ବୃହସ୍ପତି ଚଳନ ଓ ପୁଅ ବାହାଘର

ବିଜୟାନନ୍ଦ ପଟ୍ଟନାୟକ

ପୁଅ ବାହାଘର ଆଉ ମାତ୍ର ଛଅଦିନ ଥାଏ। ମହାପାତ୍ର ବାବୁଙ୍କ ଘରେ ଖୁସିର ମାହୋଲ, ମୁମ୍ବାଇରେ ଏକ ପ୍ରତିଷ୍ଠିତ କମ୍ପାନିରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ମହାପାତ୍ରବାବୁ ଭୁବନେଶ୍ବରରେ ଥିବା ନିଜ ଘରେ ପୁଅର ବାହାଘର କରିବେ, ସେଥିପାଇଁ ଆଗରୁ ଆସି ହୋଟେଲ ବୁକିଂ, ଗାଡ଼ି ବାଲା, ବାଜାବାଲା, ବାଣ ବାଲା, ଫୁଲ ସଜା ବାଲାଙ୍କୁ ଡାକି ଆଡଭାନ୍‌ସ ଦେବାରେ ଲାଗିପଡ଼ିଥାନ୍ତି। ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ତିଆର ନୂଆଦିଲ୍ଲୀର ଏକ ଶାଖାରେ ବ୍ୟାଙ୍କ ପିଓ ଭାବେ କାର୍ଯ୍ୟ କରୁଥିବା ଏକମାତ୍ର ପୁଅର ବାହାଘର ଖୁବ୍‌ ଧୁମ୍‌ଧାମରେ କରିବେ, ୨ ମାସ ତଳୁ ନିର୍ବନ୍ଧ ଏବ˚ ରିଙ୍ଗ ସେରିମନି ସରିଯାଇଛି। ଦୂରରେ ରହୁଥିବା ଯୋଗୁଁ ନିର୍ବନ୍ଧର ଦାୟିତ୍ବ ଝିଅ ଘର ସବୁ ବୁଝାସୁଝା କରିଥିଲେ। ଅନ୍‌ ଲାଇନ୍‌ରେ ପୁଅ ଝିଅଙ୍କର ଫଟୋ ଓ ବାୟୋଡାଟା ଦେଖି ଉଭୟ ପକ୍ଷ ବିନା ମଧୢସ୍ଥିରେ ବାହାଘର ସ୍ଥିର କରିଥିଲେ, ରିଙ୍ଗ ସେରିମନିରେ ଝିଅଘର ପୁଅକୁ ଲକ୍ଷେ ଟଙ୍କିଆ ହୀରା ମୁଦି ଦେଇଥିଲେ।

ସେ ଦିନ ସକାଳୁ ସକାଳୁ ଭାବି ସମୁଦୀଙ୍କର ଫୋନ୍‌ଟା ପାଇ ଖୁସି ହୋଇ ଫୋନ୍‌ଟା ଉଠାନ୍ତେ ଆଗରୁ ସମୁଦୀ ସମ୍ବୋଧନ କରୁଥିବା କନ୍ୟା ପିତା କହିଲେ- ଆଜ୍ଞା ନମସ୍କାର; ବାହାଘରଟା ଆଉ ହୋଇପାରିବନି।

ଆକାଶରୁ ଖସି ପଡ଼ି ମହାପାତ୍ରବାବୁ ପଚାରିଲେ- ହେଲେ, କାରଣ?

ଭାବି ସମୁଦୀ କହିଲେ- ଗତକାଲି ଜଣେ ଭଲ ଜ୍ୟୋତିଷଙ୍କ ସହିତ ଦେଖା ହେଲା। ତାଙ୍କୁ ମୁଁ ଘରକୁ ଡାକି ଆପଣଙ୍କ ପୁଅ ଏବ˚ ମୋ ଝିଅର ଟିପଣାଟା ଦେଖାଇବାରେ ସେ କହିଲେ ନର-ରାକ୍ଷସ ପଡ଼ୁଛି, ଏ ବାହାଘରରେ ମଙ୍ଗଳ ହେବ ନାହିଁ, ତେଣୁ ଆମେ ଆଉ ଆଗେଇବା ନାହିଁ। ଆପଣ ପୁଅ ପାଇଁ ଅନ୍ୟ ଆଡ଼େ ପ୍ରସ୍ତାବ ଦେଖନ୍ତୁ, ମୁଁ ମଧୢ ଝିଅ ପାଇଁ ଦେଖୁଛି।

