ଭବିଷ୍ୟତର ମୂଳଦୁଆ ‘ଆତ୍ମନିର୍ଭର ଭାରତ’

ପ୍ରକାଶ ଜାଭଡେକର

ଆତ୍ମନିର୍ଭର ପ୍ୟାକେଜ ଭାରତର ଭବିଷ୍ୟତ ସୁଦୃଢ କରିବ। ଏହା ଦୂରଦର୍ଶୀ, ଐତିହାସିକ ଏବ˚ ବିବେକଧର୍ମୀ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୬ ବର୍ଷ ଧରି ସଫଳ ନେତୃତ୍ବ ଦେଇଆସିଛନ୍ତି। ତାଙ୍କର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ଆଜି ପୂରିଛି। ଏହି ବର୍ଷଟି ଥିଲା ଖୁବ ଘଟଣାବହୁଳ। ମୋଦୀଙ୍କ କାର୍ଯ୍ୟକୁ ତିନି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ପ୍ରଥମ- କେତେକ ଐତିହାସିକ ଓ ଜାତୀୟ ପଦକ୍ଷେପ, ଦ୍ବିତୀୟ କୋଭିଡ-୧୯ର ସଫଳ ମୁକାବିଲା ଏବ˚ ତୃତୀୟ – ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଭାରତ ଭବିଷ୍ୟତର ମୂଳଦୁଆ ସ୍ଥାପନ। ୩୭୦ ଧାରା ଉଚ୍ଛେଦ, ଲଦାଖ ଓ ଜାମ୍ମୁ କାଶ୍ମୀର ପରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ, ନାଗରିକ ସ˚ଶୋଧନ ଆଇନ ପ୍ରଣୟନ, ତିନି ତଲାକ ବ୍ୟବସ୍ଥାର ବିଲୋପ, ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟାଇବା ଆଦିକୁ ଜାତୀୟ ଓ ଐତିହାସିକ ରାଜନୀତିକ ପଦକ୍ଷେପ ଭାବେ ଗ୍ରହଣ କରାଯାଇପାରେ। ଏହାପରେ କାଶ୍ମୀର ପରିପ୍ରେକ୍ଷୀରେ ଉନ୍ନତି ଘଟିଛି ଏବ˚ ଇଣ୍ଟରନେଟ ମଧ୍ୟ ସକ୍ରିୟ ହୋଇଛି। ଆମର ସେନା ପାକିସ୍ତାନର ଚକ୍ରାନ୍ତ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଦୀର୍ଘ ୫୦ ବର୍ଷ ଧରି ଚାଲିଥିବା ବୋଡେ଼ା ସମସ୍ୟାର ରାଜିନାମା ବଳରେ ଅନ୍ତ ଘଟିଛି ଏବ˚ ସମାଜର ସବୁ ବର୍ଗର ଲୋକ ଶାନ୍ତିରେ ଅଛନ୍ତି। ସେହିପରି ତ୍ରିପୁରା, ଭାରତ ସରକାର ଏବ˚ ମିଜୋରାମ ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା ବଳରେ ବୃ-ରିଆଙ୍ଗ ଶରଣାର୍ଥୀ ସମସ୍ୟାର ସମାଧାନ ହୋଇଛି। ସାମାଜିକ ପଦକ୍ଷେପ ସ୍ବରୂପ ଗର୍ଭବତୀମାନଙ୍କୁ ୬ ମାସ ଛୁଟି ପ୍ରଦାନ କରାଯାଇଛି। ‘ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନ୍‌ସି ବିଲ ୨୦୨୦, ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲଜି ବିଲ ୨୦୨୦ ଏବ˚ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନରେ ମଧ୍ୟ ସ˚ଶୋଧନ କରାଯାଇଛି।

କୋଭିଡ ବୈଶ୍ବିକ ମହାମାରୀକୁ ରୋକିବା ପାଇଁ ଆମେ ଲକଡାଉନ ଅବଧିକୁ କଡ଼ାକଡ଼ି ପାଳନ କରିବା ଯୋଗୁ ଦେଶ ବଡ଼ କ୍ଷତିରୁ ବଞ୍ଚିଯାଇଛି। ଆରମ୍ଭରେ ଏହାର ମୁକାବିଲା କ୍ଷେତ୍ରରେ ଆମର କୌଣସି ସାମର୍ଥ୍ୟ ନଥିଲା। ଆମର କୋଭିଡ ହସ୍ପିଟାଲ ନଥିଲା ବେଳେ ଏବେ ଏହି ସ˚ଖ୍ୟା ୮୦୦ରେ ପହଞ୍ଚିଛି। ଆମର ନମୁନା ପରୀକ୍ଷା ପାଇଁ ମାତ୍ର ଗୋଟିଏ ପରୀକ୍ଷାଗାର ଥିବାବେଳେ ବର୍ତ୍ତମାନ ୩୦୦ ପରୀକ୍ଷାଗାର ରହିଛି। ବ୍ୟକ୍ତିଗତ ସୁରକ୍ଷା ଉପକରଣ, ମାସ୍କ ଏବ˚ ସ୍ବାବ ପରୀକ୍ଷା ପାଇଁ ଷ୍ଟିକ ମଧ୍ୟ ବାହାରୁ ଆମଦାନି କରିବାକୁ ପଡୁଥିଲା, କିନ୍ତୁ ଆମେ ଏବେ ଏଥିରେ ଆତ୍ମନିର୍ଭରଶୀଳ ହେବା ସହ ‘ମେକ ଇନ ଇଣ୍ତିଆ’ କ୍ଷେତ୍ରକୁ ସାକାର କରିପାରିଛୁ। ଏପରିକି ଦେଶରେ ଭେଣ୍ଟିଲେଟର ମଧ୍ୟ ତିଆରି ହେଉଛି। ୧୬୫ଟି ବିଶୋଧନାଗାର ଓ ୯୬୨ଟି ନିର୍ମାଣକାରୀଙ୍କୁ ହ୍ୟାଣ୍ତ ସାନିଟାଇଜର ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ଯାହା ଫଳରେ ୮୭ ଲକ୍ଷ ଲିଟର ହ୍ୟାଣ୍ତ ସାନିଟାଇଜର ପ୍ରସ୍ତୁତ ହୋଇପାରିଛି। ରାଜ୍ୟଗୁଡିକ ଯେପରି କରଜ ନକରି ଏ ପରିସ୍ଥିତିର ସାମନା କରିବେ ସେଥିପାଇଁ ସରକାର ୧୫ ହଜାର କୋଟି ଟଙ୍କାର ସ୍ବାସ୍ଥ୍ୟ ପ୍ୟାକେଜ ଏବ˚ ୧୧ ହଜାର କୋଟି ଟଙ୍କାର ରାଜ୍ୟବିପର୍ଯ୍ୟୟ ରିଲିଫ ପାଣ୍ଠି ମଞ୍ଜୁର କରିଛନ୍ତି। ମହାମାରୀ ମୁକାବିଲାର ଅ˚ଶସ୍ବରୂପ ୩ ହଜାରରୁ ଅଧିକ ଟ୍ରେନ ଜରିଆରେ ପ୍ରାୟ ୪୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିରେ ପହଞ୍ଚାଯାଇ ପାରିଛି। ବନ୍ଦେ ଭାରତ ମିଶନ ଅନ୍ତର୍ଗତ ବିଦେଶରେ ଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସଫଳତାର ସହିତ ଆମ ଦେଶକୁ ଅଣାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଜନସାଧାରଣଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି। ତାଙ୍କର ପ୍ରଥମ ପ୍ୟାକେଜରେ ୮୦ କୋଟି ପରିବାରକୁ ଖାଦ୍ୟ ନିରାପତ୍ତା ସ୍ବରୂପ ୨୫ କେଜି ଚାଉଳ ବା ଗହମ, ୫ କେଜି ଡାଲି ଜାତୀୟ ଖାଦ୍ୟ ମାଗଣାରେ ୫ ମାସ ପାଇଁ ପ୍ରଦାନ କରିଛନ୍ତି। ଏଗୁଡିକ ପୂର୍ବରୁ ଚାଲିଥିବା ଯୋଜନା ୨ରୁ ୩ ଟଙ୍କା ମଧ୍ୟରେ ମାସିକ ୫ କେଜି ଚାଉଳ ବା ଗହମ ସହ ଅତିରିକ୍ତ ଭାବେ ପ୍ରଦାନ କରାଯାଇଛି। ରାସନ କାର୍ଡ ନଥିବା ୫ କୋଟି ଲୋକଙ୍କୁ ସରକାର ୨ ମାସ ପାଇଁ ୧୦ କେଜି ମାଗଣା ଚାଉଳ ବା ଗହମ ଏବ˚ ୨ କେଜି ଡାଲି ଜାତୀୟ ଶସ୍ୟ ଯୋଗାଇ ଦେଇଛନ୍ତି। ଜନ ଧନ ଆକାଉଣ୍ଟ ଥିବା ୨୦ କୋଟି ମହିଳାଙ୍କୁ ୩୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଜଣଙ୍କ ବ୍ୟାଙ୍କ ଖାତାକୁ ତିନି ମାସରେ ୧୫ ଶହ ଟଙ୍କା ଦିଆଯାଇଛି। ୮ କୋଟି ପରିବାର ୨୦୦୦ ଟଙ୍କା ମୂଲ୍ୟର ତିନିଟି ଗ୍ୟାସ ସିଲିଣ୍ତର ପାଇଛନ୍ତି। ପାଖାପାଖି ୯ କୋଟି କୃଷକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯୋଗେ ୨୦୦୦ ଟଙ୍କା ଲେଖାଏଁ ପାଇଛନ୍ତି। ପ୍ରାୟ ୫୦ ଲକ୍ଷ ଠେଲାଗାଡ଼ି ବିକ୍ରେତା ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ପାଇବେ। ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକ ପାଣ୍ଠିରୁ ପଇସା ପାଇଛନ୍ତି। ଯଦି ଜଣେ ହିସାବ କରେ ସମାଜର ସର୍ବନିମ୍ନ ସ୍ତରରେ ରହୁଥିବା ପ୍ରାୟ ୧୦ ଭାଗ ଲୋକ ପରିବାର ପିଛା ୧୦ ହଜାର ଟଙ୍କା ଲେଖାଏଁ ପାଇଛନ୍ତି।
ବିକାଶର ତୃତୀୟ ଭାଗ ହେଉଛି ଆତ୍ମନିର୍ଭର ପ୍ୟାକେଜ ଜରିଆରେ ହୋଇଥିବା ସ˚ସ୍କାର। ଆତ୍ମନିର୍ଭର ଭାରତର ପାଞ୍ଚଟି ସ୍ତମ୍ଭ ରହିଛି। ସେଗୁଡ଼ିକ ହେଲା – ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଚାହିଦା ଓ ଜନସ˚ଖ୍ୟା। ଏହି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଶର ସାମଗ୍ରିକ ଉତ୍ପା‌ଦନର ପ୍ରାୟ ଶତକଡ଼ା ୧୦ ଭାଗ। ଏଥିରେ ସମାଜର ସବୁ ବର୍ଗର ଲୋକ ଉପକୃତ ହେବେ। ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଇପିଆଇ ବ୍ୟୟ ପରିମାଣ ୨୭୬୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ଋଣ କ୍ଷେତ୍ରରେ ଶତକଡ଼ା ୨ ଭାଗ ସୁଧ ହ୍ରାସ କରାଯାଇଛି। ୬୩ ଲକ୍ଷ ସ୍ବୟ˚ସହାୟକ ଗୋଷ୍ଠୀ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋଲାଟେରାଲ ବିହୀନ ଋଣ ପାଇବେ। ଏହା ଆଗରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ଥିଲା।

