ଦେବସ୍ଥାନେ ପିକ ପକାଇ କଲୁ ଅପ୍ରତିଷ୍ଠା

ବାବାଜୀଚରଣ ପଟ୍ଟନାୟକ

ଦୈନିକ ‘ସମ୍ବାଦ’ (୧୬.୨.୨୦୨୦ ତାରିଖ)ରେ ପ୍ରକାଶ ପାଇଛି -‘ଶ୍ରୀମନ୍ଦିରରେ ପାନ ଛେପ ଦେଖି ରାଗିଗଲେ ପାଣ୍ତିଆନ୍‌’ ସମ୍ବାଦଟିର ବିବରଣୀରୁ ଜଣାଯାଏ, ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ତିଆନ୍‌ ପୁରୀ ଜଗନ୍ନାଥ ମନ୍ଦିର ଭିତରକୁ ଯିବାବେଳେ, ଘଣ୍ଟିଦ୍ବାର ନିକଟରେ ପାନଛେପ ପଡ଼ିଥିବା ଦେଖିଲେ। ମହାପ୍ରଭୁଙ୍କୁ ଦର୍ଶନ କରିସାରି ସେ ଶ୍ରୀମନ୍ଦିର ପରିସରରେ ଥିବା ଶାଖା କାର୍ଯ୍ୟାଳୟ ଯାଇଥିଲେ। ପୂର୍ବରୁ ଥରେ ସେ ପାନଛେପ ପଡ଼ିଥିବା ଦେଖି ବିରକ୍ତ ହୋଇଥିଲେ। ଏଥର ସେ ଜାଣିବାକୁ ଚାହିଁଥିଲେ, ସେଠିକାର ଦାୟିତ୍ବରେ କେଉଁ କର୍ମଚାରୀ ନିଯୁକ୍ତ ଅଛନ୍ତି। ଅଧିକନ୍ତୁ, ସେ ରାଗିଯାଇ କହିଥିଲେ ‘ଚୂନ ବାଲଟି ଦିଅ ନିଜେ ସଫା କରିଦେବି।’ ଏତକ ପଢ଼ିବା ବେଳେ ଓଡ଼ିଆ ଭାଷା ସାହିତ୍ୟର ଆଦିକବି ସାରୋଳ (ସାରଳା) ଦାସଙ୍କର ଗୋଟିଏ ଆଖ୍ୟାନ ମନେ ପଡ଼ିଛି। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଦେବସ୍ଥାନକୁ ପାନଛେପ ପକାଇ ଅପବିତ୍ର ନ କରିବା ପାଇଁ ଆଇନ କରାଯାଉଛି, ପ୍ରତିଷେଧ ପାଇଁ କର୍ମଚାରୀ ନିଯୁକ୍ତ ହେଉଛନ୍ତି, ଉପରିସ୍ଥଙ୍କ ଦ୍ବାରା ଆକସ୍ମିକ ରୀତିରେ ବି ଘଟଣାର ତଦାରଖ କରାଯାଉଛି। ରାଜତନ୍ତ୍ରରେ ଏଭଳି ଆଇନ ଚଳୁଥିବା ପ୍ରତ୍ୟକ୍ଷତଃ ଜାଣି ନ ହେଉଥିଲେ ବି ପ୍ରାଚୀନ ସାହିତ୍ୟରେ ପ୍ରଦତ୍ତ କାହାଣୀ, ଆଖ୍ୟାନ ଅଥବା ଲୋକ ଚଳଣି ଚିତ୍ର ଦେଇ ସାମାଜିକଙ୍କୁ ତତ୍‌ପ୍ରତି ଅବହିତ କରିବାର ପରମ୍ପରାର କିଛିଟା ଅନୁମାନ କରି ହେଉଛି। ପାନ ଖାଇବାରେ ବାରଣ କରାଯାଇ ନାହିଁ, କିନ୍ତୁ ପାନ ଛେପ ଯେଉଁଠି ନାହିଁ ସେଠି ପକାଇଲେ, ଏପରିକି ସମ୍ମାନନୀୟ ବ୍ୟକ୍ତିଙ୍କ ଉପରକୁ କିମ୍ବା ଦେବତା ବିଜେସ୍ଥଳ, ମନ୍ଦିର ଆଦିରେ ପକାଇଲେ, ଶୂକର ହୋଇ ବିଷ୍ଠା ଖାଇବାକୁ ଅଭିଶାପ ଦିଆଯାଇଛି ପଞ୍ଚଦଶ ଶତାଦ୍ଦୀରେ ରଚିତ ‘ସାରଳା ମହାଭାରତ’ର ଏକ ଆଖ୍ୟାନରେ। ସ୍ମରଣ କରାଯାଇପାରେ ଏହି କାଳରେ ଓଡ଼ିଶାର ରାଜା ଥିଲେ ପ୍ରବଳ ପ୍ରତାପୀ, ସୂର୍ଯ୍ୟବ˚ଶୀ କପିଳେନ୍ଦ୍ର ଦେବ (୧୪୩୫-୧୪୬୬)।

