ଜୈବ ବିପର୍ଯ୍ୟୟ ଓ ଭାରତର ପ୍ରସ୍ତୁତି

ଆୟୁଷ୍ମାନ ପତି

କରୋନା ଭୂତାଣୁ ସଂକ୍ରମଣକୁ ଯଦି ଆମେରିକାର ଅଭିଯୋଗ ଅନୁସାରେ ଚୀନ୍ ଦ୍ବାରା ଜୈବିକ ଅସ୍ତ୍ର ପ୍ରସ୍ତୁତିର ପରିଣାମ ଭାବେ ବିଚାର କରାଯାଏ; ତେବେ ବିଶ୍ବର କୌଣସି ରାଷ୍ଟ୍ର ଯେ ଏଭଳି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ନୁହନ୍ତି ତାହା ସାମ୍ପ୍ରତିକ ପରିସ୍ଥିତିରୁ ସ୍ପଷ୍ଟ ହୋଇଛି। କାରଣ ଏ ଦିଗରେ କୌଣସି ରାଷ୍ଟ୍ର ବିଶେଷ ଧ୍ୟାନ ଦେଇ ନ ଥିଲେ। କିନ୍ତୁ ଅପରପକ୍ଷେ ୧୨ ବର୍ଷ ପୂର୍ବେ ଆମ ଦେଶର ‘ନ୍ୟାସନାଲ ଡିଜାଷ୍ଟର ରେସ୍‌ପନ୍‌ସ ଫୋର୍ସ’ ବା ‘ଏନ୍‌ଡିଆର୍‌ଏଫ୍’ ଦ୍ବାରା ଏ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯଦି ତାକୁ କାର୍ଯ୍ୟକାରୀ କରାଯାଇଥା’ନ୍ତା, ତେବେ ହୁଏ’ତ ଆଜି ଭାରତର କରୋନା ମୁକାବିଲା ଅନ୍ୟ ଦେଶମାନଙ୍କ ଲାଗି ଉଦାହରଣୀୟ ହୋଇଥାଆନ୍ତା।

୨୦୦୮ରେ ‘ଏନ୍‌ଡିଆର୍‌ଏଫ୍‌’ ପକ୍ଷରୁ ‘ବାୟୋଲଜିକାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍’ ବା ‘ଜୈବ ବିପତ୍ତି ପରିଚାଳନା ଯୋଜନା’ ନାମରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନାରେ ଜୈବ-ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ତଥା ଜିଲ୍ଲା ସ୍ତରରେ ସ୍ବତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା, ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା, ଚିକିତ୍ସା ସାମଗ୍ରୀ ଓ ସୁରକ୍ଷା ପୋଷାକ ଆଦି ମହଜୁଦ ରଖିବା ସହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ସ୍ବତନ୍ତ୍ର ତାଲିମ ଆଦି ବିଷୟରେ କୁହାଯାଇଥିଲା। ସାମାଜିକ ଦୂରତ୍ବ, ତାଲାବନ୍ଦ କୌଶଳ ଭଳି ପଦକ୍ଷେପର ପ୍ରସ୍ତାବ ମଧ୍ୟ ରହିଥିଲା। ‘ଏନ୍‌ଡିଆର୍‌ଏଫ୍‌’ ପକ୍ଷରୁ ଦର୍ଶା ଯାଇଥିଲା ଯେ ଦେଶର ସରକାରୀ କିମ୍ବା ଘରୋଇ ଡାକ୍ତରଖାନା ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଆଦୌ ପ୍ରସ୍ତୁତ ନ ଥିବାରୁ ଏଥିପ୍ରତି ଗୁରୁତ୍ବ ପ୍ରଦାନ କରାଯିବା ସର୍ବାଦୌ ଆବଶ୍ୟକ।

ସେତେବେଳେ ‘ଏନ୍‌ଡିଆର୍‌ଏଫ୍‌’ର ବିଶେଷଜ୍ଞମାନଙ୍କ ସହ ମିଶି ‘ଆର୍ମଡ୍ ଫୋର୍ସେସ୍ ମେଡିକାଲ ସର୍ଭିସେସ୍‌’ (ଏଏଫ୍ଏମ୍ଏସ୍)ର ମହାନିର୍ଦେଶକ (ଡିଜି) ଲେଫ୍‌ଟନାଣ୍ଟ ଜେନେରାଲ ଜେ.ଆର. ଭରଦ୍ବାଜ ଏହି ଯୋଜନା ପ୍ରସ୍ତୁତ କରିଥିଲେ। ୨୦୦୪ରେ ଆତଙ୍କ ସୃଷ୍ଟି କରିଥିବା ସ୍ବାଇନ୍‌ ଫ୍ଲୁର ‘ଏଚ୍୧ଏନ୍୧’ ଭୂତାଣୁ ସଂକ୍ରମଣକୁ ଆଖିରେ ରଖି ସେଭଳି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଭରଦ୍ବାଜ ନିଜ ଅଭିଜ୍ଞତା ଆଧାରରେ ଏହି ଯୋଜନା ପ୍ରସ୍ତୁତ କରିଥିେଲ। ଜୈବ-ଆତଙ୍କବାଦ ତଥା ଜୈବ-ଅସ୍ତ୍ରର ପ୍ରୟୋଗ ଯେ ଅସମ୍ଭବ ନୁହେ, ଏ କଥା ସେ ଓ ଅନ୍ୟ ବିଶେଷଜ୍ଞମାନେ ସେ ସମୟରେ ଅନୁମାନ କରିପାରିଥିଲେ।

