ଆମେ କେବେ ଶିଖିବା?

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ଗତ ସପ୍ତାହରେ ରାଜଧାନୀ ଭୁବନେଶ୍ବର ସହରର ରାସ୍ତାମାନଙ୍କରେ ଯେଉଁ ଅଭାବନୀୟ ଦୃଶ୍ୟସବୁ ଆମେ ଦେଖିଲୁ, ତାହା ନିଶ୍ଚିତ ଏଡ଼ାଯାଇ ପାରିଥାନ୍ତା। ତେବେ ସେଥିପାଇଁ ଦୋଷ କାହାକୁ ଦେବା ଆମେ ହଠାତ ଚିନ୍ତା କରିପାରୁ ନାହୁଁ। କେନ୍ଦ୍ର ସରକାରଙ୍କ ଦ୍ବାରା ସଡ଼କ ସୁରକ୍ଷା ପାଇଁ ପ୍ରସ୍ତୁତ ନୂଆ ଟ୍ରାଫିକ ନିୟମ ସ˚ସଦରେ ପାରିତ ହୋଇ ଗତ ଅଗଷ୍ଟ ୯ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରି ସେପ୍ଟେଟର ୧ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସଡ଼କ ବ୍ୟବହାର କରୁଥିବା ପ୍ରତ୍ୟେକ ନାଗରିକ ଏ ସ˚ପର୍କରେ ଅବଗତ ଥିବେ। ନୂଆ ନିୟମର ବିଶେଷତ୍ବ ହେଲା ଯେ ନିୟମ ଉଲ୍ଲଂଘନକାରୀଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ଦଣ୍ତବିଧାନ ଅତ୍ୟନ୍ତ କଠୋର ଓ ଅବାସ୍ତବ। ତେବେ ଯୁକ୍ତି କରାଯାଇପାରେ ଯେ ଅବାସ୍ତବ ଅର୍ଥଦଣ୍ତର ବ୍ୟବସ୍ଥା ଅର୍ଥ ଆଦାୟ କରିବା ପାଇଁ ଯେତିକି ନୁହେଁ, ଉଲ୍ଲଂଘନକାରୀଙ୍କ ଉପରେ ମାତ୍ରାଧିକ ଚାପ ପ୍ରୟୋଗ କରି ସେଥିରୁ ନିବୃତ୍ତ ରହିବା ପାଇଁ ସେତିକି। ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ସବୁ ଆଇନକୁ ସ୍ବଇଚ୍ଛାରେ କେହି ପାଳନ କରନ୍ତି ନାହିଁ। ସେଥିପାଇଁ ପ୍ରତ୍ୟେକ ଆଇନ ସହିତ ଦଣ୍ତର ବ୍ୟବସ୍ଥା ଥାଏ। ଭାଷା ଆଇନ ଲାଗୁ ହେବା ପରେ ସେଥିରେ ଉଲ୍ଲଂଘନକାରୀଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଦଣ୍ତ ବ୍ୟବସ୍ଥା ନଥିବାରୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଲା। ଗୋଟିଏ ନୂଆ ଆଇନ ଲାଗୁ ହେଲେ ଆମର ପ୍ରଥମ ପ୍ରତିକ୍ରିୟା ହେଲା ଦଣ୍ତକୁ କିପରି ଏଡ଼ାଇଯିବା। ଆଇନକୁ କାର୍ଯ୍ୟକାରୀ କରୁଥିବା ପୁଲିସ ଅଧିକାରୀମାନେ ଏ ସ˚ପର୍କରେ ଅଧିକ ଜାଣନ୍ତି ଓ ଏହି କଥାକୁ ପ୍ରତିଦିନ ଅଙ୍ଗେ ନିଭାଉଛନ୍ତି। ଆମର ଅଭିଜ୍ଞ ପୁଲିସ ବାବୁମାନେ ଏପରି କଠୋର ଦଣ୍ତ ବ୍ୟବସ୍ଥା ବିରୋଧରେ ସ୍ବାଭାବିକ ପ୍ରତିକ୍ରିୟା ହେବ ବୋଲି ଅନୁମାନ କରିପାରିଲେ ନାହିଁ କିପରି? ନ୍ୟାୟ ଓ ନୈତିକତାର ଅସଲ ମାପକାଠି ହେଲା ନିଜକୁ ଅନ୍ୟ ଜାଗାରେ ରଖି ବିଚାର କରିବା। ପୁଲିସବାବୁଙ୍କ ଘରେ ଥିବା ୧୫ହଜାର ଟଙ୍କାର ପୁରୁଣା ମୋଟର ସାଇକେଲଟି ପାଇଁ ଯଦି ବୀମା, ପରିବେଶ ପ୍ରଦୂଷଣ, ଚାଳକ ଲାଇସେନ୍‌ସ, ହେଲମେଟ୍‌ ପିନ୍ଧା ଏବ˚ ମଦ୍ୟପାନ କରି ଗାଡ଼ି ଚଳାଇବା ଆଦି ଦୋଷରେ ୫୦ ହଜାରରୁ ଅଧିକ ଅର୍ଥଦଣ୍ତ ଦିଆଯିବ, ତେବେ ସେ ତାହା ଦେବାକୁ ପ୍ରସ୍ତୁତ ହେବେ କି? ପୁଣି ଏ ସବୁ ଦୋଷରୁ ମୁକ୍ତି ପାଇବା ପାଇଁ ସରକାରୀ ବ୍ୟବସ୍ଥା ଯଦି ସହଜ ଓ ସୁଲଭ ନ ହୁଏ ତା ହେଲେ ଜଣେ କଣ କରିବ? ଲାଇସେନ୍‌ସ ପ୍ରଦାନକାରୀ ବ୍ୟବସ୍ଥା ମାତ୍ରାଧିକ ଚାପରେ ଠିକ୍‌ କାମ କରୁନାହିଁ। ପ୍ରଦୂଷଣ ପରୀକ୍ଷା ପାଇଁ ଅଧିକୃତ ଅନୁଷ୍ଠାନମାନେ ଅକାମି ହୋଇ କେବେଠାରୁ ଉଠି ଗଲେଣି। ନିୟମଟିକୁ କଡ଼ା କରି ଲାଗୁ କରିବା ପୂର୍ବରୁ ଏହି ବ୍ୟବସ୍ଥାଗୁଡ଼ିକ ଠିକ୍‌ ଅଛି କି ନାହିଁ, ତାହା କଣ ଦେଖିବା ପୁଲିସବାବୁଙ୍କ ଦାୟିତ୍ବ ନୁହେଁ? ବିନା ପ୍ରସ୍ତୁତିରେ କୌଣସି କାର୍ଯ୍ୟକ୍ରମକୁ ଆଗେଇ ନେଲେ ତାର ପରିଣତି କଣ ହୁଏ, ତାହା କଣ ଆମେ ଜାଣିନାହୁଁ? କଳାଧନ ରୋକିବା କଥା କହି ମାତ୍ରାଧିକ ଉତ୍ସାହିତ ହୋଇ ବିନା ପ୍ରସ୍ତୁତିରେ ବିମୁଦ୍ରୀକରଣ ଯୋଜନାର ଫଳ କଣ ହେଲା ତାହା କଣ ଆମେ ଅନୁଭବ କରିନାହୁଁ? ସେଥିରୁ ଆମେ ତେବେ ଶିଖିଲେ କଣ?

ଏ କଥା କହିଲା ବେଳେ, ଅନ୍ୟ କଥାକୁ ମଧୢ ସ୍ବୀକାର କରିବାକୁ ପଡ଼ିବ ଯେ ସଡ଼କ ଦୁର୍ଘଟଣା ଆମ ବିକାଶ ପ୍ରକ୍ରିୟାରେ ଏକ ବିରାଟ ଅନ୍ତରାୟ ହୋଇ ମୁଣ୍ତ ଟେକିଲାଣି। ଯେକୌଣସି ବିକାଶ ପ୍ରକ୍ରିୟାରେ ଯୋଗାଯୋଗ, ପରିବହନ ଓ ଗମନାଗମନର ସୁବିଧା ଏକାନ୍ତ ଆବଶ୍ୟକ। ସେଥିପାଇଁ ପ୍ରତ୍ୟେକ ଅଞ୍ଚଳକୁ ଯୋଡ଼ିବାର ଆବଶ୍ୟକତା ରହିଛି। ବିଗତ ବର୍ଷମାନଙ୍କରେ ପକ୍କା ରାସ୍ତା ବା ସିମେଣ୍ଟ କ˚କ୍ରିଟ୍‌ ରୋଡ଼ ବିକାଶର ପ୍ରମୁଖ ମାପକାଠି ହୋଇଛି। ବିକାଶର ଅନ୍ୟ ଏକ ମାପକାଠି ହେଲା ବେଗବାନ ଯାନ। ୫୦ ବର୍ଷ ତଳେ ଯାହା ପାଖରେ ଶୂନଗାଡ଼ି ଟିଏ ନଥିଲା, ସେ ଆଜି ଦୁଇ ଚକିଆ ଓ ଚାରି ଚକିଆ ମୋଟରଯାନର ଅଧିକାରୀ। ପୁଣି ବେଗ ହିଁ ଉନ୍ନତିର ଲକ୍ଷଣ ନାମରେ ସମସ୍ତେ ବସ୍ତୁ ଜଗତ ଓ ସମୟକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପରସ୍ପରକୁ ଅତିକ୍ରମ କରିବାକୁ ଚେଷ୍ଟିତ। ଫଳରେ ସଡ଼କ ଦୁର୍ଘଟଣା ଏକରକମ ଅବଧାରିତ କହିଲେ ଅତ୍ୟୁକ୍ତି ହେବନାହିଁ।

ସଡ଼କ ଦୁର୍ଘଟଣାଜନିତ କ୍ଷୟକ୍ଷତିର ପରିସ˚ଖ୍ୟାନକୁ କେହି ରଖନ୍ତି ନାହିଁ। ଦୁର୍ଘଟଣାଜନିତ ଘଟୁଥିବା ମୃତ୍ୟୁର ସି˚ହଭାଗ ମଦ୍ୟପାନ କରି ଗାଡ଼ି ଚଳାଇବା କାରଣରୁ ହେଉଛି। ହେଲମେଟ୍‌ ନ ପିନ୍ଧି ଏବ˚ ଅନ୍ୟ ଆଇନ ଅମାନ୍ୟ କାରଣରୁ ଘଟୁଥିବା ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟ ସେବା ଦେବା ପାଇଁ ଆମର ଅଭାବୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ଚାପଗ୍ରସ୍ତ। ଟଙ୍କାଟିଏ ବଞ୍ଚାଇବା, ଟଙ୍କାଟିଏ ରୋଜଗାର କରିବା ସହ ସମାନ ନ୍ୟାୟରେ ସଡ଼କ ଦୁର୍ଘଟଣା କମାଇ ପାରିଲେ ଆମର ବିକାଶ ପ୍ରକ୍ରିୟା ଯେ ତ୍ବରାନ୍ବିତ ହୋଇପାରିବ, ଏଥିରେ ସନ୍ଦେହ ନାହିଁ। ଏଣୁ ସାଧାରଣ ନାଗରିକମାନଙ୍କର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଗତ ସପ୍ତାହର ଅଭାବନୀୟ ପରିସ୍ଥିତି ପାଇଁ ଆମ ବିଚାରରେ ଉଭୟ ପୁଲିସ ଓ ସାଧାରଣ ନାଗରିକ ଦାୟୀ। ଏପରି ଏକ କଠୋର ଦଣ୍ତ ବ୍ୟବସ୍ଥାକୁ ଏକକାଳୀନ ଲାଗୁ ନକରି ଯଦି ପର୍ଯ୍ୟାୟକ୍ରମେ ଲାଗୁ କରାଯାଇଥାନ୍ତା ତେବେ ତାର ସୁଫଳ ଆମକୁ ମିଳିଥାନ୍ତା। ଏବେ ସମସ୍ତେ ଲକ୍ଷ୍ୟ କରୁଥିବେ ଭୁବନେଶ୍ବରରେ ସମସ୍ତେ ହେଲମେଟ୍‌ ପିନ୍ଧି ଦୁଇ ଚକିଆ ଯାନ ଚଳାଇବାକୁ ଆରମ୍ଭ କଲେଣି। ହେଲମେଟ୍‌ ବ୍ୟବସାୟୀମାନଙ୍କର ଏବେ ପୁଷମାସ। ଲାଇସେନ୍‌ସ ପ୍ରଦାନ ଓ ପ୍ରଦୂଷଣ ପରୀକ୍ଷା ବ୍ୟବସ୍ଥାକୁ ଦୁରୁସ୍ତ କରିବା ପରେ ଆଇନକୁ କଡ଼ାକଡ଼ିି ଲାଗୁ କରିଥିଲେ ଉଲ୍ଲଂଘନକାରୀଙ୍କ ସ˚ଖ୍ୟା ବହୁ ପରିମାଣରେ କମି ଯାଇଥାନ୍ତା। କିନ୍ତୁ ମଦ୍ୟପାନ କରି ଗାଡ଼ି ଚଳାଇବାର ଅଭ୍ୟାସକୁ ଆଦୌ ବରଦାସ୍ତ କରାଯିବା ଉଚିତ ନୁହେଁ। ଗାଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ଯେକୌଣସି ପ୍ରସଙ୍ଗରେ ରାଜରାସ୍ତାକୁ ଆସିବା ଏବ˚ ଆନ୍ଦୋଳନ କରିବା ଆମର ଏକରକମ ଅଭ୍ୟାସରେ ପରିଣତ ହୋଇଗଲାଣି। କିଛି କିଛି ପ୍ରସଙ୍ଗ ଏପରି ଅଛି ଯାହା ଏସବୁର ଊର୍ଦ୍ଧ୍ବରେ ରହିବା ଉଚିତ। ସଡ଼କ ଦୁର୍ଘଟଣା ସ˚ପର୍କିତ ନିୟମ ସେହି ପର୍ଯ୍ୟାୟର। ଏହା କିପରି କାର୍ଯ୍ୟକାରୀ ହେବ, ଆଇନର ଅସଲ ଉଦ୍ଦେଶ୍ୟ ସାଧିତ ହେବ, ସେଥିପାଇଁ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ଯତ୍ନବାନ ହୋଇ ସହଯୋଗର ହାତ ବଢ଼ାଇବା ଦରକାର।

ସମ୍ବନ୍ଧିତ ଖବର