ଗାଉଁଲି ଭାରତ ଓ ସହରୀ ଇଣ୍ଡିଆ

ଦାଶ ବେନହୁର

ସମସ୍ତେ ଏବେ ବିପଦରେ। ଗାଁ, ସହର ସମସ୍ତେ।
ବିପଦ ସାମନାରେ ଜଣେ ବ୍ୟକ୍ତିର ଅସଲ ଚରିତ୍ର ଜଣାପଡ଼େ। ତା’ର ଦକ୍ଷତା, ସହନ ଶକ୍ତି, ବୁଦ୍ଧିମତ୍ତା ଆଦି ଅନେକ କଥାର ପରଖ ହୋଇଯାଏ ଏଇ ବିପତ୍ତି ବେଳେ ଯାହା କି ସାଧାରଣ ସମୟ ଏପରି କି ସୁଖ ସମୃଦ୍ଧି କାଳରେ ମଧୢ ଜଣାପଡ଼େ ନାହିଁ। ସେଇଥିପାଇଁ କୁହାଯାଏ, ‘‘ଦୁଃଖ ପରଖେ, ଦୁଃଖ ଶିଖାଏ।’’ ବ୍ୟକ୍ତି କ୍ଷେତ୍ରରେ ଏ କଥାଟି ଯେମିତି ସତ୍ୟ, ଦେଶ କ୍ଷେତ୍ରରେ ବି ସେମିତି। ବିପଦରେ ପଡ଼ି ନ ଥିବା ମଣିଷ କିଏ ଅଛି ନା ଦେଶ କେଉଁଠି ଅଛି! ମଣିଷର ଭାଗ୍ୟ ଭଳି ଦେଶର ମଧୢ ଭାଗ୍ୟ। ଆଜି ଉପରେ ତ କାଲି ତଳେ। ଆଜି ଯେଉଁ ଦେଶ ବିକଶିତ ଓ ଧନଶାଳୀ ବୋଲି ବିବେଚିତ ହେଉଛି ସେ ହୁଏତ କାଲି ବହୁ ପଛରେ ପଡ଼ିଯାଇପାରେ। ତେବେ ଏହି ପଛରେ ପଡ଼ିଯିବା ବା ହାରିଯିବାକୁ ସ୍ବାଭାବିକ ବା ଭାଗ୍ୟ ବୋଲି ବିଚାର କରିବା ସବୁଠାରୁ ବଡ଼ ବିଡ଼ମ୍ବନା। ଅନେକ ସମୟରେ ଏଭଳି ପରାଜୟକୁ ମଣିଷ ଜାଣିଶୁଣି ସ୍ବାଗତ କରେ। ବ୍ୟକ୍ତିବିଶେଷର ଅବିମୃଶ୍ୟକାରିତା ତା’କୁ ଯେମିତି ବିପର୍ଯ୍ୟୟ ଭିତରକୁ ଠେଲି ଦିଏ ଠିକ୍‌ ସେମିତି ଗୋଟାଏ ଦେଶ ବା ଜନପଦ ଭୁଲ ଯୋଜନା ତଥା ଦୂରଦୃଷ୍ଟିହୀନତା ଯୋଗୁଁ କକର୍ଥନା ଭୋଗ କରେ।

ଆଜି ସାରା ବିଶ୍ବ ବିପର୍ଯ୍ୟୟର ସମ୍ମୁଖୀନ। ବ୍ୟକ୍ତିର ବିପର୍ଯ୍ୟୟ କଥା ଆମେ ସମସ୍ତେ ଅନୁଭବ କରିଛେ। ଦେଶ ଦେଶର ବିପର୍ଯ୍ୟୟ ଇତିହାସର ଅଙ୍ଗେ ନିଭା କଥା। ସେ ସୁନାର ଲଙ୍କା ଆଉ ନାହିଁ କି ରୋମ୍‌ ସାମ୍ରାଜ୍ୟ ଆଉ ନାହିଁ। ନାହିଁ ବି ସୂର୍ଯ୍ୟ ଅସ୍ତ ହେଉ ନଥିବା ଆସ୍ଫାଳନର ଔପନିବେଶିକ ବିସ୍ତୃତି। ହେଲେ ସାରା ବିଶ୍ବ ଯେ ଏକାଥରକେ ବିପଦଗ୍ରସ୍ତ ହୋଇ ପଡ଼ିବ ସେ କଥା କଳ୍ପନାର ବାହାରେ ଥିଲା। ଏଇ ବିଶ୍ବ-ବିପର୍ଯ୍ୟୟ ଭିତରେ ପୃଥିବୀର ସବୁଠାରୁ ବଡ଼ ଗଣତନ୍ତ୍ର ଆମ ଦେଶ ଭାରତ ମଧୢ ମୁହଁମାଡ଼ି ପଡ଼ିଛି। ପଡ଼ିବାକୁ ବାଧୢ ହୋଇଛି। ସବୁଆଡ଼େ ବନ୍ଦର ଡାକରା। ଦେଶ ବନ୍ଦ, ଘର ବନ୍ଦ, ବାଟ ଘାଟ ବନ୍ଦ। ଗହଳ ଚହଳ ବନ୍ଦ, ପାଞ୍ଚ ପଚିଶ ଏକାଠି ହେବା ବି ବନ୍ଦ। ମାସ ମାସ ଧରି ଏ ବନ୍ଦର ଜୀବନ ଅଶ୍ରୁତ ପୁଣି ଅଭୂତପୂର୍ବ।

ଏତେବେଳେ କ’ଣ ଆମର କର୍ତ୍ତବ୍ୟ?
ମୁହଁମାଡ଼ି କାନ୍ଦିବା ନା ଝାଡ଼ିଝୁଡ଼ି ଠିଆ ହେବା? ଯେଉଁ ଭୁଲ ସବୁ ଆଗରୁ କରିଛେ ସେ ସବୁକୁ ସଜାଡ଼ିବା ନା ପୁଣି ସେମିତି ପତନ ଆଡ଼କୁ ଚାଲିବା?
ପ୍ରତ୍ୟେକ ଦେଶର ଦୁଇଟି ଜୀବନ-ନୀତି। ଗୋଟିଏ ଭିତରକୁ ନେଇ, ଅନ୍ୟଟି ବାହାର ଦୁନିଆକୁ ନେଇ। ଆଭ୍ୟନ୍ତରୀଣ ନୀତି ଓ ଅନ୍ତର୍ଦେଶୀୟ ନୀତି। ଦେଶ ମାତ୍ରକେ ଏ ଦୁଇଟି ନୀତି ଭିନ୍ନ ଭିନ୍ନ। ଆମେରିକା ଯାହା କରୁଛି ତାହା ଆମର କରିବାର ନାହିଁ କି ଚୀନ୍‌ ଯେଉଁ ଯୋଜନା କରୁଛି ତା’କୁ ଆଣି ଆମେ ଏଠାରେ ଛାଞ୍ଚରେ ପକାଇବାର ନାହିଁ। ଗୋଟିଏ ଦେଶ ତା’ର ପରିବେଶ, ପରିସ୍ଥିତି, ଅତୀତ, ବର୍ତ୍ତମାନିକ ସାଧନ, ଲୋକସ˚ଖ୍ୟା, ଜଳବାୟୁ, ଶାସନଗତ ଆଦର୍ଶ ଆଦି ଅନେକ କଥାର ଆଧାରରେ ଜୀବନ-ଖସଡ଼ା ପ୍ରସ୍ତୁତ କରେ। ଏ ସବୁ ଦିଗରୁ ବିଚାର କଲେ କୌଣସି ଦୁଇଟି ଦେଶ ଏକାଭଳି ନୁହନ୍ତି। କାଲି ପାକିସ୍ତାନ, ବା˚ଲାଦେଶ, ମିଆଁମାର‌୍‌ ଆଦି ଭାରତର ଅ˚ଶ ବିଶେଷ ହୋଇଥିଲେ, ଆଜି ଅଲଗା ଦେଶ ହୋଇଛନ୍ତି ମାତ୍ର ସେମାନେ ସ୍ବତନ୍ତ୍ର। ଅଲଗା ଅଲଗା ଦେଶ, ଅଲଗା ପରିସ୍ଥିତି, ଅଲଗା ମେରୁଦଣ୍ତ।

ବିଶ୍ବ ପରିବେଶରେ ଭାରତକୁ ଠିଆ କରାଇବାର ଉଦ୍ଦେଶ୍ୟ ହେଉଛି ଯେ ବର୍ତ୍ତମାନ ସାରା ଜଗତ୍‌କୁ ଏକାଭଳି ବିପଦ ଗ୍ରାସ କରିଥିଲେ ମଧୢ ତା’ର ସମାଧାନ ସବୁ ଦେଶ ଲାଗି ଏକାପ୍ରକାରର ନୁହେଁ। ଆମକୁ ଆମେ ହୋଇ ଲଢ଼ିବାକୁ ପଡ଼ିବ। ଆମର ସମସ୍ୟାକୁ ଆମେ ନିଜେ ତର୍ଜମା କରିବା ଦରକାର। ସାରା ଇଉରୋପରେ ଯେତେ ଲୋକ ନାହାନ୍ତି, ଏକା ଆମ ଭାରତରେ ତା’ଠାରୁ ଅଧିକ ଅଛନ୍ତି। ଆମେରିକା ଆୟତନରେ ଭାରତ ଠାରୁ ତିନିଗୁଣା ବଡ଼ ହେଲେ ତା’ର ଲୋକସ˚ଖ୍ୟା ଭାରତ ସ˚ଖ୍ୟାର ଏକ ତୃତୀୟା˚ଶ। ଚୀନ୍‌ର ଲୋକସ˚ଖ୍ୟା ଭାରତ ଠାରୁ ଅଳ୍ପ ଅଧିକ, ହେଲେ ତା’ର ଆୟତନ ତିନିଗୁଣ ପାଖାପାଖି। ତେଣୁ କାହା ସହିତ ନିଜକୁ ତୁଳନା କରି ସେ ଦେଶର ଅର୍ଥନୀତି ଓ ଜୀବନନୀତିକୁ ଆଣି ଯୋଡ଼ିବା ଅନାବଶ୍ୟକ। ଭାରତ ସ୍ବତନ୍ତ୍ର। ଏହାର ଐତିହ୍ୟ ତଥା ଇତିହାସ ଭିନ୍ନ। ଭୂଗୋଳ ବି ଅଲଗା।

ଏ ସବୁ କଥା ଆଲୋଚନାକୁ ଆଣିଲା ବେଳେ ମନରେ ସ୍ବତଃ ପ୍ରଶ୍ନ ଉଠେ ଆମେ କ’ଣ ସତରେ ଭାରତକୁ ଏକ କରି ଗଢ଼ିପାରିଛେ? ଭାରତର ପ୍ରଶାସନିକ ଆଖି ତା’ର ସହର, ଗାଆଁ ଓ ବନାଞ୍ଚଳକୁ ସମାନ ନ୍ୟାୟ ଦେଉଛି?

ଦୂରେଇ ଦେଖିଲେ ଯେ କେହି ଜାଣିପାରିବ ଯେ ଭିତରୁ ଭିତରୁ ଭାରତ ବହୁଧା ବିଭାଜିତ। ମଣିଷ ମଧୢ ସେଇ ଅନୁସାରେ ପରିଚିତ। ସହରୀ, ଗାଉଁଲି, ଆଦିବାସୀ। ଏଇ ବିଭାଜନ ଯେ ଭାରତକୁ ଦୁର୍ବଳ କରି ରଖିଛି ସେ କଥା କ’ଣ ଆମେ ଅସ୍ବୀକାର କରିପାରିବା? ଗାଉଁଲି ଲୋକଙ୍କଠାରୁ ସହରୀ ମଣିଷ ଅଧିକ ସୁବିଧା ସୁଯୋଗ ପାଉନାହିଁ ସେ କଥା କ’ଣ ଆମେ ମାନିବାନି? ସେଇଥିପାଇଁ ତ ଗାଆଁରୁ ସହରକୁ ଧାଉଡ଼ି! ଆଦିବାସୀ ଭାଇ ବା ଭଉଣୀଟିଏ ଗାଉଁଲି ମଣିଷ ଠାରୁ ଆହୁରି ଅଧିକ ନିଉଛୁଣା ଜୀବନ ଯାପନ କରୁନାହିଁ ବୋଲି ଆମେ କ’ଣ ଅସ୍ବୀକୃତ ହେବା? ଚାକିରିରେ ପଦୋନ୍ନତି ଭଳି ଆମ ବ୍ୟବସ୍ଥା ଖୁବ୍‌ ଜାଣତରେ ତିନିଗୋଟି ସମାଜ ତିଆରି କରି ଚାଲିଛି। ସହରୀ ସମାଜ, ଗାଉଁଲି ସମାଜ ଓ ଆଦିବାସୀ ସମାଜ। ବର୍ଷ ବର୍ଷ ଧରି ବିକାଶର ଯେଉଁ ନକ୍‌ସା ତିଆରି ଚାଲିଛି ତାହା ଏ ତିନି ସମାଜର ଦୂରତା-ଗାରକୁ ଲିଭେଇବା ବଦଳରେ ବଢ଼େଇ ବଢ଼େଇ ଚାଲିଛି।