ଏକଥା ଶୁଣି ମହାପାତ୍ରବାବୁଙ୍କ ମୁଣ୍ତରେ ଚଡ଼କ ପଡ଼ିଲା। ଆଗକୁ ଆଉ ମାତ୍ର ଛଅଦିନ। ବଡ଼ିଜାଇ ଅନୁକୂଳ ସରିଛି, କାର୍ଡ ସବୁ ବଣ୍ଟା ସରିଲାଣି, ବମ୍ବେ, ଦିଲ୍ଲୀର ସମସ୍ତ ଜଣାଶୁଣାଙ୍କ ସହିତ ବନ୍ଧୁବାନ୍ଧବଙ୍କୁ କାର୍ଡ ଦିଆସରିଛି। ଏବେ କ’ଣ କରିବେ? ପତ୍ନୀଙ୍କୁ ଜଣାଇବାରୁ, ପତ୍ନୀ କହିଲେ ସମୁଦୀ ପରା କହୁଥିଲେ ତାଙ୍କ ଗାଁ ଜ୍ୟୋତିଷ କହିଥିଲେ ଯେ ପୁଅ ଝିଅଙ୍କର ଏକ ରାଶି ଭିନ୍ନ ନକ୍ଷତ୍ର। ତେଣୁ ରାଜଯୋଟକ ପଡ଼ୁଛି, ମେଳକରେ ଅନ୍ୟ କିଛି ଦୋଷାଦୋଷ ଧରାଯିବ ନାହିଁ! ସେଥିପାଇଁ ତ ଆମେ ଏ ବାହାଘରରେ ଆଗେଇଲେ। ଆଜି ପୁଣି ଏକଥା କେମିତି କହୁଛନ୍ତି? ପତ୍ନୀଙ୍କଠୁ ଏ କଥା ଶୁଣି ମହାପାତ୍ରବାବୁ ବିରକ୍ତ ଭାବ ପ୍ରକାଶ କରି କହିଲେ – ସିଏ ତ ମନା କରୁଛନ୍ତି ମୁଁ କ’ଣ ଜବରଦସ୍ତ କରି ତାଙ୍କ ଝିଅଟାକୁ ଆଣି ମୋ ପୁଅ ସହିତ ବାହାଘର କରିଦେବି?

କଥାଟା ସଙ୍ଗେ ସଙ୍ଗେ ବନ୍ଧୁବାନ୍ଧବଙ୍କର କାନକୁ ଗଲା। ପାଖରେ ଥିବା ବନ୍ଧୁବାନ୍ଧବ ଘରେ ଆସି ଭିଡ଼ ଜମାଇଲେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାରଣଟା କ’ଣ ହୋଇପାରେ? ତେବେ ମହାପାତ୍ରବାବୁ ପୁଅକୁ ବାହାଘର ଆଉ ହେବ ନାହିଁ ବୋଲି କହିବା ସହିତ କାର୍ଡ ବଣ୍ଟା ଯାଇଥିବା ବନ୍ଧୁଙ୍କୁ ସୂଚନା ଦେବାରେ ଲାଗିପଡ଼ିଲେ।

ଝିଅ ଘର ରହୁଥିବା ପାଖ କଲୋନିରେ ମହାପାତ୍ରବାବୁଙ୍କ ଦୂର ସଂପର୍କୀୟ ଭଉଣୀ ରହୁଥାନ୍ତି। ସିଏ ଝିଅ ଘର ଉପରେ ନଜର ରଖୁଥାନ୍ତି। ଧାର୍ଯ୍ୟ ଦିନ ବାହାଘର କରିବା ପାଇଁ ଝିଅର ବାପା-ମା’ ଲାଗିପଡ଼ିଥାନ୍ତି। ଝିଅଘର ଦୁଆରେ ଟେଣ୍ଟ ଟଣା ହେଲା, ଆସ୍ତେ ଆସ୍ତେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଲା। ବାହାଘର ଦିନ ଭୋଜିଭାତର ବି ଆୟୋଜନ ହେଲା। ଝିଅଘରକୁ ଆସିଥିବା ଝିଅର ସାଙ୍ଗ ସହିତ ମହାପାତ୍ରବାବୁଙ୍କ ଭଉଣୀ (ନିଜ ପରିଚୟ ନ ଦେଇ) କଥା ହେବାରୁ ଜଣାପଡ଼ିଲା ଯେ ଝିଅ ତାର ଜଣେ ସାଙ୍ଗକୁ ଭଲ ପାଉଥିଲା। ଏଥିରେ ତାର ବାପା ମା’ଙ୍କର ସମ୍ମତି ନ ଥିଲା। ତେଣୁ ସେମାନେ ଝିଅର ଇଚ୍ଛା ବିରୋଧରେ ଯାଇ ତାର ମନ ଜିଣିବାକୁ ଗୋଟେ ଭଲ ପ୍ରସ୍ତାବ ଦେଖି ବାହାଘର ସ୍ଥିର କରି ନିର୍ବନ୍ଧ କରାଇ ଦେଲେ। କିନ୍ତୁ ଝିଅ ନିର୍ବନ୍ଧର ପରଦିନ ମାର୍କେଟ ଯିବା ବାହାନାରେ ଯାଇ ପ୍ରେମିକ ସହିତ କୋର୍ଟରେ ରେଜେଷ୍ଟ୍ରି ମ୍ୟାରେଜ କରି ଦେଇଥିଲା। କିଛିଦିନ ପରେ ଘରକୁ କୋର୍ଟର ନୋଟିସ୍‌ ଆସିଲା ପରେ ପରିବାର ଲୋକ ସବୁକିଛି ଜାଣିଲେ ଏବ˚ ବାଧୢ ହୋଇ ନିର୍ବନ୍ଧ କରିଥିବା ପୁଅ ସହିତ ବାହାଘର ଭାଙ୍ଗି ଝିଅର ପ୍ରେମିକ ସହିତ ସେହି ଏକା ତିଥିରେ ବାହାଘର କରୁଛନ୍ତି।

