ଏହା କେବଳ ମାତ୍ର ସେତୁଟିଏ ନୁହେଁ

ଆମ ଘରର ହାଲଚାଲ / ସୌମ୍ୟରଂଜନ ପଟ୍ଟନାୟକ

0 427

ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁଦୂର ମାଲକାନଗିରିରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ କରୁଥିଲେ। ନଦନଦୀ ଭରା ଓଡ଼ିଶାରେ ସେତୁ ନିର୍ମାଣ କିଛି ନୂଆ କଥା ନୁହେଁ। ମହାନଦୀ ଓ ଅନ୍ୟ ବଡ଼ନଦୀମାନଙ୍କ ଉପରେ ଗୁରୁପ୍ରିୟାଠାରୁ ଆହୁରି ଅଧିକ ଦୀର୍ଘ ଏବଂ ବ୍ୟୟବହୁଳ ସେତୁ ନିର୍ମାଣ ହୋଇଛି। ତେବେ ଗୁରୁପ୍ରିୟା ଆଜି କାହିଁକି ସ୍ୱତନ୍ତ୍ର ଉଲ୍ଲେଖର ଅପେକ୍ଷା ରଖୁଛି? ସେତୁଟିଏ ଜଳଭାଗ ଦ୍ୱାରା ବିଚ୍ଛିନ୍ନ ଦୁଇଟି ସ୍ଥଳଭାଗକୁ ଯୋଡ଼େ। ଜନବସତିମାନଙ୍କ ମଧ୍ୟରେ ଦୂରତା କମାଏ। ଗୁରୁପ୍ରିୟା ସେତୁ ହୁଏତ ଦୀର୍ଘବର୍ଷ ଧରି ବିଚ୍ଛିନ୍ନ ହୋଇ ରହିଥିବା ମାଲକାନଗିରି ଜିଲ୍ଲାର ୧୫୧ଟି ଗ୍ରାମକୁ ଓଡ଼ିଶା ସହିତ ଯୋଡ଼ିଛି। କିନ୍ତୁ ଆମ ବିଚାରରେ ଗୁରୁପ୍ରିୟା ସେତୁ ଆମ ପାଇଁ ଏବଂ ସମଗ୍ର ଦେଶ ପାଇଁ ଏକାଧିକ ବାର୍ତ୍ତା ଦେଉଛି।

ଗୁରୁପ୍ରିୟା ସେତୁ ରାଜନୈତିକ ଇଚ୍ଛାଶକ୍ତିର ଏକ ଜ୍ୱଳନ୍ତ ପ୍ରମାଣ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ର ୧୫୧ଟି ଗ୍ରାମକୁ ନେଇ ଗଠିତ ୭ଟି ପଞ୍ଚାୟତ ବର୍ଷବର୍ଷ ଧରି ବିଚ୍ଛିନ୍ନ ହୋଇ ରହିଥିଲା। ଏହାକୁ ବିଚ୍ଛିନ୍ନାଞ୍ଚଳ ବୋଲି ମଧ୍ୟ କୁହାଗଲା। ଓଡ଼ିଶା ଭିତରେ ଏପରି ଏକ ଅଞ୍ଚଳ ରହିଲା, ଅଥଚ ସ୍ଥଳ ପଥରେ ଏ ଅଞ୍ଚଳକୁ ଯିବା ସମ୍ଭବ ନଥିଲା। ଜଳପଥରେ ଯିବା ସମ୍ଭବ ହେଲେ ବି ଅତ୍ୟନ୍ତ ସମୟ ଓ କଷ୍ଟସାପେକ୍ଷ ଥିଲା। ବିଚ୍ଛିନ୍ନାଞ୍ଚଳ ହୋଇ ଦୀର୍ଘ ଦିନ ରହିବା ଫଳରେ ନକ୍ସଲମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଗଡ଼ ପରି କାମ ଦେଲା। ଏହାକୁ ସେ କେବଳ ନିଜ ଗଡ଼ ପରି ବ୍ୟବହାର କଲେନାହିଁ, ଏହାକୁ ମୁକ୍ତ ଅଞ୍ଚଳ ବୋଲି ମଧ୍ୟ ଘୋଷଣା କଲେ। ଏ ଅଞ୍ଚଳ ଉପରେ ଓଡ଼ିଶା ସରକାରଙ୍କ କୌଣସି କର୍ତ୍ତୃତ୍ୱ ରହିଲା ନାହିଁ। ଜିଲ୍ଲାପାଳଙ୍କ ଅପହରଣ ଏହାର ଏକ ଜ୍ୱଳନ୍ତ ଉଦାହରଣ। ପ୍ରଥମ ଦଫାରେ ପୋଲ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ପାଇଥିବା ଗାମନ୍‌ ଇଣ୍ଡିଆ ଭଳି ନାମକରା କମ୍ପାନି ଓହରି ଯାଇଛନ୍ତି ଏବଂ ଅନେକ ଏଥିପାଇଁ ପ୍ରାଣବଳି ଦେଇଛନ୍ତି। ଜଳପଥରେ ଏ ଅଞ୍ଚଳ ସହିତ ଯୋଗାଯୋଗ କରିବାକୁ ଯାଇ ଅନେକ ସହିଦ ମଧ୍ୟ ହୋଇଛନ୍ତି। ଏପରି ଏକ ଅଞ୍ଚଳ ସହିତ ଗୁରୁପ୍ରିୟା ସେତୁ ମାଧ୍ୟମରେ ସ୍ଥଳପଥରେ ଆଜି ସଂଯୋଗ ସ୍ଥାପନ କରାଯାଇପାରିଛି ଏବଂ ସରକାରୀ କଳକୁ ପହଞ୍ଚାଇବାରେ ସଫଳତା ମିଳିଛି। ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି ନଥିଲେ ଏହା କେବେ ସମ୍ଭବ ହୋଇନଥା’ନ୍ତା। ଯଥାର୍ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥାକଥିତ ‘ମୁକ୍ତ ବିଚ୍ଛିନ୍ନାଞ୍ଚଳ’କୁ ‘ସ୍ୱାଭିମାନ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି। ମନେ ରଖିବାକୁ ପଡ଼ିବ ଯେ, ନକ୍ସଲ ଉପଦ୍ରୁତ ଓ ଅଧିକୃତ ଅଞ୍ଚଳଗୁଡ଼ିକରେ ସେମାନଙ୍କୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଅନେକଗୁଡ଼ିଏ ଯୋଜନା କରୁଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଅନେକ ସୁବିଧାସୁଯୋଗ ଓ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ ମଧ୍ୟ ଏ ସେତୁ ନିର୍ମାଣ ପାଇଁ ଆବଶ୍ୟକ ପଡ଼ୁଥିବା ଅର୍ଥରାଶି ବାବଦକୁ କୌଣସି ସହଯୋଗ କରିବାକୁ ଆଗେଇ ଆସିଲେ ନାହିଁ। ୪୫ କୋଟିର ପୁରୁଣା ଯୋଜନାରେ ଏହାକୁ ସୀମିତ ରଖିବା ପାଇଁ ଓଲଟା ଚାପ ପକାଇଲେ। ରାଜ୍ୟ ସରକାର ତାଙ୍କର ସୀମିତ ସମ୍ବଳ ସତ୍ତ୍ୱେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଅଣ୍ଟା ଭିଡ଼ିଲେ ଏବଂ ୧୮୭ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ କରିବାରେ ସଫଳ ହେଲେ। କେନ୍ଦ୍ର ସରକାର ଦୋଷ ଲୁଚାଇବାକୁ ଯାଇ ପୁରୁଣା ଯୋଜନା ଅନ୍ତର୍ଗତ ୨୭ କୋଟିର ଅନୁଦାନ ରାଶି ଏବେ ତିନିମାସ ତଳେ ପଠାଇଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱାଭିମାନର ଏହାଠାରୁ ବଡ଼ ପ୍ରମାଣ ଆଉ କ’ଣ ଥାଇପାରେ?

ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳ ପାଇଁ ୧୦୦ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟ ଆମ ବିଚାରରେ ଅନ୍ୟ ଏକ ବାର୍ତ୍ତା ଦେଉଛି। କେନ୍ଦ୍ର ସରକାର ରାଜନୈତିକ ଦୃଷ୍ଟିରୁ ବିଚାର କରି ରାଜ୍ୟ ସରକାରମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରୁଛନ୍ତି। ରାଜ୍ୟମାନଙ୍କର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ପରିପ୍ରେକ୍ଷୀରେ ଏହା ସଂପ୍ରତି ଏକ ବିବାଦୀୟ ପ୍ରସଙ୍ଗ ହୋଇଉଠିଛି। ଓଡ଼ିଶା ମଧ୍ୟ ଦୀର୍ଘଦିନର ପଛୁଆପଣକୁ ଅତିକ୍ରମ କରି ଆଗୁଆ ରାଜ୍ୟରେ ପରିଣତ ହେବା ପାଇଁ ବହୁଦିନରୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି କରିଆସୁଛି। ମାତ୍ର କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଅବହେଳା କଥା ବରାବର କହିଆସୁଛନ୍ତି। ଏବେ ଶହେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରି ଆମ ବିଚାରରେ ଅବହେଳା ପ୍ରସଙ୍ଗ ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ‘ସ୍ୱାଭିମାନ ଅଞ୍ଚଳ’କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଶହେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କେନ୍ଦ୍ର ସରକାରଙ୍କୁ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ପ୍ରତି ଅଧିକ ଅନୁକୂଳ ମତ ରଖିବାରେ ପ୍ରୋତ୍ସାହିତ କରିବ ବୋଲି ଆମେ ଆଶାକରୁ।

ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି, ବିକାଶର ସୁଷମ ବଣ୍ଟନ, ପଛୁଆ ଅଞ୍ଚଳକୁ ଆଗୁଆ ଅଞ୍ଚଳ ସହ ସମକକ୍ଷ କରାଇବାର ସଂକଳ୍ପ, ସ୍ୱାଭିମାନର କଥା କେବଳ ଉଚ୍ଚାରଣରେ ନ ହୋଇ ଆଚରଣରେ ପ୍ରତିଫଳିତ ହେବା ଆଦି ଅନେକ ବାର୍ତ୍ତା ଗୁରୁପ୍ରିୟା ସେତୁ ଆଜି ଆମକୁ ଦେଉଛି। ତେଣୁ ଏହା କେବଳ ମାତ୍ର ସେତୁଟିଏ ନୁହେଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.