ପ୍ରକୃତ କରୋନା ଯୋଦ୍ଧା!

କୁମାର ପ୍ରଶାନ୍ତ

ଏକ ନୂଆ ଶବ୍ଦର ସୃଷ୍ଟି ହୋଇଛି- ‘କରୋନା ଯୋଦ୍ଧା’! ଏମାନେ କିଏ? ଯେଉଁମାନେ ଚକଚକିଆ ସଫେଦ ପୋଷାକ ପିନ୍ଧି ସୁରକ୍ଷିତ ସ୍ଥାନରେ ବସି, ଆମକୁ ଆହ୍ବାନ ଦେଉଛନ୍ତି, ସେମାନେ କ’ଣ ‘କରୋନା ଯୋଦ୍ଧା’? ନା ଯେଉଁମାନଙ୍କ ପାଇଁ ଆମ ଦ୍ବାରା ଥାଳି-ତାଳି ବଜାଗଲା, ଦୀପ ଜଳାଗଲା, ଫୋଟକା ଫୁଟାଗଲା, ଯେଉଁମାନଙ୍କ ପାଇଁ ପୁଷ୍ପ-ବର୍ଷା କରାଗଲା? ଯଦି ସେମାନେ କରୋନା ଯୋଦ୍ଧା, ଆମେ ଏହି ଯୁଦ୍ଧ ଜିତିପାରୁ ନାହୁଁ କାହିଁକି? ଦୟା କରି ମୋତେ ସେହିସବୁ କଥା ବୁଝାଇବାକୁ ଚେଷ୍ଟା କରନ୍ତୁ ନାହିଁ, ଯାହା ବିଶେଷଜ୍ଞମାନେ ନିଜେ ନ ବୁଝି ଆମକୁ ପ୍ରତି ଦିନ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ପ୍ରତି ଦିନ ଆମେ ଏହା ବୁଝି ଆସନ୍ତା ସକାଳକୁ ଅପେକ୍ଷା କରୁଛେ; ତଥାପି କାହାକୁ କିଛି ବୁଝା ପଡ଼ୁନାହିଁ। ସେହି ଦିନ କେହି ଜଣେ ସରକାରୀ ବିଶେଷଜ୍ଞ କହିଗଲେ ଯେ ଆମକୁ କରୋନା ସହ ବଞ୍ଚିବା ଶିକ୍ଷା କରିବାକୁ ହେବ। ଆପଣ କହିଲେ ତ କ’ଣ କହିଲେ, ଆମେ ତ ଏହା ସହିତ ହିଁ ବଞ୍ଚୁଛୁ ଭାଇ! ପ୍ରତ୍ୟେକ ସ˚କ୍ରମଣ ଆମକୁ ଏହା ଶିଖାଇଚାଲିଛି ଯେ ଯିଏ ମୃତ୍ୟୁର ବିଭୀଷିକା ମଧ୍ୟରେ ବଞ୍ଚିବା ଶିଖେ, ସେ ଭୂତାଣୁ ବିରୋଧୀ ପ୍ରକୃତ ଯୋଦ୍ଧା; ସେ ହିଁ ‘କରୋନା ଯୋଦ୍ଧା’।

ସେହି ଯୋଦ୍ଧା ଏବେ ବି ସଡ଼କରେ ଅଛି। ତାହା ପାଖରେ ପିପିଇ ନାହିଁ; ସେ ଘଡ଼ିକି ଘଡ଼ି ବିଶୋଧକରେ ହାତ ଧୋଇପାରୁନାହିଁ। ସେ ଆମକୁ ମନେ ପକାଇ ଦେଉଛି, ଆଗକୁ ସ˚ସାରରେ ଜଳାଭାବ ଜନିତ ସ˚କ୍ରମଣ ବ୍ୟାପିବାକୁ ଯାଉଛି। ସେ ନାକ-ମୁଖ ବନ୍ଦ କରିବା ପାଇଁ ମୁଖା ଲଗାଇନାହିଁ। ଏହା ଦ୍ବାରା ସେ ବୋଧହୁଏ କହିବାକୁ ଚାହୁଁଛି ଯେ, ଯିଏ ବାରମ୍ବାର ଚେହେରା ବଦଳାଏ, ସେ ଚୋର-ଡାକୁ; ସେ କେବେ ହେଲେ ଯୋଦ୍ଧା ହୋଇ ନ ପାରେ। ସେ ଆମର ବିମାନ-ରେଳ-ବସ୍‌-ଟାକ୍‌ସି ସେବାକୁ ଅପେକ୍ଷା ନ କରି ମୃତ୍ୟୁର ନିର୍ଦୟ ଦୁନିଆରୁ ବାହାରିପଡ଼ିଛି। କେବେ କବି ଦୁଷ୍ୟନ୍ତ କୁମାର ଲେଖିଥିଲେ- ‘ମରିବି ତ ନିଜ ବଗିଚାରେ, କୃଷ୍ଣଚୂଡ଼ା ଗଛ ତଳେ।’ ଏବେ ଜଣେ ଲେଖିବ- ‘ମରିବି ତ ନିଜ ଚାଳିଆର ଛାଇ ତଳେ।’ ଏହା ତ ଶିଖାଇଛନ୍ତି ପିତା-ମାତା, ଆମର ପର˚ପରା, ଆମର ଗାଁ- କମାଇବା ଓ ଖାଇବା ପାଇଁ ଭାଗ୍ୟ ଯେଣିକି ନେଉଛି ଯାଅ; କିନ୍ତୁ, ବାପ, ମରିବା ପାଇଁ ନିଜ ଥାନକୁ ଫେରିଆସିବୁ; ନିଜ ଲୋକଙ୍କ ପାଖକୁ; ନିଜ ମାଟିରେ ମିଶିଲେ, ମୋକ୍ଷ ମିଳେ। ତାହାର ମନ ଚାଲିଚାଲି ଆସିଥିଲା ଏବ˚ ଏବେ ତାହାର ପାଦ ଚାଲିଚାଲି ଫେରୁଛି। ମାର୍କ‌୍‌ସ କେବେ ତାହାକୁ ବୁଝାଇଥିଲେ- ତୋ ପାଖରେ ହରାଇବା ପାଇଁ କିଛି ନାହିଁ, ଶୃଙ୍ଖଳ ଛଡ଼ା। ସେ ତାହା ଭୁଲିନାହିଁ। ତେଣୁ, ତାଲାବନ୍ଦୀ ବେଳେ ବି ସେ ପାଦର ବେଡ଼ି ଖୋଲି, ଲମ୍ବା ଯାତ୍ରାରେ ବାହାରିପଡ଼ିଛି। ଶ୍ରମଜୀବୀମାନଙ୍କର ହଜାର ହଜାର କିଲୋମିଟର‌୍‌ର ପାଦ ଯାତ୍ରା, ଆମେ କେବେଠାରୁ ଦେଖି ଆସିଲୁଣି। ସେମାନଙ୍କ ମଧ୍ୟରେ ଅଛନ୍ତି ବୃଦ୍ଧ ପିତାମାତା, ଯେଉଁମାନଙ୍କର ପାଦ ଥକିଯାଉଛି, ଯୁବକଙ୍କ ଆଶ୍ରା ନେଇ ଚାଲୁଛନ୍ତି। ପିଲାମାନେ ପିତାମାତାଙ୍କ କାନ୍ଧ ବା କାଖରେ। କିଛି ଆଗାମୀ ପିଢ଼ି, ମାଆ ପେଟରେ ଥାଇ ଅଗ୍ରସର ହେଉଛନ୍ତି। ସେମାନଙ୍କ ପାଖରେ ଅଛି ବା କ’ଣ? ଯାହା ଥିଲା, ଅନ୍ୟମାନେ ଶୋଷି ନେଇଛନ୍ତି। ଯଦି କିଛି ଅଛି, ତାହା ସେମାନଙ୍କର ପାଦ, ଯାହା ଆଗକୁ ଆଗକୁ ନେଉଛି। ସେମାନେ ସ˚ଘର୍ଷ କରୁଛନ୍ତି ଏକ ସଙ୍ଗେ ମଣିଷ ଓ ଭଗବାନ୍‌ଙ୍କ ସହ। ସ˚ଘର୍ଷ କରିଚାଲିବେ।

ଏମାନଙ୍କ ଯିବାର କଷ୍ଟ କାହାକୁ ହେଉନାହିଁ। କାରଣ, ଏମାନଙ୍କୁ ରଖିବାର ବ୍ୟୟ ଉଠାଇବାକୁ କେହି ରାଜି ନୁହନ୍ତି। ପ୍ରଧାନମନ୍ତ୍ରୀ କେବେ ହେଲେ କହିନାହାନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ଏହି ଶ୍ରମିକମାନେ ଅସଲ ଯୋଦ୍ଧା। ଆମର କରିତ୍‌କର୍ମା ମୁଖ୍ୟମନ୍ତ୍ରୀଗଣ ବା ପ୍ରଧାନମନ୍ତ୍ରୀ କେବେ ଥରେ ଭାବିଛନ୍ତି, ଯଦି