ଆଜିର ଦିନରେ ଏ କରୋନା ଆକ୍ରାନ୍ତ କାଳରେ କେଉଁ କଥାଟି ଆମକୁ ଜଳ ଜଳ ହୋଇ ଦିଶୁଛି? କାହିଁ କେଉଁଠି ଆଦିବାସୀଙ୍କ କଥା ଶୁଣିବାକୁ ମିଳୁଛି? ମାର୍ଚ୍ଚ ୨୪ ଠାରୁ ଥରକୁ ଥର ଦେଶ ବନ୍ଦୀ, ଘର ବନ୍ଦୀ କଥା ଆଲୋଚନା ବେଳେ ସହର କଥା ଅଧିକ ଓ ଗାଁ କଥା କମ୍‌ ଆଲୋଚିତ ହେଉଛି। ଆଦିବାସୀ ସମାଜର ଚିତ୍ର ନାହିଁ କହିଲେ ଚଳେ। ସା˚ପ୍ରତିକ ସମୟରେ ଅବହେଳିତ ଓ ପଛକୁ ଠେଲିଦିଆଯାଇଥିବା ସାରା ଦେଶର ସ୍ବେଚ୍ଛାସେବୀ ସ˚ଗଠନଗୁଡ଼ିକୁ ଓ ଗଣମାଧୢମକୁ ଧନ୍ୟବାଦ ଦେବାର କଥା ଯେ ସେମାନେ ପ୍ରବାସୀ ଶ୍ରମିକମାନଙ୍କର ଦୁଃଖ, ଦୁର୍ଦ୍ଦଶା ଓ ଶୋଷଣର ଚିତ୍ରକୁ ବାରମ୍ବାର ଉତ୍‌ଥାପନ କରିବାରେ ଲାଗିଛନ୍ତି। ଆଦିବାସୀ ସମାଜର କଥା କେହି କହୁଛି ବୋଇଲେ ସେଇ ଆଙ୍ଗୁଠି ଗଣତି ଦୁଇ ଚାରୋଟି ସ˚ଗଠନ।

ସ୍ବାଧୀନତା ପାଇବା ପରେ ଭାରତ ଓ ତା’ର ଶାସନ ବ୍ୟବସ୍ଥା ଯେତେ ସହର ଆଡ଼କୁ ଚାହିଁଲେ ସେତେ ଚାହିଁଲେ ନାହିଁ ଗାଆଁ ଗହଳକୁ। ଯେତେ କଳ କାରଖାନା ଓ ଚିମିନି ଧୂଆଁ କଥା ଭାବିଲେ ସେତେ ଭାବିଲେ ନାହିଁ ମାଟି, ପାଣି, ପବନର କଥା। ଖଟିଖିଆ ମଣିଷକୁ ଶିଳ୍ପ-ଶ୍ରମିକ କରିବା ପାଇଁ ସହରମୁହାଁ ହେବା ଲାଗି ସାହାଯ୍ୟ କଲେ। କୃଷକ ପରିଚୟଟିକୁ ବିଗାଡ଼ିଦେଲେ ପୂରାପୂରି। ବିଶ୍ବକର୍ମା ପୂଜା ଯେତେ ପ୍ରାଧାନ୍ୟ ଲାଭ କଲା ତେତେ ମଳିନ ପଡ଼ି ଆସିଲା ଅକ୍ଷୟ ତୃତୀୟା, ମାଣ ଓଷା। ସହରରେ ଯେତେ ଆପର୍ଟମେଣ୍ଟ (ଠିଆ ଗାଁ) ଉଭା ହେଲେ, ସେତେ ସେତେ ଗାଁ ଗହଳର ପ୍ରତିଷ୍ଠିତ ଘରଗୁଡ଼ିକର ଡିହରେ ଦୂବ, ଦୁରୁଦୁରା ଠିଆ ହେବାରେ ଲାଗିଲେ। ଆଦିବାସୀମାନଙ୍କୁ ବିକାଶ ନାଆଁରେ ମୂକ କରିଦିଆଗଲା। ତାଙ୍କ ଭିଟାମାଟିକୁ ଉଇହୁଙ୍କା କହି ପ୍ରଗତି ଓ ବିକାଶର ଶାବଳ ଲଗେଇ ଭାଙ୍ଗିବା ବ୍ୟବସ୍ଥା କରାଗଲା।

