ଡରିବା ନିହାତି ଦରକାର

ଢିଙ୍କିଶାଳରୁ ଢେଙ୍କାନାଳ - ସନ୍ଦୀପ ସାହୁ

ବିପର୍ଯ୍ୟୟ ସହ ଓଡ଼ିଶାର ସମ୍ପର୍କ ଦୀର୍ଘ ଓ ଅତ୍ୟନ୍ତ ନିବିଡ଼। ତେଣୁ ଓଡ଼ିଶାବାସୀଙ୍କୁ ବିପର୍ଯ୍ୟୟ କେବେ ଡରାଇ ପାରିନାହିଁ। ମହାବାତ୍ୟା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ରକୂଳିଆ ଲୋକଙ୍କୁ ପ୍ରଶାସନ ଯେତେବେଳେ ବାତ୍ୟା ଆସିବା ପୂର୍ବରୁ ନିରାପଦ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କଲା, ଲୋକେ- ବିଶେଷକରି ମତ୍ସ୍ୟଜୀବୀ ସମ୍ପ୍ରଦାୟ- ଏହାକୁ ଗୁରତ୍ବର ସହ ନେଲେନାହିଁ। କହିଲେ; “ଆମକୁ କଣ ବାତ୍ୟା ଦେଖାଉଛ? ଆମେ ପରା ୧୯୭୧ ବାତ୍ୟା ପାର କରିଛୁ ।” ଏ ଦମ୍ଭୋକ୍ତି ଓ ବେପରୁଆ ଭାବର ପରିଣାମ ହେଲା ଏଇଆ ଯେ ୧୦,୦୦୦ରୁ ଅଧିକ ଲୋକ ମଲେ, ତନ୍ମଧ୍ୟରୁ ୬,୦୦୦ରୁ ଅଧିକ କେବଳ ଜଗତସିଂହପୁର ଜିଲ୍ଲାରେ!

ଏବେ ଠିକ ସେହି ଭୁଲଟି ପୁଣି କରିବସୁଛୁ ଆମେ। ଏଥର ପୁଣି ବିପର୍ଯ୍ୟୟଟି ୧୯୯୯ ମହାବାତ୍ୟା ତୁଳନାରେ କାହିଁ କେତେ ଗୁଣ ଅଧିକ ଭୟଙ୍କର। ‘ଏନ କୋରୋନା’, COVID-୧୯’ ଓ ‘କୋରୋନା’, ଏହିପରି ବହୁ ନାମଧାରୀ ଯେଉଁ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁଟି ସମ୍ପ୍ରତି ଏକ ଅତିକାୟ, ରକ୍ତମୁଖା ଦାନବର ରୂପ ଧାରଣ କରି, ନିଜର ସର୍ବଗ୍ରାସୀ ଜିହ୍ବା ବିସ୍ତାର କରି, ବିଜୁଳିଠାରୁ କ୍ଷିପ୍ର ଗତିରେ ସମଗ୍ର ପୃଥିବୀକୁ ବ୍ୟାପି ଯାଉଛି ଓ ବିଶ୍ବବାସୀଙ୍କୁ ଥରହର କରୁଛି, ତା’ ତୁଳନାରେ ମହାବାତ୍ୟା କ୍ଷୁଦ୍ର ମନେ ହୁଏ। ଯେଉଁମାନେ ‘କୋରୋନା’ର ବିଶ୍ବବ୍ୟାପୀ ତାଣ୍ଡବଲୀଳା ସମ୍ପର୍କରେ ଜାଣିଛନ୍ତି, ସେମାନେ ବୁଝି ସାରିଥିବେ ଯେ ଏଭଳି ବିଶ୍ୱ ବିପର୍ଯ୍ୟୟ କେବଳ ଆମ ଜୀବନକାଳ ମଧ୍ୟରେ ନୁହେଁ, ବିଗତ ବେଶ କିଛି ଶତାବ୍ଦୀରେ ମଧ୍ୟ ଦେଖା ଯାଇନାହିଁ। ଯେଉଁମାନେ ଏ କଥା ଆହୁରି ବୁଝି ନାହାନ୍ତି, ସେମାନେ ଜାଣି ନାହାନ୍ତି ଯେ ନିଜ ଅଜ୍ଞତା ଯୋଗୁ ନିଜ ପାଇଁ, ନିଜ ପରିବାର, ଗ୍ରାମ/ସହର, ଜିଲ୍ଲା, ରାଜ୍ୟ, ଦେଶ ଓ ବୃହତ୍ତର ମାନବସମାଜ ପାଇଁ ସେମାନେ କି ଭୟଙ୍କର ବିପଦ ଡାକି ଆଣୁଛନ୍ତି। ତେଣୁ ଯେଉଁମାନେ ସଚେତନ ହୋଇସାରିଲେଣି ସେମାନଙ୍କର କର୍ତ୍ତବ୍ୟ ହେଲା ନିଜକୁ ସୁରକ୍ଷିତ ରଖିବା ସହ ନିଜ, ନିଜ ବାଟରେ ଏଭଳି ଲୋକଙ୍କୁ ସଚେତନ କରିବା। ଅତୀତରେ ସବୁ ବିପର୍ଯ୍ୟୟ ବେଳେ ସରକାର ଲୋକଙ୍କୁ କହି ଆସିଛନ୍ତି “ଭୟଭୀତ ହୁଅନ୍ତୁ ନାହିଁ। ସତର୍କ ରୁହନ୍ତୁ”। କୋରୋନା କ୍ଷେତ୍ରରେ ମଧ୍ୟ ତାହା ହିଁ କହୁଛନ୍ତି। କିନ୍ତୁ ଏ ବିପର୍ଯ୍ୟୟ ଏତେ ମାରାତ୍ମକ ଓ ଏହାର ସମ୍ଭାବ୍ୟ ପରିଣତି ଏତେ ସୁଦୂରପ୍ରସାରୀ ଯେ ପ୍ରଥମ ଥର ପାଇଁ ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ରାମଗୋପାଲ ବର୍ମାଙ୍କ ଚଳଚିତ୍ରର ଶୀର୍ଷକକୁ ଉଦ୍ଧାର କରି କହିବା ଦରକାର ଯେ ‘ଡରନା ଜରୁରି ହୈ’ ବା ଆପଣମାନେ ଡରିବା ଜରୁରି ।

ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନ କରି ଦେଇଥିବା ନିଜ ଅଭିଭାଷଣରେ ସେହିଦିନ ମଧ୍ୟରାତ୍ରିରୁ ଆରମ୍ଭ କରି ପରବର୍ତ୍ତୀ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ଲକ୍‍ଡାଉନ୍’ (ତାଲାବନ୍ଦ) ଘୋଷଣା କରିବା ସହିତ ଯୋଡ଼ହସ୍ତରେ ଦେଶବାସୀଙ୍କୁ ଏହି ସମୟ ମଧ୍ୟରେ ନିଜ ଘରର ଲକ୍ଷ୍ମଣରେଖା ନ ଡେଇଁବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ରାଣ, ନିୟମ ପକାଇ ସମାନ ଅନୁରୋଧ କରିଛନ୍ତି। ସମଗ୍ର ଦେଶରେ ‘ଲକ୍‍ଡାଉନ୍’ ଘୋଷଣା ହେବାର ଦିନକ ପୂର୍ବରୁ ରାଜ୍ୟ ସରକାର ସମଗ୍ର ଓଡ଼ିଶାରେ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ‘ଲକ୍‍ଡାଉନ୍’ ଘୋଷଣା କରିସାରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଏ ସର୍ବଗିଳା ଭୂତାଣୁର ଅମାପ ବିଧ୍ବଂସକାରୀ କ୍ଷମତା ବିଷୟରେ ରାଜ୍ୟବାସୀ ସଚେତନ ହୋଇଥିବା ପରି ମନେ ହେଉନାହିଁ। ରାଜ୍ୟବ୍ୟାପୀ ‘ଲକ୍‍ଡାଉନ୍’ର ଦୁଇ, ତିନି ଦିନ ପରେ ମଧ୍ୟ, ଅହରହ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଘରୁ ଗୋଡ଼ ନ କାଢିବା ପାଇଁ ଅନୁରୋଧ କରାଯିବା ସତ୍ତ୍ବେ ଟେଲିଭିଜନ ପରଦାରେ (ଖବରକାଗଜ ପ୍ରକାଶନ ଆଗରୁ ବନ୍ଦ ହୋଇସାରିଛି) ରାଜ୍ୟର ବିଭିନ୍ନ ଅଞ୍ଚଳରେ ‘ଲକ୍‍ଡାଉନ୍’ ପାଳନର ଯେଉଁ ସାମଗ୍ରିକ ଚିତ୍ର ସାମନାକୁ ଆସୁଛି, ତାହା ଅତ୍ୟନ୍ତ ଉଦ୍‍ବେଗଜନକ। କିଛି ସ୍ଥାନରେ ଯେଭଳି ସ୍ୱାଭାବିକପ୍ରାୟ ଜୀବନଯାତ୍ରା ଦେଖିବାକୁ ମିଳୁଛି, ସେଥିରୁ ସ୍ପଷ୍ଟ ଯେ ଲୋକେ ଏ ପର୍ଯ୍ୟନ୍ତ ‘କୋରୋନା’ର ବିନାଶକାରୀ ପ୍ରଭାବ ସମ୍ପର୍କରେ ଆଦୌ ସଚେତନ ନୁହନ୍ତି। କହିବା ବାହୁଲ୍ୟ ଏହା ଆମ ପାଇଁ ଓ ରାଜ୍ୟ/ଦେଶ ପାଇଁ ଘାତକ ସିଦ୍ଧ ହୋଇପାରେ।