ଏମାନଙ୍କୁ ସୁରକ୍ଷିତ ରଖାଯିବ, ସ˚ଭାଳି ନିଆଯିବ, କରୋନା ସହ ଲଢ଼ିବାରେ ଭରପୂର ସହାୟତା ମିଳିବ। ଏମାନେ ନିଜ ସ୍ଥାନରେ ଥିଲେ ଆର୍ଥିକ ଅନ୍ଧକାର ଘଟି ନ ଥାଆନ୍ତା। ଉତ୍ପାଦନର ଚକ ଏ ଭଳି ହଠାତ୍‌ ବନ୍ଦ ହୋଇଯାଇ ନ ଥାଆନ୍ତା। ବଜାର ଠିକ୍‌ ଚାଲିଥାଆନ୍ତା। ଖେତବାଡ଼ିରେ ଶସ୍ୟ ହୋଇଥାଆନ୍ତା। ବ୍ୟବସ୍ଥାକୁ ଚଳାଇରଖିବା ପାଇଁ ଶ୍ରମିକଙ୍କ ଅଭାବ ହୋଇ ନ ଥାଆନ୍ତା। ଆମର ଅପାଠୁଆ ଓ ଅକୁଶଳୀ ଶ୍ରମିକଙ୍କୁ ଯେ କୌଣସି କାମରେ ଲଗାଯାଇପାରେ। ଏକୋଇଶ ଦିନିଆ ପ୍ରଥମ ତାଲାବନ୍ଦୀ ପୂର୍ବରୁ ଏହା ଦେଖିନେବା ଜରୁରି ଥିଲା ଯେ ସେମାନେ କେଉଁଠି, କେତେ ସ˚ଖ୍ୟାରେ ଅଛନ୍ତି ଏବ˚ ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି କେଉଁ ଧରଣର ବ୍ୟବସ୍ଥା ଅନିବାର୍ଯ୍ୟ। ପଚାଶ ଦିନର ତାଲାବନ୍ଦୀ ଏବ˚ ସଡ଼କରେ ପଡ଼ିମରୁଥିବା ଶ୍ରମିକଙ୍କୁ ଦେଖିବା ପରେ ବ୍ୟବସ୍ଥା ପୂରା ବିଫଳ ହୋଇଯାଇଛି ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଲାଗିଲା। ଏବେ ସେ ଦିଲ୍ଲୀ ନ ଛାଡ଼ିବା ପାଇଁ ଶ୍ରମିକମାନଙ୍କୁ ନିବେଦନ କରୁଛନ୍ତି। ଦିଲ୍ଲୀ ସରକାର ସେମାନଙ୍କ କଥା ବୁଝିବେ ବୋଲି କହୁଛନ୍ତି। ତାଙ୍କୁ ଏବ˚ ତାଙ୍କ ଭଳି ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଏହା ବୁଝିବା ପାଇଁ ଏତିକି ଦିନ ଲାଗିଗଲା। ଆଉ ପ୍ରଧାନମନ୍ତ୍ରୀ! ସେ କ’ଣ କରୁଛନ୍ତି? ଏହି ଅସମୟରେ ଶ୍ରମ ଆଇନରେ ପରିବର୍ତ୍ତନ ଅଣାଯାଉଛି; ଯାହା ଦ୍ବାରା ଶ୍ରମିକ ଶ୍ରେଣୀ ଆହୁରି ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏହାର ପରିଣାମ କର‌୍‌ପୋରେଟ୍‌ କ୍ଷେତ୍ର ମଧ୍ୟ ଭୋଗିବା ଆରମ୍ଭ କରିଛି। କ୍ଷୁଧାର୍ତ୍ତ-ଉପେକ୍ଷିତ ଶ୍ରମିକ ଆଉ ଏହି କ୍ଷେତ୍ର ସହ ନାହାନ୍ତି।

ଶ୍ରମିକଙ୍କ ସହ ଆମେ କରୁଥିବା ବ୍ୟବହାର ଅମାନବୀୟ ଓ ଅପରିଣାମଦର୍ଶୀ। କରୋନା ବିରୋଧୀ ଲଢ଼େଇ ତଥା ଦେଶର ମଙ୍ଗଳ ପାଇଁ ଶ୍ରମିକମାନେ କର୍ମକ୍ଷେତ୍ରକୁ ଫେରିବା ଦରକାର। ସେମାନଙ୍କୁ ସମ୍ମାନପୂର୍ଣ୍ଣ ଭାବେ ସରକାରୀ ଖର୍ଚ୍ଚରେ ଫେରାଇ ଆଣିବା ଦାୟିତ୍ବ ବିଭିନ୍ନ ରାଜ୍ୟ ସରକାରର। ବର୍ତ୍ତମାନ ସେମାନଙ୍କ ପାଇଁ ଗ୍ରାମରେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ହେବା ଆବଶ୍ୟକ। ସେମାନଙ୍କୁ କୁହାଯିବା ଦରକାର, ସେମାନେ ଯେତେ ବେଳେ ଚାହିଁବେ ଫେରିପାରନ୍ତି ଏବ˚ ସେମାନଙ୍କ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା ହେବ। ସେମାନଙ୍କ ଫେରିବା ପୂର୍ବରୁ ସେମାନଙ୍କ ନିରାପଦ ରହଣି ପାଇଁ ଶ୍ରମିକ ଆବାସର ବ୍ୟବସ୍ଥା ଉଦ୍ୟୋଗପତିମାନେ କରିବା ଦରକାର। କରୋନା କାଳରେ ଏବ˚ ପରେ ମଧ୍ୟ ଶ୍ରମିକ ଆଇନ ଠିକ ଭାବେ ପାଳିତ ହେବା ଆବଶ୍ୟକ। ଏହା କାହା ସପକ୍ଷ ବା ବିପକ୍ଷରେ ନୁହେଁ; ଏହା ନ୍ୟାୟସଙ୍ଗତ; ଏହା ସମ୍ମାନଜନକ। ଏହା ଦ୍ବାରା କାହାର, କିଛି କ୍ଷତି ହେବନାହିଁ। ନ୍ୟାୟ, ସମ୍ମାନ ଓ ସମାନତା ବଜାୟ ରହିଲେ ଶ୍ରମିକ ଫେରିବେ, ସଚ୍ଚୋଟତାର ସହ କାମ କରିବେ, ଉତ୍ପାଦନ ହେବ, ଧାରଣାଚ୍ୟୁତ କ୍ଷେତ୍ର ଧାରଣାକୁ ଫେରିବ। ବିଫଳ ବ୍ୟବସ୍ଥାର ଅରାଜକତାକୁ କାବୁ କରାଯାଇପାରିବ। ଏହା ସରକାର ତଥା କର‌୍‌ପୋରେଟ୍‌ କ୍ଷେତ୍ର ପାଇଁ ଲାଭଦାୟକ ହେବ। ଏହା ନ୍ୟାୟପୂର୍ଣ୍ଣ ହେବ। ଏଥିରେ ଲୁଣ୍ଠନର ଆଶଙ୍କା ନାହିଁ। ଯେଉଁ ଦଳ ବି ସରକାରରେ ରହୁ ନା କାହିଁକି, ତାହା ପାଇଁ ଖାଇବା ଓ ଦେଖାଇବାର ଦାନ୍ତ ଗୋଟିଏ ହିଁ ହେବ। ଧରିନିଅ, ସବୁ ବ୍ୟବସ୍ଥାର ଦ୍ବିତୀୟ ଦାନ୍ତ କରୋନା ଖାଇଦେଲା। ସରକାର ନିଜର କ୍ଷମତା ବୁଝୁ ଓ ନିଜର ଶକ୍ତି କେତେ ଜାଣୁ। ଏହା ଲୋକତନ୍ତ୍ର ଖେଳରେ ଖେଳାଳି ନୁହେଁ; ଏହା ଅମ୍ପାୟାର‌୍‌। ଖେଳ ନିୟମ ଅନୁଯାୟୀ କିପରି ଖେଳାଯିବ, ଏହା ଦେଖିବା ସରକାରର ଧର୍ମ। ନିୟମ ତିଆରି କରିଛି ସମ୍ବିଧାନ। କେହି ନିୟମ ଭାଙ୍ଗିଲେ, ଚେତାବନୀ ଦେବା ଦାୟିତ୍ବ ସରକାରର। ସରକାରର ଦାୟିତ୍ବ ଏହାଠାରୁ ଅଧିକ ବା କମ୍‌ ନୁହେଁ। ବିଜ୍ଞାନ ତାହା ବାଟରେ ଏବ˚ ସମାଜ ତାହା ବାଟରେ କରୋନା ସହ ଲଢ଼ିବ। ଏହା ଛଡ଼ା ଅନ୍ୟ କୌଣସି ପନ୍ଥା ନାହିଁ। ଏବେ ରାଜନୀତି ଓ ଅମଲାତନ୍ତ୍ର, ଏହି ଲଢ଼େଇକୁ ନିଜର ଖେଳ ବନେଇ ରଖିଛନ୍ତି।