ଆଜିର କାଳ କରୋନା-କାଳ। ବିପଦର ବେଳା ପୁଣି ନୂଆ ଯୋଜନାର ପ୍ରକୃଷ୍ଟ ସମୟ। ଆମେ ଆମ ଦେଶକୁ ଭାରତ କରି ରଖିବା ନା ଅନ୍ୟ ଦେଶମାନଙ୍କ ଅନୁକରଣରେ ଇଣ୍ତିଆ କରି ତା’ର ପରିଚୟ ଓ ସ୍ଥିରତାକୁ ନଷ୍ଟ କରିଦେବା?

ବର୍ତ୍ତମାନ ଭାରତ ତଥା ଓଡ଼ିଶା ଆଗରେ ସବୁଠାରୁ ବଡ଼ ଆହ୍ବାନ ହେଉଛି ସହର ଢାଞ୍ଚାର ପରିବର୍ତ୍ତନ ଓ ଗାଉଁଲି ଭାରତର ସମନ୍ବିତ ବିକାଶ। ସହରଗୁଡ଼ିକ ଯେ ପରାଙ୍ଗପୁଷ୍ଟ ଓ ପରଜୀବୀ ତାହା ଖୁବ୍‌ ଶୀଘ୍ର ପ୍ରମାଣିତ ହେବ। ଇମିଗ୍ରାଣ୍ଟ୍‌ ଲେବରର‌୍‌ ବା ପ୍ରବାସୀ ଶ୍ରମିକମାନଙ୍କୁ ପଶୁଭଳି ଯେଉଁ ସହରଗୁଡ଼ିକ ଆବଦ୍ଧ ରଖି ନିଜକୁ ବିକଶିତ କରିଥିଲେ ସେମାନଙ୍କ ଚେହେରା ଏବେ ପଦାରେ ପଡ଼ିଛି। ନିଜକୁ ବିକଶିତ ରାଜ୍ୟ ବୋଲି ଦାବି କରି ଆସିଥିବା ଏଇ ସହର-ପ୍ରଧାନ ରାଜ୍ୟମାନେ ହିଁ ପ୍ରଥମେ ଡାକରା ଦେଲେ ଯେ ‘‘ହେ ଶ୍ରମିକମାନଙ୍କର ଭିଟାମାଟି-ରାଜ୍ୟମାନେ! ତୁମେ ତୁମ ଲୋକଙ୍କୁ ଫେରାଇ ନିଅ। ଆମେ ଅସହାୟ।’’ ସତେ ଯେମିତି ଭାରତ ଗୋଟାଏ ଦେଶ ନୁହେଁ। ସେ ଶ୍ରମିକ ଭାଇମାନେ ଭାରତୀୟ ନୁହନ୍ତି। ହଠାତ୍‌ ସେମାନେ ଓଡ଼ିଆ ହୋଇଗଲେ, ବିହାରୀ ହୋଇଗଲେ। ଖଟୋଉଥିବା ଚାକର ବାକରଙ୍କୁ ରୋଗ ବଇରାଗ ହେଲେ ନିର୍ମମ ଭାବେ ଘରୁ ବାହାର କରିଦେବା ଯାହା, ଏ ସେଇଆ। ଆଗରେ ରୋଗ, ପେଟରେ ଭୋକ। ଶ୍ରମିକ ଭାଇମାନେ ଦଳ ଦଳ ହୋଇ ଫେରିଲେ। ଖଟୋଉଥିବା ରାଜ୍ୟ, ସହର, ପୁଞ୍ଜିପତିମାନେ ଆହା ପଦେ କହିଲେ ନାହିଁ। ପିମ୍ପୁଡ଼ି ଗାତରେ ପାଣି ପଶିଲେ ଯାହା ହୁଏ ଏ ଅବସ୍ଥା ସେଇଭଳି ହେଲା। ପ୍ରଶ୍ନ ହେଉଛି ଗାଉଁଲି ଭାରତକୁ ବିକଶିତ ଭାରତ ନ କରି ଆମେ ଯେ ସହରୀ-ଇଣ୍ତିଆ କରିବାର ଯୋଜନା କଲେ ତାହା ଆମ ଦେଶର ପାଣିପାଗ ଓ ଅବସ୍ଥିତିକୁ ନେଇ ତିଆରି ହୋଇଥିଲା ନା ବିଦେଶ ଢାଞ୍ଚାରେ? କେତେ ଶ୍ରମିକ ପେଟପାଟଣା ଦାଉରେ ପରରାଜ୍ୟରେ ମୁଣ୍ତ ବିକିଛନ୍ତି ଏ ଖବର ନା ପଞ୍ଚାୟତ ପାଖରେ ଅଛି ନା ଜିଲ୍ଲା ବା ରାଜ୍ୟ ପାଖରେ ଅଛି। ଗାଈଗୋରୁ ଗଣନା ହେଉଛି ଅଥଚ ଦାଦନ ଶ୍ରମିକମାନଙ୍କ ଗଣନା ରଖିବାରେ ଆମେ ଅସମର୍ଥ ହେଲେ। କିଏ କହୁଛି ପାଞ୍ଚ ଲକ୍ଷ, କିଏ କହୁଛି ବାର ଲକ୍ଷ। ପୁଣି କିଏ କହୁଛନ୍ତି ଆହୁରି ଢେର‌୍‌ ଢେର‌୍‌ ଅଧିକ।