ଅଜ୍ଞତା ଓ ସଚେତନତାର ଅଭାବରୁ ଜନ୍ମ ନେଉଛି ଅହେତୁକ ଭୟ। ‘କୋରୋନା’କୁ ଭୟ କରିବା ବଦଳରେ ଲୋକେ କାଳେ ସେମାନଙ୍କୁ ଏ ବ୍ୟାଧି ଗ୍ରାସ କରିଥିବ, ଏ ଆଶଙ୍କାରେ ଅଧିକ ଭୟଭୀତ ହୋଇ ପଡ଼ୁଛନ୍ତି ଓ ନିଜ ଅଜାଣତରେ ନିଜ ଓ ଅନ୍ୟମାନଙ୍କ ଜୀବନ ପାଇଁ ବିପଦ ଡାକି ଆଣୁଛନ୍ତି। ଅଭିଯୋଗ ହୋଇଥାଏ ଯେ ବିଦେଶ ଫେରନ୍ତା ଜଣେ ଯୁବକ କୁଆଡ଼େ ‘ଧରା ପଡ଼ିଯିବା’ ଭୟରେ ଦିଲ୍ଲୀରୁ ବିମାନରେ ନ ଆସି ଟ୍ରେନ ଯୋଗେ ଭୁବନେଶ୍ୱର ଫେରିଲେ ଓ କିଛି ଦିନ ପରେ ତାଙ୍କ ରକ୍ତ ଓ ସ୍ବାବ୍ ନମୂନା ପରୀକ୍ଷା ପରେ ସେ ‘କୋରୋନା’ରେ ପୀଡ଼ିତ ବୋଲି ଜଣାପଡ଼ିଲା। ତାପରେ ଆରମ୍ଭ ହେଲା ସେହି ୧୨୯ ଜଣ ଲୋକଙ୍କର ସନ୍ଧାନ, ଯେଉଁମାନେ ଦିଲ୍ଲୀରୁ ଟ୍ରେନରେ ଆସିଲାବେଳେ ଓ ପରବର୍ତ୍ତୀ ସମୟରେ ଦୁଇ ଦିନର ଭୁବନେଶ୍ୱର ରହଣି କାଳରେ ସମ୍ପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଚିନ୍ତା କରନ୍ତୁ କେତେ ଦୁରୂହ, ଅୟସସାଧ୍ୟ ଓ ସମୟସାପେକ୍ଷ ହୋଇଥିବ ଏ ସନ୍ଧାନ!

ତେଣୁ ସମସ୍ତେ ଭଲଭାବେ ଜାଣିବା ଦରକାର ଯେ ପ୍ରକୃତରେ କେତେବେଳେ ଓ କାହାକୁ ଭୟ କରାଯିବା ଉଚିତ ଓ କାହାକୁ ନୁହେଁ। ଏ ସମୟ ‘ଧରା ପଡ଼ିଯିବା’ ଭୟରେ ଲୁଚିବାର ନୁହେଁ, ବରଂ ସର୍ଦ୍ଦି, କାଶ, ଛିଙ୍କ ଆଦି ଲକ୍ଷଣ ଦେଖାଯିବା ମାତ୍ରେ ସ୍ବେଚ୍ଛାରେ ଡାକ୍ତରଖାନାରେ ଭର୍ତ୍ତି ହେବାର। ‘ଧରା ପଡ଼ିବା’କୁ ନୁହେଁ, ବରଂ ‘କୋରୋନା’କୁ ଭୟ କରିବାର ସମୟ। ‘ଧରା ପଡ଼ିବାକୁ’ ନିଜ ଆଡ଼ୁ ଆଗଭର ହେବାର ସମୟ।

