ଚୁପ୍‌ଚାପ୍‌ ଚିପ୍‌ସ!

ନାରୀ ମୁକ୍ତିବାଦୀମାନେ ସର୍ବଦା ଏକ ‘କାଚ ଛାତ’କୁ ବୃତ୍ତିଧାରିଣୀ ନାରୀମାନଙ୍କର ସର୍ବବିଦ୍ୟମାନ ଅଦୃଶ୍ୟ ଶତ୍ରୁ ରୂପେ ବର୍ଣ୍ଣନା କରିଥାନ୍ତି। କୌଣସି ଏକ ବ୍ୟବସାୟ ଅନୁଷ୍ଠାନରେ ସମାନ ଦକ୍ଷତା ଥିବା ଯୁବକ ଓ ଯୁବତୀମାନେ ଏକ ସମୟରେ କ୍ୟାରିଅର୍‌ ଆରମ୍ଭ କରିଥିଲେ ହେଁ ଏବଂ ସମାନ ଗତିରେ ନିଜ ନିଜ କ୍ୟାରିଅର୍‌ ଶିଡ଼ିରେ ଉପରକୁ ଉଠିବା ଆରମ୍ଭ କରିଥିଲେ ହେଁ କିଛିଦିନ ପରେ ଏହି ତାଳମେଳ ଭାଙ୍ଗିବାକୁ ଆରମ୍ଭ କରେ। କ୍ୟାରିଅର୍‌ର ମଧ୍ୟମ ସ୍ତରରେ ପହଞ୍ଚିବା ପରେ ଯେତେବେଳେ ପୁରୁଷ ସହକର୍ମୀମାନେ ଆହୁରି ଉପର ପାହାଚ ଚଢ଼ିବାକୁ ଲାଗନ୍ତି, ମହିଳାମାନେ ଆଉ ସେମାନଙ୍କ ସହିତ ତାଳ ଦେଇ ପାରନ୍ତି ନାହିଁ ଏବଂ ସେଇ ଅଧାବାଟରେ ଅଟକି ଯାଆନ୍ତି- ସତେ ଯେମିତି ସେମାନେ ଉପରକୁ ଉଠିବାକୁ ପାଦ ପକାଇବା ବେଳକୁ ସେମାନଙ୍କ ମୁଣ୍ଡ କୌଣସି ଅଦୃଶ୍ୟ କାଚ ଛାତରେ ପିଟି ହୋଇଯାଏ। ଏ କାଚ ଛାତ ହେଉଛି- ସନ୍ତାନ ପ୍ରସବରୁ ଆରମ୍ଭ କରି, ସନ୍ତାନର ଲାଳନ ପାଳନ, ପରିବାରର ଦାୟିତ୍ୱ, ଇତ୍ୟାଦି ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ବହନ କରିବାକୁ ପଡୁଥିବା ବିଭିନ୍ନ ଅତିରିକ୍ତ ଦାୟିତ୍ୱ ସହିତ କର୍ମକ୍ଷେତ୍ରରେ ବିରାଜମାନ ଥିବା ଶକ୍ତିଶାଳୀ ନାରୀ-ବିରୋଧୀ ମାନସିକତା। ଏହି କାରଣରୁ ପୃଥିବୀ ସାରା କର୍ପୋରେଟ୍‌ ସଂଗଠନ ମାନଙ୍କରେ ପ୍ରାୟ ସମସ୍ତ ଶୀର୍ଷ ପଦପଦବି ପୁରୁଷମାନଙ୍କ ଦଖଲରେ ରହିଥିବା ବେଳେ କାଁ ଭାଁ କେତୋଟି ଏଭଳି ସ୍ଥାନରେ ନାରୀମାନେ ପହଞ୍ଚିଥିବା ଦେଖାଯାଏ। ଯେଉଁମାନେ ସେଠାରେ ପହଞ୍ଚିଥାନ୍ତି, ସେମାନେ ଉପରୋକ୍ତ କାଚ ଛାତକୁ ଭାଙ୍ଗି ରୁଜି ସମସ୍ତ ପ୍ରତିବନ୍ଧ ଅତିକ୍ରମ କରିବାରେ ସଫଳ ହୋଇଥାନ୍ତି।

ଏଭଳି ମହିଳାମାନଙ୍କୁ ଯଦି ନାରୀମୁକ୍ତି ବା ନାରୀ ଶକ୍ତିିର ଆଦର୍ଶ ପ୍ରତିନିଧି ରୂପେ ବିବେଚନା କରାଯାଏ, ତେବେ ଭାରତ ଜନ୍ମିତ ଇନ୍ଦ୍ରା କୃଷ୍ଣମୂର୍ତ୍ତି ନୁୟିଙ୍କୁ ବର୍ତ୍ତମାନର ପୃଥିବୀରେ ସକ୍ରିୟ ଥିବା ଅନ୍ୟତମ ସର୍ବାଧିକ ଶକ୍ତିଶାଳୀ ନାରୀ ଶକ୍ତିର ପ୍ରତୀକ ରୂପେ ବିଚାର କରାଯିବ। ସୂଚାଇବା ଅନାବଶ୍ୟକ ଇନ୍ଦ୍ରା ନୁୟି ହେଉଛନ୍ତି ପୃଥିବୀର ଅନ୍ୟତମ ପ୍ରମୁଖ, ବିଶାଳ ବହୁଦେଶୀୟ କମ୍ପାନି ‘ପେପ୍‌ସିକୋ’ର ଚେୟାର୍‌ପର୍ସନ୍‌ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ)। ଆନ୍ତର୍ଜାତିକ ଶିଳ୍ପ ବ୍ୟବସାୟ ଜଗତ୍‌ରେ ଏହି ଶକ୍ତିଶାଳୀ ପଦବି ସେ କେବଳ ନାମକୁ ମାତ୍ର ଅଳଂକୃତ କରିନାହାନ୍ତି, ଦୀର୍ଘ ୧୨ ବର୍ଷ କାଳ ସେ ଏହି ଗୁରୁ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରି ପୃଥିବୀର ଜଣେ ଅଗ୍ରଣୀ ତଥା ବିଚକ୍ଷଣ ଶିଳ୍ପ-ବାଣିଜ୍ୟ ନାୟକ ରୂପେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ପୃଥିବୀର ବିଭିନ୍ନ ମର୍ଯ୍ୟାଦାଜନକ ପତ୍ରପତ୍ରିକା ଓ ଅନୁଷ୍ଠାନମାନଙ୍କ ଦ୍ୱାରା ପ୍ରସ୍ତୁତ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ମହିଳାମାନଙ୍କ ତାଲିକାମାନଙ୍କରେ ସେ ସର୍ବଦା ଅଗ୍ରଗଣ୍ୟ ସ୍ଥାନ ଦଖଲ କରିବା ଏକ ନିୟମିତ ଘଟଣାରେ ପରିଣତ ହୋଇଛି। ଏଠାରେ ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଇନ୍ଦ୍ରା ନୁୟି ଏହି କ୍ୟାରିଅର୍‌ ଏଭରେଷ୍ଟ ଆରୋହଣ କରିବା ସଙ୍ଗେ ସଙ୍ଗେ ସ୍ୱାମୀ ସନ୍ତାନ ପିତା ମାତା ଶାଶୁ ଶ୍ୱଶୂର ବେଷ୍ଟିତ ଏକ ସଫଳ ପରିବାର ମଧ୍ୟ ଗଠନ କରି ପାରିଛନ୍ତି, ଯାହା ସହଜ ନୁହେଁ ବୋଲି ସେ ମଧ୍ୟ ସ୍ୱୀକାର କରିଛନ୍ତି।

