ଜରୁରୀ ପରିସ୍ଥିତି ଠାରୁ ବି ଭୟଙ୍କର ସ୍ଥିତି!

ରବି ଦାସ

ବର୍ତ୍ତମାନ ଦେଶରେ ଏପରି କିଛି ଘଟଣା ଘଟୁଛି, ଯାହାକୁ ଦେଖିଲେ ପ୍ରକୃତ ସ୍ଥିତି ଜରୁରୀ ପରିସ୍ଥିତି ଠାରୁ ମଧ୍ୟ ବିପଜ୍ଜନକ ବୋଲି ଧାରଣା ଆସିବ। ୧୯୭୫ ଜୁନ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଆଭ୍ୟନ୍ତରୀଣ ଜରୁରୀ ବ୍ୟବସ୍ଥା ଜାରି କରିଥିଲେ। ସେହି ସମୟରେ ମୌଳିକ ଅଧିକାରଗୁଡ଼ିକ ସସ୍‌ପେଣ୍ତ କରିଦିଆଯାଇଥିଲା। ଯେପରିକି ବଂଚିବାର ଅଧିକାର, କଥା କହିବାର ଅଧିକାର, ମତ ପ୍ରକାଶ କରିବାର ଅଧିକାର ଇତ୍ୟାଦି। ବିରୋଧୀ ରାଜନେତାମାନଙ୍କୁ ରାତିଅଧିଆ ତତ୍କାଳୀନ ଅଟକ ଆଇନ ଯାହାକୁ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ ବା ‘ମିସା’ ବଳରେ ଗିରଫ କରାଗଲା। ସମ୍ବାଦପତ୍ରଗୁଡ଼ିକୁ ସେନ୍‌ସର ବା କଣ୍ଠରୋଧ କରାଗଲା। ସେହି ସମୟରେ ସରକାର ବିରୋଧରେ ଯେପରି କୌଣସି ସମ୍ବାଦ ପ୍ରକାଶ ନପାଇବ ସେଥିପାଇଁ ‘ଡିଫେନ୍‌ସ ଅଫ ଇଣ୍ତିଆ ରୁଲସ୍‌’ ଅଧୀନରେ ‘ସେନ୍‌ସରସିପ୍ ଗାଇଡଲାଇନ’ ପ୍ରସ୍ତୁତ କରାଗଲା। ବିରୋଧୀଙ୍କ ସଭାସମିତି ଉପରେ ଅଙ୍କୁଶ ଲଗାଇ ଦିଆଗଲା। ଏବେ ଯେପରି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ବଳରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ଓ ଲକ୍‌ଡାଉନ୍‌ ଗାଇଡଲାଇନ୍‌ସ ମାନ ଜାରି କରାଯାଇଛି, ସେମିତି। ଏଥିରେ ସିଧାସଳଖ ଭାବରେ ବିରୋଧୀମାନେ ସଭା କରିବାର ପ୍ରତିବନ୍ଧ ନଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ଆଇନର ନିୟମକୁ ଯିଏ ଉଲ୍ଲଂଘନ କରିବ ସେ ଭାରତୀୟ ପିଙ୍ଗଳ କୋଡ୍‌ର ୧୮୮ ଦଫାରେ ଅପରାଧ କରିଛି ବୋଲି ବିବେଚିତ ହେବ। ଏହି ଆଇନ ବଳରେ କ୍ଷମତାପ୍ରାପ୍ତ ଅଧିକାରୀମାନେ ସିଆରପିସିର ୧୪୪ ଧାରା ବଳରେ କୌଣସି ଠାରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ବିଜ୍ଞପ୍ତି ଜାରି କରିବେ। ସେହି ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବ। ଯଦିଓ ଏହି ଆଇନରେ ପ୍ରତ୍ୟେକଟି ବିଜ୍ଞପ୍ତି ଦୁଇ ମାସ ଯାଏ କାର୍ଯ୍ୟକାରୀ କରାଯିବ ବୋଲି ଅବଧି ରହିଛି, ତଥାପି ସରକାର ଚାହିଁଲେ ଏହାକୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ସରକାର ଏହି ଆଇନ ବଳରେ ଓ ୧୮୯୭ର ସଂକ୍ରାମକ ରୋଗ ଆଇନ ଧାରା ୩ ଅନୁସାରେ ସାରା ଦେଶରେ ଜାତୀୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରକାର ତିନି ଥର ଏହି ଲକ୍‌ଡାଉନ୍‌ ଅବଧି ବଢ଼ାଇବା ପରେ ଗତ ୧୭ ତାରିଖରୁ ଚତୁର୍ଥ ଥର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଜରୁରୀ ପରିସ୍ଥିତି ପରି ଏହି ସମୟରେ ସମ୍ବିଧାନର ମୌଳିକ ଅଧିକାର ସସ୍‌ପେଣ୍ତ କରାଯାଇନାହିଁ। ଅର୍ଥାତ୍ ନାଗରିକମାନଙ୍କର ମୌଳିକ ଅଧିକାର ଅକ୍ଷୁଣ୍ଣ ରହିଛି। କିନ୍ତୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ସରକାରଙ୍କ କୌଣସି ପଦକ୍ଷେପକୁ ସାଧାରଣ ଅଦାଲତରେ ଚ୍ୟାଲେଞ୍ଜ କରିହେବ ନାହିଁ। କେବଳ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଏହା ଉପରେ ପିଟିସନ ହୋଇ ପାରିବ। କିନ୍ତୁ ଲକ୍‌ଡାଉନ୍‌ର ନିୟମ ଅନୁସାରେ କୌଣସି ସଭାସମିତି, ବିକ୍ଷୋଭ, ଧର୍ମଘଟ ବା ପ୍ରତିବାଦ ଆନ୍ଦୋଳନ କରାଯିବାର ସୁଯୋଗ ନାହିଁ। କାରଣ କୌଣସିଠାରେ କେହି ବି ୫ରୁ ଅଧିକ ଲୋକଙ୍କୁ ଏକାଠି କରି ପାରିବେ ନାହିଁ। ଯଦି ଏପରି କରିବାର ଉଦ୍ୟମ ହୁଏ, ତେବେ ତାହା ବିରୋଧରେ ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଅର୍ଥାତ୍‌, ବିରୋଧୀ ରାଜନୈତିକ କାର୍ଯ୍ୟକଳାପ ଜରୁରୀ ପରିସ୍ଥିତି ପରି ଏବେ ପୂରାପୂରି ବନ୍ଦ ରହିଛି। ଜରୁରୀ ପରିସ୍ଥିତିରେ ବିରୋଧୀମାନଙ୍କୁ ବା ସମାଲୋଚକମାନଙ୍କୁ ଯେପରି ‘ମିସା’ ଆଇନରେ ଅଟକ ରଖାଯାଉଥିଲା, ଯଦିଓ ସେମାନଙ୍କୁ ରାଜନୈତିକ ବନ୍ଦୀର ମର୍ଯ୍ୟାଦା ଦିଆଯାଉଥିଲା, ଏବେ ସେପରି ନାହିଁ; କିନ୍ତୁ ଏହି ସମୟରେ ଯେହେତୁ ପ୍ରତିବାଦ ଆନ୍ଦୋଳନ ସମ୍ଭବ ନୁହେଁ, ସେହେତୁ ସମାଲୋଚକମାନଙ୍କୁ ବା ଭିନ୍ନମତ ପୋଷଣ କରୁଥିବା ସାମ୍ବାଦିକମାନଙ୍କୁ ପ୍ରଚଳିତ ଅନ୍ୟ ଆଇନରେ ଛନ୍ଦି ହଇରାଣ କରାଯାଉଛି। ମୁଖ୍ୟତଃ ଦେଶଦ୍ରୋହ ଆଇନ ଓ ସନ୍ତ୍ରାସବାଦ ରୋକିବା ପାଇଁ ଥିବା ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବଳରେ ଗିରଫ କରାଯାଇ ମାମଲା ଦାୟର କରାଯାଉଛି। ଜରୁରୀ ପରିସ୍ଥିତି ବେଳେ ଆଇପିସିରେ ଦେଶଦ୍ରୋହ ଧାରା ଥିଲେ ମଧ୍ୟ କୌଣସି ସମାଲୋଚକ ବା ଭିନ୍ନମତାବଲମ୍ବୀ ସାମ୍ବାଦିକଙ୍କ ବିରୋଧରେ ଏହା ଲାଗୁ କରାଯାଇନଥିଲା।

ଦେଶଦ୍ରୋହ ଆଇନରେ ଗିରଫ ସାମ୍ବାଦିକମାନଙ୍କର ତାଲିକା ଲମ୍ବି ଚାଲିଛି। ‘ଏଡିଟର୍ସ ଗିଲ୍‌ଡ ଅଫ ଇଣ୍ତିଆ’ ଏ ନେଇ ପ୍ରତିବାଦ କଲେ ମଧ୍ୟ କେହି ଶୁଣୁନାହାନ୍ତି। ନିକଟରେ ଗୁଜୁରାଟର ଜଣେ ସାମ୍ବାଦିକ ଧବଲ ପଟେଲଙ୍କ ବିରୋଧରେ ଦେଶଦ୍ରୋହ ଅପରାଧରେ ମାମଲା ରୁଜୁ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୪ ଅନୁସାରେ ମଧ୍ୟ ମାମଲା ଦିଆଯାଇଛି। ପଟେଲଙ୍କର ଅପରାଧ ହେଲା ଯେ ତାଙ୍କ ଦ୍ବାରା ପରିଚାଳିତ ଏକ ନ୍ୟୁଜ୍‌ ପୋର୍ଟାଲରେ ସେ ଉଲ୍ଲେଖ କରିଥିଲେ ଯେ, କରୋନା ମୁକାବିଲାରେ ବିଫଳତା ପାଇଁ କେନ୍ଦ୍ରୀୟ ବିଜେପି ନେତୃତ୍ବ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇପାରନ୍ତି। ସେହି ରିପୋର୍ଟରେ ତାଙ୍କର ଉତ୍ତରାଧିକାରୀ କିଏ ହୋଇପାରନ୍ତି ତାହାର ମଧ୍ୟ ସୂଚନା ଥିଲା। ଏହି ରିପୋର୍ଟ ଭୁଲ ଥିଲେ ବିଜେପି ପକ୍ଷରୁ ଏହାକୁ ଖଣ୍ତନ କରାଯାଇଥାନ୍ତା ଓ ସଂପୃକ୍ତ ନ୍ୟୁଜ୍ ପୋର୍ଟାଲ ତାହାକୁ ପ୍ରକାଶ କରିବାକୁ ବାଧ୍ୟ ହୋଇଥାନ୍ତା। କିନ୍ତୁ ଏଥିରେ ଦେଶ ବିରୋଧରେ କିପରି ବିଦ୍ରୋହ ହେଲା ବୁଝିବା କଷ୍ଟ। ପଟେଲଙ୍କୁ ଅଟକ ରଖିବା ପରେ ତାଙ୍କର କୋଭିଡ ପରୀକ୍ଷା ପାଇଁ ହସ୍‌ପିଟାଲକୁ ପଠାଇ ଦିଆଯାଇଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କୁ ସମାଲୋଚନା କରିବା ବା ଭିନ୍ନମତ ପୋଷଣ କରିବା ପାଇଁ ସୁଯୋଗ ରହିଛି। ଜଣେ ସାମ୍ବାଦିକ ଯେଉଁ ସୂଚନା ବା ତଥ୍ୟ ପାଇବେ, ତାହା ପ୍ରକାଶ କରିବାରେ କିଛି ବାଧାନାହିଁ। ରାଜ୍ୟ ନେତୃତ୍ବ ବିରୋଧରେ ଗୋଟିଏ ନ୍ୟୁଜ୍‌ ରିପୋର୍ଟକୁ ଦେଶଦ୍ରୋହର ଆଖ୍ୟା ଦିଆଯିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ଏ ସଂକ୍ରାନ୍ତରେ ଅଦାଲତମାନେ ଦେଶଦ୍ରୋହ କାହାକୁ କୁହାଯିବ ତାହା ସ୍ପଷ୍ଟ ଭାବରେ କହିଥିଲେ ମଧ୍ୟ ଗୁଜୁରାଟ ସରକାର ବା ପୁଲିସ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି।

ଜରୁରୀ ପରିସ୍ଥିତିରେ ମୋ ନିଜ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଥିଲା। ମୁଁ ସେତେବେଳେ ସାପ୍ତାହିକ ‘ପ୍ରଗତିବାଦୀ’ର ପରିଚାଳନା ସଂପାଦକ ଓ ମୁଖ୍ୟ ରିପୋର୍ଟର ଭାବରେ ଥିଲି। ସାପ୍ତାହିକ ପ୍ରଗତିବାଦୀ ଜରୁରୀ ପରିସ୍ଥତିକୁ ସମାଲୋଚନା କରି ପୁଲିସ ଦ୍ବାରା ସିଜ୍ ହେବାର ୭ ମାସ ପରେ ସିଜ୍ ଉଠିଯିବାରୁ ପୁନର୍ବାର ପ୍ରକାଶିତ ହୋଇଥିଲା। ଏହି ପୁନଃ ପ୍ରକାଶର ଦ୍ବିତୀୟ ସପ୍ତାହରେ ଗୋଟିଏ ପ୍ରଥମ ପୃଷ୍ଠା ରିପୋର୍ଟରେ ଦର୍ଶାଯାଇଥିଲା ଯେ, ‘ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମାବତୀ ନନ୍ଦନ ବହୁଗୁଣା ଯେପରି ବିଦା ହୋଇଛନ୍ତି ସେହିପରି ଅବସ୍ଥା ଓଡ଼ିଶାରେ ହୋଇପାରେ’। ଏଥିରେ କୁହାଯାଇଥିଲା ଯେ, ସଂଜୟ ଗାନ୍ଧୀ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା ଭାବରେ ଆବିର୍ଭାବ ହୋଇଛନ୍ତି। ଅଧିକାଂଶ ନିଷ୍ପତ୍ତି ତାଙ୍କ ଇଙ୍ଗିତରେ କରାଯାଉଛି। ଯେହେତୁ ହେମାବତୀ ନନ୍ଦନ ବହୁଗୁଣା କଂଗ୍ରେସରେ ସଂଜୟ ଗାନ୍ଧୀଙ୍କ ଆବିର୍ଭାବକୁ ପସନ୍ଦ କରୁନଥିଲେ ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଯିବାକୁ ପଡ଼ିଲା। ସେତେବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିବା ନନ୍ଦିନୀ ସତପଥୀ ସଂଜୟ ଗାନ୍ଧୀଙ୍କ ଅନୁକମ୍ପା ପାଉନଥିବା ଜଣାପଡ଼ିଥିଲା। କାରଣ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ଥିବା ଜଗନ୍ନାଥ ପଟ୍ଟନାୟକ ନନ୍ଦିନୀଙ୍କର ନିକଟତମ ହୋଇଥିଲେ ମଧ୍ୟ ତାଙ୍କୁ ବଦଳା ଯାଇ ରାମଚନ୍ଦ୍ର ରଥଙ୍କୁ ସଭାପତି ନିଯୁକ୍ତ କରାଯାଇଥିଲା। ରାମଚନ୍ଦ୍ର ରଥ ନିଶ୍ଚିତ ଭାବରେ ନନ୍ଦିନୀଙ୍କର ସମର୍ଥକ ନଥିଲେ। ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଅନୁଗତ ଥିଲେ। ଏହି ତଥ୍ୟକୁ ନେଇ ବହୁଗୁଣାଙ୍କ ପରେ ଓଡ଼ିଶା ପାଳି ପଡ଼ିପାରେ ବୋଲି ସାପ୍ତାହିକ ‘ପ୍ରଗତିବାଦୀ’ରେ ରିପୋର୍ଟ ପ୍ରକାଶିତ ହୋଇଥିଲା। ସେତେବେଳକୁ ଖବରକାଗଜରେ ଆତ୍ମ ସେନ୍‌ସରସିପ୍ ଥିବା ହେତୁ ସେହି ସଂଖ୍ୟାଟି ପ୍ରକାଶିତ ହୋଇ ବଜାରକୁ ଚାଲି ଯାଇଥିଲା। କିନ୍ତୁ ବଜାରକୁ ଯିବା ପରେ ସେହିଦିନ ରାତିରେ କଟକର ତତ୍କାଳୀନ ଅତିରିକ୍ତ ଏସ୍‌ପି ଅନାଦି ସାହୁଙ୍କ ନେତୃତ୍ବରେ ପୁଲିସ ଟିମ୍ ପୁନର୍ବାର ପ୍ରଗତିବାଦୀ ପ୍ରେସ୍‌ ଉପରେ ଚଢ଼ଉ କରିଥିଲେ। ସେଠାରେ ଥିବା ଲୋକମାନଙ୍କୁ ମୋ ନିକଟକୁ ପଠାଇ ସେଠାକୁ ଡକେଇବାର ଉଦ୍ୟମ କରାଯାଇଥିଲେ ମଧ୍ୟ ସେତେବେଳକୁ ରାତି ୨ଟା ହୋଇଥିବାରୁ ମୁଁ ଯିବାକୁ ମନା କରିଦେଇଥିଲି। ଅନାଦି ସାହୁ ସାପ୍ତାହିକ ପ୍ରଗତିବାଦୀର ଯେତେଗୁଡ଼ିଏ ଖବରକାଗଜ ଥିଲା ସେଗୁଡ଼ିକ ପଇସା ଦେଇ କିଣିନେବା ପରେ ପରଦିନ ଅଫିସ୍‌ରେ ତାଙ୍କୁ ସାକ୍ଷାତ କରିବା ପାଇଁ ଗୋଟିଏ ଲେଖା ଦେଇ ଯାଇଥିଲେ। ସେହି ଅନୁସାରେ ମୁଁ ପରଦିନ ତାଙ୍କୁ ସ୍ବର୍ଗତ ବିପ୍ଳବୀ କବି ରବି ସିଂହଙ୍କ ସହିତ ଯାଇ ସାକ୍ଷାତ କରିଥିଲି। ଅନାଦି ସାହୁ ମୋତେ କହିଥିଲେ- ଆପଣଙ୍କ ରିପୋର୍ଟକୁ ଭଲ ଭାବରେ ତର୍ଜମା କଲା ପରେ ଦେଖିଲୁ ଯେ ସେଥିରେ ‘ଡିଫେନ୍‌ସ ଅଫ ଇଣ୍ତିଆ’ ନିୟମ ଅନୁସାରେ କୌଣସି ମାମଲା ହୋଇପାରୁନାହିଁ। କିନ୍ତୁ ଆପଣ ଜିଲ୍ଲାପାଳଙ୍କୁ ଯାଇ ଭେଟନ୍ତୁ। ସେତେବେଳେ ଏସ୍‌.ଆର୍‌. ପାଲ୍ କଟକ ଜିଲ୍ଲାପାଳ ଥିଲେ। ଜିଲ୍ଲାପାଳଙ୍କୁ ଭେଟିବା ପରେ ସେ ସାପ୍ତାହିକ କାଗଜର ପ୍ରି ସେନ୍‌ସରସିପ୍ ପାଇଁ ଆଦେଶ ଦେଇ ଜଣେ ସେନ୍‌ସର ଅଫିସର ନିଯୁକ୍ତ କଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଜରୁରୀ ପରିସ୍ଥିତିରେ ମଧ୍ୟ ପ୍ରଶାସନିକ ଅଧିକାରୀ ସମ୍ବାଦପତ୍ର ପ୍ରତି ବର୍ତ୍ତମାନର ଆଭିମୁଖ୍ୟ ନେବାକୁ ସାହସ କରୁନଥିଲେ। ଜିଲ୍ଲାପାଳ ଚାହିଁଥିଲେ ଦେଶଦ୍ରୋହ ଅପରାଧରେ ବା ‘ମିସା’ରେ ମୋତେ ଗିରଫ କରିପାରିଥାନ୍ତେ।

ଏହା କେହି ଅସ୍ବୀକାର କରିପାରିବେନି ଯେ, କୋଭିଡ-୧୯ ପରିଚାଳନାରେ ଗୁଜୁରାଟ ସରକାର ବିଶେଷ ସଫଳତା ପାଇନାହାନ୍ତି। ଏଣୁ ଜଣେ ସାମ୍ବାଦିକ ଏହାକୁ ଭିତ୍ତି କରି ନେତୃତ୍ବ ପରିବର୍ତ୍ତନ ନେଇ ରିପୋର୍ଟ ଦେବାରେ କିଛି ବାଧା ନଥିଲା। ତଥାପି ତାଙ୍କ ବିରୋଧରେ ଦେଶଦ୍ରୋହ ଅପରାଧ ସହିତ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ମାମଲା କରାଯାଉଛି। ନିକଟରେ କୋଏମ୍ବାଟୁରରେ କୋଭିଡ-୧୯ ପାଇଁ ଦିଆଯାଉଥିବା ପିଡିଏସ କାର୍ଯ୍ୟକ୍ରମରେ ଦୁର୍ନୀତି ନେଇ ରିପୋର୍ଟ ଲେଖିଥିବା ଗୋଟିଏ ନ୍ୟୁଜ୍‌ ପୋର୍ଟାଲ ମାଲିକଙ୍କୁ ଗିରଫ କରାଯାଇଛି। ଜାତୀୟ ଲକ୍‌ଡାଉନ୍‌ ସମୟରେ ବିରୋଧୀମାନଙ୍କୁ ବା ସରକାରଙ୍କ ସମାଲୋଚକମାନଙ୍କୁ ଦେଶଦ୍ରୋହ ଅପରାଧ ବା ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁସାରେ ଗିରଫ କରିବା ପ୍ରମାଣ କରୁଛି ଯେ ବର୍ତ୍ତମ‌ାନର ସ୍ଥିତି ଜରୁରୀ ପରିସ୍ଥିତି ଠାରୁ ମଧ୍ୟ ଭୟଙ୍କର ହୋଇଛି। ଲକ୍‌ଡାଉନ୍‌ ପୂର୍ବରୁ ସାରା ଦେଶରେ ଓ ବିଶେଷ ଭାବରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ ଚାଲିଥିଲା। ଜାମିଆମିଲିଆ ବିଶ୍ବବିଦ୍ୟାଳୟ ଓ ସାହିନବାଗ୍ ଆନ୍ଦୋଳନ ଚର୍ଚ୍ଚିତ ହୋଇଥିଲା। ଦିଲ୍ଲୀ ନିର୍ବାଚନ ପରେ ପରେ ଦିଲ୍ଲୀରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ସଂପ୍ରତି ଲକ୍‌ଡାଉନ୍‌ ଅବସରରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନରେ ଦିଲ୍ଲୀ ଛାତ୍ର ଓ ଯୁବନେତାମାନଙ୍କୁ ଏବେ ସାଂପ୍ରଦାୟିକ ଦଙ୍ଗା ଷଡ଼୍‌ଯନ୍ତ୍ରକାରୀ ଭାବେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁସାରେ ଗିରଫ କରି ଜେଲ୍ ପଠାଯାଉଛି। ଏପରି ଉଦାହରଣ ଜରୁରୀ ପରିସ୍ଥିତି ବେଳେ ମଧ୍ୟ ନ ଥିଲା।
ବରିଷ୍ଠ ସାମ୍ବାଦିକ
ମୋ-୯୪୩୭୪୦୪୪୫୫

ସମ୍ବନ୍ଧିତ ଖବର

Comments are closed.