ଭାରତର ଅର୍ଥ ମନ୍ତ୍ରଣାଳୟ ନିକଟରେ କହିଥିଲେ ଯେ ଯେଉଁମାନେ ଆୟ କର ରିଟର୍ଣ୍ଣର ଶେଷ ତାରିଖ ସୁଦ୍ଧା ତାହା ପଇଠ କରିବେ ନାହିଁ, ସେମାନଙ୍କୁ ଆୟକର ଉପରେ ସୁଧ ଦେବାକୁ ପଡ଼ିବ। ଏହି ସୁଧ ବାବଦକୁ ସରକାରଙ୍କୁ ୪୬,୦୦୦ କୋଟି ଟଙ୍କା ମିଳିପାରେ ବୋଲି ଅନୁମାନ ମଧ୍ୟ କରାଯାଇଛି। ସେହିଭଳି ଯେଉଁ ବ୍ୟାବସାୟିକ ସଂସ୍ଥା ଶେଷ ତାରିଖ ସୁଦ୍ଧା ଜିଏସ୍ଟି ଦାଖଲ କରି ନାହାନ୍ତି, ସେଗୁଡ଼ିକ ନିକଟକୁ ମଧ୍ୟ ତାର ସୁଧ ଦେବା ଲାଗି ନୋଟିସ୍ମାନ ଆସିବାରେ ଲାଗିଲାଣି। କିନ୍ତୁ ଯାହା ଦେଖାଯାଉଛି ଏଭଳି ନୋଟିସ୍ ପାଇଥିବା ଅନେକ ସଂସ୍ଥାଙ୍କ ଉପରେ ସୁଧର ରାଶି ଏତେ ନଗଣ୍ୟ ଯେ ତାହା ଦୁଇ ଅଙ୍କ ମଧ୍ୟ ଛୁଇଁ ନାହିଁ। କେତେକ ବ୍ୟାବସାୟିକ ପ୍ରତିଷ୍ଠାନ କେଇ ପଇସା ଦାଖଲ କରିବା ପାଇଁ ମଧ୍ୟ ନୋଟିସ୍ ପାଇଛନ୍ତି। ଏହି ନୋଟିସ୍ରେ ଉଲ୍ଲେଖ ରହିଥିବା ସୁଧ ରାଶିକୁ ଦଶମିକ ପରେ ୧୬ ଅଙ୍କ ଯାଏଁ ମଧ୍ୟ ଲେଖାଯାଇଛି; ଉଦାହରଣ ସ୍ବରୂପ ପାଞ୍ଚ ଟଙ୍କା ଅଠାନବେ ପଇସାକୁ ୫.୯୮୫୮୬୩୦୨୪୦୦୦୦୦୦୪ ଟଙ୍କା ବୋଲି ମଧ୍ୟ ଲେଖାଯାଇଛି।
ବିଳମ୍ବରେ ଟିକସ ଦାଖଲ କରୁଥିବା ବ୍ୟକ୍ତି ବା ସଂସ୍ଥାଙ୍କ ଠାରୁ ସୁଧ ଆଦାୟ କରାଯିବାରେ ସମସ୍ୟା ନାହିଁ, ତେବେ ଏହିପରି ନଗଣ୍ୟ ପରିମାଣର ଅର୍ଥ ପାଇଁ ସରକାର ଯେଉଁ କସରତ କରୁଛନ୍ତି, ନୋଟିସ ଜାରି କରୁଛନ୍ତି, ତାହା କେତେଦୂର ଯଥାର୍ଥ ଅବଶ୍ୟ ପ୍ରଣିଧାନଯୋଗ୍ୟ। ତେବେ, ଏବେ ଅନେକ ପରିହାସ କରି କହୁଥିବା ଶୁଣାଯାଉଛି ଯେ ସରକାରଙ୍କ ପାଖରେ ପାଣ୍ଠିର ଏତେ ଅଭାବ ଯେ ବୋଧହୁଏ ସରକାର ପାହୁଲା ପାହୁଲା କରି ପଇସା ଅସୁଲ କରିବାକୁ ବାହାରିଛନ୍ତି!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/tax.jpg)