ଏ ଘଟଣାର ଅବତାରଣା କରିବାର ଉଦ୍ଦେଶ୍ୟ ହେଲା ଦୁଇଟି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା: (୧) ଅଜ୍ଞତା ଓ ଅହେତୁକ ଭୟର ମିଶ୍ରଣ ଆକ୍ରାନ୍ତ ବ୍ୟକ୍ତି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ କିପରି ଭୟଙ୍କର ବିପଦ ସୃଷ୍ଟି କରିପାରେ ଓ (୨) ଠିକଣା ସମୟରେ ଚିକିତ୍ସା ହେଲେ ‘କୋରୋନା’ ପରି ଭୟଙ୍କର ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ମଧ୍ୟ ଜଣେ ଆରୋଗ୍ୟ ହୋଇପାରେ। ସମସ୍ତେ ଜାଣି ରଖିବା ଦରକାର ଯେ ଏଯାବତ ସମଗ୍ର ବିଶ୍ବରେ ଯେତେଜଣ ‘କୋରୋନା’ ଆକ୍ରାନ୍ତ ଚିହ୍ନଟ ହେଲେଣି, ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଲୋକ ଭଲ ହୋଇଯାଉଛନ୍ତି। ଆମ ଭାରତରେ ମଧ୍ୟ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୯୭୯ରୁ ଊର୍ଦ୍ଧ୍ବ ଲୋକଙ୍କ ମଧ୍ୟରୁ ୮୬ ଜଣ ଭଲ ହୋଇ ଘରକୁ ଗଲେଣି ଓ ଏକଥା ନିଃସନ୍ଦେହରେ କୁହା ଯାଇପାରେ ଯେ ସମ୍ପ୍ରତି ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ସୁସ୍ଥ ହୋଇଯିବେ। ତେଣୁ ଲୋକଙ୍କ ମଧ୍ୟରେ ଏ ଧାରଣା ଅବିଳମ୍ବେ ଦୂର ହେବା ଦରକାର ଯେ ‘କୋରୋନା’ରେ ଥରେ ଆକ୍ରାନ୍ତ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। କିନ୍ତୁ ଏଥିପାଇଁ ଏ ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତି ନିଜ ଆଡ଼ୁ ଡାକ୍ତରଖାନା ପହଞ୍ଚିବା ଓ ଚିକିତ୍ସିତ ହେବା ଅତି ଗୁରୁତ୍ବପୂର୍ଣ୍ଣ। ଲୁଚିଲେ ବା ଡାକ୍ତରଖାନା ପହଞ୍ଚିବାରେ ବିଳମ୍ବ କଲେ ହିଁ ମୃତ୍ୟୁ ଅବଶ୍ୟମ୍ଭାବୀ, ଅନ୍ୟଥା ନୁହେଁ।