ତାଲାବନ୍ଦୀ କାଳରେ ନୂଆ ନୂଆ ବର୍ଗର ଶ୍ରମିକ ମଧ୍ୟ ଦେଖିବାକୁ ମିଳିଛନ୍ତି। ଯଥା- ପୁଲିସ୍‌ ବାହିନୀ। ଏହା ଲୋକତନ୍ତ୍ରର ୟୁନିଫର୍ମ‌୍‌ଧାରୀ ଶ୍ରମିକ ବର୍ଗ। ରାଜଧାନୀ ଦିଲ୍ଲୀର ଏକ ପ୍ରମୁଖ ପୁଲିସ୍‌ ଥାନାର ଅଧିକାରୀ ବଡ଼ କ୍ଷୋଭର ସହ କହିଛନ୍ତି- ଆମେ ଏହି ଥାନା ଭିତରେ ସଙ୍ଗରୋଧ ଅବସ୍ଥାରେ ଅଛୁ। ସାଧାରଣ ମାନବୀୟ ସୁବିଧା ନାହିଁ। ଥାନାରେ ସକାଳୁ ଚୁଲି ଲଗାଇ ରୁଟି ସେକୁଛୁ, ଖେଚୁଡ଼ି ରାନ୍ଧୁଛୁ, ପୁଡ଼ିଆ ବନାଉଛୁ ଏବ˚ ବାଣ୍ଟିବାକୁ ଯାଉଛୁ। କେଉଁଠିକୁ ଯିବୁ, କାହାକୁ ଦେବୁ, ଆମକୁ ନିର୍ଦେଶ ମିଳୁଛି। ପୁଡ଼ିଆ ବାଣ୍ଟୁଛୁ, ତାହା ଖାଉଛୁ ଏବ˚ ଥାନାରେ ଶୋଉଛୁ। ହଠାତ୍‌ କେଉଁଠି ଅଘଟନ ଘଟିଲେ, ଉଠି ଦଉଡ଼ୁଛୁ। ଆମକୁ ଘରକୁ ଯିବା ପାଇଁ ମନା; କାଳେ ସ˚କ୍ରମଣ ବ୍ୟାପିବ। ପୁଲିସ୍‌ ଉପରୁ ବୋଝ କମ୍‌ କରାଯାଇ ପାରିଥାଆନ୍ତା। ସେମାନେ କେବଳ ନିଜ କାମ କରି ପାରିଥାଆନ୍ତେ। ଗାଁକୁ ଫେରିବା ପାଇଁ ବ୍ୟସ୍ତ ହେଉଥିବା ଶ୍ରମିକମାନଙ୍କୁ ରୋକା ଯାଇପାରିଥିଲେ ଏହା ସ˚ଭବ ହୋଇପାରିଥାଆନ୍ତା। ନାଗରିକଙ୍କୁ ଘରେ ବନ୍ଦ ରହିବା ପାଇଁ ବାଧ୍ୟ କରିବା ପରିବର୍ତ୍ତେ ସାବଧାନତା ସହ ମାନବୀୟ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ଛଡ଼ାଯାଇଥିଲେ ଅନ୍ୟମାନେ ଏହାର ସୁବିଧା ପାଇଥାଆନ୍ତେ; ବ୍ୟବସ୍ଥା ମଧ୍ୟ। ଏସବୁ ହୋଇପାରିଥାଆନ୍ତା ଏବ˚ ଆମେ କରୋନାର ଉଚିତ ମୁକାବିଲା କରି ପାରିଥାଆନ୍ତେ। ଆମର ସ୍ବାର୍ଥପର ରାଜନୀତି କରୋନାଗ୍ରସ୍ତ ହେବାରୁ ଏହା ହୋଇପାରିନାହିଁ। ଏମାନଙ୍କ ବିରୋଧରେ ଏକ ପ୍ରତିଷେଧକ ବନାଇବା ଲୋକତନ୍ତ୍ରର ଆଗାମୀ ଆହ୍ବାନ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର