କିଞ୍ଚିତ କରୁଣା

ସତ୍ୟନାରାୟଣ ଗନ୍ତାୟତ

ଗାଡ଼ି ଲଗାଇ ଦେବା ମାତ୍ରେ ବୁତ୍‌ରୁ ନାମଧେୟ ଯୁବକ ଜଣକ ଆସି ହିଃ ହିଃ ହସି ପ୍ଲାଷ୍ଟିକ ଷ୍ଟୁଲ୍‌ଟିଏକୁ ପୋଛାପୋଛି କରି ‘ବସନ୍ତୁ ସାରେ’ କହି ଚାଲି ଯାଉଥିଲା ଓ ଭେଙ୍କଟେଶ ଅଭିବାଦନ ମୁଦ୍ରାରେ ହାତ ଉପରକୁ ଉଠାଇ ‘ଆଜ୍ଞା, ନାମାସ୍କାରାମ୍, ସବୁ ଭଲ ତ’?’ ବୋଲି ପଚାରୁଥିଲା ସିନା, କିନ୍ତୁ ସତ୍ୟେନ୍ଦୁ କ’ଣ ଖାଇବ ତାହା ପଚାରିବା ଲୋଡ଼‌ା ପଡୁ ନ ଥିଲା। କାରଣ ଭେଙ୍କଟେଶ ଓ ବୁତ୍‌ରୁ ଉଭୟ ଜାଣନ୍ତି ଯେ ସତ୍ୟେନ୍ଦୁ ସବୁ ଦିନ ତା’ ଅଫିସ ଯିବା ଆଗରୁ ଅଶୋକା ସିନେମା ହଲ୍ ପାଖ ମେସାନଙ୍କ ଟିଫିନ ଠେଲାରୁ ପହିଲେ ଗୋଟେ ବଡ଼ ବାଉଲରେ ଫୁଟନ୍ତା ସମ୍ବର ସହ ଯୋଡ଼େ ବଡ଼ ଇଡିଲି ଗେଫିବା ପରେ ରାଗୁଆ ପିଆଜ ଚଟଣି ସହ ରୋଷ୍ଟ ହୋଇଥିବା ଉଲି ଦୋସାଟାଏ ଖାଇବ ଇ ଖାଇବ! ଛୁଟିଦିନ ମାନଙ୍କରେ ଅବଶ୍ୟ ତାଙ୍କ ଘରକୁ ପରିବାରର ସଭିଙ୍କ ଭଳିକି ଭଳି ପସନ୍ଦ ମୁତାବକ ପୁରି, ଉପମା, ଇଡିଲି, ବରା ଆଦି ସହ ଦୋସା ବି ପାର୍ସଲରେ ଯିବ।

‘ପାଣି ନ ମିଳିଲେ ପାନୀୟ ପିଅ’ ବୋଲି କଥାଟିକୁ ମାନି ବଜାରରେ ବୁଲାବୁଲି ବେଳେ ଶୋଷ ହେଲେ ସତ୍ୟେନ୍ଦୁ ଜୁଟୁ ଥିଲା କରେରି ଛକର ବରଗଛ ମୂଳେ ଯେଉଁଠି ତାକୁ ଦେଖୁ ଦେଖୁ ତା’ ସାନ ଭାଇର ପିଲାଦିନ ସାଙ୍ଗ ଶାଙ୍କିରି ‘ଜୁହାର୍ ଭାଇନା’ ବୋଲି କହି ଆଉ କିଛି ନ ପଚାରି ପାଣିରେ ଉଛୁଳୁ ଥିବା ପଇଡ଼ଟାଏ ଖଚ୍ କରି କାଟି ନଳିଟାଏ ଡୁବାଇ ଧରାଇ ଦେଉଥିଲା। ତେଣିକି ସତ୍ୟେନ୍ଦୁର ମିଜାଜ ବି ପଇଡ଼ର ତରଳ ମାଧୁର୍ଯ୍ୟ ସହ ଛଳଛଳ ହୋଇଯାଉଥିଲା। ଦୀର୍ଘ ଦି ମାସ ହେଲା ଏମାନଙ୍କୁ ନ ଭେଟି ଢେର୍ ମନ ଊଣା କରିଚି ସତ୍ୟେନ୍ଦୁ। ତଥାକଥିତ ସଙ୍ଗରୋଧ ଏମାନଙ୍କ ସଖ୍ୟରୁ ବଞ୍ଚିତ କରାଇବା କଥା ତା ମର୍ମକୁ ଭେଦି ଯାଇଚି! ପଡ଼ିଶା ଘରର ଜେଜେ ସେଦିନ ସଂଧ୍ୟାରେ ଘର ବଗିଚାରେ ବୁଲୁଥିଲେ। ସତ୍ୟେନ୍ଦୁ ତାଙ୍କ ସହ କଥାରମ୍ଭ କରନ୍ତେ ସେ କହିଲେ, ‘ବାପା,ଏ କ’ଣ ଠିକ୍ ହେଉଚି? ଆମେ ତ ଲକ୍‌ଡାଉନ୍‌ ଲାଗି ଘର ଭିତରେ! ହେଲେ ଦେଖୁଚ ତ କେମିତି ଅଗଣନ ଲୋକ ଚାଲିଚାଲି ଯାଉଛନ୍ତି ନିଜ ଘରକୁ, ଯାହା ବେଳୁ ବେଳ ହୋଇ ଉଠୁଚି ଦୂରନ୍ତ ଓ ଅପହଞ୍ଚ!!’ ଜେଜେ ଦର୍ଶନ ଶାସ୍ତ୍ରର ଜଣେ ଅବସରପ୍ରାପ୍ତ ପ୍ରଫେସର। କମ୍ କହନ୍ତି, କିନ୍ତୁ ମଞ୍ଜ କଥା!!