ଏବେ ବର୍ଣ୍ଣିତ ଆଖ୍ୟାନ ଶୁଣାଯାଉ।
ସତ୍ୟଯୁଗ କଥା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି (ଅକ୍ଷୟ ତୃତୀୟା)। ସେଦିନ ବୃହସ୍ପତି (ଗୁରୁ)ବାର, ଭୋଗ ହେଉଥାଏ ରୋହିଣୀ ନକ୍ଷତ୍ର। ଯୁଗାଦ୍ୟତିଥି ହୋଇଥିବାରୁ ଦେବଲୋକରେ ବସନ୍ତ ଉତ୍ସବ ଯାତ୍ରା ଆରମ୍ଭ ହୋଇଥାଏ। ଇନ୍ଦ୍ରଙ୍କ ସହ ଦେବତାମାନେ ଉପସ୍ଥିତ ହୋଇଥାନ୍ତି। ଚଉଷଠି କୋଟି ସ˚ଖ୍ୟକ ଅମର ବିଳାସୁଣୀ (ଅପ୍‌ସରା) ମଧୢ ଥାନ୍ତି। ଭରତ ରସର ତାଣ୍ତବ ନୃତ୍ୟ କରୁଥାନ୍ତି ଦେବତା ଓ ଅପ୍‌ସରାମାନେ। ଅପ୍‌ସରା ତିଳୋତ୍ତମା ଓ ଇନ୍ଦ୍ରଙ୍କ ପୁତ୍ର ଚିତ୍ରବାହନ ଶରଗୁଣା ବାଦ୍ୟଯନ୍ତ୍ର (ବୀଣା) ଧରି ଗୀତ ଗାନ କରୁଥାନ୍ତି। ଗୀତ ନାଚରେ ଭୋଳ ହୋଇ ଇନ୍ଦ୍ରଦେବତା ପୁତ୍ର ଚିତ୍ରବାହନଙ୍କୁ ତାମ୍ବୋଳ (ତାମ୍ବୁଳ, ଖିଲିପାନ) ଦେଲେ। ଗ୍ରୀଷ୍ମକାଳ। ଗୀତ ନାଚରେ ଶାରୀରିକ ପରିଶ୍ରମ। ଓଠ ଶୁଖିଯାଇଥାଏ ଚିତ୍ରବାହନଙ୍କର। ସେ ପାନଖଣ୍ତକ ପାଟିରେ ପୂରାଇ ଚୋବାଇଲେ। ତିମ୍ବୁରୁ (ଏକ ବାଦ୍ୟଯନ୍ତ୍ର)ର ଗହଗହ ଧ୍ବନିରେ ଚିତ୍ରବାହନ ମତୁଆଳ ହୋଇ ଉଠିଲେ। ନୃତ୍ୟରେ ପଦବନ୍ଧ ସାରି ସେ ଛିଡ଼ା ହେଲେ ବ୍ରହ୍ମାଙ୍କ ଆଗରେ। ଶାରୀରିକ ଶ୍ରମରେ ଧଇଁସଇଁ ହେଉଥିବାରୁ ତା ମୁହଁରୁ ତାମୂଳିକ (ପାନଛେଦା) ବ୍ରହ୍ମାଙ୍କ ଅଙ୍ଗରେ ପଡ଼ିଲା। ଏ ପ୍ରକାର ଅନୀତି ଆଚରଣରେ ବ୍ରହ୍ମା କ୍ଷୁବ୍‌ଧ ହେଲେ। ଜଗତଧାତା ରାଗିଯାଇ ତାକୁ ଅଭିଶାପ ଦେଲେ- ‘ଦେବସ୍ଥାନେ ପିକ ପକାଇ କଲୁ ଅପ୍ରତିଷ୍ଠା। ଆରେ ୟେଡେ ମତ୍ତଗର୍ବ ଅଟୁରେ ମହାହୃଷ୍ଟ/ ୟେ ଦେବ ଆସ୍ତାନେ ମୋତେ ପକାଇଲୁ ଇତିଷ୍ଠ (ଉଚ୍ଛିଷ୍ଟ)। ଯାଅ ତୁ ମୃତୁ ମଣ୍ତଳେ ଜାତ ହୁଅସି ଶୂକର/ ୟେହି ମୁଖରେ ତୁରେ ବିଷ୍ଠା କରସି ଆହାର।’ (ସାରଳା ମହାଭାରତ-ବନପର୍ବ) ବ୍ରହ୍ମାଙ୍କ ଅଭିଶାପରୁ ସେ ସତ୍ୟ, ତ୍ରେତୟା, ଦ୍ବାପର ଯୁଗ ଅନ୍ତେ ଅର୍ଥାତ୍‌ ୨୪ ଲକ୍ଷ, ୩୪ ହଜାର ବର୍ଷ ପରେ ମୁକ୍ତ ହେବାର ସର୍ତ୍ତ ରହିଲା; ଏବଂ ପ୍ରତ୍ୟହ ବିଷ୍ଠା ଆପ୍ୟାନ କଲା। ପୂର୍ବ ନିର୍ଦ୍ଦିଷ୍ଟ ବର୍ଷ ଭୋଗ ପରେ ଚିତ୍ରବାହନ ଅଭିଶାପରୁ ମୁକ୍ତ ହେଲେ।

କି ରାଜତନ୍ତ୍ର, କିି ଗଣତନ୍ତ୍ର- ପ୍ରତ୍ୟେକ ଶାସନତନ୍ତ୍ରରେ ମହାପ୍ରଭୁ ଜଗନ୍ନାଥ ମୁଖ୍ୟ; ରାଜାଧିରାଜ ନତୁବା ଅଗ୍ରଗଣ୍ୟ ନେତା। ତାଙ୍କ ମନ୍ଦିର ପାନଛେପରେ ଅପ୍ରତିଷ୍ଠା ହେବା ଶାସକଙ୍କ ପକ୍ଷେ ସହ୍ୟ ହେବ କିପରି? ପ୍ରଣୀତ ଆଇନକୁ କ’ଣ ଅଣଦେଖା କରିହେବ? ପିକ (ପାନଛେପ) ପକାଇ ଦେବସ୍ଥାନ ଅପ୍ରତିଷ୍ଠା କରିବାରୁ ନିବୃତ୍ତ ରହିବା ଆଜି ପ୍ରତ୍ୟେକ ସାମାଜିକଙ୍କ ଜାତୀୟ ଆଚରଣ ହେବା ଚାଇ।

ବି/୪୯, ସେକ୍ଟର-୮, ସିଡିଏ
କଟକ- ୭୫୩୦୧୪
ମୋ-୯୪୩୭୩୧୯୯୧୪

ସମ୍ବନ୍ଧିତ ଖବର