ଦୃଷ୍ଟିପାତ: ଧନ୍ୟବାଦ, ପୁରୀ!

ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୭୫ ମିଟର ଦୂରତା ମଧ୍ୟରେ ଥିବା ବାସଗୃହ, ହୋଟେଲ୍, ଦୋକାନ ଆଦି ହଟାଇବା ପାଇଁ ଦେଢ଼ମାସ ତଳେ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ପ୍ରଥମେ ଅନେକ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ପୁରୀବାସୀ ଯେପରି ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ସମସ୍ତଙ୍କ ପାଇଁ ଉଦାହରଣୀୟ ପାଲଟିଛି। ନିକଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ନିର୍ଦ୍ଧାରିତ ଆୟତନର ୭୫ ପ୍ରତିଶତ ଅଞ୍ଚଳ ଅଧିଗ୍ରହଣ ସଫଳତାର ସହ ସମ୍ପନ୍ନ ହୋଇଛି। ସବୁଠାରୁ ବଡ଼ କଥା ଏହି ସବୁ ବାସଗୃହ ଓ ଦୋକାନବଜାର ମାଲିକମାନେ ସ୍ବେଚ୍ଛାକୃତ ଭାବେ ତାଙ୍କ ଜମିକୁ ଏକ ମହତ ଉଦ୍ଦେଶ୍ୟ ନିମନ୍ତେ ଉତ୍ସର୍ଗ କରିଦେଇଛନ୍ତି। ଏହା ଦ୍ବାରା ସେମାନେ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବର ବଳିଷ୍ଠ ପ୍ରମାଣ ଦେବା ସହ ଏକ ଐତିହାସିକ ସହରର ମର୍ଯ୍ୟାଦା ବୃଦ୍ଧି କରି ମାନବୀୟ ମହନୀୟତାର ନିଦର୍ଶନ ପାଲଟିଛନ୍ତି।
ପୁରୀ ସମଗ୍ର ବିଶ୍ବ ଲାଗି କେବଳ ଏକ ଆସ୍ଥାର ପୀଠ ମାତ୍ର ନୁହେଁ, ଏହା ମଧ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ଦେଶ ବାହାରେ ଓଡ଼ିଶାର ଚେହେରା ହେଉଛି ପୁରୀ। ଏପରି ସ୍ଥଳେ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଯେଉଁସବୁ ପଦକ୍ଷେପ ନିଆଯାଉଛି, ତାହା ଅପରିହାର୍ଯ୍ୟ ମଧ୍ୟ ଥିଲା। ତେବେ, ଶ୍ରୀମନ୍ଦିରର ସୁରକ୍ଷା ତଥା ଏହାର ଚତୁଃପାର୍ଶ୍ବର ସୁନ୍ଦରୀକରଣ ପ୍ରକ୍ରିୟା ଆଉ ଯେଉଁ ସୁଖଦ ଚିତ୍ରଟି ସାମନାକୁ ଆଣିଛି ତାହା ହେଉଛି ପୁରୀ ଅଧିବାସୀମାନଙ୍କ ମନର ସୌନ୍ଦର୍ଯ୍ୟ। ଏଥି ଲାଗି କ୍ଷତି ପୂରଣ ମିଳିଲେ ବି ପିଢ଼ିପିଢ଼ିର ଭିଟାମାଟିକୁ ସ୍ବଇଚ୍ଛାରେ ଛାଡ଼ିବା କିଛି କମ୍‌ କଥା ନୁହେଁ।
ସେଥି ଲାଗି ସେମାନେ ଧନ୍ୟବାଦର ପାତ୍ର।

ସମ୍ବନ୍ଧିତ ଖବର