ଚାପରେ ଛାତ୍ରଛାତ୍ରୀ

ଡାକ୍ତର ସମ୍ରାଟ କର

ଏବେ ଭାରତୀୟ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଆଶାନୁରୂପକ ସଫଳତା ଲାଭ କରିବା ଲାଗି ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ। ସେଥିଲାଗି ସେମାନେ ଚାପଗ୍ରସ୍ତ। ପୁଣି ତା ଉପରେ ଅଭିଭାବକମାନେ ନିଜ ନିଜ ପିଲାମାନଙ୍କ ସକାଶେ ପୋଷଣ କରୁଥିବା ମାତ୍ରାଧିକ ଆଶା ସେମାନଙ୍କୁ ଆହୁରି ଚାପଗ୍ରସ୍ତ କରି ପକାଉଛି। ଏବେ ଦେଖାଯାଉଛି ଯେ ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ଛାତ୍ରଛାତ୍ରୀମାନେ ଯେଉଁ ପ୍ରବେଶିକା ପରୀକ୍ଷାରେ ବସୁଛନ୍ତି, ସେ ସବୁ ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାମୂଳକ ହେଉଥିବାରୁ ଚାପର ମାତ୍ରା ଆହୁରି ଅଧିକ ବଢୁଛି। ଯେତେବେଳେ ସେମାନେ ଜାଣୁଛନ୍ତି ଯେ ପ୍ରବେଶିକାରେ ସଫଳ ହେବାକୁ ହେଲେ ସେମାନଙ୍କୁ ପ୍ରଥମ ୧ ପ୍ରତିଶତ ଭିତରେ ହିଁ ରହିବାକୁ ହେବ, ତେବେ ଚାପ କେଉଁ ସ୍ତରକୁ ଯାଉଛି ତାହା କେବଳ ସେହି ଭୁକ୍ତଭୋଗୀମାନେ ହିଁ କହିପାରିବେ।

ନିକଟରେ ବେଙ୍ଗୁଲୁରସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଏଣ୍ତ ନ୍ୟୁରୋ ସାଇସେନ୍‌ସେସ୍‌’ ବା ‘ନିମହାନ୍‌ସ’ ଦ୍ବାରା ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାଯାଇଛି ଯେ ପ୍ରତି ବର୍ଷ ଆତ୍ମହତ୍ୟା କରୁଥିବା ଭାରତୀୟଙ୍କ ସ˚ଖ୍ୟା ୧.୩୫ ଲକ୍ଷ, ଯାହା ମଧୢରୁ ୧୫-୩୦ ବର୍ଷ ବୟସ ବର୍ଗର ଯୁବକଯୁବତୀଙ୍କ ଭାଗ ସର୍ବବୃହତ୍‌। ଅର୍ଥାତ୍‌ ଏହାର ଏକ ବଡ଼ ଅ˚ଶ ଛାତ୍ରଛାତ୍ରୀ ହୋଇଥିବା ସମ୍ଭବ।

ସମାଜଶାସ୍ତ୍ରୀମାନେ କହନ୍ତି ଯେ ଭାରତର ଶିକ୍ଷା ବ୍ୟବସ୍ଥା ଅତ୍ୟଧିକ ଚାକିରି କୈନ୍ଦ୍ରିକ ହୋଇଥିବାରୁ ଉଚ୍ଚ ଶିକ୍ଷିତମାନେ ଆତ୍ମନିଯୁକ୍ତ ହେବା ପ୍ରତି ବୀତସ୍ପୃହ। ଏଣେ ଚାକିରିର ଅଭାବ ସେମାନଙ୍କୁ ହତାଶା ଜର୍ଜର କରିବାରେ ଲାଗିଛି। ଏଇ ପରିପ୍ରେକ୍ଷୀରେ ଶିକ୍ଷା ବ୍ୟବସ୍ଥାରେ ଏକ ମୌଳିକ ସ˚ସ୍କାର ଅଣାଯାଇ ଏହାର ଚାକିରି କୈନ୍ଦ୍ରିକତାକୁ ଦୂର କରାଯିବା ଉଚିତ। ଆମ ଶିକ୍ଷା ବ୍ୟବସ୍ଥା ଅଧିକ ସାମର୍ଥ୍ୟ ବୃଦ୍ଧି କୈନ୍ଦ୍ରିକ ହେବା ଜରୁରୀ।

କିଶୋର ଓ ଯୁବ ବର୍ଗରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଏହାକୁ କମ୍‌ କରିବାରେ ପରିବାରର ଗୁରୁଜନ, ଅଭିଭାବକ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କୌଣସି ପରୀକ୍ଷା ବା ପ୍ରବେଶିକା ପରୀକ୍ଷା ଯେ ସାମର୍ଥ୍ୟର ଆକଳନ ନୁହେଁ, ତାହା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ପ୍ରତ୍ୟେକ ବ୍ୟକ୍ତିର ଅସାଧାରଣ କ୍ଷମତା ରହିଛି ଏବ˚ ଏହାକୁ ଉପଯୋଗ କରିବାର ସାମର୍ଥ୍ୟ ମଧୢ ସମସ୍ତଙ୍କ ଠାରେ ଅଛି ବୋଲି କଥାଟି ପ୍ରତ୍ୟେକ ଯୁବକଯୁବତୀଙ୍କ ବୋଧଗମ୍ୟ ହେବା ଦରକାର। ଏ ପରିପ୍ରେକ୍ଷୀରେ ପ୍ରତିଭାକୁ ଚିହ୍ନି ତାର ବିକାଶ ତଥା କ୍ଷମତାର ପରିସରକୁ ବୃଦ୍ଧି କରିବା ଦିଗରେ ତରୁଣ-ତରୁଣୀମାନଙ୍କୁ ସବୁ ଦିଗରୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ତଥାକଥିତ ଶ୍ରେଣୀ ପରୀକ୍ଷା ବା ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ବିଫଳ ହେବା ସତ୍ତ୍ବେ ଯେ ଅନେକ କ୍ଷେତ୍ରରେ ଚମକପ୍ରଦ ସାଫଲ୍ୟ ଅର୍ଜନ କରା ଯାଇପାରିବ ସେ କଥା ପିଲାମାନେ ବୁଝିବା ଦରକାର। ‘ସୁପର ୩୦’ର ସଫଳତା ଦ୍ବାରା କି˚ବଦନ୍ତି ପାଲଟି ଥିବା ଆନନ୍ଦ କୁମାରଙ୍କ ଭଳି ଦୃଷ୍ଟାନ୍ତଙ୍କ ଆମ ଦେଶରେ ଅଭାବ ନାହିଁ। ପିତାମାତା ବା ଶିକ୍ଷକମାନେ ସେମାନଙ୍କ ଉଦାହରଣ ପିଲାମାନଙ୍କ ସାମନାରେ ରଖୁଛନ୍ତି କି? ଯଦି ନା, ତେବେ ସେମାନେ ନିଜକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି କହିବାକୁ ହେବ।

ମୋ : ୯୧୩୨୪୩୩୩୩୩

ସମ୍ବନ୍ଧିତ ଖବର

Comments are closed.