟଶୈଳୀ ଓ ଜୀବନଶୈଳୀ ବ୍ୟାହତ ହୋଇଛି। କିନ୍ତୁ ଅନ୍ୟ ପକ୍ଷରେ ପ୍ରକୃତି ଏହି ଅପ୍ରତ୍ୟାଶିତ ବିରାମ ଓ ମନୁଷ୍ୟର ଅବାଞ୍ଛିତ ଅନୁପସ୍ଥିତିର ଫାଇଦା ନେଇ କିଛିଟା ସକାରାତ୍ମକ ସମ୍ଭାବନା ସୃଷ୍ଟି କରିଛି।

ବିଶୁଦ୍ଧ ବାୟୁ ଏବ˚ ଉଜ୍ଜ୍ବଳ ଦୃଶ୍ୟମାନତା ହିଁ ପରିବେଶ ପ୍ରତି ବିଶ୍ବବ୍ୟାପୀ ତାଲାବନ୍ଦର ଏକ ବିଶେଷ ତଥା ଅନନ୍ୟ ଅବଦାନ। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ ଗତ ଜାନୁଆରି ୯ ତାରିଖରେ ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ଭାବେ ସ୍ଥାନିତ ହୋଇଥିଲା। କିନ୍ତୁ ତାଲାବନ୍ଦ ପରେ ସେଠିକାର ବାୟୁମଣ୍ତଳରେ ୨.୫ ମାଇକ୍ରନ୍‌ କ୍ଷୁଦ୍ରକଣିକାର ଉପସ୍ଥିତି ଯଥେଷ୍ଟ ହ୍ରାସ ପାଇବାରୁ ବାୟୁର ଗୁଣାତ୍ମକ ମାନକ ମଧୢମ ସ୍ତରରେ ପହଞ୍ଚିଛି। ବ୍ୟାଙ୍କକ୍‌ ବ୍ୟତୀତ ବିଶ୍ବର ଅନ୍ୟାନ୍ୟ ଅଧିକା˚ଶ ସହରରେ ମଧୢ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଆମେରିକାର ନ୍ୟୁୟର୍କ ସହରରେ ବାୟୁ ପ୍ରଦୂଷଣର ମାତ୍ରା ୫୦% କମିଯାଇଛି। ଏପରିକି ମାରାତ୍ମକ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ୍‌ ସହରରେ ମଧୢ ପାଞ୍ଚ ସପ୍ତାହର ତାଲାବନ୍ଦ ଫଳରେ ବାୟୁମଣ୍ତଳକୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୫% କମିଯାଇଛି। ଯେତେହୁ ଉଭୟ ଆନ୍ତର୍ଜାତିକ ଓ ଘରୋଇ ବିମାନ ଚଳାଚଳ ବନ୍ଦ କରାଯାଇଛି, ବିମାନ ଉଡାଣରୁ ବାୟୁମଣ୍ତଳକୁ ଉତ୍ସର୍ଜିତ ହେଉଥିବା ସର୍ବାଧିକ ସବୁଜ ଗୃହ ବାଷ୍ପ ପରିମାଣ ମଧୢ ହ୍ରାସ ପାଇଛି। ବିଶ୍ବର ପ୍ରାୟ ସମସ୍ତ ଦେଶରେ ବାୟୁ ପ୍ରଦୂଷଣ ସ୍ତର ନିମ୍ନଗାମୀ ହେଉଛି।

ଆମ ଦେଶ ଭାରତ କଥା ଯଦି ବିଚାର କରାଯାଏ, ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ ତାଲାବନ୍ଦ ଘୋଷଣାର ପ୍ରଥମ ତିନି ଚାରି ସପ୍ତାହରେ ମୁମ୍ବାଇ, ପୁଣେ ଓ ଅହମଦାବାଦରେ ବାୟୁରେ ଯବକ୍ଷାରାମ୍ଳ, ୨୦୧୮ ଓ ୨୦୧୯ ମସିହା ତୁଳନାରେ ୪୦ରୁ ୫୦% ହ୍ରାସ ପାଇଛି। ଦେଶର ରାଜଧାନୀ ଦିଲ୍ଲୀ ସହରରେ ୨.୫ ମାଇକ୍ରନ ସୂକ୍ଷ୍ମ କଣିକାର ଘନତ୍ବ ପ୍ରାୟ ୭୧% କମିଯାଇଛି। ୨.୫ ମାଇକ୍ରୋମିଟରରୁ କମ୍‌ ଆକୃତିର ଏହି କଣିକାଗୁଡ଼ିକ ଶ୍ବାସନଳୀରେ ଫୁସ୍‌ଫୁସ୍‌ ଭିତରକୁ ଏବ˚ ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ଯିବା ସହିତ ରକ୍ତ ନଳୀରେ ରକ୍ତ ପ୍ରବାହ ସହିତ ମିଶିଯାଇ ସର୍ବାଧିକ କ୍ଷତି ଘଟାଇଥାଏ। ପ୍ରତିଦିନ ଦିଲ୍ଲୀକୁ ବାହାର ରାଜ୍ୟରୁ ପ୍ରାୟ ୧୧ ଲକ୍ଷ ଗାଡ଼ି ମଟର, ଟ୍ରକ୍‌ ଇତ୍ୟାଦି ଯାତାୟତ କରିଥାଏ। ବର୍ତ୍ତମାନ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାରୁ ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା ସବୁଜ ଗୃହ ବାଷ୍ପ ସମ୍ପୂର୍ଣ୍ଣ କମିଯାଇଛି। ବାୟୁମଣ୍ତଳରେ ପ୍ରଦୂଷଣ ହ୍ରାସ ପାଇବାର ଏହା ହିଁ ପ୍ରମୁଖ କାରଣ। ଦିଲ୍ଲୀରେ ବସବାସ କରୁଥିବା ବୁଢ଼ାବୁଢ଼ୀମାନେ କୁହନ୍ତି, ଅନେକ ଦିନ ପରେ ସେମାନେ ରାତିରେ ନିର୍ମଳ, ତାରକିତ ଆକାଶ ଦେଖିବାକୁ ପାଇଲେ। ହିମାଳୟ ଠାରୁ ୨୦୦ କିଲୋମିଟର ଦୂରରେ ବିଶେଷ କରି ପଞ୍ଜାବର ଉତ୍ତର ଭାଗରେ ରହୁଥିବା ନାଗରିକମାନେ ମଧୢ ନିର୍ମଳ ଓ ସ୍ବଚ୍ଛ ବାୟୁମଣ୍ତଳ ହେତୁ ଜୀବନରେ ପ୍ରଥମ ଥର ପାଇଁ ବରଫାବୃତ ହିମାଳୟ ପର୍ବତମାଳାର ମନୋରମ ଦୃଶ୍ୟ ଦେଖିବାକୁ ସକ୍ଷମ ହୋଇଛନ୍ତି। ବିଗତ ୩୦ ବର୍ଷ କାଳ ପ୍ରକୃତିର ଏହି ଅନବଦ୍ୟ ଦୃଶ୍ୟ ସେମାନଙ୍କୁ ଦେଖିବାକୁ ମିଳିନଥିଲା।

ତାଲାବନ୍ଦର ଅନ୍ୟ ଏକ ଅବଦାନ ହେଲା ସ୍ବଚ୍ଛ, ନିର୍ମଳ ନଦୀ ଜଳ। ଦିଲ୍ଲୀ ନଗରୀ ନିକଟରେ ପ୍ରବାହିତ ଯମୁନା ନଦୀ, ଯାହା ଅତୀତରେ ବିଭିନ୍ନ କଳ କାରଖାନା ଓ ନାଳ ନର୍ଦ୍ଦମାର ପ୍ରଦୂଷଣ ଦ୍ବାରା ମୃତ ବା ଅର୍ଧମୃତ ନଦୀ ଭାବରେ ବିବେଚିତ ହେଉଥିଲା, ଏବେ ପରିଷ୍କାର ହୋଇଯାଇଛି। ହରିଦ୍ବାର ଏବ˚ ବାରାଣସୀ ଠାରେ ପ୍ରବାହିତ ଗଙ୍ଗାନଦୀ ଜଳର ଗୁଣାତ୍ମକ ମାନରେ ଅଭିବୃଦ୍ଧି ଘଟିଛି। ସମ୍ବାଦ ସରବରାହ ସ˚ସ୍ଥା ଏ.ଏନ୍‌.ଆଇ ସୂତ୍ରରୁ ପ୍ରକାଶ, ହରିଦ୍ବାର ଠାରେ ଗଙ୍ଗା ନଦୀରେ ଥିବା ମନୁଷ୍ୟ ମଳ ପରିମାଣ ୩୦ ପ୍ରତିଶତ କମିଯାଇଛି। ଏଠାରେ ସଂପ୍ରତି ନଦୀ ଜଳ ଏତେ ପରିଷ୍କାର ଯେ, ପାଣି ଭିତରେ ଥିବା ମାଛ ଓ ଅନ୍ୟାନ୍ୟ ଜଳଜୀବ ବାହାରକୁ ଦୃଶ୍ୟମାନ ହେଉଛନ୍ତି। ଅଥଚ ବିଗତ କିଛି ବର୍ଷ ଧରି ଚାଲିଥିବା ‘ଗଙ୍ଗା ଆକ୍‌ସନ ପ୍ଲାନ୍‌’ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରି ମଧୢ ଏହା ସମ୍ଭବ ହୋଇପାରି ନ ଥିଲା।

