ଧନ-ଜୀବନ ସହ ଖେଳ

ଗତ ୨୦୧୬ ଅକ୍ଟୋବରରେ ଘଟିଥିବା ଭୟାବହ ‘ସମ୍‌ ହସ୍‌ପିଟାଲ୍‌ ଅଗ୍ନିକାଣ୍ଡ’ରେ ଏକୋଇଶ ଜଣଙ୍କ ପ୍ରାଣ ଗଲା। ଏହି ଦୁର୍ଭାଗ୍ୟଜନକ ଅଗ୍ନି -ଦୁର୍ଘଟଣା ନେଇ ଜନମତର ତାତିରେ କୁମ୍ଭକର୍ଣ୍ଣର୍ ନିଦ୍ରାରେ ଶୋଇଥିବା ଆଇନ ଓ ଆଇନର ରକ୍ଷକମାନେ ହଠାତ୍‌ ଚେଇଁ ଉଠିଥିଲେ। ଅଗ୍ନି ସୁରକ୍ଷା ଆଇନ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂକ୍ରାନ୍ତ ନିୟମ ନେଇ ବ୍ୟାପକ ତଦାଘନା ଚାଲିଲା। ଆଇନଗତ ତ୍ରୁଟିବିଚ୍ୟୁତି, ବ୍ୟବସ୍ଥାଗତ ଦୁର୍ବଳତା ଓ ନିୟମଗତ ବିଭ୍ରାନ୍ତି ଦୂର କରି ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ପଦକ୍ଷେପ ଘୋଷଣା କରାଗଲା। ୧୯୯୩ରେ ଗୃହୀତ ଅଗ୍ନିଶମ ଆଇନ ଚବିଶବର୍ଷ ପରେ ଯାଇ ନିୟମ ତିଆରି ସହ ବଳ ପାଇଲା। ମୋଟ ଉପରେ ‘ସମ୍‌ ଅଗ୍ନିକାଣ୍ଡ’ ପରେ ସରକାରର ଉଭୟ ରାଜନୈତିକ ଏବଂ ଅମଲାତାନ୍ତ୍ରିକ ସ୍ତରରେ ଯେଉଁପ୍ରକାର ତତ୍ପରତା ପ୍ରକାଶ ପାଇଥିଲା, ସେଥିରେ ଆଶା କରାଯାଉଥିଲା ଯେ, ଅବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଘଟି ଉନ୍ନତି ଆସିବ। ଦ୍ରୁତ ସହରୀକରଣ ସହ ଦ୍ୱୈତ ନଗରୀ କଟକ- ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକର ଚିତ୍ର ଓ ଚରିତ୍ରର ପରିବର୍ତ୍ତନ ବେଳେ ଧନ- ଜୀବନର ସୁରକ୍ଷା ପାଇଁ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ନିଶ୍ଚିତ କରାଯିବ। ସୁରକ୍ଷା ସହ କୌଣସି ସାଲିସ୍‌ କରାଯିବ ନାହିଁ।

ଇତିମଧ୍ୟରେ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। କିନ୍ତୁ ଅଗ୍ନି ସୁରକ୍ଷା ପ୍ରସଙ୍ଗରେ ବିଶେଷ କୌଣସି ପରିବର୍ତ୍ତନ ଆସି ନାହିଁ କି ଅବସ୍ଥାରେ ଉନ୍ନତିର ଲକ୍ଷଣ ଦେଖାଯାଉ ନାହିଁ। ଅବସ୍ଥା ଯଥା ପୂର୍ବଂ ତଥା ପରଂ। ବହୁତଳ ବିଶିଷ୍ଟ ଆବାସିକ ପ୍ରାସାଦ ହେଉ ଅବା ସୁଉଚ୍ଚ ଅଟ୍ଟାଳିକାରେ ଚାଲିଥିବା ‘ମଲ୍‌’ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ନିୟମିତ ବ୍ୟବଧାନରେ ଅଗ୍ନିକାଣ୍ଡ ଏହାର ପ୍ରମାଣ। ବିପର୍ଯ୍ୟୟର ଏହି ଦୁଃଖଦ କ୍ରମରେ ଅଗ୍ନି ସୁରକ୍ଷା ଆଇନ ଅନୁଯାୟୀ ଅଗ୍ନି- ନିର୍ବାପନ ବ୍ୟବସ୍ଥା ନିଶ୍ଚିତ କରିବାରେ ପ୍ରଶାସନିକ ବିଫଳତାର ସଦ୍ୟତମ ଉଦାହରଣ ହେଲା କଟକ ସିଟି ଷ୍ଟାଇଲ୍‌ ସପିଂ ମଲ୍‌ରେ ଅଗ୍ନିକାଣ୍ଡ। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇ ନାହିଁ। କିନ୍ତୁ ବିପୁଳ ସମ୍ପତ୍ତି ନଷ୍ଟ ହୋଇଯାଇଛି।

