କରୋନା ସଂକ୍ରମଣ : ଚୀନକୁ ନେଇ ଗଣମାଧ୍ୟମରେ ଏତେ ଗୁଜବ କାହିଁକି?

ଅଭିଜିତ ସାହୁ

ସା˚ଘାଇର ସା˚ଘାତିକ ଥଣ୍ତାରେ, ମୋ ଝିଅର ବିଦ୍ୟାଳୟର ବସନ୍ତକାଳୀନ ଛୁଟି ପରେ, ମୋବାଇଲ୍‌ ଫୋନ୍‌ରୁ ପ୍ରାତଃକାଳୀନ ଆଲାର୍ମ‌୍‌ ବନ୍ଦ କରିଦେଇ ମୁଁ ଟିକିଏ ଅଧିକ ସମୟ ଶାନ୍ତିରେ ଶୋଉଥିଲି। ତେବେ, ଗତ ଦୁଇ ସପ୍ତାହ ହେଲା, ଭାରତରୁ ବନ୍ଧୁ-ବାନ୍ଧବ, ଆତ୍ମୀୟ-ସ୍ବଜନଙ୍କ ଫୋନ୍‌ କଲ୍‌ ଯୋଗୁଁ ସେଥିରେ ବ୍ୟାଘାତ ଘଟିଲା। ଚାଇନାରେ କରୋନା ଭାଇରସ୍‌ ସ˚ପର୍କିତ ଖବର ଚାରିଆଡ଼େ ପ୍ରସାରିତ। ତେଣୁ, ସେମାନଙ୍କୁ ଏ ସ˚ପର୍କରେ ବୁଝାଇବାରୁ ଦିନ ଆରମ୍ଭ ହେଉଛି।

ଏହି ଭାଇରସ୍‌କୁ ମହାମାରୀ ଭାବେ ବ୍ୟାପିବାକୁ ନ ଦେବା ଲାଗି ଚୀନର ସ୍ଥାନୀୟ ଚିକିତ୍ସକ ଓ ପ୍ରଶାସନ ଲାଗିଥିବା ବେଳେ ବିଦେଶୀ ଗଣମାଧ୍ୟମ ଏ ସ˚କ୍ରାନ୍ତରେ ନାନା ଗୁଜବ ରଟାଇବାରେ ବ୍ୟସ୍ତ। ନିକଟରେ ଏକ ଫ୍ରେଞ୍ଚ୍‌ ଟାବ୍‌ଲଏଡ୍‌ ‘ପୀତ ବିପଦ’(Yellow Peril) ଶୀର୍ଷକ ଏକ ମୂଲ୍ୟହୀନ ଓ ଅଯଥା ନିବନ୍ଧ ପ୍ରକାଶ କରିଛି। ତହିଁରେ ଚୀନର ଏ ଅବସ୍ଥାକୁ ବିଶ୍ବ ପ୍ରତି ଏକ ବିପଦ ବୋଲି ଦର୍ଶାଯାଇଛି। ଅବଶିଷ୍ଟ ବିଶ୍ବରେ ନାନା ରୋଗ ସୃଷ୍ଟି କରାଇବା ଲାଗି ଏହା ଏକ ଷଡ଼୍‌ଯନ୍ତ୍ର ବୋଲି ଅଭିଯୋଗ ଉଠାଯାଇଛି। ଏସବୁ ମାନବୀୟ ଯନ୍ତ୍ରଣାକୁ ବର୍ଣ୍ଣନା କରିବାର ଅସଭ୍ୟ ମାର୍ଗ। ଭାରତରେ ନିଅାଁରେ ଘିଅ ଢଳାଯାଉଛି। କିଛି ଟେଲିଭିଜନ୍‌ ଚାନେଲ୍‌ ଗଣତନ୍ତ୍ର ଓ ମୁକ୍ତ ଅଭିବ୍ୟକ୍ତି ନାମରେ ପାଶ୍ଚାତ୍ୟ ଦୁନିଆରୁ ସୃଷ୍ଟ ଅନେକ ମିଥ୍ୟା ଓ ପ୍ରମାଣବିହୀନ ଖବର ପ୍ରସାର କରି ଅଯଥା ଭୟର ବାତାବରଣ ସୃଷ୍ଟି କରୁଛନ୍ତି।

ଏହି ନିବନ୍ଧଟି ଲେଖୁଥିବା ବେଳେ ‘ଦ ଟାଇମସ୍‌ ଅଫ୍‌ ଇଣ୍ତିଆ’ରେ ଏକ ସକରାତ୍ମକ ଖବର ପଢ଼ିଲି ଯେ ଭାରତ ସରକାର ସର୍ଜିକାଲ୍‌ ମୁଖା ଓ ଦସ୍ତାନା ଉପରେ ଥିବା ରପ୍ତାନିଜନିତ ନିଷିଦ୍ଧାଦେଶ ଉଠାଇବା ସହ ପ୍ରଧାନମନ୍ତ୍ରୀ ଏକ ଶୋକବାର୍ତ୍ତା ପଠାଇଛନ୍ତି। ଏହା ସହିତ ଚୀନକୁ ସହାୟତା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଏକ ବିପର୍ଯ୍ୟୟ କାଳରେ ଚୀନ ଓ ଚୀନା ଲୋକଙ୍କ ବାବଦରେ ଗୁଜବ ଓ ଭିତ୍ତିହୀନ କାହାଣୀ ପ୍ରଚାର କରୁଥିବା ଗଣମାଧ୍ୟମ ମଧ୍ୟ ନିନ୍ଦନୀୟ।

‘ଟିଇଡି ଟକ୍‌ ସୋ’ରେ ବିଲ୍‌ ଗେଟ୍‌ସଙ୍କ ଭବିଷ୍ୟଦ୍‌ବାଣୀ ସତ୍ୟ ହୋଇଥିବା ଭଳି ଲାଗୁଛି। ଯଦି ଆମେ ସହଯୋଗ ନ କରିବା, ମହାମାରୀ ବିରୋଧରେ ଲଢ଼ିବା ପାଇଁ ହାତ ନ ମିଳାଇବା ଓ ଏକତ୍ର ନ ହେବା ଏବ˚ ଏଥିରୁ ଶିକ୍ଷା ନ ପାଇବା; ଆମେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହେବା ଏବ˚ ବିନା ବାହ୍ୟ ସହାୟତାରେ ଏକଲା ହୋଇଯିବା। ଏବେ ବିଶ୍ବ ଏତେ ସ˚ଯୁକ୍ତ ଯେ ଆର ଦ୍ବାରରେ ଥିବା ସମସ୍ୟା ଆସନ୍ତାକାଲି ଆମର ସମସ୍ୟା ହୋଇଯାଇପାରେ। ପଙ୍ଗପାଳ ପଲ ହେଉ ବା ଆଫ୍ରିକାରେ ଇବୋଲା ବା ଚୀନରେ କରୋନା ଭାଇରସ୍‌- ଏସବୁ କେବଳ ନିଜ ସୀମା ଭିତରେ ସୀମିତ ରହିବେନାହିଁ; ୧୯୧୮ର ସ୍ପାନିସ୍‌ ଫ୍ଲୁ ମହାମାରୀ ପରି ଏମାନେ ସାରା ବିଶ୍ବକୁ ମାଡ଼ି ଯାଇପାରନ୍ତି।

ଗତ ଦୁଇ ଦଶନ୍ଧି ହେଲା ମୁଁ ଚୀନରେ ରହିଲିଣି। ଏହି ସମୟ ମଧ୍ୟରେ ଲୋକେ ବାଦୁଡ଼ି ବା ଏହାର ସୁପ୍‌ ବା ମୂଷା ଖାଉଥିବା ମୁଁ କେବେ ଦେଖିନାହିଁ। ସବୁ ଚୀନା ଲୋକ ହି˚ସ୍ର ପ୍ରାଣୀ ଓ ପୋକ-ଜୋକ ଖାଆନ୍ତି ବୋଲି ଦାବି କରିବା ହେଉଛି ଉତ୍ତର-ପୂର୍ବ ଭାରତର କେତେକ ଅଞ୍ଚଳର କିଛି ସ˚ପ୍ରଦାୟର ଲୋକେ କୁକୁର ମା˚ସ ଖାଆନ୍ତି ବୋଲି ସବୁ ଭାରତୀୟ କୁକୁର ମା˚ସ ଖାଆନ୍ତି ବୋଲି ଚିତ୍ରଣ କରିବା ସହିତ ସମାନ। କଟକଠାରୁ କାଲିଫର୍ନିଆ, ସର୍ବତ୍ର ଚାଇନିଜ୍‌ ଖାଦ୍ୟ ଲୋକପ୍ରିୟ। ଇଣ୍ଟର‌୍‌ନେଟ୍‌ ମାଧ୍ୟମରେ ଜାଣୁଛି, ମୁମ୍ବାଇରେ ଭାରତୀୟ ଖାଦ୍ୟ ପରିବେଷଣ କରୁଥିବା ପ˚ଜିକୃତ ଭୋଜନାଳୟ(୨୬୯୯) ତୁଳନାରେ ଚାଇନିଜ୍‌ ଖାଦ୍ୟ ପରିବେଷଣ କରୁଥିବା ପ˚ଜିକୃତ ଭୋଜନାଳୟ (୨୯୮୮) ସ˚ଖ୍ୟା ଅଧିକ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଥିବା ଚୀନା ଖାଦ୍ୟର ଫଟୋ ଓ ଭିଡିଓ ଘୃଣା-ପ୍ରସାର-ଅଭିଯାନ ବ୍ୟତୀତ ଅନ୍ୟ କିଛି ନୁହେଁ।

