ପ୍ରସଙ୍ଗ, ଜ୍ୟୋତି କୁମାରୀଙ୍କ ଉପଲବ୍‌ଧି

ବିହାରର ଅଷ୍ଟମ ଶ୍ରେଣୀର ଛାତ୍ରୀ ଜ୍ୟୋତି କୁମାରୀ ଏବେ ଏକ ଅତିମାନବୀୟ କାର୍ଯ୍ୟ କରି ଦେଖାଇଛନ୍ତି। ସଂପ୍ରତି ସାରା ଦେଶରେ ପ୍ରବାସୀ ଶ୍ରମିକମାନେ ମୁଣ୍ଡରେ ବୋଝ ବୋହି ଏବଂ ପାଦରେ ଚାଲି ଚାଲି ବା ସାଇକେଲ ଚଳାଇ ଶହ ଶହ କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବା ଏକ କିଂବଦନ୍ତୀୟ ଆକାର ଧାରଣ କରିଥିବା ବେଳେ ଜ୍ୟୋତି କୁମାରୀଙ୍କ ସାଫଲ୍ୟ ସେଥିରେ ଆଉ ଗୋଟିଏ ପୃଷ୍ଠା ଯୋଡ଼ି ଦେଇଛି। ଲକ୍‌ଡାଉନ୍ ହେତୁ ଗୁରୁଗ୍ରାମରେ ଅଟକି ଯାଇଥିବା ଏହି କିଶୋରୀ ତାଙ୍କ ଅସୁସ୍ଥ ପିତାଙ୍କୁ ସାଇକେଲର ପଛ କ୍ୟାରିଅରରେ ବସାଇ ସାତ ଦିନରେ ପ୍ରାୟ ୧୨୦୦ କିଲୋମିଟର ଅତିକ୍ରମ କରି ବିହାରରେ ନିଜ ଘରକୁ ଫେରିବାରେ ସମର୍ଥ ହୋଇଛନ୍ତି।

ତାଙ୍କର ଏହି ସାଫଲ୍ୟକୁ ଦେଖି ତାଳି ବଜାଇବାକୁ କୌଣସି ଦର୍ଶକ ଉପସ୍ଥିତ ନ ଥିଲେ ମଧ୍ୟ ପ୍ରତିଯୋଗିତାମୂଳକ ସାଇକେଲ ଚାଳନା ଭଳି କ୍ରୀଡ଼ା ଶୃଙ୍ଖଳାର ତତ୍ତ୍ବାବଧାରକ ‘ସାଇକେଲ ଫେଡେରେସନ ଅଫ୍ ଇଣ୍ଡିଆ’ ନଜରରୁ ସେ ବାଦ ପଡ଼ି ନାହାନ୍ତି। ତାଙ୍କର ଏକ ପ୍ରାରମ୍ଭିକ ପରୀକ୍ଷା କରି ପ୍ରତିଯୋଗିତାମୂଳକ ସାଇେକଲ ଚାଳନା ଲାଗି ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଏହି ଜାତୀୟ ଅନୁଷ୍ଠାନ କରିବ ବୋଲି ପ୍ରକାଶ କରିଛି। ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ‌ହେ‌େଲ ଜ୍ୟୋତି କୁମାରୀ ‘ନେସନାଲ ସାଇକେଲ ଏକାଡେମି’ରେ ପ୍ରଶିକ୍ଷଣ ଲାଭ କରିବେ। ପ୍ରକାଶ ଥାଉ କି ‘ନେସନାଲ ସାଇକେଲ ଏକାଡେମି’ରେ ଉପଲବ୍‌ଧ ସୁବିଧାସୁଯୋଗ ଓ ପ୍ରଶିକ୍ଷଣର ସ୍ତର ଏସିଆ ମହାଦେଶରେ ସର୍ବୋତ୍ତମ। ଯଦି ସେଠାରେ ପ୍ରଶିକ୍ଷଣ ଲାଭ କରି ଯୋଗ୍ୟ ହୁଅନ୍ତି, ତେବେ ଜ୍ୟୋତି କୁମାରୀ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ଚାଳନା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ଲାଭ କରିବେ। କିନ୍ତୁ ଯଦି ତାହା ନ ହୁଏ, ତେବେ ମଧ୍ୟ ଜ୍ୟୋତି କୁମାରୀଙ୍କ ଲାଗି ଅବସୋସର କାରଣ ନାହିଁ। କାରଣ ତାଙ୍କର ଏଭଳି ଅଲୌକିକ ସାମର୍ଥ୍ୟ ପ୍ରତିପାଦନ ତାଙ୍କ ଆତ୍ମପ୍ରତ୍ୟୟକୁ ନଭଶ୍ଚୁମ୍ବୀ କରିଥିବ ଏବଂ ଏହି ଅନୁଭୂତି ତାଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଥିବ। ଏହା ତାଙ୍କୁ ହୁଏ’ତ କେବେ କୌଣସି ପରାଜୟ ସ୍ବୀକାର କରିବାକୁ ଦେଇ ନ ପାରେ।

ସମ୍ବନ୍ଧିତ ଖବର