ଅଧିକରୁ ଅଧିକ କମ୍ପାନିଗୁଡ଼ିକୁ ସୁବିଧା ଦେବାପାଇଁ କ୍ଷୁଦ୍ର ଏବ˚ ମଧ୍ୟମ ଶିଳ୍ପର ସ˚ଜ୍ଞା ପରିବର୍ତ୍ତନ କରାଯାଇଛି। ସୂକ୍ଷ୍ମ, ଲଘୁ ଓ ମଧୢମ ଉଦ୍ୟୋଗ ଏବ˚ ଏନବିଏଫସିକୁ ୪ ଲକ୍ଷ ୪୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। କୃଷି ଭିତ୍ତିଭୂମି କାର୍ଯ୍ୟକ୍ରମ ପାଇଁ ୧ ଲକ୍ଷ କୋଟି, ମତ୍ସ୍ୟଚାଷର ବିକାଶ ପାଇଁ ୨୦ ହଜାର କୋଟି, ପଶୁ ସମ୍ପଦର ଟିକାକରଣ, ଫାଟୁଆ ଓ ମୁଖରୋଗ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଋଣ ସ˚ଯୋଗ ସବ୍‌ସିଡି ବାବଦକୁ ପ୍ରଦାନ କରାଯାଇଥିବା ୭୦ ହଜାର କୋଟି ଟଙ୍କା ସବୁଠାରୁ ଅଧିକ ଗୁରୁତ୍ବ ବହନ କରେ।

