ମଣିଷ ସର୍ବଭୁକ୍‌ ନୁହେଁ

ଅଜୟ କୁମାର ଜେନା

ଫି’ ଦିନ ସକାଳେ ଖବରକାଗଜ ଖୋଲୁଖୋଲୁ ପ୍ରଥମେ ନଜରରେ ପଡୁଛି ଦୁଃସାଧୢ କରୋନା ଭୂତାଣୁରେ ହଜାର ହଜାର ଚୀନ୍‌ବାସୀଙ୍କ ମୃତ୍ୟୁ ଖବର। ଚୀନରେ ଏ ମହାମାରୀ ବିଷୟ ଉଠିଲା ବେଳକୁ ପିଲାଦିନର ଏକ ଛୋଟିଆ ପଦ୍ୟ ମନେ ପଡ଼ିଯାଏ। ସେତେବେଳର ପ୍ରାଥମିକ ବିଦ୍ୟାଳୟର ସାହିତ୍ୟ ବହିରେ ‘ବିଚାର ବିଗିଡ଼ିଗଲା’ ଶୀର୍ଷକ ଏହି ପଦ୍ୟରେ ମଞ୍ଜି କଥାଟିଏ ରହିଥିଲା। ନିଜର ସ୍ବାସ୍ଥ୍ୟ ଓ ପରିବେଶ ପ୍ରତି ଆଦୌ ଗୁରୁତ୍ବ ଦେଉ ନ ଥିବା ନିଧି ବୁଢ଼ାର ଘର ବାରି ପଟେ ଏକଦା ମୂଷା, ମାଛି ଓ ମଶାମାନେ ବସି ଆଲୋଚନା କରି କିଭଳି ବିଭିନ୍ନ ରୋଗଜୀବାଣୁ ଆଦି ଦ୍ବାରା ନିଧିଆର ପ୍ରାଣ ନାଶି ଦେବେ ସେ କଥା କହୁଥିବା ବେଳେ ଅଗତ୍ୟା ତାହା ବୁଢାର କର୍ଣ୍ଣ ଗୋଚର ହୁଅନ୍ତେ, ସେ ସତର୍କ ହୋଇ କିଭଳି ସୁସ୍ଥ ରହିବ ସେ ସକାଶେ ଉଦ୍ୟମ କଲା। ସେଥିଲାଗି ନିଜ ଅଭ୍ୟାସ ବଦଳାଇଲା ଓ ତା’ ଘର ତଥା ଆଖପାଖର ପରିବେଶକୁ ନିର୍ମଳ ରଖିଲା। ସ˚ପ୍ରତି କରୋନା ଭୂତାଣୁ ସେହି ପଦ୍ୟର ନିଧିବୁଢ଼ା ଭଳି ବିଶ୍ବ ମାନବ ଜାତିର ବିନାଶ କରିବା ଲାଗି ଆଗଭର ହୋଇ ଉଠିଥିବା ବେଳେ ଚୀନରେ କରୋନା ଭୂତାଣୁର ଘର ବୋଲି କୁହାଯାଉଥିବା ସେଠାକାର ମା˚ସ ବଜାରକୁ ବନ୍ଦ କରିଦିଆଯାଇଛି। କୁହାଯାଉଛି ଯେ ଅସତର୍କ ଚୀନବାସୀଙ୍କ ବିକୃତ ଖାଦ୍ୟାଭ୍ୟାସ ହେତୁ କରୋନା ଭୂତାଣୁ ଚୀନବାସୀଙ୍କ ଶରୀରରେ ବସା ବାନ୍ଧିଲା ପରେ କିଭଳି ଜଣଙ୍କଠାରୁ ଅନ୍ୟ ଜଣକୁ ଡେଇଁବ, ସେଥିଲାଗି ନିଜକୁ ପ୍ରସ୍ତୁତ କରିଥିଲା।

ଆମେ ଆମ ସହରରେ ଯେଉଁ ଚୀନା ରେସ୍ତୋରାଁ ଆଦି ଦେଖୁ, ତାହା ଯେ ଆଦୌ ଚୀନା ଖାଦ୍ୟାଭ୍ୟାସର ପ୍ରତିନିଧିମୂଳକ ନୁହେଁ, ତାହା ଚୀନ ଭ୍ରମଣରେ ଯାଇଥିବା ପ୍ରାୟ ସମସ୍ତେ ସ୍ବୀକାର କରନ୍ତି। ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା କାର୍ଯ୍ୟକ୍ରମରେ ଅଚିନ୍ତନୀୟ ଖାଦ୍ୟ ଭାବେ ଅନେକ ସମୟରେ ଦେଖିବାକୁ ମିଳିଥାଏ ଚୀନରେ ଖିଆ ଯାଉଥିବା ବିଭିନ୍ନ କିମ୍ଭୂତକିମାକାର ଜୀବଜନ୍ତୁଙ୍କ ମା˚ସ ବା ଅଙ୍ଗ; ଯାହାକୁ ସେଠାକାର କିଛି ଖାଦ୍ୟ ରସିକଙ୍କର ଏକ ପ୍ରକାର ଆଡ଼ବାୟା ପଣ ବୋଲି କହିଲେ ଭୁଲ ହୋଇ ନ ପାରେ। ତେବେ, ଏହା ମଧୢ ସତ୍ୟ ନୁହେଁ ଯେ ସବୁ ଚୀନ ଲୋକେ ଏଭଳି ଖାଦ୍ୟ ଖାଆନ୍ତି ଯାହାକୁ ଖାଇବା ଲାଗି ପ୍ରକୃତ ସାହସର ଆବଶ୍ୟକତା ହୋଇପାରେ। କିନ୍ତୁ ଏହା ମଧୢ ସତ ଯେ ଖାଦ୍ୟ ପ୍ରସ୍ତୁତି ନେଇ ବିଭିନ୍ନ ଦୁଃସାହସିକ ପରୀକ୍ଷଣ କରିବାକୁ ଚୀନ ଲୋକେ ବେଶ୍‌ ଆଗ୍ରହୀ। ତା ହୋଇ ନ ଥିଲେ ହକ୍କା ଅଞ୍ଚଳରେ ଏକ ଖାଦ୍ୟ ଭାବେ ମଦ୍ୟରେ କିଛି ସମୟ ବୁଡ଼ାଇ ନିଶାଗ୍ରସ୍ତ ଅବସ୍ଥାରେ ଥିବା ‘ଲୋବଷ୍ଟର’ ବା ବଡ଼ ଚିଙ୍ଗୁଡ଼ିଗୁଡ଼ିକୁ ସେମାନଙ୍କ ଅର୍ଧଚେତନ ଅବସ୍ଥାରେ ତତଲା ତେଲରେ ଅଧା ଭାଜି ସେମାନେ ଅର୍ଧ ଜୀବନ୍ତ ଥିଲା ବେଳେ ଖିଆଯାଉ ନ ଥାଆନ୍ତା! କୁହାଯାଏ, ଚୀନକୁ ବାରମ୍ବାର ଆକ୍ରାନ୍ତ କରିଥିବା ଭୀଷଣ ଦୁର୍ଭିକ୍ଷ, ଖାଦ୍ୟାଭାବ ଓ ଦାରିଦ୍ର୍ୟ ସେମାନଙ୍କୁ ବିଭିନ୍ନ ଜନ୍ତୁଜୁନ୍ତା, ପକ୍ଷୀ ଏପରିକି ପୋକଜୋକ ଖାଇବାକୁ ବାଧୢ କରିଥିଲା, ଯେଉଁଥିରୁ ବ୍ୟ˚ଜନ ପ୍ରସ୍ତୁତିର ବାଗ ସେମାନେ ବାହାର କରିଥିଲେ।

କରୋନା ଭୂତାଣୁ ବାଦୁଡ଼ିରୁ ଆସିଛି କି ପା˚ଗୋଲିନ୍‌ରୁ ଆସିଛି କି ନାଗ ସାପରୁ ଆସିଛି, ଏହା ଠିକଣା ଭାବେ ଜଣାପଡୁନାହିଁ। କିନ୍ତୁ ବହୁ ଦେଶରେ ଉପର ବର୍ଣ୍ଣିତ ପ୍ରାଣୀମାନଙ୍କୁ ଯେ ଲୋକେ ସେମାନଙ୍କ ଭୋଜନ ଥାଳିରେ ଦେଖିବାକୁ ପସନ୍ଦ କରିବେ ନାହିଁ, ଏହା ସତ। କିନ୍ତୁ ଏହା ମଧୢ ସତ ଯେ ଅନେକ ସ୍ଥାନରେ ଏଭଳି ଆଗ୍ରହାତିଶଯ୍ୟ ବି ପ୍ରଦର୍ଶିତ ହେଉଛି, ଯେଉଁଠି ମଣିଷର ଜିହ୍ବା ସବୁ କିଛିର ସ୍ବାଦ ଚାଖିବାକୁ ପ୍ରସ୍ତୁତ। କିନ୍ତୁ, ଏ ପରିପ୍ରେକ୍ଷୀରେ ଚୈତନ୍ୟ ଉଦୟ ହେଉ ଯେ ମନୁଷ୍ୟ ସର୍ବଭୁକ୍‌ ନୁହେଁ।

ଚକ୍ରଗଡ଼, ନରସି˚ହପୁର, କଟକ
ଫୋନ୍‌ ନ˚:୯୮୬୧୧୨୧୧୯୪

ସମ୍ବନ୍ଧିତ ଖବର