ଈଶ୍ୱରଙ୍କ ଦୟାରୁ କ୍ଷୟକ୍ଷତି କେବଳ ସମ୍ପତ୍ତି ନଷ୍ଟରେ ସୀମିତ ରହିଗଲା ସିନା, ଅନ୍ୟଥା ବିପର୍ଯ୍ୟୟ ଆହୁରି ଭୟାବହ ହୋଇଥାନ୍ତା ଯଦି ନିକଟସ୍ଥ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ନିଆଁ ଲାଗି ଯାଇଥାନ୍ତା। କିନ୍ତୁ ସୁରକ୍ଷା ନିୟମକୁ ଅଣଦେଖା କରି ଭଗବାନ ଭରସାରେ ଧନଜୀବନର ସୁରକ୍ଷା କେତେ ଦିନ? ସମ୍‌ ହସ୍‌ପିଟାଲ୍‌ରେ ଅଗ୍ନି ସୁରକ୍ଷା ଆଇନ ଅନୁଯାୟୀ ଅଗ୍ନି ନିର୍ବାପନ ବ୍ୟବସ୍ଥା ନଥିଲା ଯେଉଁ କାରଣରୁ ସମ୍‌ ଅଗ୍ନିକାଣ୍ଡ ଘଟିଥିଲା ଏବଂ ନିଆଁ ନିୟନ୍ତ୍ରିତ ହୋଇ ପାରି ନଥିଲା, ସେହି ସମାନ କାରଣ ଯୋଗୁଁ ସିଟି ଷ୍ଟାଇଲ୍‌ ସପିଂ ମଲ୍‌ ଅଗ୍ନିକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ତେବେ ସପିଂ ମଲ୍‌ର ମାଲିକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତ କିଛି ମାସ ଭିତରେ ଦ୍ୱୈତ ନଗରୀରେ ଯେତେ ବି ଅଗ୍ନିକାଣ୍ଡ ଘଟିଛି, ସବୁ ଘଟଣାରେ ଏହି ବିଲକ୍ଷଣ ପରିଲକ୍ଷିତ ହୋଇଛି। ସପିଂ ମଲ୍‌ ଘଟଣାରେ ସତ୍ୟ କଣ ତାହା ରହସ୍ୟାବୃତ ଥିଲେ ସୁଦ୍ଧା ଗୋଟିଏ ବିଷୟ ସ୍ପଷ୍ଟ ଯେ ଅଧିକାଂଶ ଘଟଣାରେ ଅଗ୍ନି ସୁରକ୍ଷା ଆଇନ ଓ ନିୟମ ପାଳନ ଉଲ୍ଲଂଘନ ହେଉଛି। ନା ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ନା ବ୍ୟବସାୟିକ ସଂସ୍ଥାର ମାଲିକ ଅଗ୍ନି ନିର୍ବାପନ ବ୍ୟବସ୍ଥା ନିଶ୍ଚିତ କରିବା ଜରୁରୀ ମଣୁଛନ୍ତି।

ଅନ୍ୟ ପକ୍ଷରେ ସମ୍ପୃକ୍ତ ସରକାରୀ ବିଭାଗ ଅଗ୍ନି ନିରାପତ୍ତା ଆଇନ ଓ ନିୟମର ଅନୁପାଳନକୁ ନିଶ୍ଚିତ କରିବା ନିଜର କର୍ତ୍ତବ୍ୟ ପରିସରଭୁକ୍ତ ବୋଲି ବିଚାର କରୁ ନାହାନ୍ତି। ଆଇନ ଓ ନିୟମର ଅନୁପାଳନ ପ୍ରତି ଲୋକଙ୍କ ସ୍ପୃହା ନାହିଁ କି ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ପ୍ରଶାସନର ନା ଅଛି କର୍ତ୍ତବ୍ୟବୋଧ ନା ଅଛି ଇଚ୍ଛାଶକ୍ତି। ପରିଣତି ଧନ ଜୀବନ ପ୍ରତି ବିପଦ। ଉଦ୍‌ବେଗର ବିଷୟ ହେଲା, ବର୍ତ୍ତମାନ ବି ବହୁତଳ ପ୍ରାସାଦ ଓ ଅନ୍ୟ ବଡ଼ ବଡ଼ କୋଠାରେ ଚାଲିଥିବା ବହୁ ସଂଖ୍ୟକ ସରକାରୀ ଦପ୍ତର ଠାରୁ ଆରମ୍ଭ କରି ହୋଟେଲ୍‌, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ସନ୍ତୋଷଜନକ ନୁହେଁ। ୨୦୧୬ ସମ୍‌ହସ୍‌ପିଟାଲ ଅଗ୍ନିକାଣ୍ଡ ପରେ ଯାଞ୍ଚରୁ ଜଣାପଡ଼ିଥିଲା ଯେ ରାଜ୍ୟରେ ଥିବା ପ୍ରାୟ ୧୨୦୦ ଡାକ୍ତରଖାନା ଓ ଚିକିତ୍ସାନୁଷ୍ଠାନ ମଧ୍ୟରୁ କେବଳ ମାତ୍ର ତିନିଟି ପ୍ରତିଷ୍ଠାନରେ ନିୟମାନୁଯାୟୀ ଅଗ୍ନି ନିର୍ବାପନ ବ୍ୟବସ୍ଥା ଅଛି। ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉରୁ ଜଣାପଡ଼ିଥିଲା ଯେ, ପୁରୀର କୌଣସି ହୋଟେଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନାହିଁ। ପୁରୀ ଏକ ବ୍ୟତିକ୍ରମ ନୁହେଁ, ରାଜଧାନୀ ଭୁବନେଶ୍ୱର ସମେତ ଆହୁରି ଅନେକ ସହରରେ ମଧ୍ୟ ଚଢ଼ଉ ବେଳେ ନିୟମ ଓ ଆଇନର ଉଲ୍ଲଂଘନ ଦୃଷ୍ଟିକୁ ଆସିଛି। ଅର୍ଥାତ୍‌ ଅଗ୍ନି ସୁରକ୍ଷା ପ୍ରତି କାହାରି ନିଘା ନାହିଁ।

ସରକାରୀ ବିଭାଗ ଗୁଡ଼ିକ ମଧ୍ୟରେ ସମନ୍ଵୟର ଅଭାବ ଲୋକଙ୍କ ଧନ ଜୀବନକୁ ବିପନ୍ନ କରିବା ଆଶଙ୍କା ସୃଷ୍ଟି କରୁଥିବା ସୁରକ୍ଷା ଆଇନ ଓ ନିୟମ ନେଇ ଏ ପ୍ରକାର ଏକ ଅରାଜକତା ପୂର୍ଣ୍ଣ ସ୍ଥିତିକୁ ପ୍ରୋତ୍ସାହିତ କରୁଛି। ଅଗ୍ନି ନିର୍ବାପନ ବ୍ୟବସ୍ଥା ନେଇ ଅଗ୍ନିଶମ ବିଭାଗର ବିନା ପ୍ରମାଣପତ୍ରରେ ଯଦି ବ୍ୟବସାୟ ପାଇଁ ଅନୁମତି ମିଳିପାରୁଛି, ତେବେ ପ୍ରମାଣପତ୍ର ଆଣିବା ଲାଗି ବ୍ୟବସାୟୀ ଆଗ୍ରହୀ ହେବେ କାହିଁକି? ତେଣେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉ ପଛେ ପରବାୟ ନାହିଁ। ବ୍ୟବସାୟ ପାଇଁ ପଞ୍ଜୀକରଣ ଓ କାରବାର ଆରମ୍ଭ ପୂର୍ବରୁ ପ୍ରତିଷ୍ଠାନ ଚାଲୁଥିବା କୋଠାରେ ଅଗ୍ନି ସୁରକ୍ଷା ନେଇ ଅଗ୍ନିଶମ ବିଭାଗର ପ୍ରମାଣପତ୍ର ବାଧ୍ୟତାମୂଳକ ହେବ ନାହିଁ କାହିଁକି? ପୁଣି ନକ୍ସା ଅନୁଯାୟୀ ସନ୍ତୋଷଜନକ ଅଗ୍ନି ନିର୍ବାପନ ବ୍ୟବସ୍ଥା ନଥିବା କୋଠା ନିର୍ମାଣ ଯୋଜନାକୁ ସହରାଞ୍ଚଳ ବିକାଶ ବିଭାଗ ଅନୁମୋଦନ ଦେଉଛନ୍ତି କେମିତି? ସରକାରଙ୍କ ବାମ ଓ ଡାହାଣ ହାତ ମଧ୍ୟରେ ବୁଝାମଣା ଓ ନିୟମିତ ସମନ୍ଵୟର ଅଭାବ ସୁରକ୍ଷା ଆଇନ ଓ ନିୟମର ଖିଲାପ ଲାଗି ଏକ ଆନୁଷ୍ଠାନିକ ପ୍ରେତ୍ସାହନ କହିଲେ ଅତ୍ୟୁକ୍ତି ହେବ ନାହିଁ।

କୌଣସି ବି ଦୁର୍ଘଟଣାରୁ ସୁରକ୍ଷାର ମନ୍ତ୍ର ହେଲା ଆଗୁଆ ସାବଧାନତା ଓ ସତର୍କତା। ପ୍ରତିକାର ଅପେକ୍ଷା ପ୍ରତିଷେଧ ମୂଳକ ବ୍ୟବସ୍ଥା ଅଧିକ ଜରୁରୀ। କିନ୍ତୁ ଦେଖାଯାଇଛି, କୌଣସି ଗୋଟିଏ ଦୁର୍ଘଟଣା ଘଟିଲେ ସାମୟିକ ତତ୍ପରତା ପ୍ରକାଶ ପାଉଛି, ଦୁର୍ଘଟଣାର ବ୍ୟବଚ୍ଛେଦ କରି ଦୋଷ, ତ୍ରୁଟି ଖୋଜା ଯାଉଛି। କିନ୍ତୁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଦୋରସ୍ତ କରାଯାଉ ନାହିଁ। ଚକେ ଗଲେ ବାରହାତ ନ୍ୟାୟରେ ଘଟଣାର କିଛି ଦିନ ପରେ ଅବସ୍ଥା ଯେମିତିକୁ ସେମିତି, ପୁଣି ଆଉ ଗୋଟିଏ ଦୁର୍ଦଶାକୁ ଅପେକ୍ଷା। ଏହା କେବଳ ଅଗ୍ନି ସୁରକ୍ଷା ପ୍ରସଙ୍ଗରେ ସୀମିତ ନୁହେଁ। ସଡ଼କ ସୁରକ୍ଷା ଠାରୁ ଆରମ୍ଭ କରି ଶିଳ୍ପ ସୁରକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁରକ୍ଷା ପ୍ରସଙ୍ଗରେ ଅରାଜକତାର ରାଜୁତି। ବିଗତ ବର୍ଷେ ଦୁଇ ବର୍ଷ ମଧ୍ୟରେ ସେ ଆଠମଲ୍ଲିକ ନିକଟରେ ବସ୍‌ ଦୁର୍ଘଟଣା ହେଉ କି ଦେବଗଡ଼ ନିକଟରେ ଯାତ୍ରା ପାର୍ଟିକୁ ନେଇ ଯାଉଥିବା ବସ୍‌ ଓଲଟିବା ଘଟଣା ହେଉ; ବହୁ ଲୋକ ମୃତାହତ ହେଉଥିବା ପ୍ରତ୍ୟେକ ସଡ଼କ ଦୁର୍ଘଟଣାରେ ଆଇନ ଓ ନିୟମର ଖିଲାପ ନଜରକୁ ଆସିଛି। କେଉଁଠି ବସ୍‌ର ଫିଟ୍‌ନେସ୍‌ ନଥିଲା ତ ଆଉ କେଉଁଠି ଡ୍ରାଇଭର୍‌ର ଲାଇସେନ୍‌ସ ନାହିଁ।

ବର୍ଷକୁ ବର୍ଷ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ମୃତାହତଙ୍କ ସଂଖ୍ୟା ବଢ଼ିବା କାରଣ ଗୋଟିଏ ପକ୍ଷରେ ସୁରକ୍ଷା ନିୟମ ପ୍ରତି ଗାଡ଼ି ମାଲିକ ଓ ଚାଳକଙ୍କ ବେଖାତିର ମନୋଭାବ ଓ ଅନ୍ୟପକ୍ଷରେ ନିୟମର କାର୍ଯ୍ୟକାରିତା ଦିଗରେ ସରକାରୀ କଳର ଖାମ ଖାଆଲି ମନୋଭାବ ଓ ଅପାରଗତା। କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ଦୁର୍ଘଟଣା ପଛରେ ମଧ୍ୟ ଏହି ସମାନ କାରଣ। ପ୍ରତ୍ୟେକ ବର୍ଷ ଦୀପାବଳି ସମୟରେ କିଛି ନା କିଛି ଅଘଟଣ ଘଟୁଛି। ଅଥଚ ଅବସ୍ଥା ବଦଳୁ ନାହିଁ। କିଛି ମାସ ତଳେ ବାଲେଶ୍ୱର ନିକଟରେ ଏକ ବାଣ ତିଆରି କାରଖାନାରେ ଦୁର୍ଘଟଣା ଏହାର ପ୍ରମାଣ। ନିର୍ମାଣ ସମୟରେ ମଧ୍ୟ ସୁରକ୍ଷା ନିୟମ ସହ ସାଲିସ କରାଯାଉଛି। ବମିଖାଲ ଓଭରବ୍ରିଜ୍‌ ଓ ବରଗଡ଼ର ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଏହାର ଦୁଃଖଦ ଉଦାହରଣ। ଅଳ୍ପ ସମୟ କିମ୍ବା ଅର୍ଥ ସଞ୍ଚୟ ପାଇଁ ସୁରକ୍ଷା ସହ ସାଲିସର ପରିଣତି ଯେ ବିପର୍ଯ୍ୟୟକୁ ଆମନ୍ତ୍ରଣ ଏହାର ଶହ ଶହ ମର୍ମନ୍ତୁଦ ଉଦାହରଣ ରହିଛି। ତଥାପି କିନ୍ତୁ ସୁରକ୍ଷା ନେଇ ଜନତା ସଚେତନ ହେଉ ନାହାନ୍ତି କି ସରକାରୀ କଳର ଉଦାସୀନ ମନୋଭାବ ବଦଳୁ ନାହିଁ।

ତେଣୁ କଟକର ସପିଂ ମଲ୍‌ ଅଗ୍ନିକାଣ୍ଡ ଉଭୟ ଜନତା, ସରକାର ଓ ପ୍ରଶାସନ ପାଇଁ ଆଉ ଏକ ଚେତାବନୀ। ସୁରକ୍ଷା ନିୟମ ପାଳନ ପ୍ରତି ଲୋକଙ୍କ ମଧ୍ୟରେ ସ୍ୱତଃପ୍ରବୃତ୍ତ ମନୋଭାବ ଓ ଏହାର କଡ଼ାକଡ଼ି କାର୍ଯ୍ୟକାରିତା ସରକାରୀ କଳର ଦୈନନ୍ଦିନ କାର୍ଯ୍ୟଧାରାର ଅଂଶ ବିଶେଷ ନ ହେବା ପର୍ଯ୍ୟନ୍ତ ଏଭଳି ବିପଜ୍ଜନକ ଧାରାର ଅନ୍ତ ହେବନାହିଁ।

ସମ୍ବନ୍ଧିତ ଖବର