Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

କୁନ୍ଦୁଲିର ସତ୍ୟ ସାମନାକୁ ଆସୁ

0 331

ସାଧାରଣ ନାଗରିକଙ୍କ ଦ୍ୱାରା ଅପରାଧ ଯେତିକି ଦୁର୍ଭାଗ୍ୟଜନକ ଓ ସମାଜ ପାଇଁ ଯେତିକି ବିପଜ୍ଜନକ, ଆଇନର ରକ୍ଷକଙ୍କ ହାତରେ ଅପରାଧ ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ ଏବଂ ସହସ୍ରଗୁଣ ଅଧିକ ବିପଜ୍ଜନକ। ଏହା ଆଇନର ଶାସନ ତଥା ସାମଗ୍ରିକ ଭାବେ ଶାସନ ବ୍ୟବସ୍ଥାର ବିଶ୍ଵସନୀୟତାରେ ଆଞ୍ଚ ଆଣେ, ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରଭାବିତ କରେ। ଠିକ୍‌ ଏଭଳି ଏକ ଅବସ୍ଥା ସୃଷ୍ଟି ହୋଇଛି ରାଜ୍ୟର ଅନ୍ୟତମ ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ଆଦିବାସୀ ବହୁଳ ଜିଲ୍ଲା କୋରାପୁଟର ପଟ୍ଟାଙ୍ଗୀ ଅଞ୍ଚଳରେ। ନକ୍ସଲ ଦମନ ପାଇଁ ମୁତୟନ ସୁରକ୍ଷା କର୍ମୀଙ୍କ ଦ୍ୱାରା ଜଣେ ନବମ ଶ୍ରେଣୀର ଆଦିବାସୀ ଛାତ୍ରୀ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଓ ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ବତିଶ ଘଣ୍ଟା ଧରି ଚାଲିଥିବା କୋରାପୁଟ- ବିଶାଖାପାଟଣା ଜାତୀୟ ରାଜପଥ ଅବରୋଧ ଉଠି ଯାଇଥିଲେ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଅଶାନ୍ତି ଓ ଉତ୍ତେଜନା ଲାଗି ରହିଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅର୍ଧ ସାମରିକ ବାହିନୀ ପକ୍ଷରୁ ଅଭିଯୋଗକୁ ଅସ୍ୱୀକାର କରାଯାଇଛି। ସୁରକ୍ଷା କର୍ମୀଙ୍କୁ ବଦନାମ କରିବା ଲାଗି ଏହା ନକ୍ସଲଙ୍କ ଭିଆଣ ହୋଇଥାଇ ପାରେ ବୋଲି ପାଲଟା ଇଙ୍ଗିତ କରାଯାଇଛି। ଘଟଣାରେ ଯାହାର ବି ସମ୍ପୃକ୍ତି ଥାଉ- ସୁରକ୍ଷାକର୍ମୀ ଅବା ମାଓବାଦୀ- ନିଷ୍ଠୁର ବାସ୍ତବତା ହେଲା ଜଘନ୍ୟ ଅମାନୁଷିକତାର ଶିକାର ହୋଇଛି ଜଣେ ନିରୀହ ଆଦିବାସୀ ବାଳିକା। କେବଳ କୋରାପୁଟ ନୁହେଁ, ରାଜ୍ୟ ତଥା ଦେଶର ସବୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏହାହିଁ ନିଷ୍ଠୁର ବାସ୍ତବତା। ସ୍ଥାନୀୟ ଲୋକେ ଉଭୟ ଲାଲ୍‌ସେନା ଓ ସୁରକ୍ଷା ବାହିନୀ ମଧ୍ୟରେ ପେଷି ହୋଇ ନିର୍ଯାତନାର ଶିକାର ହେଉଛନ୍ତି। ଲାଲ୍‌ସେନା- ସୁରକ୍ଷା ବାହିନୀ ଲଢ଼େଇରେ ବାରମ୍ବାର ସେମାନଙ୍କ ଧନଜୀବନ ବିପନ୍ନ ହେଉଛି, ମାନବାଧିକାରର ହନନ ହେଉଛି। ଅଥଚ, ପୀଡ଼ିତ ଅତ୍ୟାଚାରିତଙ୍କୁ କ୍ୱଚିତ ନ୍ୟାୟ ମିଳୁଛି।

