ସଙ୍ଗୀତ ସୁଧାକର

ଅଜୟ ସ୍ବାଇଁ

ବାଳକୃଷ୍ଣ ଦାଶ, ଓଡ଼ିଶା ସଙ୍ଗୀତ ଜଗତର ଅପ୍ରତିଦ୍ବନ୍ଦ୍ବୀ ସୁରକାର ଏବଂ ଗାୟକଙ୍କୁ କିଏ ନ ଜାଣେ? ସେ ବଞ୍ଚିଥିଲେ ଆଜି ତାଙ୍କୁ ୯୭ ବର୍ଷ ହୋଇଥାନ୍ତା। ଗନ୍ଧର୍ବମାନଙ୍କ ମୃତ୍ୟୁ ନାହିଁ, ଅଧା ଆକାଶ ଓ ଅଧା ପୃଥିବୀର ଅଧା ସ୍ବର୍ଗରେ ସେମାନେ ରହନ୍ତି। ସେଥିପାଇଁ ବୋଧେ ତାଙ୍କ ସଙ୍ଗୀତ ପାଇଁ ମଣିଷ ଓ ଦେବତାମାନେ ପାଗଳ। ଏବେ ବି ଇଥରରେ ପହଁରୁଛ ବାଳକୃଷ୍ଣଙ୍କର ସ୍ବର ‘କଦାଚିତ୍‌ କାଳିନ୍ଦୀ ତଟ ବିପିନେ… କି ବସି କାନ୍ଦୁଥିବ ମାନିନୀ….। ଓଡ଼ିଆ ଗୀତକୁ ଛେଉଣ୍ତ କରି ସେ ଏବେ ମଝି ସ୍ବର୍ଗରେ। ଆମେ ତାଙ୍କୁ ଆବାହନ କରୁଛୁ: ହେ ସଙ୍ଗୀତର ଗୋସାଇଁ.. ଆଉ ଥରେ ଆମ ମର୍ତ୍ତ୍ୟକୁ ଆସ, ଆଉ ଥରେ ଅବତାର ଗ୍ରହଣ କର। ତୁମର ଅଧୁରା ଗୀତର ମୁଖ୍‌ଡ଼ା ସବୁକୁ ପୁଣିି ଜୀବନ୍ୟାସ ଦିଅ। ତୁମ କଣ୍ଠର ଯାଦୁରେ ଦୁନିଆଁ ପୁଲକିତ ହେଉ।

ଗୋଟେ ଜହ୍ନରାତିରେ, ଦେଖା ହେଇଥିଲା ସାର‌୍‌ଙ୍କ ସହ। ଚାରିନମ୍ବର ମାର୍କେଟ୍‌ ପଛପଟ ଆଜବେଷ୍ଟସ ଘରେ। ସେ ମତେ ପାଠ କି ଗୀତ କିଛି ପଢ଼େଇ ନାହାନ୍ତି, ମୁଁ ତାଙ୍କୁ ସାର‌୍‌ ଡାକେ। ଆମ ଆଡ଼ ଲୋକ, ବାଳକାଟୀ, ପ୍ରତାପଶାସନର ବ୍ରାହ୍ମଣ। ମୁଁ ସେତେବେଳେ ପ୍ରତାପଶାସନ ମହାବିଦ୍ୟାଳୟର ଅଧୢାପକ। ଯଦିଓ ଆମର ସମ୍ପର୍କ ସେଆଡୁ ନୁହେଁ। ସଙ୍ଗୀତ ଆଡ଼ୁ। ମୁଁ କୋଉ ଗାୟକ କି ବାୟକ ନୁହେଁ। ବାଳକୃଷ୍ଣଙ୍କ ସଙ୍ଗୀତର ଜଣେ ସାମାନ୍ୟ ଶ୍ରୋତା। ସେଦିନ ଆମେ ଯାଇଥିଲୁ, ସାର‌୍‌ଙ୍କର ଗୋଟେ ସାକ୍ଷାତ୍‌କାର ନେବା ପାଇଁ ‘ନବଦିଗନ୍ତ’ ପତ୍ରିକା ପାଇଁ, ସେତେବେଳକୁ ତାଙ୍କର ସେଇ ଦୀପ୍ତ ଉଜ୍ଜ୍ବଳ ଚେହେରା, ଗହୀର ଆଖି ନାହିଁ। ପକ୍ଷାଘାତରେ ଦେହ ଅଚଳ। କଥା ବି ଠିକ୍‌ରେ କହି ପାରୁ ନ ଥିଲେ। ତଥାପି ଗୋଟେ ହ୍ବିଲ୍‌ ଚେୟାର‌୍‌ରେ ବସେଇ ଆମ ସାମ୍ନାକୁ ଆସିଲେ। ଧଳା ଫିନ୍‌ ଫିନ୍‌ ଧୋତି, ଖଇରିଆ ରଙ୍ଗର ପଞ୍ଜାବି, ବେକରେ ଟାଲକମ୍‌ ପାଉଡ଼ର ଓ ଅତରର ବାସ୍ନା ସହ। ସେମିତି ବାସ୍ନା, ଆଜିଯାଏ ମୋ ନାକରେ ବାଜିନି। (ସେ କୋଉ ଅତରର ବାସ୍ନା ନୁହେଁ, ଯଦି ସଙ୍ଗୀତର କିଛି ବାସ୍ନା ଥାନ୍ତା’ ତା’ହେଲେ ଏମିତି ବାସନ୍ତା ପରା) ଆମ ପ୍ରଶ୍ନର ସେ ଉତ୍ତର ଦେଲେ ଖନେଇ ଖନେଇ, ତାଙ୍କର ଶେଷ ଧାଡ଼ି ଥିଲା: ସମସ୍ତଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ। ସଙ୍ଗୀତରେ ରଖନ୍ତୁ। ତା’ପରେ ସାର‌୍‌ଙ୍କ ସହ ମୋର ଆଉ ଦେଖା ହେଇନି, ସମସ୍ତେ ଭଲରେ ରହନ୍ତୁ, ହେଲେ ସଙ୍ଗୀତରେ? ମଣିଷଟିଏ ଭଲ ରହିବାକୁ ହେଲେ ସଙ୍ଗୀତ ସେଥିପାଇଁ ନିହାତି ଜରୁରୀ କି? ଏ କଥାଟି ବାଳକୃଷ୍ଣ ସାର‌୍‌ ଜାଣିଥିଲେ। କାରଣ, ସେ ଗୀତ ଗାଇବା ବେଳେ, ତାଙ୍କୁ କାଳେ ଗୀତ ଦିଶେ; ଗୀତକୁ ଦେଖି ଗାଇବା ଓ ସ୍ବର କରିବାର କଳା, ଏକମାତ୍ର ତାଙ୍କୁ ଜଣାଥିଲା।

କୁଳୀନ ବ୍ରାହ୍ମଣ ପରିବାରର ପିଲା ହୋଇ ସେ ପୂଜାଧ୍ବଜା କରୁଥିଲେ। ରୋଷେଇ କରୁଥିଲେ। ପ୍ରେମଚାନ୍ଦ ବରାଳ ଷ୍ଟ୍ରିଟ୍‌ରେ ରୋଷେୟା ବି ଥିଲେ। ସେଇଠି ଥିବାବେଳେ ଗୋଟେ ଅଧେ ବଙ୍ଗଳା ସିନେମାରେ ଛୋଟମୋଟ ଅଭିନୟ ବି କରିଥିଲେ। ତାଙ୍କ ଗୁରୁଙ୍କ ସହ ଷ୍ଟୁଡିଓ ଗଲାବେଳେ, ସେ ଗୀତ ବି ପଦେ ଅଧେ ଗାଉଥିଲେ। ଆସରରେ ବି ତାଙ୍କର ସୁଲଳିତ ସ୍ବରରେ ସମସ୍ତେ ମୁଗ୍‌ଧ ହେଉଥିଲେ। ହେଲେ ଆକାଶବାଣୀ କଟକ ତାଙ୍କ ଭିତରର ଗାୟକ ଓ ସଙ୍ଗୀତକାରକୁ ଚିହ୍ନେଇ ଥିଲା ଓଡ଼ିଶାରେ। ଅସ˚ଖ୍ୟ ଛାନ୍ଦ, ଓଡ଼ିଶୀକୁ ନୂଆ ବାଗରେ ସେ ଗାଇଥିଲେ। ତାର କାରଣ ହେଲା ଓଡ଼ିଶୀ ଓ ହିନ୍ଦୁସ୍ଥାନୀର ମିଶ୍ରିତ ଶିକ୍ଷା ତାଙ୍କୁ ଏକ ନୂତନ ଗାୟକୀ ପାଇଁ ସୁଯୋଗ ଦେଇଥିଲା। ବୋଧହୁଏ, ଓଡ଼ିଶୀ ସଙ୍ଗୀତକୁ ସେ ତାଙ୍କ ନିର୍ଦ୍ଦେଶିତ ଅନେକ ସୁଗମ ସଙ୍ଗୀତ ଓ ଚଳଚ୍ଚିତ୍ରରେ ଚମତ୍କାର ତଥା ନୂଆ ରାଗରେ ପ୍ରୟୋଗ କରି ସଫଳ ହୋଇଥିଲେ।
ଭାର୍ଗବୀ ନଈକୂଳେ ସଙ୍ଗୀତ ସୁଧାକରଙ୍କ ଗାଁ,
ନଈ କୂଳେ କୂଳେ କାଶତଣ୍ତୀ ଫୁଲ ଫୁଟେ।
ଭାର୍ଗବୀ ପୋଲ ଡେଇଁଲେ ବାଳକୃଷ୍ଣଙ୍କ ଅନ୍ତୁଡ଼ିଶାଳ।
ଯଦିଓ ସେ କେବଳ ଏଇ ଗାଁରେ ରହି ନ ଥିଲେ, ସଙ୍ଗୀତ ସହ ସେ ଥିଲେ ସାରା ଜୀବନ। ସ୍ବରରେ ପହଁରୁଥିଲା ତାଙ୍କର ଆତ୍ମା। ସେ ନାହାନ୍ତି।
ଓଡ଼ିଶା ସଙ୍ଗୀତ ଛେଉଣ୍ତ ହୋଇଯାଇଛି।
ଏବେ ବି ତାଙ୍କର ସ୍ବର ପହଁରୁଛି ଇଥରରେ।
ଏବେ ବି ସେ ଧ୍ରୁବତାରା ହୋଇ ଝଟକୁଛନ୍ତି ଅଧା ସ୍ବର୍ଗରେ।
୪୮/୧, ବିଭବ ଇଷ୍ଟେଟ୍, ଗେଟ୍ ନଂ. ୨, ଭୁବନେଶ୍ବର-୦୩
ମୋ: ୯୧୭୮୫୫୮୫୦୮

ସମ୍ବନ୍ଧିତ ଖବର

Comments are closed.