ଏ ସମସ୍ତ କଥା ଭଉଣୀଠାରୁ ଶୁଣିସାରି ପୁଅ ପାଇଁ ଅନ୍ୟତ୍ର ବାହାଘର ଖୋଜିବାରେ ବ୍ୟସ୍ତ ଥିବା ମହାପାତ୍ରବାବୁ ପତ୍ନୀଙ୍କ ପରାମର୍ଶରେ ଏକ ପ୍ରତିଷ୍ଠିତ ଜ୍ୟୋତିଷଙ୍କ ପାଖକୁ ଗଲେ। ଜ୍ୟୋତିଷ ପୁଅର ଜାତକ ଦେଖି କହିଲେ ଏବେ ପୁଅର ବୃହସ୍ପତି ଶୁଦ୍ଧି ନାହିଁ; ମାର୍ଚ୍ଚ ୩୦ ତାରିଖ ଦିନ ବୃହସ୍ପତି ମକର ରାଶିକୁ ଚଳନ କଲେ ବୃହସ୍ପତି ଶୁଦ୍ଧି ହେବ। ତା ପରେ ଯାଇ ପୁଅର ବାହାଘର ହେବ।

ଜ୍ୟୋତିଷଙ୍କ ଠାରୁ ଏପରି ନିରାଶବାଣୀ ଶୁଣି ଦେଢ଼ମାସ ଛୁଟି ନେଇଥିବା ମହାପାତ୍ରବାବୁ ଛୁଟି କ୍ୟାନ୍‌ସେଲ କରି ଚାକିରିରେ ଯୋଗ ଦେବାକୁ ବମ୍ବେ ବାହାରିଲେ। ଅଫିସରେ ପହଞ୍ଚିଲା ବେଳକୁ ସହକର୍ମୀମାନେ କଥା ହେଉଥିଲେ ଆଜିକାଲି ‘ଆରେଞ୍ଜ୍‌ଡ ମ୍ୟାରେଜ୍‌’ରେ ଅଧିକା˚ଶ ଘଟଣା ଏଭଳି ହେଉଛି। ତେଣୁ ପୁଅ ଝିଅ ନିଜେ ଯେଉଁଠି ଠିକ୍‌ଠାକ୍‌ କରୁଛନ୍ତି, ବାପା-ମା’ମାନେ ସେଥିରେ ସମ୍ମତି ପ୍ରଦାନ କରିବାଟା ଭଲ। ଏହି ସମୟରେ ହାତରୁ ବ୍ୟାଗ୍‌ଟା ନେଉ ନେଉ ଅଫିସ ପିଅନ ନଟ କହୁଥିଲା ସାର‌୍‌, ଯାହା ହୋଇଛି ଭଲ ହୋଇଛି। ଝିଅଟା ଆଗରୁ ବାହା ହୋଇଯାଇଛି; ଯଦି ବାହାଘର ପରେ ଆପଣଙ୍କ ଘରକୁ ଆସି ପଳାଇଥାନ୍ତା, ତେବେ ବେଶି ଅସୁବିଧା ହୋଇଥାନ୍ତା। ଚୌକି ଉପରେ ବସି ମହାପାତ୍ରବାବୁ ଭାବୁଥାନ୍ତି- ନଟ ଯାହା କହିଛି ତାହା ଠିକ୍‌।

ମୋ- ୯୮୬୧୨୬୯୯୬୫

ସମ୍ବନ୍ଧିତ ଖବର