ଦୃଷ୍ଟିପାତ: ‘ଲାଡ଼େନ’ ଓ ବିଧାୟକ

ପୃଥିବୀର ସମସ୍ତେ ଲାଡ଼େନ ବୋଲି ଯାହାକୁ ବୁଝନ୍ତି, ଆସାମରେ ତାହାକୁ ବୁଝନ୍ତି ନାହିଁ। ଆସାମବାସୀଙ୍କ ଲାଗି ଲାଡ଼େନ ହେଉଛି ଏକ ମତ୍ତ ଜଙ୍ଗଲୀ ଦନ୍ତା ହାତୀ ଯିଏ ଗୋଲପଡ଼ା ଜିଲ୍ଲାରେ ପାଞ୍ଚ ଜଣ ଗ୍ରାମବାସୀଙ୍କୁ ମାରି ଗଲା କେଇ ଦିନ ଧରି ଆତଙ୍କରାଜ ଚଳାଇଥିବା ସତ୍ତ୍ବେ ତାକୁ ଧରିବା ଲାଗି ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କ ଅକ୍ଳାନ୍ତ ଉଦ୍ୟମକୁ ବିଫଳ ସାବ୍ୟସ୍ତ କରିଥିଲା। ଆସାମର ଗଣମାଧ୍ୟମରେ ଏଇ କିଛି ଦିନ ହେଲା ‘ଲାଡ଼େନ୍‌’ ଶିରୋନାମାରେ ହିଁ ରହୁଥିଲା। ତେବେ, ଗଲା ସୋମବାର ଦିନ ତାକୁ ଧରାଯିବା ସମ୍ଭବ ହୋଇଛି ଏବଂ ଏହି କାମଟିକୁ କରି ଦେଖାଇଛନ୍ତି ସୌତିଆର ବିଜେପି ବିଧାୟକ ପଦ୍ମ ହଜାରିକା। ଜଙ୍ଗଲୀ ହାତୀମାନଙ୍କ ଆଚରଣ ବାବଦରେ ଗଭୀର ଅଧ୍ୟୟନ କରିଥିବା ହଜାରିକାଙ୍କ ଅନୁମାନ ‌େଶଷରେ ଠିକ୍‌ ସାବ୍ୟସ୍ତ ହୋଇଥିଲା ଏବଂ ଭୋର ସକାଳୁ ଆରମ୍ଭ ହୋଇଥିବା ଏ ‘ଅପରେସନ୍‌’ ମଧ୍ୟାହ୍ନ ୧୨.୩୦ରେ ସଫଳତାର ସହିତ ଶେଷ ହୋଇଥିଲା। ନିଜେ ହଜାରିକା ‘ଟ୍ରାଂକ୍ବିଲାଇଜର’ ମାରି ଲାଡ଼େନକୁ ଅଚେତ କରି ଦେଇଥିଲେ। ଉଲ୍ଲେଖ ଥାଉ ଯେ ‘ଟ୍ରା‌ଂକ୍ବିଲାଇଜର’ ମାରି ହାତୀଙ୍କୁ କାବୁ କରିବା ଏକ ଅତ୍ୟନ୍ତ କଷ୍ଟସାଧ୍ୟ ଓ ଦକ୍ଷତା ଦାବି କରୁଥିବା କାର୍ଯ୍ୟ। ଲାଡ଼େନକୁ ଧରିବା ଲାଗି ରାଜ୍ୟ ଜଙ୍ଗଲ ବିଭାଗ ଦ୍ବାରା ଗଠିତ ଏକ ଦଳ ଅବିରତ ପରିଶ୍ରମ ସତ୍ତ୍ବେ ବିଫଳ ହେବା ପରେ ଆସାମର ମୁଖ୍ୟ ବନ ସଂରକ୍ଷକ ଟି.ଭି. ରେଡ୍ଡୀ ମହାଶୟ ବିଧାୟକ ପଦ୍ମ ହଜାରିକାଙ୍କୁ ଏ ବ୍ୟାପାରରେ ମୁଣ୍ଡ ପୂରାଇବାକୁ ଅନୁରୋଧ କରିଥିଲେ। ହଜାରିକା ନିଜର ତାଲିମପ୍ରାପ୍ତ ସାତଟି ହାତୀ ଭିତରୁ ଗୋଟିକ ଉପରେ ସବାର ହୋଇ ‘ଲାଡ଼େନ୍‌’କୁ କାବୁ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ଭାରତରେ ସାଧାରଣତଃ ଦେଖାଯାଇଥାଏ ଯେ ଜଣେ ବିଧାୟକ ବା ସାଂସଦ ରାଜନୀତିରେ ମଗ୍ନ ରହି ସେମାନଙ୍କ ଅତୀତ ଜୀବନର ଅନେକ ଦକ୍ଷତାକୁ ନିଷ୍ପ୍ରଭ କରିପକାନ୍ତି। ନିର୍ବାଚନ ରାଜନୀତିର ଦାବି ଆଗରେ ସେ ସବୁ ଗୌଣ ହୋଇଯାଏ। ଏପରିକି କ୍ୟାରିଅର୍‌ର ଶିଖରରେ ଥିବା କୌଣସି ଗାୟକ ବା ଅଭିନେତା ଅଥବା ଖେଳାଳି ଯଦି ନିର୍ବାଚନ ରାଜନୀତିରେ ସଫଳ ହୁଅନ୍ତି, ତେବେ ସେମାନେ ପୂର୍ବେ କରୁଥିବା କାର୍ଯ୍ୟ ପ୍ରାୟତଃ ଛାଡ଼ି ଦେଇଥିବା ଦେଖାଯାଏ (ତୃଣମୂଳ ଦଳର ସାଂସଦ ବାବୁଲ ସୁପ୍ରିୟୋ ଏକ ଦ୍ର‌ଷ୍ଟବ୍ୟ)। କିନ୍ତୁ ପଦ୍ମ ହଜାରିକା ସ୍ବୟଂ ହାତୀ ପିଠିରେ ସବାର ହୋଇ ମତ୍ତ ହାତୀକୁ କାବୁ କରିବାରେ ନେତୃତ୍ବ ନେବା ନିଶ୍ଚିତ ପକ୍ଷେ ବିରଳ। ଏହା ତାଙ୍କ ଲୋକପ୍ରିୟତା ଓ ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ବଳ କରିଥିବ।

ସମ୍ବନ୍ଧିତ ଖବର