ଏପରି ଜଣେ ନାରୀଙ୍କୁ ଯଦି କେହି ନାରୀମୁକ୍ତି- ବିରୋଧୀ ବା ପୁରୁଷବାଦୀ ବୋଲି ଆକ୍ଷେପ କରେ ତାହା ପ୍ରଥମେ କେବେହେଲେ ବିଶ୍ୱାସଯୋଗ୍ୟ ହେବ ନାହିଁ। କିନ୍ତୁ ଅବିଶ୍ୱାସ୍ୟ ହେଲେ ବି ଯାହା ଏବେ ଦେଖିବାକୁ ମିଳିଛି ତାହା ହେଉଛି ଇନ୍ଦ୍ରା ନୁୟିଙ୍କ ବିରୋଧରେ ଠିକ୍‌ ଏଇଭଳି ଏକ ଅଭିଯୋଗ। ଆଉ ଇନ୍ଦ୍ରା ନୁୟି ସମ୍ମୁଖୀନ ହୋଇଥିବା ସମାଲୋଚନା ପଛରେ ଯେଉଁ ପଦାର୍ଥଟି ନିହିତ ଅଛି ତାହା ମଧ୍ୟ ଆହୁରି ଅବିଶ୍ୱାସ୍ୟ: ପେପ୍‌ସିକୋ ପ୍ରସ୍ତୁତ କରୁଥିବା ‘ଡୋରିଟୋସ୍‌ ଚିପ୍‌ସ’ ବ୍ରାଣ୍ଡ୍‌ର ଏକ ମୁସ୍‌ମୁସିଆ ଚିପ୍‌ସ। ୨୦୧୮ ଜାନୁଆରି ୩୧ ଦିନ ବିଶ୍ୱପ୍ରସିଦ୍ଧ ଲୋକପ୍ରିୟ ଭିନ୍ନ ରସର ଅର୍ଥନୀତି ପୁସ୍ତକ ‘ଫ୍ରିକୋନୋମିକ୍‌ସ’ର ଅନ୍ୟତମ ସହ ରଚୟିତା ଷ୍ଟିଫେନ୍‌ ଡବ୍‌ନର୍‌ଙ୍କ ସହିତ ଇନ୍ଦ୍ରା ନୁୟି ଏକ ସାକ୍ଷାତକାର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଯାହା ପଡ୍‌କାଷ୍ଟ ଦ୍ୱାରା ପ୍ରସାରିତ ହୋଇଥିଲା। ଆଲୋଚନାର ବିଷୟବସ୍ତୁ ଥିଲା ଏହି ଡୋରିଟୋସ୍‌ ଚିପ୍‌ସ। ସେଥିରେ ନୁୟି ଏକ ନୂତନ ମହିଳା-ଅନୁକୂଳ ଡୋରିଟୋସ୍‌ ଚିପ୍‌ସ ପ୍ରଚଳନ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ।

ଡବ୍‌ନର୍‌ ନୁୟିଙ୍କୁ ପଚାରିଥିଲେ ପୁରୁଷ ଓ ନାରୀମାନଙ୍କର ଚିପ୍‌ସ ଖାଇବା ଶୈଳୀ ଭିନ୍ନ ହୋଇଥିବାରୁ ପେପ୍‌ସିକୋ ଏ ସମ୍ବନ୍ଧରେ କ’ଣ କରିବାକୁ ଚିନ୍ତା କରୁଛି? ଏହାକୁ କେନ୍ଦ୍ର କରି ହୋଇଥିବା ଆଲୋଚନାର ସାରମର୍ମ ଥିଲା ଏହିପରି। ପୁରୁଷମାନେ ଚିପ୍‌ସ ଖାଇବା ବେଳେ ସଶବ୍ଦରେ ମସ୍‌ ମସ୍‌ କରି ଚୋବାଇବାକୁ ଭଲ ପାଆନ୍ତି, ଚିପ୍‌ସ ଖାଇବା ପରେ ଆଙ୍ଗୁଠିରେ ଲାଗିଥିବା ସାମାନ୍ୟ ଅଠାଳିଆ ମସଲାକୁ ଚାଟି ସଫା କରିଦେବାକୁ ଭଲପାଆନ୍ତି ଏବଂ ପ୍ୟାକେଟ୍‌ରୁ ଚିପ୍‌ସ ସରିଯିବା ପରେ ପ୍ୟାକେଟ୍‌ର ସବା ତଳେ ଯେଉଁ ଭଙ୍ଗା ଚିପ୍‌ସ ଖଣ୍ଡ ଓ ଗୁଣ୍ଡ ପଡ଼ି ରହିଥାଏ ପ୍ୟାକେଟ୍‌କୁ ଓଲଟା ଧରି ସେ ସବୁକୁ ପାଟିରେ ଅଜାଡ଼ି ଦେବାକୁ ଭୁଲନ୍ତି ନାହିଁ। ନାରୀମାନେ କିନ୍ତୁ ଚିପ୍‌ସ ଚୋବାଇବା ବେଳେ ଶବ୍ଦ କରିବାକୁ ଭଲ ପାଆନ୍ତି ନାହିଁ, ସର୍ବ ସମକ୍ଷରେ ଆଙ୍ଗୁଠି ଚାଟିବାକୁ ଚୁଚିହୀନ କାର୍ଯ୍ୟ ରୂପେ ବିଚାର କରନ୍ତି ଏବଂ ଚିପ୍‌ସ ସରିଯିବା ପରେ ପାଟି ମେଲା କରି ଗୁଣ୍ଡ ସବୁକୁ ପାଟିରେ ଅଜାଡ଼ିବା ଶିଷ୍ଟାଚାର ପରିସୀମା ବାହାରେ ବୋଲି ବିଚାର କରନ୍ତି। ଏଣୁ ନୁୟି କହିଥିଲେ ଯେ ପେପ୍‌ସିକୋ ଏଭଳି ଏକ ଡୋରିଟୋସ୍‌ ଚିପ୍‌ ପ୍ରସ୍ତୁତ କରିବା କଥା ଚିନ୍ତା କରୁଛି ଯାହାକୁ ଚୋବାଇଲେ ଶବ୍ଦ ହେବ ନାହିଁ, ଯାହାର ମସଲା ଆଙ୍ଗୁଠିରେ ଲାଗି ରହିବ ନାହିଁ ଏବଂ ଯାହା ପ୍ୟାକେଟ୍‌ ତଳ ଭାଗରେ ଜମି ରହିବା ପାଇଁ ଭଙ୍ଗା ଖଣ୍ଡ ବା ଗୁଣ୍ଡ ସୃଷ୍ଟି କରିବ ନାହିଁ।

ବାସ୍‌ ଏହା ପରେ ସୋସିଆଲ୍‌ ମିଡିଆରେ ନାରୀବାଦୀମାନଙ୍କୁ ସମ୍ଭାଳେ କିଏ? ସେମାନେ କହିବା କଥା ନାରୀମାନଙ୍କ ସ୍ୱାଭାବିକ ଚରିତ୍ର ଏପରି ନୁହେଁ; ସେମାନେ ମଧ୍ୟ ପୁରୁଷଙ୍କ ଭଳି ପ୍ୟାକେଟ୍‌ରୁ ଖସ୍‌ ଖସ୍‌ କରି ଚିପ୍‌ସ କାଢ଼ି ସେ ସବୁ ସଶବ୍ଦରେ ମସ୍‌ ମସ୍‌ କରି ଚୋବାଇ ଖାଇ ଶେଷରେ ପ୍ୟାକେଟ୍‌କୁ ପାଟିରେ ଅଜାଡ଼ି ଦେଇ ଚିପ୍‌ସ ଖାଇ ଆଙ୍ଗୁଠି ଚାଟି ତାହାର ଅସଲ ମଜା ନେବାକୁ ଚାହାନ୍ତି। ଏକ ପୁରୁଷ କୈନ୍ଦ୍ରିକ ସମାଜ ହିଁ ନାରୀମାନଙ୍କୁ ଏ ସବୁ ଆନନ୍ଦରୁ ବଞ୍ଚିତ କରି ରୁଚିପୂର୍ଣ୍ଣ ଢଙ୍ଗରେ ଚିପ୍‌ସ ଖାଇବାକୁ ବାଧ୍ୟ କରୁଛି। ଆଉ ଇନ୍ଦ୍ରା ନୁୟି ଏଥିରେ ଏହି ପୁରୁଷ ପ୍ରଧାନ ସମାଜର ଏଜେଣ୍ଟ୍‌ ରୂପେ କାର୍ଯ୍ୟ କରୁଛନ୍ତି। ଯଦି ଏହି ଯୁକ୍ତିକୁ ଗ୍ରହଣ କରାଯାଏ, ତେବେ ଡୋରିଟୋସ୍‌ ଚିପ୍‌ସ ନୁହେଁ, ଫେସ୍‌ କ୍ରିମ୍‌ରୁ ସାମ୍ପୁ ପର୍ଯ୍ୟନ୍ତ, ପୋଷାକରୁ ବାଇକ୍‌ ପର୍ଯ୍ୟନ୍ତ ଅସୁମାରି ପଦାର୍ଥରେ ଏପରି ପୁରୁଷ ପ୍ରାଧାନ୍ୟର ଛବି ଦେଖିବାକୁ ମିଳିଥାଏ ଯାହା ପାଇଁ ଇନ୍ଦ୍ରା ନୁୟିଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ସେ ଜଣେ ନାରୀ ହୋଇଥିବାରୁ ଏବେ ନୁୟିଙ୍କୁ ଦୋଷ ଦେବା ଏକ ନାରୀ ବିରୋଧୀ କାର୍ଯ୍ୟ ନୁହେଁ କି?

ସମ୍ବନ୍ଧିତ ଖବର