ପ୍ରଦୂଷିତ ପରିବେଶରେ ବିଲୁପ୍ତି ଦିଗରେ ଅଗ୍ରସର ହେଉଥିବା ଜୈବ ବିବିଧତା ମଧୢ ଏବେ ଆଶ୍ବସ୍ତିର ନିଃଶ୍ବାସ ନେଇଛି। ବିଶ୍ବର ବିଭିନ୍ନ ସ୍ଥାନରୁ ରିପୋର୍ଟ ଆସୁଛି ପ୍ରାକୃତିକ ପରିସ˚ସ୍ଥାରୁ ଲୁପ୍ତ ହୋଇଯାଇଥିବା ଅନେକ ପ୍ରଜାତିଙ୍କୁ ଏବେ ସେଠାରେ ପୁନର୍ବାର ଦେଖିବାକୁ ମିଳୁଛି। ଉତ୍ତରାଖଣ୍ତର କୌଣସି ଏକ ବନଖଣ୍ତରେ ହଜାର ହଜାର ସ˚ଖ୍ୟାରେ ଫୁଟିଥିବା ‘ବ୍ରହ୍ମକମଳ’ର ଚିତ୍ର ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। କିଛି ଦିନ ତଳେ ନଏଡାର ବ୍ୟସ୍ତ ୧୮ ନମ୍ବର ସେକ୍ଟରରେ ନୀଳଗାଈଟିଏ ପାଖ ଜଙ୍ଗଲରୁ ଆସି ଆରାମରେ ବୁଲୁଥିବାର ଦେଖାଯାଇଥିଲା। କେରଳର ‘କୋଜିକୋଡ଼’ ଠାରେ ୧୯୯୦ ପର ଠାରୁ ଦେଖାଯାଇନଥିବା ସଙ୍କଟାପନ୍ନ ଭାବରେ ବିପଜ୍ଜନକ ‘ମାଲାବାର କଟାସ’ ରାସ୍ତାରେ ବୁଲୁଥିବାର କିଛି ଲୋକ ଦେଖିଛନ୍ତି। ଲୋକମାନେ ଗୃହବନ୍ଦୀରେ ଘର ଭିତରେ ରହୁଥିବା ହେତୁ ବନ୍ୟ ଜୀବଜନ୍ତୁଙ୍କୁ ଜନପଦରେ ନିର୍ଭୟରେ ବିତରଣ କରିବାର ମଉକା ମିଳିଯାଇଛି।

ପୂର୍ବାବସ୍ଥାକୁ ପ୍ରକୃତିର ଏହି ଆ˚ଶିକ ପ୍ରତ୍ୟାବର୍ତ୍ତନର ବିଭିନ୍ନ ପୃଷ୍ଠା ଧୀରେ ଧୀରେ ଉନ୍ମୋଚିତ ହେବାରେ ଲାଗିଛି। ଅନେକ ପରିବେଶବିତ୍‌ଙ୍କ ମତରେ ଏ ପ୍ରତ୍ୟାବର୍ତ୍ତନ କ୍ଷଣିକ ହୋଇପାରେ, କିନ୍ତୁ ଏହା ପ୍ରମାଣିତ କରି ଦେଇଛି ଯେ ମଣିଷର ଅତ୍ୟାଚାର କମିଲେ ପ୍ରକୃତି ପୁଣି ନିଜକୁ ମରାମତି କରିପାରିବ। ଏହି ପରିପ୍ରେକ୍ଷୀରେ ଏବେ ଗୋଟିଏ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରାଯିବା ଦରକାର, ଯାହା ଫଳରେ ଦେଶର ଭିନ୍ନ ଭିନ୍ନ ସହରରେ, ବିଶ୍ବର ଭିନ୍ନ ଭିନ୍ନ ଦେଶରେ କିଛି ନିର୍ଦ୍ଧାରିତ ଦିନରେ ଏକାଧିକ ଥର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ତାଲାବନ୍ଦ କରାଯାଉ। ପ୍ରକୃତିର ରମ୍ୟତାକୁ ଏବେ ଉପଲବ୍‌ଧି କରିପାରୁଥିବା ବିଶ୍ବ ଜନ ସମାଜ ଯେ ଏଥିରେ ସହଯୋଗ କରିବ, ଏହା କହିବା ବାହୁଲ୍ୟ ମାତ୍ର।

ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସ˚ରକ୍ଷକ, ଓଡ଼ିଶା
୫୭, ଜଗମୋହନ ନଗର, ଜାଗମରା, ଭୁବନେଶ୍ବର-୩୦
ମୋ:୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର