ନଷ୍ଟ କୈଶୋର!

0 446

ପ୍ରାଥମିକ ଓ ଉଚ୍ଚ- ପ୍ରାଥମିକ ସ୍ତରରେ ଛାତ୍ର ଓ ଛାତ୍ରୀଙ୍କ ଶିକ୍ଷା ତଥା ଜ୍ଞାନର ସ୍ତର ସମ୍ପର୍କରେ ଅନୁଧ୍ୟାନ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରଥମ’ ପକ୍ଷରୁ ଦ୍ୱାଦଶ ‘ଅସର’ (ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେସନ୍‌ ରିପୋର୍ଟ) ନିକଟରେ ପ୍ରକାଶ ପାଇଥିଲା। ‘ଅସର-୨୦୧୭: ବିୟଣ୍ଡ ବେସିକ୍ସ’ ଶୀର୍ଷକ ଏହି ରିପୋର୍ଟରେ ଦେଶର ୧୪-୧୬ ବର୍ଷ ବୟସ ଗୋଷ୍ଠୀର କିଶୋର ଓ କିଶୋରୀମାନଙ୍କ ଶିକ୍ଷା ତଥା ଜ୍ଞାନ ସ୍ତରରେ ଯେଉଁ ଚିତ୍ର ପ୍ରତିଫଳିତ ହୋଇଛି, ତାହା ବେଶ୍‌ ନୈରାଶ୍ୟଜନକ। କେବଳ ଏହି କିଶୋର ବୟସ ଗୋଷ୍ଠୀର ପିଲାଙ୍କ ନୁହେଁ, ସାମୂହିକ ଭାବେ ଦେଶ ଓ ସମାଜର ଭବିଷ୍ୟତ ନେଇ ପ୍ରଶ୍ନ ଉଠାଉଥିବା ରିପୋର୍ଟର କିଛି ତଥ୍ୟ ହେଲା- ୧୪-୧୬ ବର୍ଷ ବୟସ ଗୋଷ୍ଠୀର ଅଧା ପିଲାଙ୍କୁ ହରଣ କି ଗୁଣନ ଆସୁନାହିଁ, ୪୦ ପ୍ରତିଶତ ପିଲା ଘଣ୍ଟା ଦେଖି ସମୟ କହି ପାରନ୍ତି ନାହିଁ, ୨୧ ପ୍ରତିଶତ ପିଲା ଭାରତ ମାନଚିତ୍ରରେ ନିଜ ରାଜ୍ୟକୁ ଚିହ୍ନି ପାରନ୍ତି ନାହିଁ ଓ ୪୪ ପ୍ରତିଶତଙ୍କୁ ଓଜନ ମାପର ହିସାବ ଜଣା ନାହିଁ। ଏମିତି ଆହୁରି ଅନେକ ତଥ୍ୟ ଦେଶର ଗ୍ରାମାଞ୍ଚଳ ସ୍କୁଲ ଗୁଡ଼ିକରେ ଶିକ୍ଷାଦାନର ଗୁଣାତ୍ମକ ମାନର ସ୍ତର କେତେ ନିମ୍ନ ଓ ଛଅ/ସାତ ବର୍ଷର ସ୍କୁଲ ଶିକ୍ଷା ପରେ ବି ଅଧିକାଂଶ ପିଲା ବସ୍ତୁତଃ କିଭଳି ଅଶିକ୍ଷା ଓ ଅଜ୍ଞାନର ଅନ୍ଧାରରୁ ବାହାରି ପାରିନାହାନ୍ତି, ତାହା ସ୍ପଷ୍ଟ।

Panda Mobile only

‘ଅସର’ରେ କୈଶୋରର ଯେଉଁ ନିରାଶାଜନକ ଗମ୍ଭୀର ଚିତ୍ର ମିଳିଥିଲା, ସେ ତୁଳନାରେ ସଦ୍ୟ ପ୍ରକାଶିତ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ୍‌ (ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ପ୍ରୋଟେନ୍‌ସନ୍‌ ଅଫ୍‌ ଚାଇଲ୍‌ଡ ରାଇଟ୍‌ ଏନ୍‌ସିପିସିଆର୍‌) ରିପୋର୍ଟରେ ଥିବା ଚିତ୍ର ଆହୁରି ଶୋଚନୀୟ। ଏନ୍‌ସିପିସିଆର୍‌ ରିପୋର୍ଟ ଅନୁଯାୟୀ ୧୫-୧୮ ବର୍ଷ ବୟସ ଗୋଷ୍ଠୀର ପାଖାପାଖି ୪୦ ପ୍ରତିଶତ (୩୯.୪ ପ୍ରତିଶତ) କିଶୋରୀ ଏବଂ ୩୫ ପ୍ରତିଶତ କିଶୋର ଶିକ୍ଷା ବ୍ୟବସ୍ଥା ବାହାରେ। ଅର୍ଥାତ୍‌ କିଶୋରୀଙ୍କ ମଧ୍ୟରେ ପ୍ରତି ଶହେରେ ୪୦ ଜଣ ଏବଂ କିଶୋରଙ୍କ ମଧ୍ୟରେ ପ୍ରତି ଶହେରେ ୩୫ ଜଣ କୌଣସି ଶିକ୍ଷାନୁଷ୍ଠାନ କିମ୍ବା ତାଲିମ କେନ୍ଦ୍ରରେ ନାହାନ୍ତି। ଆହୁରି ଏକ ଉଦ୍‌ବେଗଜନକ ତଥ୍ୟ ହେଲା ପାଠ ଛାଡ଼ି ଦେଇଥିବା କିମ୍ବା ଆଦୌ ପାଠ ପଢ଼ି ନଥିବା ୧୫-୧୮ ବର୍ଷ ବୟସ ଗୋଷ୍ଠୀର ବାଳିକାଙ୍କ ମଧ୍ୟରେ ୬୫ ପ୍ରତିଶତ ଘରୋଇ କାମରେ ନିୟୋଜିତ ଓ ଏମାନଙ୍କ ମଧ୍ୟରୁ ଏକ ଉଲ୍ଲେଖନୀୟ ଭାଗ ଭିକ୍ଷାବୃତ୍ତିରେ ନିୟୋଜିତ। ଦୁଃଖଦାୟକ ବିଡ଼ମ୍ବନାର ବିଷୟ ହେଲା ଏହି ସୀମାନ୍ତରିତ ବର୍ଗର କିଶୋରୀମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଅନେକ ସରକାରୀ ଯୋଜନା ଥିଲେ ମଧ୍ୟ ଅଧିକାଂଶ କୌଣସି ଯୋଜନାର ହିତାଧିକାରୀ ନୁହନ୍ତି। ପ୍ରାୟ ୨.୫ କୋଟି ୧୫-୧୮ ବର୍ଷର ବାଳିକା କୌଣସି ଯୋଜନାର ଅନ୍ତର୍ଭୁକ୍ତ ନୁହନ୍ତି। ଏହା ସ୍ୱତଃ ପ୍ରଧାନମନ୍ତ୍ରୀଙ୍କ ପୋଷା ଓ ଘୋଷା କାର୍ଯ୍ୟକ୍ରମ ‘ବେଟୀ ବଚାଓ ଔର ବେଟୀ ପଢାଓ’ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିଶୋରଙ୍କ କ୍ଷେତ୍ରରେ ସ୍ଥିତି ବିଶେଷ ଭିନ୍ନ ନୁହେଁ। ସ୍କୁଲ ବାହାରେ ୧୫-୧୮ ବୟସ ଗୋଷ୍ଠୀର ୩୫ ପ୍ରତିଶତଙ୍କ କୈଶୋର ନଷ୍ଟ ହେଉଛି। ତାଲିମ ଦେଇ ହି ‘ଡ୍ରପ୍‌ ଆଉଟ୍‌’ଙ୍କ ଦକ୍ଷତା ବିକାଶ କିମ୍ବା ପୁନର୍ବାର ଏମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ଲାଗି କୌଣସି ଯୋଜନା ନାହିଁ। ୨୦୨୦ ସୁଦ୍ଧା କୋଟିଏ ଯୁବକଙ୍କ ଦକ୍ଷତା ବିକାଶ ଲାଗି ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ସ୍କୁଲ୍‌ ବାହାରେ ଥିବା ୧୫-୧୮ ବର୍ଷ ବୟସ ଗୋଷ୍ଠୀର ପିଲା ଏଥିରେ ସାମିଲ ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନା କେବଳ ୧୮ ବର୍ଷରୁ ଅଧିକ ବୟସର ଯୁବକ ଓ ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ। କୁହାଯାଏ ଗୋଟିଏ ଦେଶର ସମୃଦ୍ଧି ପାଇଁ ବଡ଼ ପୁଞ୍ଜି ହେଲା ମାନବ ସମ୍ବଳ। ଆକାର ଦୃଷ୍ଟିରୁ ଭାରତର ମାନବ ସମ୍ବଳ ବିଶ୍ୱର ଏକ ନମ୍ବର। ଦେଶର ଲୋକସଂଖ୍ୟାର ୬୫ ପ୍ରତିଶତଙ୍କ ବୟସ ୩୫ ବର୍ଷରୁ କମ୍‌। ଅଧା ଲୋକସଂଖ୍ୟାର ବୟସ ୨୫ ବର୍ଷରୁ କମ୍‌। ୨୦ ବର୍ଷରୁ କମ୍‌ ବୟସ୍କଙ୍କ ଭାଗ ୪୧ ପ୍ରତିଶତ। ଆଗାମୀ ୨୦୨୦ ବେଳକୁ ଭାରତୀୟଙ୍କ ହାରାହାରି ବୟସ ୨୯ ବର୍ଷ ହୋଇଥିବ। ଏହି ସଂଖ୍ୟା ନିଶ୍ଚିତ ରୂପେ ପୁଞ୍ଜି ଭାବେ ଭାରତର ମାନବ ସମ୍ବଳ ନେଇ ଏକ ଉଜ୍ଜ୍ୱଳ ସମ୍ଭାବନାର ଚିତ୍ର ଆଙ୍କୁଛି। କିନ୍ତୁ ‘ଅସର’ ଓ ଏନ୍‌ସିପିସିଆର ରିପୋର୍ଟରେ ମାନବ ସମ୍ବଳର ଗୁଣାତ୍ମକ ଦୃଷ୍ଟିରୁ ଯେଉଁ ନୈରାଶ୍ୟଜନକ ଚିତ୍ର ମିଳିଛି, ସେଥିରେ ଭବିଷ୍ୟତ ନେଇ ଏକ ଉଜ୍ଜ୍ୱଳ ସମ୍ଭାବନାର ଚିତ୍ର ଆଙ୍କିବା ନିର୍ବୋଧତା ହେବ। ୧୪ ରୁ ୧୮ ବର୍ଷ ବୟସ ଗୋଷ୍ଠୀର କିଶୋର କିଶୋରୀଙ୍କ ସଂଖ୍ୟା ପ୍ରାୟ ୫୦ କୋଟି। ସେଥିରୁ ସ୍କୁଲରେ ଥିବା ଦୁଇ ତୃତୀୟାଂଶଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ଜ୍ଞାନ ସ୍ତର ଅସର ରିପୋର୍ଟ ଅନୁଯାୟୀ ଅତ୍ୟନ୍ତ ନୈରାଶ୍ୟଜନକ। ଅନ୍ୟ ଯେଉଁ ଏକ ତୃତୀୟାଂଶ ରହିଲେ, ସେମାନେ ଶିକ୍ଷା ବ୍ୟବସ୍ଥା ବାହାରେ। ଏହା ନିଶ୍ଚିତ ଭାବେ ମାନବ ସମ୍ବଳ ନେଇ ଏକ ଉଜ୍ଜ୍ୱଳ ସମ୍ଭାବନାର ପ୍ରତିଶ୍ରୁତି ଦେଉନାହିଁ। ବରଂ ବର୍ତ୍ତମାନ ଦେଶରେ ରହିଥିବା ସାମାଜିକ -ଅର୍ଥନୈତିକ ବୈଷମ୍ୟ ଓ ଅସମାନତାକୁ ଚିରସ୍ଥାୟୀ ରୂପ ଦେବାର ଆଶଙ୍କା ସୃଷ୍ଟି କରୁଛି। ଏ ବୈଷମ୍ୟ ଓ ଅସମାନତା କଦାପି ଏକ ‘ନ୍ୟୁ ଇଣ୍ଡିଆ’ ସ୍ୱପ୍ନ ପାଇଁ ଅନୁକୂଳ ନୁହେଁ।

ସରକାର ଓ ନୀତି ନିର୍ଧାରକଙ୍କୁ ମାନବ ସମ୍ବଳର ଏହି ଉଦ୍‌ବେଗଜନକ ସ୍ଥିତି ପ୍ରତି ଦୃଷ୍ଟି ଦେଇ କିଛି ସୃଜନଶୀଳ ନୀତି ନିର୍ଧାରଣ କରି ନୂଆ ଯୋଜନା ପ୍ରଣୟନ କରିବାକୁ ପଡ଼ିବ। ଏ ପରିପ୍ରେକ୍ଷୀରେ ଅନ୍ତତଃ କିଶୋରୀମାନଙ୍କ ପାଇଁ ପଶ୍ଚିମବଂଗରେ କାର୍ଯ୍ୟକାରୀ ହେଉଥିବା ‘କନ୍ୟାଶ୍ରୀ’ ଯୋଜନାକୁ ଆଦର୍ଶ ଭାବେ ବିଚାର କରାଯାଇପାରେ। ଏହି ଯୋଜନାରେ ସ୍କୁଲରେ ଥିବା ପ୍ରତ୍ୟେକ ୧୪ରୁ ୧୮ ବର୍ଷ ବୟସ୍କା ବାଳିକାଙ୍କୁ ବାର୍ଷିକ ଏକ ହଜାର ଟଙ୍କାର ବୃତ୍ତି ଓ ପାଠ ଶେଷ ହେଲା ପରେ ଏକକାଳୀନ ପଚିଶ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଜାତୀୟ ସ୍ତରରେ ବାଳିକାମାନଙ୍କୁ ସ୍କୁଲରେ ରହି ଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ ଏଭଳି ଏକ ଯୋଜନାର ପରିକଳ୍ପନା କରାଯାଇପାରେ। ବାଳକମାନଙ୍କ କ୍ଷେତ୍ରରେ ଦକ୍ଷତା ବିକାଶ ଯୋଜନାରେ ବୟସ ସୀମାକୁ କୋହଳ କରି ଷୋହଳରୁ ଅଠର ବୟସ ଗୋଷ୍ଠୀର କିଶୋରଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଉ। ଯାହା ବି କରାଯାଉ, ଦେଶରେ ଅମୂଲ୍ୟ ପୁଂଜି କୈଶୋରକୁ ନଷ୍ଟ ହେବାକୁ ଦିଆ ନ ଯାଉ। ଅନ୍ୟଥା, ଦେଶର ଏକ ବୃହତ୍‌ ଭାଗ ମାନବ ସମ୍ବଳ ପ୍ରଜାପତିରେ ରୂପାନ୍ତରିତ ନ ହୋଇ ସଁବାଳୁଆ ହୋଇ ରହିଯିବାକୁ ବାଧ୍ୟ ହେବେ। ସେମିତି ହେଲେ ନଷ୍ଟ କୈଶୋରର ବିପୁଳ ବୋଝରେ ଭାରାକ୍ରାନ୍ତ ଭାରତ ସଶକ୍ତ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.