ସମ୍ପର୍କର ଭାଷା

ଆମରି କଥା - ନାରାୟଣ ମିଶ୍ର

ସମ୍ବନ୍ଧର ସ˚ଜ୍ଞା ଓ ପରିଭାଷା ସମ୍ପୂର୍ଣ୍ଣ ବଦଳି ଯାଇଛି। ପ୍ରଥମେ ଚାକିରି ଅନ୍ବେଷଣରେ ପୁଅ ଝିଅ ଘର ଛାଡ଼ି ବାହାରେ ରହିବାକୁ ବାଧୢ ହେଲେ। ୟା’ ପୂର୍ବରୁ ଗାଁର ଯୌଥ ପରିବାର ଭାଙ୍ଗି ବାପା, ମା’ ସେମାନଙ୍କ ପିଲାଙ୍କ ସହ ‘‘ନିୟୁକ୍ଲିଅର ଫାମିଲି’’ ଗଢ଼ି ସାରିଥିଲେ। ଏବେ ସେଥିରୁ ପୁଅ ଝିଅ ଚାକିରି ପାଇ ବାପା, ମା’ଙ୍କ ଠାରୁ ଦୂରେଇ ଗଲେ। ଅଧିକା˚ଶ ଛୋଟ ସହରରେ ବାପା, ମା’ ପ୍ରାଣୀ ଦୁଇଟି ଅସୁରକ୍ଷିତ ଓ ଭୟଭୀତ ଜୀବନ ବିତାଉଛନ୍ତି। ସେପଟେ ବାପା, ମା’ଙ୍କୁ ଛାଡ଼ି ବୋହୂ ସହ ପୁଅ ଏବ˚ ଜ୍ବାଇଁ ସହ ଝିଅ ସେମାନଙ୍କ ‘‘ନିଉକ୍ଲିୟର ଫାମିଲି’’ ଗଢ଼ି ସାରିଛନ୍ତି। ବାପା, ମା’ଙ୍କ ନିଉକ୍ଲିୟର ଫାମିଲି ଏବ˚ ପୁଅ ଝିଅଙ୍କ ନିୟକ୍ଲିୟର ଫାମିଲି ଭିତରେ ଆକାଶ ପାତାଳ ତଫାତ୍‌; ଠିକ୍‌ ଯେମିତି ଗାଁର ଯୌଥ ପରିବାର ଓ ବାପା’ ମା’ଙ୍କ ନିଉକ୍ଲିୟର ଫାମିଲି ଭିତରେ ଅନେକ ପାର୍ଥକ୍ୟ ଥିଲା।

ଗାଁ ଯୌଥ ପରିବାରରେ ପୁରୁଷ ହିଁ ମୁରବି ଥିଲା। ବାପା ମା’ଙ୍କ ନିଉକ୍ଲିୟର ପରିବାରରେ ପୁରୁଷର ମୁରବିତ୍ବ ବହୁ ପରିମାଣରେ କମିଗଲା ଆଉ ପୁଅଝିଅଙ୍କ ବଡ଼ ସହରର (ମେଟ୍ରୋ) ପରିବାରରେ ପୁରୁଷ ସମ୍ପୂର୍ଣ୍ଣ ସ୍ତ୍ରୈଣ୍ୟ ନ ହେବା ପର୍ଯ୍ୟନ୍ତ ଅଶାନ୍ତି ବିରାଜମାନ କଲା।

ବାପା ମା’ଙ୍କ ନିଉକ୍ଲିୟର ଫାମିଲିରୁ ପୁଅ ଓ ଝିଅ ଅବିବାହିତ ଅବସ୍ଥାରେ ଅନେକ ଜିନିଷ ନିଜ ଆଖି ଦେଖାରୁ ଶିଖିଲେ। ଏଇ ଯେମିତି ଉଭୟ ଚାକିରି କରିବା, ଖର୍ଚ୍ଚ କମ୍‌ କରିବା, ପିଲାଙ୍କୁ ଭଲ ସ୍କୁଲରେ ପଢ଼ାଇବା, ପିଲାଙ୍କ ପାଇଁ ସେମାନଙ୍କର ଦାବି (ପୋଷାକପତ୍ର, ସିନେମା, ହାତଖର୍ଚ୍ଚ ଇତ୍ୟାଦି) ଗୁଡ଼ିକୁ ପୂରଣ କରିବାକୁ ଯଥାସାଧୢ ଚେଷ୍ଟା କରିବା, ସାନବାପା, ବଡ଼ବାପା, ମାମୁ, ମାଇଁ ଇତ୍ୟାଦି ବନ୍ଧୁମାନଙ୍କୁ ଉପଯୁକ୍ତ ସମ୍ମାନ ନ ଦେବା ଏବ˚ ସେମାନଙ୍କ ବିରୋଧରେ ହେଉଥିବା ସତ୍ୟ, ଅସତ୍ୟ ଗପକୁ ପ୍ରଶ୍ରୟ ଦେବା ଇତ୍ୟାଦି। ପିଲାମାନେ ଆହୁରି ବି ଶିଖିଲେ ଯେ ‘‘ଟଙ୍କା’’ ହିଁ ମଣିଷର ଏକମାତ୍ର ବନ୍ଧୁ। ଯେନତେନ ଉପାୟରେ ଗୁଡ଼ାଏ ଟଙ୍କା, ସୁନା ଓ ଜମି କରିଗଲେ ସମାଜରେ ପ୍ରତିପତ୍ତି ବଢ଼ିଯିବ, ସମ୍ମାନ ମିଳିବ। ଗାଁର ଧୂଆଁମୁକ୍ତ ପବନ, ଶହ ଶହ ଗଛର ତୋଟା, ପୋଖରୀ ଏବ˚ ରଜ, ଦଶହରା ବା ବିବାହ ବ୍ରତର ଏକାଠି ଚଳିବାର ମଉଜ ଇତ୍ୟାଦି କଥା ବାପା, ମା’ମାନେ ପିଲାଙ୍କୁ ଜଣାଇଲେ ବି ନାହିଁ। ପିଲାଙ୍କ ଦାବି ଓ ଆବଶ୍ୟକତା ପୂରଣ କରୁ କରୁ ପିଲାମାନେ ବହୁ ଦୂରକୁ ଚାଲିଗଲେ ଓ ନିଜର ‘‘ପ୍ରାଇଭେସି’’ ପାଇଁ ବହୁ ପ୍ରକାର ଅନୀତିକୁ ‘ନୀତି’ କରି ଦେଲେ।

ଏବେ ଯେଉଁ ପୁଅବୋହୂ ବା ଝିଅ ଜ୍ବାଇଁ ମେଟ୍ରୋରେ ରହି ପାଞ୍ଚଦିନିଆ କର୍ମ ସପ୍ତାହରେ ପେଷି ହୋଇ ଚାଲିଛନ୍ତି, ସେମାନଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଅନିଦ୍ରା ରହିବା, ସକାଳର ସୂର୍ଯ୍ୟୋଦୟ ବର୍ଷ ବର୍ଷ ଧରି ନ ଦେଖିବା, ଯାହା ଖର୍ଚ୍ଚ ହେଲେ ବି ପିଲାଙ୍କ ପରୀକ୍ଷା ଫଳକୁ ଶତକଡ଼ା ନବେ ଉପରକୁ ନେବାରେ ଲାଗିପଡ଼ିବା, ଘରେ ନିଜେ ରୋଷେଇ ନ କରି ରୋଷେଇୟା ରଖିବା ବା ବାରମ୍ବାର ହୋଟେଲରୁ ମଗାଇବା ଇତ୍ୟାଦି। ଯେଉଁ ଦୌଡ଼ରେ ବାପା ମା’ ଜାଗା କିଣିବା, ଘର କରିବା, ଘରର ଆସବାବ ପତ୍ର କିଣିବା, ଗହଣାଗାଣ୍ଠି ବଢ଼ାଇବା ଇତ୍ୟାଦିରେ ସାମିଲ ଥିଲେ। ସେଇ ଦୌଡ଼ରେ ପୁଅ ଝିଅ ଫ୍ଲାଟ୍ କିଣିବା, ବଡ ଗାଡ଼ି କିଣିବା, ପାର୍ଟି ଆଟେଣ୍ତ କରିବା, ଫାଷ୍ଟଫୁଡ୍‌ (ପିଜା, ବର୍ଗର)କୁ ନିୟମିତ ଆଶ୍ରା କରିବାରେ ଆଗେଇ ଗଲେ। ପିଲାମାନଙ୍କର କିଣିବା ଶକ୍ତି ସେମାନଙ୍କ ବାପା, ମା’ଙ୍କ ଠାରୁ ଯଥେଷ୍ଟ ଅଧିକା ହୋଇଗଲା। ଏମାନଙ୍କର ସ୍ଥାୟୀ ସମ୍ବନ୍ଧ କାହାରି ସହିତ ରହିଲା ନାହିଁ। ଏମାନଙ୍କର ଅତିଥି କହିଲେ କେବଳ ପୁଅର ବାପା ମା’ ବା ଝିଅର ବାପା ମା’- ଅନ୍ୟ କେହି ରହିଲେ ନାହିଁ।

ଆଜି ଆମ ପିଲାଙ୍କ ସାମନାରେ ହାଣ୍ତି ଚୁଲିର ଧୂଆଁ ରୋଷେଇ ସ୍ବପ୍ନ। ଖାଦ୍ୟ ପାଇଁ ଜାଳ ସ˚ଗ୍ରହ କରିବାକୁ ପଡ଼ୁନାହିଁ। ଗ୍ୟାସ ଚୁଲା, ପ୍ରେସର କୁକର, ମାଇକ୍ରୋଓଭାନ୍‌ ଓ ଫ୍ରିଜ୍‌, ଟିଭି ସବୁ ଅଛି। ସ୍କୁଟର ଅଛି, କାର ବି ଅଛି। କିନ୍ତୁ ପ୍ରାୟତଃ ରୋଷେଇ ନାହିଁ। ଏମିତି ବି ପ୍ରତି ମନ୍ଦିରରେ ପ୍ରସାଦ ମିଳୁଛି। ଫୋନ୍‌ କଲେ ଓଲା, ଉବେର ଗାଡ଼ି ଆସି ଯାଉଛି ଆଉ ଜମାଟୋ ଓ ସ୍ବିଗି ଖାଦ୍ୟ ବି ଘରେ ଦେଇଯାଉଛନ୍ତି। ତଥାପି ବାପା, ମା’ଙ୍କ ସହ ସମ୍ବନ୍ଧ ରଖିବା ଓ ମାମୁ ଘର ଆଡେ଼ ବୁଲିବାକୁ ଯିବା ପାଇଁ ପିଲାଙ୍କ ସମୟ ନାହିଁ। ଏବେ ଆମ ପିଲାମାନେ ସେମାନଙ୍କ ପିଲାମାନଙ୍କୁ ମୋବାଇଲ ଖଣ୍ତିଏ ଲେଖାଁ କିଣି ଦେଇଛନ୍ତି। ବିନା ଖାଦ୍ୟରେ ଶିଶୁଟିଏ ଚାରି ପାଞ୍ଚ ଘଣ୍ଟା ରହିପାରୁଛି କିନ୍ତୁ ବିନା ମୋବାଇଲରେ ଘଣ୍ଟାଏ ବି ନୁହେଁ। ମୋବାଇଲ ସହ ସମ୍ବନ୍ଧ ସମସ୍ତ ପ୍ରକାର ସମ୍ପର୍କକୁ କାଟି ସାରିଲାଣି। ମୋବାଇଲରେ ଟିଭି, ବ୍ୟାଙ୍କ ହିସାବ, କାଲ୍‌କୁଲେଟର, କ୍ୟାମେରା ଇତ୍ୟାଦି ସବୁ ଅଛି। ବିଭିନ୍ନ ପ୍ରକାର ଦୃଶ୍ୟର ଚିତ୍ର ବି ଦେଖିବାକୁ ଅଛି- ଆଉ ସମୟ କାହିଁ ଯେ ବନ୍ଧୁବାନ୍ଧବ ମନେ ପଡ଼ିବେ! ‘ଲିଭ୍‌-ଇନ୍‌-ରିଲେସନସିପ୍‌’ ବିବାହ ସମ୍ପର୍କୀୟ ବନ୍ଧୁମାନଙ୍କୁ କାଟିବାରେ ଖୋରାକ ଯୋଗାଇ ଦେଲା। ରକ୍ତ ସମ୍ପର୍କୀୟ ମାନଙ୍କ ସହ ସମ୍ବନ୍ଧ କଟିବା ପରେ ଏକରକମ ଏକୁଟିଆ-ଭୟମିଶା-ଲକ୍ଷ୍ୟହୀନ ଜୀବନ ନେଇ ଏବକା ଯୁବପିଢ଼ି ଚିନ୍ତାଗ୍ରସ୍ତ। ତା’ମନରେ ଖୁସି ନାହିଁ। ସେ ତା’ ମନର ଭାବକୁ ଅଜା, ଆଈ, ବାପା, ମା’ଙ୍କୁ ନ କହି ବାହାର ଲୋକଙ୍କ ପାଖରେ କହୁଛି, ଏବ˚ ତଦ୍ବାରା ଶୋଷିତ ବି ହେଉଛି; କାରଣ କୌଣସି ସଂପର୍କରେ ନିରୋଳା ପଣ ନାହିଁ। ସବୁ ସଂପର୍କ ‘‘ବେପାର’’ ହୋଇଯାଇଛି। ବିନା କାରଣରେ ଏକାଠି ହୋଇ ମଉଜ କରିବା ଆମ ପିଲାଙ୍କ କୋର୍ସରୁ ଉଠିଗଲାଣି।

ଏବେ ବି ସମୟ ଅଛି; ମୋବାଇଲ, ପାଠପଢ଼ା ଏବ˚ ଚାକିରିରୁ ସମୟ ବାହାର କରି ନିଜ ବାପା, ମା, ମାମୁଘର, ଗାଁ ଗଣ୍ତା ବୁଲିବାକୁ ଯାଇ ଅନ୍ତତଃ ବର୍ଷକରେ ମାସଟାଏ ମୌଜ କରନ୍ତୁ। ତାର ଅନେକ ସୁଫଳ ମିଳିବ- ରକ୍ତ ସମ୍ପର୍କୀୟ ଲୋକଙ୍କ ସହ ସମ୍ପର୍କ ଓ ସେମାନଙ୍କ ଉପରେ ବିଶ୍ବାସର ଫଳ ଅତ୍ୟନ୍ତ ମଧୁର, ଉପକାରୀ ଓ ଦୀର୍ଘସ୍ଥାୟୀ।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର