ବିପତ୍ତି କାଳୀନ କଳାବଜାର କାହିଁକି?

ସୁଦାମବନ୍ଧୁ ଭଟ୍ଟମିଶ୍ର

ସାରା ପୃଥିବୀରେ ଯେମିତି ହୋଇଛି, ସେମିତି ଆମ ଦେଶ ଓ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ଜନିତ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଦେଶରେ ତାଲାବନ୍ଦ ଘୋଷଣା କରିଛନ୍ତି। ଆମ ରାଜ୍ୟରେ ଏହାର କିଛି ଦିନ ପୂର୍ବରୁ ଆଂଶିକ ତାଲାବନ୍ଦ ‌ଘୋଷଣା କରାଯାଇଥିଲା। ତେବେ, ଏହି ଘୋଷଣାର ଅବ୍ୟବହିତ ପୂର୍ବରୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଥିଲା; ଯାହା ହେଉଛି ସାଧାରଣ ଲୋକଙ୍କ ଦ୍ବାରା ଆବଶ୍ୟକତା ଠାରୁ ଢେର ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ବ୍ୟାକୁଳତା। ଏହା ଦେଖି କିଛି ବ୍ୟବସାୟୀ ସେମାନଙ୍କ ପାଖରେ ଥିବା ଜିନିଷ ଲୁଚାଇବା ଆରମ୍ଭ କଲେ। ଏଭଳି ଅବସ୍ଥାରେ ସଚରାଚର ଯାହା ହୁଏ, ତାହା ହେଲା। ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟର ଦର ରାତାରାତି ବଢ଼ିଗଲା। ତଥାପି ଲୋକେ ଚଢ଼ା ଦରରେ ସେସବୁ କିଣି ଘରକୁ ବୋହି ନେବାରେ ଲାଗିଲେ।

ଏହା ଦ୍ବାରା ଦୋକାନରେ ଅଯଥା ଭିଡ଼ ଜମିଲା। ତାଲାବନ୍ଦ ପାଇଁ ଅବଶ୍ୟ କିଛି ଦିନ ଆନ୍ତଃ-ରାଜ୍ୟ ଜିନିଷ ପରିବହନ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ସ୍ବାଭାବିକ ହୋଇଛି। ତେଣୁ, ଅଯଥା ଭିଡ଼କୁ ରୋକିବା ଲାଗି ତଥା ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଗଲା। ଦୋକାନ ବଜାର ଖୋଲିବା ସମୟ ଉପରେ କଟକଣା ଲଗାଗଲା। ଲୋକଙ୍କୁ ଠିକଣା ଭାବେ ଅତ୍ୟାବଶ୍ୟକ ଜିନିଷ ଉଚିତ ମୂଲ୍ୟରେ ମିଳୁଛି କି ନାହିଁ ତାର ତଦାରଖ ପୁଲିସ୍ ଓ ପ୍ରଶାସନ କଲେ। ତଥାପି ସାଧାରଣ ଖାଉଟିଙ୍କ ଦୁର୍ଦ୍ଦଶା କମିଲା ନାହିଁ। କିଛି ଅସାଧୁ ବ୍ୟବସାୟୀ ପୂର୍ବବତ୍‌ କଳାବଜାରୀ କରୁଥିବା ଦେଖାଯାଇଛି। ଏଭଳି ସ୍ଥଳେ ପ୍ରତିବାଦ ନ କରି ସାଧାରଣ ଖାଉଟିମାନେ ନିରବରେ ଚଢ଼ା ଦରରେ ଜିନିଷ କିଣି ନେଉଥିବାରୁ ମୁନାଫାଖୋର ବ୍ୟବସାୟୀମାନେ ସାହସ ପାଉଛନ୍ତି। ଇତିହାସରେ ଅଛି ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ କାଳରେ ମଧ୍ୟ ସାହୁକାର ଶ୍ରେଣୀର ଲୋକେ ଜନସାଧାରଣଙ୍କୁ ଅତି ହୃଦୟହୀନ ଭାବେ ଶୋଷଣ କରିଥିଲେ। ଲୋକଙ୍କୁ ମୁଠାଏ ଧାନ ବା ଚାଉଳ ଦେବା ବଦଳରେ ସେମାନଙ୍କ ଠାରୁ ଘର, ଜମି, ଅଳଙ୍କାର ଇତ୍ୟାଦି ବନ୍ଧକ ରଖୁଥିଲେ। ଦୁର୍ଭିକ୍ଷ ସମୟରେ ଏଭଳି ସବର୍ସ୍ବାନ୍ତ ହୋଇଥିବା ଅସଂଖ୍ୟ ଲୋକେ ପିଢ଼ି ପରେ ପିଢ଼ି ଘୋର ଦାରିଦ୍ର୍ୟ ଦେଇ ଗତି କରିବାକୁ ବାଧ୍ୟ ହୋଇଥିଲେ।

ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ଏକ ବ୍ରିଟିସ ଉପନିବେଶ ଭାବେ ଭାରତ ଯୁଦ୍ଧରେ ସଂପୃକ୍ତ ହୋଇଗଲା। ଏହି ସମୟରେ ମଧ୍ୟ ଆମ ରାଜ୍ୟର ବ୍ୟବସାୟୀ ଗୋଷ୍ଠୀ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ କରି ଦେଇଥିଲେ। ସେମିତି ସ୍ବାଧୀନତୋତ୍ତର କାଳରେ ବିଭିନ୍ନ ସମୟରେ ରାଜ୍ୟବାସୀ ଅତ୍ୟାବଶ୍ୟକ ଦ୍ରବ୍ୟର କଳାବଜାରୀର ସାମନା କରିଛନ୍ତି। ଯୁଦ୍ଧ ହେଉ ବା କୌଣସି ପ୍ରାକୃତିକ ଦୁର୍ବିପାକ ବା ମହାମାରୀ; ସବୁ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିଛି। କୌଣସି ବାତ୍ୟା ଆସିବାର ପୂର୍ବ ସୂଚନା ମିଳିବା ମାତ୍ରକେ ଜନସାଧାରଣ ଭୟଭୀତ ହୋଇ ଆବଶ୍ୟକତା ଠାରୁ ଅଧିକ ଦ୍ରବ୍ୟ କିଣାକିଣି କରିବାରେ ଲାଗିବା କ୍ଷଣି ଦୋକାନରୁ ସେ ସବୁ ଉଭାନ ହୋଇଯାଏ। ପରେ ସେ ସବୁ ଅଧିକ ଦରରେ ଅତି ସନ୍ତର୍ପଣରେ ବିକ୍ରି କରାଯାଏ ଏବଂ ସେହି ସମୟରେ ଅସାଧୁ ବ୍ୟବସାୟୀମାନଙ୍କ ଦ୍ବାରା ଏଭଳି ଭାବ ପ୍ରକଟ କରାଯାଏ ଲାଗେ ସତେ ଯେମିତି ଖାଉଟିଙ୍କ ସୁବିଧା ଲାଗି ସେମାନେ ଅନିଚ୍ଛା ସତ୍ତ୍ବେ ଅତି କଷ୍ଟରେ ଉଚ୍ଚା ଦରରେ ଜିନିଷ ଆଣି ଉପଲବ୍‌ଧ କରାଇବାକୁ ବାଧ୍ୟ ହେଉଛନ୍ତି।

ଅସାଧୁ ବ୍ୟବସାୟୀମାନେ ଆମର ଭୟ ଓ ଅସୁରକ୍ଷା ଭାବନାର ସୁଯୋଗ ନିଅନ୍ତି। ଆମେ ମନେ ରଖିବା ଉଚିତ ଯେ କୌଣସି ବିପର୍ଯ୍ୟୟ ଚିରସ୍ଥାୟୀ ନୁହେଁ। ତେଣୁ ଭୟଭୀତ ନ ହୋଇ ସଂଯମ ଅବଲମ୍ବନ କ‌େଲ ମୁନାଫାଖୋର ବ୍ୟବସାୟୀଙ୍କ ହାତରେ ଶୋଷଣର ଶିକାର ହେବାକୁ ପଡ଼ନ୍ତା ନାହିଁ। ଦ୍ବିତୀୟ କଥା ହେଲା ଏଭଳି କଳାବଜାରୀଙ୍କୁ ରୋକିବା ଲାଗି ଆଇନ ଅଛି ଓ ଦଣ୍ଡର ବ୍ୟବସ୍ଥା ଅଛି। ‌େତଣୁ ବିପତ୍ତି କାଳରେ ମାତ୍ରାଧିକ ଦରବୃଦ୍ଧି ହେଉଥିବା ଦେଖିବାକୁ ମିଳିଲେ ସାଙ୍ଗେସାଙ୍ଗେ ତାହାର ପ୍ରତିବାଦ କରାଯିବା ଉଚିତ। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଟେଲିଭିଜନ ଯୋଗେ ବାରମ୍ବାର କୁହାଯାଇଥାଏ ଯେ ଅତ୍ୟାବଶ୍ୟକ ଦ୍ରବ୍ୟ ମହଜୁଦ ଅଛି ଏବଂ ଭୟଭୀତ ହୋଇ କିଣାକିଣି କରିବାର ଆବଶ୍ୟକତା ନାହିଁ। କିନ୍ତୁ ଆମେମାନେ ତାହା ଶୁଣୁନା ଏବଂ ତଦ୍ଦ୍ବାରା କେବଳ ନିଜ ଗୋଡ଼ରେ ନିଜେ ଟାଙ୍ଗିଆ ଚୋଟ ପକାଉ।
ଜୟପୁର, କୋରାପୁଟ
ମୋ: ୭୦୭୭୨୨୬୨୦୦

ସମ୍ବନ୍ଧିତ ଖବର