ତାଙ୍କ କଥା ଶୁଣି ସତ୍ୟେନ୍ଦୁର ମନ ଆହୁରି ଓଜନିଆ ହୋଇଗଲା। ‌େସ ପୁଣି କହିଲେ, ‘ବୁଝିଲ ବାପା, ଆମେ ବରିଷ୍ଠ ନାଗରିକମାନେ ମିଶି ପ୍ରତିମାସ ପେନ୍‌ସନ ପାଇବା ଦିନ ‘ନାରାୟଣ ସେବା’ କରି ଭୋଜନ ଦେଉଥିଲୁ। ଏବେ ତା’ର ଆବଶ୍ୟକତା ବଢ଼ିଥିବା ବେଳେ ଦେଖ, ଆମେ ସତସତିକା ନିଜ ନିଜ ଘର ମାନଙ୍କରେ କେମିତି ଥବିର ହୋଇ ଯାଇଛୁ!’ ଜେଜେଙ୍କ ଏ କଥା ଶୁଣି ନିମିଷକ ଭିତରେ ସତ୍ୟେନ୍ଦୁ ଚାଲିଗଲା ପରିବାର ଜନଙ୍କ ସହ ଏକାନ୍ତ ବାସରେ କାଟିଥିବା ସେଇ ପ୍ରାରମ୍ଭିକ ଦିନଗୁଡ଼ିକୁ। ସେ ସମୟରେ ପୁଲକାନୁଭବ ଭିତରେ ପତ୍ନୀ ଓ ଝିଅ ସେମାନେ ଜାଣିଥିବା ବା ଶିଖିଥିବା ଭଳିକି ଭଳି ଖାଦ୍ୟ ଓ ପାନୀୟ ପ୍ରସ୍ତୁତ କରି ଘରୋଇ ବାତାବରଣକୁ ମାତବରିଆ କରି ପକାଇ ଥିଲେ। ଏବଂ ସେ ସବୁର ଫରମାଇସ୍ କରିଥିଲା ସତ୍ୟେନ୍ଦୁ। ଅଚାନକ ତା’ ସାନଝିଅ ଅନ୍‌ଲାଇନ କ୍ଲାସ୍‌ରେ ପଢ଼ିପଢ଼ି ବୋର୍ ହୋଇ ତା’କୁ ‘ଆସ ବାପା, ଲୁଡୁ ବାଜିଏ ଖେଳିବା’ କହି ଡାକନ୍ତେ ସତ୍ୟେନ୍ଦୁ କହିଲା: ‘ମା’ରେ, ମୋର ମନ ପରା ଏଇନେ ପଦଯାତ୍ରା ଆରମ୍ଭ କରିଚି! ଆଉ ଖେଳିବି କେମିତି? ଆଜି ଯାଏ ସିନା ତୋତେ ମୋବାଇଲ ମନା ଥିଲା, ଏବେ ପରା ସେଥିରୁ ପଢୁଚୁ, ଆଉ ତହିଁରେ ଥିବା ଗେମ୍ ଖେଳୁଚୁ। ବରଂ ଯା’ ତୁ ନିଜେ ଖେଳ!’ ଏତିକି ବେଳେ ସତ୍ୟେନ୍ଦୁର ପତ୍ନୀ ପଚାରିଲେ, ବଡ଼ଝିଅ ପଚାରୁଚି, ‘ଆଜି ଆଳୁ ପରଟା ଓ ଛେନା ବରା ତରକାରି କରିବ?’
ସତ୍ୟେନ୍ଦୁ ଅଚାନକ କହି ଉଠିଲା-‘ନା ନା, ସେସବୁ ଆଉ ନାଇଁ, ବରଂ ତେଲ ମସଲା ନାମକୁ ମାତ୍ର ବ୍ୟବହାର କରି ପାଣି ସନ୍ତୁଳା କର। ସେୟା ହିଁ ଖାଇବା।’
ସତ୍ୟେନ୍ଦୁର ଅଚାନକ ଏ ଅଲଗା ହାବଭାବ ଦେଖି ପତ୍ନୀ ପଚାରିଲେ : କାଇଁ କ’ଣ ହେଲା ହଠାତ୍‌?’
ସତ୍ୟେନ୍ଦୁ ଏବେ ଆହୁରି ରହସ୍ୟମୟ ଭଙ୍ଗୀରେ କହି ଉଠିଲା : ‘ଯା ହେଉ,ଏତେ ଦିନେ ମୁଁ ନିଜକୁ ପାଇଲି। ଏବେ ଅନୁଭବ କରୁଛି ଯେ ମୋର ଯାହା ଲୋଡ଼ା ଅଗତ୍ୟା ମୋତେ ଇ ତାହା ଦେବାକୁ ପଡ଼ିବ!’
ସତ୍ୟେନ୍ଦୁର ଏଭଳି ବିଚିତ୍ର କଥା ଶୁଣି ଚକିତା ହୋଇ ପତ୍ନୀ ପଚାରିଲେ : ‘ଏଁ, ଏ କି କଥା? ନିଜକୁ ଫେର୍ ନିଜେ କ’ ଣ ଦେବ?
ଏଥକୁ ତ୍ୱରିତ ଉତ୍ତର ଥିଲା ସତ୍ୟେନ୍ଦୁର : କିଞ୍ଚିତ କରୁଣା!
ସୁହାସିତମ୍, କସ୍ତୁରୀ ନଗର, ରାୟଗଡ଼ା

ସମ୍ବନ୍ଧିତ ଖବର