ପରମ ଆଶ୍ବସ୍ତିର ବିଷୟଟି ହେଉଛି ‘କୋରୋନା’ର ସମସ୍ତ ବିନାଶକାରୀ ସମ୍ଭାବନା ସତ୍ତ୍ୱେ ଏହା କବଳରୁ ନିଜକୁ ରକ୍ଷା କରିବା ପ୍ରକୃତରେ ଖୁବ ସହଜ କାରଣ ଏହା ପବନରେ ନୁହେଁ, କେବଳ ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ବା ସେ ବ୍ୟବହାର କରିଥିବା ସ୍ଥାନ ଓ ଦ୍ରବ୍ୟ ବ୍ୟବହାର ଜରିଆରେ ହିଁ ଅନ୍ୟକୁ ସଂକ୍ରମିତ କରେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ନିବେଦନକୁ ସମ୍ମାନ ଜଣାଇ ଓଡିଶା ସମେତ ଦେଶର ସମସ୍ତ ୧୩୦ କୋଟି ଜନତା ଯଦି ପ୍ରକୃତରେ ୨୧ ଦିନ ପାଇଁ ନିଜକୁ ଗୃହବନ୍ଦୀ କରି ରଖନ୍ତି, ତେବେ ‘କୋରୋନା’ ଭାରତର ବିଶେଷ କ୍ଷତି ନ କରି ଶେଷରେ ବିଫଳ ମନୋରଥ ହୋଇ ବିଦାୟ ନେବାକୁ ବାଧ୍ୟ ହେବ। କିନ୍ତୁ ଯେହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭୂତିରୁ ଏହା ସମ୍ଭବ ହେଲାଭଳି ମନେ ହେଉନାହିଁ, ତେଣୁ କେତୋଟି ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ। ‘ଲକ୍‍ଡାଉନ୍’ କାଳ ମଧ୍ୟରେ ଅପରିହାର୍ଯ୍ୟ ନ ହେଲେ ଘରକୁ ବାହାରନ୍ତୁ ନାହିଁ। ଛୋଟମୋଟ ଅସୁବିଧା ହେଲେ ମଧ୍ୟ ଚଳାଇ ନେବାକୁ ଚେଷ୍ଟା କରନ୍ତୁ। ଏହା ସତ୍ତ୍ୱେ କୌଣସି ଜରୁରୀ କାରଣରୁ ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯଦି ବାହାରକୁ ଯିବାକୁ ପଡ଼େ, ତେବେ କେତୋଟି ଅତି ଗୁରୁତ୍ବପୂର୍ଣ୍ଣ ସତର୍କତା ନିଶ୍ଚୟ ଅବଲମ୍ବନ କରନ୍ତୁ। ସେଥିମଧ୍ୟରୁ ଗୁରୁତ୍ବପୂର୍ଣ୍ଣ କେତୋଟି ହେଲା ସବୁ ସମୟରେ ଅନ୍ୟଠାରୁ ‘ସାମାଜିକ ଦୂରତ୍ବ’ (ଏକ ମିଟର) ବଜାୟ ରଖନ୍ତୁ; ଦିନକୁ ୧୦-୧୫ ଥର ସାବୁନ ଲଗାଇ ଦୁଇ ହାତକୁ ଧୁଅନ୍ତୁ; ଭିଡ଼ କରନ୍ତୁ ନାହିଁ କି ଭିଡ଼କୁ ଯାଆନ୍ତୁ ନାହିଁ; ସର୍ଦ୍ଦି, କାଶର ଲକ୍ଷଣ ଦେଖିବା ମାତ୍ରେ ସ୍ବେଚ୍ଛାରେ ଡାକ୍ତରଖାନା ଯାଆନ୍ତୁ; ନିକଟରେ ବିଦେଶରୁ ଆସିଥିଲେ ନିଜର ପଞ୍ଜୀକରଣ କରନ୍ତୁ ଓ ସଙ୍ଗରୋଧରେ ରୁହନ୍ତୁ, ଇତ୍ୟାଦି।

ସରକାର ଗଣମାଧ୍ୟମ ଜରିଆରେ ଅହରହ ଲୋକଙ୍କୁ ଜଣାଉଛନ୍ତି ‘କୋରୋନା’ରୁ ବଞ୍ଚାଇ ରଖିବାକୁ ହେଲେ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଜରୁରୀ। ମନେରଖନ୍ତୁ ଏ ବିଷୟରେ କେବଳ ସରକାରଙ୍କୁ ବିଶ୍ବାସ କରନ୍ତୁ, ଆଉ କାହାକୁ ନୁହେଁ। ସାମାଜିକ ଗଣମାଧ୍ୟମ– ବିଶେଷକରି WhatsApp – ଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ନ କରିପାରିଲେ ଅନ୍ତତଃ ଏତିକି ନିଶ୍ଚୟ କରନ୍ତୁ ଯେ ଏଥିରେ ଆସୁଥିବା ତଥ୍ୟ, ସତର୍କତା ଉପଦେଶ, ‘ସହଜ ଚିକିତ୍ସା’ର ଉପାୟ ଆଦିକୁ ଆଦୌ ବିଶ୍ବାସ କରନ୍ତୁ ନାହିଁ। କେବଳ ନିଜ ସରକାରଙ୍କୁ (ଉଭୟ ଦେଶ ଓ ରାଜ୍ୟ) ବିଶ୍ବାସ କରନ୍ତୁ।

ଏତକ ସତର୍କତା ସବୁ ସମୟରେ ଅବଲମ୍ବନ କଲେ ‘କୋରୋନା’ ଦ୍ବାରା ଆତଙ୍କିତ ହେବାର ଆଉ କୌଣସି କାରଣ ନାହିଁ। ଏତକ କରିପାରିଲେ ‘କୋରୋନା’ ‘ମହାଦାନବ’ ବିରୁଦ୍ଧରେ ଚାଲିଥିବା ‘ମହାଭାରତ’ ଯୁଦ୍ଧରେ ଆମର ବିଜୟ ସୁନିଶ୍ଚିତ ।

ସି/୨, ଲିଙ୍ଗରାଜ ବିହାର,
ଭୁବନେଶ୍ବର – ୨୦
ମୋ: ୯୯୩୭୨୨୮୧୨୨

ସମ୍ବନ୍ଧିତ ଖବର