ଏହି ପ୍ୟାକେଜ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ସ˚ସ୍କାର ଅଣାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏକ ଐତିହାସିକ ପଦକ୍ଷେପ। ଆମେ ଶତପ୍ରତିଶତ ଅସ୍ତ୍ରଶସ୍ତ୍ର ଆମଦାନି କରୁଥିଲେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ବେଶୀ ପୁଞ୍ଜିବିନିଯୋଗ ଅନୁମତି ଦେଉନଥିଲୁ। ଏବେ ଏପରି ଅପରିଣାମଦର୍ଶିତାର ଅନ୍ତ ଘଟାଇ ମୋଦୀ ସରକାର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଶତକଡ଼ା ୭୪ ଭାଗ ପୁଞ୍ଜିନିବେଶକୁ ଅନୁମତି ଦେଇଛନ୍ତି ଓ ଦେଶରେ ତିଆରି ହେଉଥିବା ଯନ୍ତ୍ରାଂଶ ଏବ˚ ଅସ୍ତ୍ରଶସ୍ତ୍ରର ଆମଦାନି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ମନରେଗା ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କାରଣ ଏହା ନିହାତି ଆବଶ୍ୟକ କରୁଥିବା ଲୋକମାନଙ୍କୁ ରୋଜଗାର ଯୋଗାଇଥାଏ। ବିଶେଷ କରି ଅନ୍ୟାନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହେଉଥିବାରୁ ଗ୍ରାମାଞ୍ଚଳରେ ସେମାନଙ୍କର ରୋଜଗାରର ଚାହିଦା ମଧ୍ୟ ବୃଦ୍ଧି ପାଇବ। ୟୁପିଏ ସରକାର ମନରେଗା ବାବଦକୁ କେବେ ବି ୩୭ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରିନଥିଲେ। ଗତ ପାଞ୍ଚବର୍ଷର ରେକର୍ଡ ଦେଖିଲେ ଏହା ହାରାହାରି ୫୫ ହଜାର କୋଟି ଟଙ୍କା ରହିଛି। ଏବେ ଏହାକୁ ପାଖାପାଖି ଦ୍ବିଗୁଣିତ କରି ୧ ଲକ୍ଷ କୋଟି କରିଛୁ। ମୋଦୀ ସରକାର ଗରିବମାନଙ୍କ ପ୍ରତି ବେଶ ସମ୍ବେଦନଶୀଳ ଏବ˚ ବିଭିନ୍ନ ଶିଳ୍ପର ପୁନରୁଦ୍ଧାର ସହିତ କରଦାତାମାନଙ୍କୁ ମଧ୍ୟ ଅନେକ ରିହାତି ଦିଆଯାଇଛି।

ଏହି ପ୍ୟାକେଜର ସବୁଠାରୁ ଗୁରୁତ୍ବପୂର୍ଣ ଦିଗ ହେଉଛି, କୃଷି କ୍ଷେତ୍ରରେ ଐତିହାସିକ ସ˚ସ୍କାର। ଚାଷୀମାନଙ୍କୁ କୃଷିଜାତ ଉତ୍ପାଦ ବିପଣନ କମିଟିର ନିୟନ୍ତ୍ରଣରୁ ମୁକ୍ତ କରାଯାଇଛି। ସେମାନେ ତାଙ୍କ ଇଚ୍ଛା ଅନୁସାରେ ଯେ କୌଣସି ସ୍ଥାନରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୟ କରିପାରିବେ। ଚାଷୀକୁ ମୁକ୍ତ ଓ ଅବାଧ କ୍ଷମତା ଦିଆଯିବା ସହ ତାକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର କୃଷକ ବିରୋଧୀ ବ୍ୟବସ୍ଥାରୁ ମୁକ୍ତ ରଖାଯାଇଛି। ବଜାର ସେମାନଙ୍କୁ ଅଧିକ ପଇସା ଦେଉଥିବାରୁ ଚାଷୀମାନଙ୍କ ଉପରେ କୌଣସି କଟକଣା ରହିବ ନାହିଁ। ଆତ୍ମନିର୍ଭର ପ୍ୟାକେଜ ଭାରତର ଭବିଷ୍ୟତ ସୁଦୃଢ କରିବ। ଏହା ଦୂରଦର୍ଶୀ, ଐତିହାସିକ ଏବ˚ ବିବେକଧର୍ମୀ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ, ଭାରୀ ଶିଳ୍ପ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ,
ଭାରତ ସରକାର

ସମ୍ବନ୍ଧିତ ଖବର