ବାୟୁ ପ୍ରଦୂଷଣ ଓ ‘ବେଜିଂ କାଶ’

ରଞ୍ଜନ ପ୍ରଧାନ

ବାୟୁ ପ୍ରଦୂଷଣ ‌କାରଣରୁ ଚୀନ୍‌ର ବେଜିଂରେ ଏକ ନୂଆ ରୋଗ ଦେଖା ଦେଇଛି, ଯାହା ମଣିଷ ସମାଜ ପାଇଁ ଏକ ନୂଆ ଆତଙ୍କ ସୃଷ୍ଟି କରିଛି ବୋଲି କହିଲେ ଚଳେ। ଏ ରୋଗର ନାମ ‘ବେଜିଂ କଫ୍‌’। ‘ବେଜିଂ କଫ୍‌’ ଏବେ ସମଗ୍ର ଚୀନ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ରୋଗର ଶିକାର ହେଉଥିବା ଲୋକେ କାଶି କାଶି ବେଦମ୍‌ ହୋଇ ପଡୁଛନ୍ତି ଏବଂ ଶେଷରେ ମୃତ୍ୟୁର ଶିକାର ମଧ୍ୟ ହେଉଛନ୍ତି। ସେମାନଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବା ଫଳରେ ତାହା ସମ୍ପୂର୍ଣ୍ଣ ଅଚଳ ହୋଇଯାଉଛି। ବେଜିଂ ସହରରେ ଲୋକମାନେ ସବୁବେଳେ କାଶୁଥିବାରୁ କେହି କେହି ବେଜିଂକୁ ‘କାଶ ରାଜଧାନୀ’ (କଫ୍‌ କ୍ୟାପିଟାଲ୍‌) ବୋଲି କହିବାକୁ ପଛାଉ ନାହାନ୍ତି। ‘ବେଜିଂ କଫ୍‌’ ଏବେ ସାରା ବିଶ୍ବ ପାଇଁ ଏକ ‌ଚରମ ଚେତାବନୀ ବୋଲି କହିଲେ ଭୁଲ ହେବ ନାହିଁ।

ଚୀନ୍‌ରେ ବାୟୁ ପ୍ରଦୂଷଣ କାରଣରୁ ବାର୍ଷିକ ୭ ଲକ୍ଷ ୫୦ ହଜାର ଲୋକଙ୍କର ମୃତ୍ୟୁ ହେଉଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ସିଗାରେଟ୍‌ କି ଧୂଆଁପତ୍ର ବ୍ୟବହାର ନ କରି ମଧ୍ୟ ବେଜିଂରେ ଅନେକ ଲୋକ କାଶ ଓ ଯକ୍ଷ୍ମା ଭଳି ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଏହା କ’ଣ କେବଳ ବେଜିଂର ସମସ୍ୟା? ବାୟୁ ପ୍ରଦୂଷଣ ସମସ୍ୟ‌ା ଏବେ ଭାରତର ରାଜଧାନୀ ଦିଲ୍ଲୀ ପାଇଁ ମଧ୍ୟ ପ୍ରକାଣ୍ଡ ଆହ୍ବାନ ସୃଷ୍ଟି କରିଛି। ଦିଲ୍ଲୀରେ ଲୋକେ ମୁହଁରେ ମୁଖା ବା ‘ମାସ୍କ୍‌’ ନ ଦେଲେ ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ଦିଲ୍ଲୀ କାହିଁକି ଆମ ରାଜ୍ୟ ଓଡ଼ିଶାର ତାଳଚେର, ଅନୁଗୁଳ, ଯୋଡ଼ା, ବଡ଼ବିଲ, ବ୍ରଜରାଜନଗର, ଝାରସୁଗୁଡ଼ା ଭଳି ଖଣିଜ ଶିଳ୍ପଭିତ୍ତିକ ସହରାଞ୍ଚଳ ଏବଂ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଭଳି ଯାନବାହନ ବହୁଳ ମହାନଗରରେ ବାୟୁ ପ୍ରଦୂଷଣ ମଧ୍ୟ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଯୋଡ଼ା ଲୁହାପଥର ଖାଦାନ ଅଞ୍ଚଳ କିମ୍ବା ତାଳଚେର କୋଇଲା ଖଣି ଅଞ୍ଚଳରେ ବାୟୁ ପ୍ରଦୂଷଣର ଭୟାବହତା ନ ଦେଖିଲେ ବିଶ୍ବାସ କରିହେବନାହିଁ। ତେବେ, ଏହା ପଛରେ ରହିଥିବା କାରଣଗୁଡ଼ିକ ଭିତରୁ ଏକ ପ୍ରମୁଖ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ଚୀନ୍‌ ଓ ଭାରତର ଅସ୍ବାଭାବିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ଜନସଂଖ୍ୟା ବୃଦ୍ଧି ହିଁ ପରୋକ୍ଷରେ ଯାନବାହନର ସଂଖ୍ୟା ବୃଦ୍ଧିର କାରଣ। ଏଥି ଯୋଗୁ ସହରାଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ବର୍ଷରୁ ବାୟୁ ପ୍ରଦୂଷଣ କାରଣରୁ ସମଗ୍ର ବିଶ୍ବରେ ବାର୍ଷିକ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ ବୋଲି ‘ଅର୍ଗାନାଇଜେସନ୍‌ ଫର୍‌ ଇକନମିକ୍‌ କୋ-ଅପରେସନ୍‌ ଆଣ୍ଡ ଡେଭ୍‌ଲପମେଣ୍ଟ’ (ଓଇସିଡି) ଏକ ଆଗୁଆ ଆକଳନ କରିଛି। ଯଦି ଏହି ଆକଳନ ସତ୍ୟ ହୁଏ, ତେବେ ଏହା ‌ କେତେ ଘାତକ ତାହା ଅନୁମାନ କରାଯାଇପାରେ।

କେବଳ ବେଜିଂ କାହିଁକି ଚଳିତବର୍ଷ ଲଣ୍ଡନରେ ବାୟୁ ପ୍ରଦୂଷଣ ସମସ୍ୟା ଜଟିଳ ହୋଇଛି। ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଇଂଲଣ୍ଡ ‘କ୍ଲାଇମେଟ୍‌ ଏମର୍‌ଜେନ୍‌ସି’ ଜାରି କରିଛି। ଇଂଲଣ୍ଡ ହେଉଛି ବିଶ୍ବର ଏକମାତ୍ର ଏବଂ ପ୍ରଥମ ଦେଶ, ଯିଏ ‘କ୍ଲାଇମେଟ୍‌ ଏମର୍ଜେନ୍‌ସି’ ବା ‘ଜଳବାୟୁ ଜରୁରୀ ପରିସ୍ଥିତି’ ଘୋଷଣା କରିଛି। ୨୦୫୦ ସୁଦ୍ଧା ଇଂଲଣ୍ଡ ‘ଗ୍ରିନ୍‌ ହାଉସ୍‌’ ଗ୍ୟାସ ନିର୍ଗମନକୁ ‘ନେଟ୍‌ ଜିରୋ’ (ଶୂନ) କରିବା ‘କ୍ଲାଇମେଟ୍‌ ଏମର୍ଜେନ୍‌ସି’ର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ତେବେ ‘କ୍ଲାଇମେଟ୍‌ ଏମର୍ଜେନ୍‌ସି’ ଜାରି କରାଯିବା ବାବଦରେ ବେଜିଂ ଓ ନୂଆଦିଲ୍ଲୀ ମଧ୍ୟ ପଦକ୍ଷେପ ନେବା ଜରୁରୀ।‘ୟୁରୋପୀୟ ପରିବେଶ ସଂସ୍ଥା’ (ଇଇଏ)ର ତଥ୍ୟ ଅନୁସାରେ ପ୍ରଦୂଷିତ ବାୟୁର ମାନ ଏତେ ନିମ୍ନ ଯେ ୨୦୧୬ ମସିହାରେ ୟୁରୋପରେ ୪,୦୦,୦୦୦ ଲୋକଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ଏହି ପରିପ୍ରେକ୍ଷୀରେ ଭାରତର ସ୍ଥିତି ମଧ୍ୟ ଚିନ୍ତାଜନକ। ଆମ ଦେଶରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ମଧ୍ୟରୁ ୨୫% ବାୟୁ ପ୍ରଦୂଷଣ କାରଣରୁ ମରିଥାଆନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ପ୍ରତିବର୍ଷ ନଭେମ୍ବର ମାସର ପ୍ରାରମ୍ଭରେ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ଅତି ଉତ୍କଟ ରୂପ ଧାରଣ କରିଥାଏ। ଭାରତ ସରକାରଙ୍କ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀର ୫୦% ଶିଶୁ ଫୁସ୍‌ଫୁସ୍‌ ସଂକ୍ରମଣଜନିତ ରୋଗର ଶିକାର ହୋଇଛନ୍ତି। ଦିଲ୍ଲୀରେ ଯାନବାହନ ଚଳାଚଳ ଓ ଶିଳ୍ପ କାରଖାନା ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ସେପ୍‌ଟେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଦିଲ୍ଲୀରେ ଏୟାର କ୍ବାଲିଟି ଇନ୍‌ଡେକ୍ସ (ଏକ୍ୟୁଆଇ) ୬୦୦ ଅତିକ୍ରମ କରିଯାଉଛି, ଯାହା କି ଏକ ସତର୍କ ଘଣ୍ଟି ସଦୃଶ।

ସାଧାରଣତଃ ଏୟାର କ୍ବାଲିଟି ଇନ୍‌ଡେକ୍ସ (ଏକ୍ୟୁଆଇ) ୦ରୁ ୫୦ ମଧ୍ୟରେ ରହିଲେ ତାକୁ ଉତ୍ତମ ବୋଲି ଧରାଯାଏ। ‘ଏକ୍ୟୁଆଇ’ ୫୧ରୁ ୧୦୦ ମଧ୍ୟରେ ରହିଲେ ତାହା ଚଳଣୀୟ ସ୍ତରର। ମାତ୍ର ୧୦୦ରୁ ଉପରେ ରହିଲେ ବାୟୁ ପ୍ରଦୂଷଣ ଚିନ୍ତାଜନକ ବୋଲି ବିଚାର କରାଯାଏ। ଦିଲ୍ଲୀ, ହରିୟାଣା ସମେତ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ‘ଏକ୍ୟୁଆଇ’ ୬୦୦ରୁ ଅତିକ୍ରମ କରି ଯାଇଛି। ଓଡ଼ିଶାରେ ମଧ୍ୟ ଅନେକ ସହରରେ ‘ଏକ୍ୟୁଆଇ’ ୨୦୦ ଅତିକ୍ରମ କରିଛି। ଓଡ଼ିଶାର ଅନୁଗୁଳରେ ବାୟୁ ପ୍ରଦୂଷଣ ସର୍ବାଧିକ ୨୦୦ ଛୁଇଁଛି। ୨୦୧୮ରେ ‘ନ୍ୟାସ୍‌ନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌’ (ଏନ୍‌ଜିଟି) ଦେଶର ୧୦୨ ସର୍ବାଧିକ ବାୟୁ ପ୍ରଦୂଷିତ ସହରମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା। ଏଥିରେ ଓଡ଼ିଶା‌ର ୬ଟି ସହର ସ୍ଥାନ ପାଇଥିଲା। ସେହି ସହରମାନେ ହେଲେ- କଟକ, ବାଲେଶ୍ବର, ଅନୁଗୁଳ, ତାଳଚେର, ରାଉରକେଲା ଓ ଭୁବନେଶ୍ବର। ତାଳଚେର ଓଡ଼ିଶାର ସର୍ବାଧିକ ବାୟୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି। ଏହି ଦୃଷ୍ଟିରୁ ଆମ ରାଜ୍ୟରେ ମଧ୍ୟ ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଉଦ୍ୟମ କରାଯିବା ଉଚିତ।
ନିଗିନିପୁର, ସାନଜରିଆ, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର