ଏବେ ଯେତେବେଳେ ସାରା ପୃଥିବୀ କରୋନା ଭୂତାଣୁର କବ୍ଜାରେ ଛଟପଟ ହେଉଛି, ସେତିକି େବଳେ ଜାପାନ ଏଥିରୁ ମୁକ୍ତିର ଦ୍ବାର ଦେଶରେ। ଜାପାନରେ ଦୈନିକ ସଂକ୍ରମଣ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ହୋଇ ସାରିଲାଣି। ସେଠାରେ କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ତଳେ, ଯାହା ଜି-୭ ଗୋଷ୍ଠୀରେ ସାମିଲ ସବୁ ଧନୀ ରାଷ୍ଟ୍ରଙ୍କ ତୁଳନାରେ ସର୍ବନିମ୍ନ। ପୁଣି ଯାହା ଚମକପ୍ରଦ, ତାହା ହେଲା ଏହି ସମୟରେ ଜାପାନରେ ନା ଲକ୍ଡାଉନ୍ କରାଯାଇଛି ନା କୌଣସି ଅତ୍ୟାଧୁନିକ ‘କଣ୍ଟାକ୍ଟ ଟ୍ରେସିଂ’ ଆପ୍ ( ଆରୋଗ୍ୟ ସେତୁ ଭଳି)ର ସହାୟତା ନିଆଯାଇଛି। ସେଠାରେ ସପିଂ ମଲ୍, ରେସ୍ତୋରାଁ, ଦୋକାନ-ବଜାର, ଗାଡ଼ି ମଟର ଓ ରେଳ ଆଦି ପୂର୍ବ ଭଳି ଚାଲୁଛି। କେବଳ ଯାହା ଆଗତୁରା ସ୍କୁଲ୍ଗୁଡ଼ିକୁ ବନ୍ଦ କରି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେଇ କାରଣରୁ ଏବେ ଜାପାନର ସଫଳତାର ମଞ୍ଜିକୁ ଖୋଜିବା ଲାଗି ତର୍ଜମା ଆରମ୍ଭ ହୋଇଯାଇଛି। ଏହି ମର୍ମରେ ବାହାରିଥିବା ୪୩ଟି ସମ୍ଭାବ୍ୟ କାରଣ ଭିତରେ ଏଭଳି ଉଦ୍ଭଟ କାରଣ ବି ରହିଛି ଯେ ଜାପାନୀମାନେ କଥା କହିବା ବେଳେ ସେମାନଙ୍କ ପାଟିରୁ ଭୂତାଣୁ ବାହକ ଜଳ କଣା ଅଳ୍ପ ପରିମାଣରେ ନିଷ୍କାସିତ ହୋଇଥାଏ। କିନ୍ତୁ, ସତ କଥାଟି ହେଲା ଏହାର କାରଣ କିଂବଦନ୍ତୀୟ ଜାପାନୀ ସାମାଜିକ ଶୃଙ୍ଖଳା ବୋଧ। କରୋନା ସଂକ୍ରମଣ କାଳରେ ସେମାନେ ମୁଖା ପିନ୍ଧା ଏବଂ ସାମାଜିକ ଦୂରତା ରକ୍ଷାକୁ ଏକ ସାମାଜିକ ସଂସ୍କୃତି ଓ ରାଷ୍ଟ୍ରୀୟ ଦାୟିତ୍ବରେ ପରିଣତ କରିଦେଇଛନ୍ତି। ସେମାନେ ପ୍ରମାଣିତ କରି ଦେଇଛନ୍ତି ଯେ କେବଳ ସାମାଜିକ ଶୃଙ୍ଖଳା ଓ ଦାୟିତ୍ବ ବଳରେ କରୋନା ଉପରେ ବିଜୟ ଲାଭ କରିହେବ। ଜାପାନୀମାନେ ବାରମ୍ବାର ସେମାନଙ୍କ ସାମାଜିକ ଦାୟିତ୍ବବୋଧର ପରିଚୟ ଦେଇ ଆସିଛନ୍ତି। ବିଶ୍ବକପ୍ ଫୁଟ୍ବଲ ଟୁର୍ନାମେଣ୍ଟ ବେଳେ ଜାପାନୀମାନେ ବସିଥିବା ଷ୍ଟାଡିଅମ୍ର ଅଂଶକୁ ମ୍ୟାଚ୍ ପରେ ପରିଷ୍କାର ପରିଚ୍ଛନ୍ନ କରିବାର ଦୃଷ୍ଟାନ୍ତ ହେଉ ଅଥବା ୨୦୧୧ ମସିହାର ସୁନାମି ପରେ ରିଲିଫ୍ ବଣ୍ଟନ ବେଳେ ଘଣ୍ଟା ଘଣ୍ଟା ଧରି ନିରବରେ ଧାଡ଼ିରେ ଛିଡ଼ା ହେବାର ଧୈର୍ଯ୍ୟ ପ୍ରଦର୍ଶନ କରିବା ଉଦାହରଣ ହେଉ; ଏହା ସବୁ ବେଳେ ଦେଖିବାକୁ ମିଳିଛି। ଏବେ କରୋନା ଉପରେ ବିଜୟ ଏହାର ସବୁଠାରୁ ବଡ଼ ଦୃଷ୍ଟାନ୍ତ ଭାବେ ବିଦ୍ୟମାନ।