ବର୍ତ୍ତମାନ କରୋନା ମୁକାବିଲା ଲାଗି ତାଲାବନ୍ଦ ଘୋଷଣା କରାଯିବା ପରେ ବିଭିନ୍ନ ଜଟିଳ ସମସ୍ୟାମାନ ମୁଣ୍ଡ ଟେକିଛି, ଯାହା ବିଷୟରେ ସରକାର ଆଦୌ ପୂର୍ବାନୁମାନ କରି ପାରି ନ ଥିଲେ। ପ୍ରବାସୀ ଶ୍ରମିକ ସମସ୍ୟା ହେଉ ବା ମୁମ୍ବାଇରେ ଡାକ୍ତରଖାନାର ଶଯ୍ୟାର ଅଭାବ ସହିତ ଚିକିତ୍ସା ସରଞ୍ଜାମ, ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ ହେଉ; ଏ ସବୁ ସମସ୍ୟା ସରକାରଙ୍କ ହିସାବ ବାହାରେ ଥିଲା। ଏବେ ତାଲାବନ୍ଦ କୋହଳ ହେବା ପରେ ସାରା ଭାରତରେ ସଂକ୍ରମଣର ହାର ତୀବ୍ର ବେଗରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଆଠ ବର୍ଷ ତଳର ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଆମ ଦେଶର ପୂର୍ବ ପ୍ରସ୍ତୁତି ନିଶ୍ଚିତ ଭାବେ ଉଦାହରଣୀୟ ହୋଇ ରହିଥାଆନ୍ତା।

ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଏକ ବିସ୍ତୃତ ଆଲୋଚନା ପରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ସବୁଜ ସଂକେତ ଦେଇଥିଲେ। କିନ୍ତୁ ଅଭିଯୋଗ ହୁଏ ‌େଯ ଅମଲାତନ୍ତ୍ରର କୁଚକ୍ର ହେତୁ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଏହା ‘ଏନ୍‌ଡିଆର୍‌ଏଫ୍‌’ର ଦାୟିତ୍ବ ଏବଂ କର୍ତ୍ତୃତ୍ବ ବାହାରେ ବୋଲି ଦର୍ଶାଇ ଅମଲାତନ୍ତ୍ର ଏହାକୁ ଏଡ଼ାଇ ଦେଇଥିଲା। ୨୦୦୫ରେ ‘ଏନ୍‌ଡିଆର୍‌ଏଫ୍‌’ର ଉପାଧ୍ୟକ୍ଷ ଥିବା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏନ୍.ସି ବିଜ୍‌ କହନ୍ତି ଯେ ଏହି ପ୍ରସ୍ତାବକୁ ବିରୋଧ କରୁଥିବା କିଛି ପ୍ରଶାସନିକ ଅଧିକାରୀ ସେତେବେଳେ ‘ଏନ୍‌ଡିଆର୍‌ଏଫ୍‌’ର ଆବଶ୍ୟକତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହା କାର୍ଯ୍ୟକାରୀ ହେଲେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟଗୁଡ଼ିକର ଗୁରୁତ୍ବ ବଢ଼ିବ ଓ ରାଜ୍ୟ ସରକାରମାନଙ୍କ ହସ୍ତକ୍ଷେପ ଅଧିକ ହେବ ବୋଲି ଏକ ଧାରଣା ସୃଷ୍ଟି କରାଗଲା।

କହିବା ବାହୁଲ୍ୟ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ‘ଏନ୍‌ଡିଆର୍‌ଏଫ୍‌’ ସଂପ୍ରତି ବିଶ୍ବର ଅନ୍ୟତମ ସର୍ବୋତ୍କୃଷ୍ଟ ଅନୁଷ୍ଠାନ ରୂପେ ବିବେଚିତ। ୨୦୧୪ରେ କେନ୍ଦ୍ରରେ ନୂଆ ସରକାର ଆସିବା ପରେ ‘ଏନ୍‌ଡିଆର୍‌ଏଫ୍‌’ର ମର୍ଯ୍ୟାଦା ଓ କ୍ଷମତା ଆହୁରି ଗୌଣ ହୋଇଯାଇଛି। ଉଦାହରଣ ସ୍ବରୂପ ଏହାର ଉପାଧ୍ୟକ୍ଷ ପଦକୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରୁ ଖସାଇ କ୍ୟାବିନେଟ ସଚିବ ପାହ୍ୟା କରିଦିଆଯାଇଛି। ଏହା ନିଶ୍ଚିତ ଭାବେ ପରିତାପର ବିଷୟ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେରିକାର ସ୍ବାସ୍ଥ୍ୟ ବଜେଟ ଦେଢ଼ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଭାରତର ସ୍ବାସ୍ଥ୍ୟ ବଜେଟ ମାତ୍ର ୭ ବିଲିୟନ ଡଲାର। ମନେ ହୁଏ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟକୁ ନେଇ ଭାରତର ରକ୍ଷଣଶୀଳ ମନୋଭାବ କାରଣରୁ ‘ଏନ୍‌ଡିଆର୍‌ଏଫ୍‌’ର ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲା ନାହିଁ। କିନ୍ତୁ ଯଦି ତାହା କାର୍ଯ୍ୟକାରୀ ହୋଇଥାଆନ୍ତା, ତେବେ ସମ୍ଭବତଃ ଭାରତର କରୋନା ମୁକାବିଲା ଆଜି ଏକ ଭିନ୍ନ ରୂପ ପରିଗ୍ରହଣ କରି ଥାଆନ୍ତା।

ଏଫ୍-୫୦୨, ସେକ୍ଟର ୧୦, ମର୍କତ ନଗର, କଟକ

ସମ୍ବନ୍ଧିତ ଖବର