ଏ ଭାଇଭଉଣୀମାନେ ସମସ୍ତେ ଫେରିବେ। ଫେରିବା ବି ଉଚିତ। ଏ ମାଟି ତାଙ୍କର, ଯେମିତି ଏ କୋଠାବାଡ଼ି, ଗାଡ଼ି ମଟରବାଲାଙ୍କର। ସହରୀ ଇଣ୍ତିଆ ପ୍ରଭୂତ ଭାବରେ କ୍ଷତିଗ୍ରସ୍ତ ହେବ। ଗାଉଁଲି ଭାରତର ସ୍ବରୂପ ସଜାଡ଼ି ହେବ। ଯେଉଁ ଲକ୍ଷ ଲକ୍ଷ ପ୍ରବାସୀ ଭାଇ ଭଉଣୀ ଫେରିବେ ସେମାନଙ୍କ ସମାଧାନ ଥଇଥାନ ଶିବିରରେ ନାହିଁ କି ଭାତ ଡାଲମାରେ ନାହିଁ। ହାତକୁ କାମ ଦରକାର, କାମ ଅନୁସାରେ ରୋଜଗାର ଦରକାର। ସେଇ ଅନୁପାତରେ ଜୀବନ ଚାଲିବ। ନ ହେଲେ ସାମାଜିକ ବିଶୃଙ୍ଖଳା ବଢ଼ିବ। ବର୍ତ୍ତମାନଠାରୁ ସରକାର ଗ୍ରାମୀଣ ଯୋଜନା, ଜମି ତଦାରଖ ଓ କୃଷି ପ୍ରତି ଧୢାନ ଦେବା ଦରକାର। କୁଟୀର ଶିଳ୍ପ ଯୋଜନା ବ୍ୟାପକ ହେବା ଆବଶ୍ୟକ। କହିବାର ଅଛି ଏ କରୋନା-ବିପଦ ବେଳେ ଆମର ଗାଆଁଗୁଡ଼ିକ ଯେଉଁ ସ˚ଯମ ଓ ସଚେତନତା ଦେଖାଇଛନ୍ତି ସେ କଥା ସହର ମାନଙ୍କରେ ଦେଖିବାକୁ ମିଳିନାହିଁ। ସହରୀ ମଣିଷ ଉଚ୍ଛୃଙ୍ଖଳତା ଦେଖାଇଥିବା ବେଳେ ଗାଆଁ ଓ ଆଦିବାସୀ ଅଞ୍ଚଳର ଭାଇ ଭଉଣୀମାନେ ଅନୁକରଣୀୟ ସ˚ଯମ ଦେଖାଇଛନ୍ତି। ଆମେ ବହୁତ ସହରୀ ଇଣ୍ତିଆ ହେଲେ, ଏଣିକି ଗାଉଁଲି ଭାରତର ପତିତପାବନ ବାନା ଉଡ଼ିବା ଦରକାର। ଗାନ୍ଧୀଜୀ କ’ଣ ମିଛରେ କହିଥିଲେ, ‘‘ଭାରତର ଆତ୍ମା ଏହାର ଗାଆଁଗୁଡ଼ିକରେ ଅଛି!’’
[email protected]

ସମ୍ବନ୍ଧିତ ଖବର