କେନ୍ଦ୍ରୀୟ ବାହିନୀ ଆଡ଼କୁ ଅଙ୍ଗୁଳି ଉଠିଥିବା ଏହି ସ୍ପର୍ଶକାତର କୁନ୍ଦୁଲି ଗଣବଳାତ୍କାର ଘଟଣାରେ ରାଜ୍ୟ ପୁଲିସ୍‌ ପକ୍ଷରୁ ତଦନ୍ତ ଚାଲିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥିରେ ବିଶେଷ କୌଣସି ଅଗ୍ରଗତି ହୋଇ ନାହିଁ। ଦୋଷୀ ଚିହ୍ନଟ ହୋଇ ପାରି ନାହାନ୍ତି। ତଦନ୍ତ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇ ଯଥାଶୀଘ୍ର ସନ୍ଦେହର ବାଦଲ ଭିତରୁ ସତ୍ୟର ଉନ୍ମୋଚନ ହେବା ଆବଶ୍ୟକ। ସୁରକ୍ଷା କର୍ମୀଙ୍କ ଯଦି ସମ୍ପୃକ୍ତି ଅଛି, ତେବେ ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନ ହେଉ। ଆଉ ଯଦି ସମ୍ପୃକ୍ତି ନାହିଁ, ତେବେ, ତାହା ମଧ୍ୟ ସ୍ପଷ୍ଟ ହେଉ। ସୁରକ୍ଷା ବାହିନୀର ଭାବମୂର୍ତ୍ତି ଓ ବିଶ୍ୱସନୀୟତା ସହ ଏହା ଯୋଡ଼ି ହୋଇଛି। ଅନ୍ୟଥା, ସନ୍ଦେହର ବାତାବରଣ ଜାରି ରହିଲେ ତାହା କେବଳ କୋରାପୁଟ ଜିଲ୍ଲାରେ ନୁହେଁ, ଅନ୍ୟ ମାଓବାଦ ପ୍ରଭାବିତ ଅଞ୍ଚଳରେ ମଧ୍ୟ ନକ୍ସଲ ବିରୋଧୀ ଅଭିଯାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ନକ୍ସଲ ମୁକାବିଲା ସକାଶେ ସୁରକ୍ଷା କର୍ମୀଙ୍କ ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଯଦି ସ୍ଥାନୀୟ ଲୋକଙ୍କ ଆଖିରେ ସୁରକ୍ଷା ବାହିନୀ ସନ୍ଦିଗ୍ଧ ହୋଇପଡ଼େ, ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପ୍ରଭାବିତ ହୁଏ, ତେବେ ସହଯୋଗ ମିଳିବ କେମିତି? କୁହାଯାଉଛି, ଓଡ଼ିଶାରେ ସୁରକ୍ଷା ବାହିନୀ ବିରୋଧରେ କେତେକ ସ୍ଥାନରେ ମାତ୍ରାତିରିକ୍ତ କାର୍ଯ୍ୟ ଓ ଲୋକଙ୍କ ଉପରେ ଦମନମୂଳକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଆସିଛି। କିନ୍ତୁ କୁନ୍ଦୁଲି ଗଣଦୁଷ୍କର୍ମ ଭଳି ଯୌନ ବ୍ୟଭିଚାରର ଅଭିଯୋଗ ପୂର୍ବରୁ ଆସିନାହିଁ। ଏତିକି କିନ୍ତୁ ଘଟଣାରେ ସୁରକ୍ଷା ବାହିନୀର ସମ୍ପୃକ୍ତିର ସମ୍ଭାବନାକୁ ଏଡ଼ାଇବା ଲାଗି ଯଥେଷ୍ଟ ନୁହେଁ। ନିକଟ ଅତୀତରେ ସୁରକ୍ଷା କର୍ମୀଙ୍କ ସମ୍ପୃକ୍ତି ଥାଇ ଏମିତି ଦୁର୍ଭାଗ୍ୟଜନକ ଘଟଣା ଘଟିନାହିଁ ବୋଲି କୁନ୍ଦୁଲି ଘଟଣାରେ ସମ୍ପୃକ୍ତି ଅଭିଯୋଗକୁ ଅସ୍ୱୀକାର କରାଯାଇ ନପାରେ। କାରଣ, ପଡ଼ୋଶୀ ଛତିଶଗଡ଼ରେ ନକ୍ସଲ ଦମନରେ ନିୟୋଜିତ ସୁରକ୍ଷା ବାହିନୀଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ପ୍ରମାଣିତ। ଜାତୀୟ ମାନବାଧିକାର କମିସନ୍‌ ଏକ ରିପୋର୍ଟରେ ବସ୍ତରରେ ସୁରକ୍ଷା କର୍ମୀଙ୍କ ଯୌନ ଶୋଷଣର ଶିକାର ହୋଇଥିବା ୧୬ ଜଣ ଆଦିବାସୀ ମହିଳାଙ୍କୁ କ୍ଷତିପୂରଣ ଦେବାକୁ ସେଠାକାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁକୁମା ନକ୍ସଲ ଆକ୍ରମଣ ଘଟଣାରେ ବହୁସଂଖ୍ୟକ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। ମାଓବାଦୀଙ୍କ ଦଣ୍ଡକାରଣ୍ୟ ଜୋନାଲ କମିଟିର ସେତେବେଳେ ଦାବି ଥିଲା ଯେ, ଆଦିବାସୀ ମହିଳାଙ୍କ ପ୍ରତି ସୁରକ୍ଷା କର୍ମୀଙ୍କ ଯୌନ ନିର୍ଯାତନାର ପ୍ରତିଶୋଧ ଥିଲା ସୁକୁମା ଆକ୍ରମଣ। ଏହାଛଡ଼ା ସୁରକ୍ଷା କର୍ମୀଙ୍କ ଯୌନ ଶୋଷଣର ଶିକାର ଅନ୍ୟ ୨୮ ଜଣ ଆଦିବାସୀ ମହିଳା ନ୍ୟାୟ ପାଇଁ ଛତିଶଗଡ଼ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ମହିଳାଙ୍କ ଆବେଦନରେ ସେମାନଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନାର ଯେଉଁ ଜଘନ୍ୟ, ଲୋମହର୍ଷଣକାରୀ ବିବରଣୀ ରହିଛି, ତାହା ସ୍ୱତଃ ସୁରକ୍ଷା ବାହିନୀର ଏକ ଅମାନୁଷିକ, ଦାନବୀୟ ଅତ୍ୟାଚାରୀ ଛବି ଉପସ୍ଥାପନ କରୁଛି। ଗୋଟିଏ ଗଣତନ୍ତ୍ର, ଯେଉଁଠି ଆଇନର ଶାସନ ମୂଳ ମନ୍ତ୍ର, ସେଇଠି ଆଇନର ରକ୍ଷକଙ୍କ ଏ ପ୍ରକାର ଛବି ଆଦୌ ଗ୍ରହଣୀୟ ନୁହେଁ।

ନିଃସନ୍ଦେହ, ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ସବୁଠାରୁ ବଡ଼ ବିପଦ କୁହାଯାଉଥିବା ବାମପନ୍ଥୀ ଉଗ୍ରବାଦର ମୁକାବିଲାରେ ମୁତୟନ ସୁରକ୍ଷା ବାହିନୀଙ୍କ ଚରମ ତ୍ୟାଗ ଓ କର୍ତ୍ତବ୍ୟ ନିଷ୍ଠାର ଅନେକ ଉଜ୍ଜ୍ୱଳ ନଜିର ରହିଛି। ବିଗତ ଗୋଟିଏ ଦଶକରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀ କର୍ତ୍ତବ୍ୟର ବେଦିରେ ନିଜ ଜୀବନକୁ ଆହୁତି ଦେଇଛନ୍ତି। ସେମାନଙ୍କ ତ୍ୟାଗ ଓ ବଳିଦାନକୁ ଦେଶବାସୀ କଦାପି ଭୁଲି ପାରିବେ ନାହିଁ। କିନ୍ତୁ କାଁ ଭାଁ ଗୋଟିଏ ଦୁଇଟି ଘଟଣା ହେଲେ ମଧ୍ୟ ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଯୌନ କେଳେଙ୍କାରୀ, କିମ୍ବା ଆହୁରି କେତେକ ସ୍ଥାନରେ ‘ଫେକ୍‌ ଏନ୍‌କାଉଣ୍ଟର୍‌’ରେ ନକ୍ସଲ ମୋହର ମାରି ନିରୀହଙ୍କୁ ହତ୍ୟା, ପୁଣି କେଉଁଠିି ଅବିଚାରିତ ଗିରଫଦାରୀ ବାହିନୀର ଏକ ନକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି କରୁଛି, ଯାହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ। ନକ୍ସଲମାନେ ‘ପୁଲିସ୍‌ ସୂଚନା ଦାତା’ର ମୋହର ମାରି ଅନେକ ନିରୀହଙ୍କୁ ହତ୍ୟା କରୁଛନ୍ତି, ସୁରକ୍ଷା ବାହିନୀ ‘ନକ୍ସଲ’ ଦମନ ଆଳରେ ନିରୀହଙ୍କୁ ଗୁଳି କରୁଥିବାର ଅଭିଯୋଗ ହେଉଛି। ତେବେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ଆଚରଣ ଓ ଆଭିମୁଖ୍ୟରେ ପ୍ରଭେଦ ରହିଲା କେଉଁଠି? ଲାଲବାହିନୀର ଆଚରଣ ଓ ଆଭିମୁଖ୍ୟଠାରୁ ସୁରକ୍ଷା ବାହିନୀର ଆଚରଣ ଓ ଆଭିମୁଖ୍ୟ ଭିନ୍ନ ଓ ଉନ୍ନତ ହେବା ଆଶା କରାଯାଏ। ବାହିନୀରେ ଅଧିକ ଶୃଙ୍ଖଳା ଓ ସଂଯମର ଆବଶ୍ୟକତା ରହିଛି। ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ଧନ ଜୀବନର ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ, ଲୋକଙ୍କ ଅଧିକାରର ସୁରକ୍ଷା, ମାନବାଧିକାର ପ୍ରତି ସମ୍ମାନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହା ସୁରକ୍ଷା ବାହିନୀର ପ୍ରତ୍ୟେକ ସଦସ୍ୟ ବୁଝିବା କଥା ଓ ତାଙ୍କ ଆଚରଣରେ ମଧ୍ୟ ପ୍ରତିଫଳିତ ହେବା ଉଚିତ। ଅନ୍ୟଥା ନକ୍ସଲ ବିରୋଧୀ ଅଭିଯାନର ଲକ୍ଷ୍ୟ ହାସଲ ହୋଇ ପାରିବ ନାହିଁ। ନକ୍ସଲଙ୍କ ବିରୋଧରେ ଲୋକଙ୍କୁ ସାଙ୍ଗରେ ନେବା ଲାଗି ସୁରକ୍ଷା ବାହିନୀଠାରୁ ଅଧିକ ସମ୍ବେଦନଶୀଳତା ଓ ଉତ୍ତରଦାୟିତ୍ୱ ଆଶା କରାଯାଏ।

ତେଣୁ କୁନ୍ଦୁଲି ଘଟଣାର ତଦନ୍ତ ପ୍ରକ୍ରିୟା ତ୍ୱରାନ୍ଵିତ କରାଯାଉ। ସତ୍ୟ ପର୍ଯ୍ୟନ୍ତ ପହଞ୍ଚି ପ୍ରକୃତ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ। ନିର୍ଯାତିତା ପୀଡ଼ିତା ବାଳିକାକୁ ନ୍ୟାୟ ମିଳୁ। ଅନ୍ୟଥା ନକ୍ସଲ ଉପଦ୍ରୁତ ଅଞ୍ଚଳରେ ରାଷ୍ଟ୍ର ଓ ଶାସନ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ନିଅଣ୍ଟିଆ ଆସ୍ଥା ଓ ବିଶ୍ୱାସ ଆହୁରି ଅଧିକ ନିଅଣ୍ଟିଆ ପଡ଼ିବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

15 + 16 =