ମୁଁ ଏଠାରେ ରହୁଥିବାରୁ, ଏକ ସ୍ବାସ୍ଥ୍ୟ ଦୁଃସ୍ଥିତି ମଧ୍ୟରେ ଜୀବନ କେମିତି ବିତେ ତାହା ଅନୁଭବ କରିପାରୁଛି। ପ୍ରଥମେ ଆମେ ବୁଝିବା ଦରକାର ଯେ ଲୋକେ ଏତେ ଭୟଭୀତ ନାହାନ୍ତି। ସେମାନେ ସୀମିତ ସମ୍ବଳ ସହ କୌଣସି ପ୍ରକାରେ ଖାପ ଖୁଆଇ ଚଳୁଛନ୍ତି ଏବ˚ ଶାନ୍ତ ଭାବେ ବିଭିନ୍ନ ସମସ୍ୟାର ମୁକାବିଲା କରୁଛନ୍ତି। କିନ୍ତୁ ମୁଁ ଲକ୍ଷ୍ୟ କରୁଛି ଯେ ମୋର ଚାଇନିଜ୍‌ ବନ୍ଧୁମାନେ ଗଣମାଧ୍ୟମର ଏଭଳି ନକରାତ୍ମକ ପ୍ରଚାର ବାବଦରେ ଜାଣି କ୍ଷୁବ୍‌ଧ ଏବଂ ଦୁଃଖିତ। ସମସ୍ତେ ଏବେ ଜାଣନ୍ତି ଯେ ଜଣେ ଚକ୍ଷୁ ଚିକିତ୍ସକ, ଯିଏ କରୋନା ଭାଇରସ୍‌ ବାବଦରେ ପ୍ରଥମେ ସତର୍କ କରାଇଥିଲେ ଏବ˚ ନିକଟରେ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ତାଙ୍କ ବାବଦରେ ଅନେକ କପୋଳକଳ୍ପିତ କାହାଣୀ ଘୂରିବୁଲୁଛି। ଏଗୁଡ଼ିକର ଉଦ୍ଦେଶ୍ୟ ବାସ୍ତବତା ଉପରୁ ଧ୍ୟାନ ହଟାଇବା ଏବ˚ ଏହା ମାଧ୍ୟମରେ ଚୀନା ସରକାରର ଭାବମୂର୍ତ୍ତିକୁ ନଷ୍ଟ କରିବାର ମସୁଧା। ହ୍ବାଟସ୍‌ଆପ୍‌, ଟ୍ବିଟର‌୍‌, ଫେସ୍‌ବୁକ୍‌ ଏବ˚ ଵିଚାଟ୍‌ ଆଦି ମାଧ୍ୟମରେ ଏ ଭଳି ଗୁଜବର ବହୁଳ ଭାବେ ପ୍ରସାରଣ ଚାଲିଛି। ଜଣେ ଭାରତୀୟ ଭାବେ ସ୍ବଦେଶୀ ଭାରତୀୟଙ୍କର ଏଭଳି ଭ୍ରାନ୍ତିପୂର୍ଣ୍ଣ କାର୍ଯ୍ୟକଳାପ ମୋତେ ମଧ୍ୟ ଆଘାତ ଦେଉଛି।

ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକ ପରିସ୍ଥିତିରୁ ଫାଇଦା ଉଠାଇବା ସହ ଚୀନର ସତ୍ତାବାଦୀ ସ˚ସ୍କୃତିକୁ ନକରାତ୍ମକ ଭାବେ ଚିତ୍ରଣ କରିବାରେ ବ୍ୟସ୍ତ। ବିଦେଶୀ ଗଣମାଧ୍ୟମର ବର୍ଣ୍ଣନା ଅନିଶ୍ଚିତତାର କୁହୁଡ଼ିକୁ ଅଧିକ ଗାଢ଼ କରୁଛି। ଚୀନ କିଛି ତଥ୍ୟ ଲୁଚାଉଥିବା ବା କୌଣସି ସତ୍ୟ ମିଥ୍ୟାକୁ ବଦଳାଉଥିବା କଥାକୁ ଅବଶିଷ୍ଟ ବିଶ୍ବ ଗ୍ରହଣ କରିଛି। କିନ୍ତୁ ସତ କଥା ହେଲା, ପ୍ରାରମ୍ଭରୁ ହିଁ ଉଚ୍ଚ ସ୍ତରର ଚୀନା ନେତୃତ୍ବ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଏବ˚ ଅନ୍ୟ ବିଦେଶୀ ସ˚ସ୍ଥା ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ମହାମାରୀ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ‘ମହାମାରୀ ବିରୋଧରେ ଗଣ-ଯୁଦ୍ଧ’ କରିବା ପାଇଁ ରାଷ୍ଟ୍ରପତି ଜି ଜିନ୍‌-ପେଙ୍ଗ୍‌ ଡାକରା ଦେଇଛନ୍ତି। ତାଙ୍କ ଡାକରାକୁ ଲୋକେ ଗ୍ରହଣ ମଧ୍ୟ କରିଛନ୍ତି।

ଜଣେ ବିଦେଶୀ ଭାବେ ମୁଁ ଚୀନରେ ବେଶ୍‌ ନିରାପଦ ମଣୁଛି। ଆମର ପ୍ରତି ଦିନର ଆବଶ୍ୟକତା ଆପାର୍ଟ‌୍‌‌େମଣ୍ଟ୍ ଦୁଆରେ ପହଞ୍ଚାଇ ଦିଆଯାଉଛି। ଆଖ-ପାଖରେ ଚବିଶ ଘଣ୍ଟିଆ ସଫେଇ ଅଭିଯାନ ଚାଲିଛି। ଏହି ଭାଇରସ୍‌ର ଅଧିକ ପ୍ରସାରଣ ରୋକିବା ଲାଗି ସ୍ଥାନୀୟ ପ୍ରଶାସନ, ବ୍ୟବସାୟ ପ୍ରତିଷ୍ଠାନ ଓ ଅନ୍ୟ ସର୍ବସାଧାରଣ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ଯେଉଁ ପଦକ୍ଷେପମାନ ନିଆଯାଉଛି, ଅବିଶ୍ବସନୀୟ।

ଅର୍ଥନୀତିିକୁ ଚଳଚଞ୍ଚଳ ରଖିବା ଲାଗି କେନ୍ଦ୍ର ତଥା ସ୍ଥାନୀୟ ସରକାର ଟିକସ ଛାଡ଼ କରୁଛନ୍ତି। କେତେକ ଆଇନ କୋହଳ କରାଯାଇଛି। ଏହା ଦ୍ବାରା ସ˚କଟ କାଳରେ କାରଖାନାଗୁଡ଼ିକ ଆର୍ଥିକ ସୁବିଧା ଲାଭକରୁଛନ୍ତି। ସ୍ଥାନୀୟ ପ୍ରଶାସନଗୁଡ଼ିକ ଏକ ପ୍ରକାରର ଅତ୍ୟାଧୁନିକ ମୋବାଇଲ୍‌ ଆପ୍ଲିକେସନ୍‌ ବ୍ୟବହାର କରୁଛନ୍ତି। ପ୍ରତିଦିନ ଏହା ଦ୍ବାରା ସାଟେଲାଇଟ୍‌ ଭିତ୍ତିକ ମାନଚିତ୍ର ମାଧ୍ୟମରେ ସ˚କ୍ରମିତ ଲୋକଙ୍କର ନିର୍ଦିଷ୍ଟ ଠିକଣା ଦିଆଯାଉଛି, ଯାହା ଫଳରେ ଅନ୍ୟମାନେ ସେଠାକୁ ଯିବେନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନୂଆ ନୂଆ ଚିକିତ୍ସାଳୟ ତିଆରି କରାଯାଉଛି। ଏହିଭଳି ଅ‌େନକ କିଛି କରାଯାଉଛି।

ଏଭଳି ଏକ ସମୟରେ କିଛି ପାଶ୍ଚାତ୍ୟ ଗଣମାଧ୍ୟମରୁ ମୁକ୍ତ ରହି ଭାରତୀୟ ଗଣମାଧ୍ୟମ ଏ ସଂପର୍କରେ ଉଚିତ ଓ ସକରାତ୍ମକ ତଥ୍ୟ ପରିବେଷଣ କରିବା ହେଉଛି ଆଜିକାର ସବୁଠାରୁ ବଡ଼ ଆବଶ୍ୟକତା।

(ଲେଖକ ଦୁଇ ଦଶନ୍ଧି ଧରି ଚୀନରେ ରହି ଆସୁଥିବା ଜଣେ ଓଡ଼ିଆ)
[email protected]

ସମ୍ବନ୍ଧିତ ଖବର

Comments are closed.