‘ରେନ୍‌କୋଟ୍‌’ରୁ ‘ରାମାୟଣ’

ଏହା ସ୍ପଷ୍ଟ ଯେ ବୁଧବାର ଦିନ କଂଗ୍ରେସ ଦଳ ଏକ ପୂର୍ବକଳ୍ପିତ ଯୋଜନା ଅନୁସାରେ ପାର୍ଲାମେଣ୍ଟ୍‌ର ଉଭୟ ଗୃହରେ ତା’ର ସୈନ୍ୟସାମନ୍ତଙ୍କୁ ମୁତୟନ କରିଥିଲା। ଯୋଜନାଟି ମଧ୍ୟ ବେଶ୍‌ ସହଜ ଥିଲା: ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଦୌ କୁହାଇ ନଦେବା। ଏହି ଉଦ୍ଦେଶ୍ୟ ସାଧନ ନିମିତ୍ତ କେତେକ ସାଂସଦଙ୍କୁ ଦାୟିତ୍ୱ ଦିଆଯାଇଥିଲା ମୋଦୀ ବିରୋଧୀ ସ୍ଲୋଗାନ୍‌ ଦେଇ ଚାଲିବା ପାଇଁ, କେତେକଙ୍କୁ ଦାୟିତ୍ୱ ଦିଆଯାଇଥିଲା କେବଳ ବିଦ୍ରୂପ କରି ଚାଲିବା ପାଇଁ ଓ ଆଉ କେତେକଙ୍କୁ ଦାୟିତ୍ୱ ଦିଆ ହୋଇଥିଲା କେବଳ ଅର୍ଥହୀନ ପାଟିତୁଣ୍ଡ କରି ଚାଲିବା ପାଇଁ- ଯେମିତି କୌଣସି ଫିଲ୍ମର ଜନଗହଳି ଦୃଶ୍ୟ ସୁଟିଙ୍ଗ୍‌ ସମୟରେ କେବଳ ‘ରୁବାର୍ବ’ ‘ରୁବାର୍ବ’ ଶବ୍ଦ ଅନବରତ ଉଚ୍ଚାରିତ ହୋଇଥାଏ। ଆଉ ଦଳର ତେଜୀୟାନ୍‌ ପୁରୁଖା ସଦସ୍ୟା ରେଣୁକା ଚୌଧୁରୀଙ୍କୁ ଦିଆଯାଇଥିଲା ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ: ଅବିରାମ ଭାବରେ ଅଟ୍ଟହାସ କରି ଚାଲିବା ପାଇଁ, ଯାହା ସେ ପ୍ରଭାବଶାଳୀ ଢଙ୍ଗରେ ସମ୍ପାଦନ କରିଥିଲେ।

ଯୋଜନା ଅନୁସାରେ ସେଦିନ ରଣନୀତି କାର୍ଯ୍ୟକାରୀ ହେଲା ମଧ୍ୟ। କିନ୍ତୁ ରଣନୀତି ପ୍ରସ୍ତୁତକାରୀମାନେ ଯେଉଁ ଗୋଟିଏ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କଥା ଭୁଲି ଯାଇଥିଲେ ତାହା ହେଲା- ଇତିହାସ। ଆଉ ଆପ୍ତବାକ୍ୟ ଅନୁସାରେ ଇତିହାସକୁ ଭୁଲିଯିବାର ଦଣ୍ଡ ଯେପରି ହେଉଛି ତାହାର ପୁନରାବୃତ୍ତି, ବୁଧବାର ଦିନ ସାରା କଂଗ୍ରେସ ଦଳ ଓ ତା’ର ନେତାମାନଙ୍କୁ ସେହିପରି ପରିଚିତ ଦଣ୍ଡ ପୁଣି ଭୋଗିବାକୁ ପଡ଼ିଛି। ଏ ଇତିହାସ ମଧ୍ୟ ବେଶି ପୁରୁଣା ନୁହେଁ- ଠିକ୍‌ ବର୍ଷକ ତଳେ ଏହା ଘଟିଥିଲା। ୨୦୧୭ ଫେବ୍ରୁଆରି ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଭଳି ବଜେଟ୍‌ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ପ୍ରଦାନ କରିଥିବା ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରୁଥିଲେ। ସେଇ ଅବସରରେ ମୋଦୀ ଆବିଷ୍କାର କଲେ ଯେ ଗୃହରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉପସ୍ଥିତ ଅଛନ୍ତି।

ଏଥିପୂର୍ବରୁ ମୋଦୀଙ୍କର ବିମୁଦ୍ରୀକରଣକୁ ମନମୋହନ ସିଂହ କଠୋରତମ ଭାଷା ବ୍ୟବହାର କରି ସମାଲୋଚନା କରିବା ଦେଖା ଯାଇଥିଲା। ଏକ ସମ୍ବାଦପତ୍ରରେ ସେ ଲେଖିଥିଲେ ଯେ ବିମୁଦ୍ରୀକରଣ ହେଉଛି ମୋଦୀଙ୍କର ମୌଳିକ କର୍ତ୍ତବ୍ୟର ଏକ ବିକୃତ ରୂପ ଏବଂ ଏକ ବିଶାଳ ଟ୍ରାଜେଡି। କିନ୍ତୁ ପାର୍ଲାମେଣ୍ଟରେ ନିଜର ପ୍ରତିକ୍ରିୟା ଉପସ୍ଥାପନ କରିବା ସମୟରେ ମନମୋହନ ସିଂହ ଯେଉଁ ବର୍ଣ୍ଣନା ବ୍ୟବହାର କରିଥିଲେ ତାହା ଥିଲା ଠିକ୍‌ ବିମୁଦ୍ରୀକରଣ ଭଳି ଏକ ଚରମ ଶ୍ରେଣୀର। ମନମୋହନ ବିମୁଦ୍ରୀକରଣକୁ ଏକ ବିଶାଳ ପରିଚାଳନା ବିଭ୍ରାଟ ବୋଲି ଅଭିଯୋଗ କରିବା ସହିତ କହିଥିଲେ ବିମୁଦ୍ରୀକରଣ ନିଷ୍ପତ୍ତି ହେଉଛି ‘‘ସଂଗଠିତ ଲୁଟ୍‌ ଏବଂ ଆଇନଗତ ଲୁଣ୍ଠନ’’। ମୋଦୀ ଏହା ଶୁଣିବା ପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଏଭଳି କଥା ଯିଏ କହିବ ସେ ମଧ୍ୟ ଏହାର ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ଥିବା ଉଚିତ।

ଆଉ ପରିଣାମ କିପରି ନିଷ୍ଠୁର ହୋଇପାରେ ମନମୋହନ ସିଂହ ତାହା ଏଯାଏଁ ଭୁଲି ନଥିବେ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗୋଟିକ ପରେ ଗୋଟିଏ କେଳେଙ୍କାରୀ ଘଟି ଚାଲିଥିବା ସତ୍ତ୍ୱେ ସିଂହଙ୍କର ଭାବମୂର୍ତ୍ତି କିପରି ସ୍ୱଚ୍ଛ ରହିପାରିଛି ବୋଲି ମୋଦୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସେଇ ପ୍ରସଙ୍ଗକୁ ଆଉ ଟିକିଏ ଆଗେଇ ନେଇ ମୋଦୀ ତା’ପରେ କହିଥିଲେ, ‘‘ବାଥ୍‌ ରୁମ୍‌ରେ ରେନ୍‌କୋଟ୍‌ ପିନ୍ଧି କିପରି ସ୍ନାନ କରାଯାଇପାରେ, ଲୋକମାନେ ସେ କଳା ଡକ୍ଟର ସିଂହଙ୍କ ଠାରୁ ଶିଖିବା ଉଚିତ।’’ ବିରୋଧୀ ଦଳ ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ। ମନମୋହନ ସିଂହ ସେଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ କିନ୍ତୁ ଅତ୍ୟନ୍ତ ବିଷାଦଗ୍ରସ୍ତ ଭାବରେ ଗୃହରୁ ନିଷ୍କ୍ରାନ୍ତ ହେବା ଦେଖାଯାଇଥିଲା। ଅନେକ ଦିନ ଧରି କଂଗ୍ରେସ ଦଳ ମୋଦୀ ଗୃହରେ ଏଥି ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରି ଚାଲିଥିଲା। ଏ ପର୍ଯ୍ୟନ୍ତ ସେ ଦାବି ପୂରଣ ହୋଇନାହିଁ, କ୍ଷମା ପ୍ରାର୍ଥନା ବାକୀ ଖାତାରେ ପଡ଼ି ରହିଛି।

ଏଥର ଠିକ୍‌ ବର୍ଷକ ପରେ ଲୋକସଭାରେ କଂଗ୍ରେସ ସାଂସଦମାନେ ଯେତେବେଳେ ସେ କଥା ପାଶୋରି ଯାଇ ମୋଦୀଙ୍କୁ ହରକତ କରିବା ଆରମ୍ଭ କଲେ ମୋଦୀ କିପରି ଭାଷଣର ଦିଗ ବଦଳାଇ କଂଗ୍ରେସର ପୂରା ଖାନ୍‌ଦାନକୁ ଖିନ୍‌ଭିନ୍‌ କରିଦେଲେ ତାହା ଆଜିର ଟେଲିଭିଜନ୍‌ ସିଧାପ୍ରସାରଣ ଯୁଗରେ ସମଗ୍ର ଦେଶବାସୀଙ୍କୁ ବିସ୍ମିତ କରିଦେଇଛି। କଂଗ୍ରେସ ସାଂସଦମାନେ ଯେତେ ପାଟିତୁଣ୍ଡ କଲେ ହେଁ ମୋଦୀଙ୍କ ପାଟି ସେମାନଙ୍କ ମିଳିତ ପାଟିଠାରୁ ବଡ଼ ଏବଂ ମୋଦୀଙ୍କ ବିଚକ୍ଷଣ ପ୍ରତ୍ୟୁତ୍ପନ୍ନମତିତା ସହିତ ତାଳ ଦେବା ପାଇଁ କଂଗ୍ରେସ ଦଳରେ ଯେ କେହି ନାହିଁ, ତାହା ସେଦିନ ସ୍ପଷ୍ଟ ହୋଇ ଯାଇଥିଲା। ଏହା ସହିତ କଂଗ୍ରେସର ମୁଖ୍ୟ ଦୁର୍ବଳତା- ଏହା ଏକ ପରିବାର ମାଲିକାନାରେ ଥିବା ଦଳ-ଉପରେ ମୋଦୀଙ୍କ ଆକ୍ରମଣର ଉତ୍ତର ବା କ’ଣ ଅଛି?

ମୋଦୀ ସେଦିନ ଏଇଭଳି ଶତ୍ରୁ ସଂହାର ମୁଦ୍ରାରେ ଥିବା ସମୟରେ ରାଜ୍ୟସଭାରେ ରେଣୁକା ଚୌଧୁରୀ ଅସୀମ ବ୍ୟକ୍ତିଗତ ସାହସିକତାର ପରିଚୟ ଦେଇ ତାଙ୍କ ସହିତ ଲଢ଼ିବା ପାଇଁ ଆଗେଇ ଆସିଥିଲେ। ମୋଦୀ ସେଠାରେ ତାଙ୍କର ବକ୍ତବ୍ୟ ରଖିବା ଅବସରରେ ଏକ ସମୟରେ କହିଥିଲେ ଯେ ‘ଆଧାର’ ଭଳି ଏକ ଦେଶବ୍ୟାପୀ ନାଗରିକ ଚିହ୍ନଟ ଧାରଣା ପ୍ରଥମେ ୧୯୯୮ରେ ତତ୍‌କାଳୀନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ପ୍ରଦାନ କରିଥିଲେ। ଏହା ଶୁଣି ରେଣୁକା ଚୌଧୁରୀ ଏପରି ଉଚ୍ଚ ସ୍ୱରରେ ଅଟ୍ଟହାସ କରିବାକୁ ଲାଗିଲେ ଯେ ଚେଆର୍‌ମ୍ୟାନ୍‌ ଭେଙ୍କୟା ନାଇଡୁ ତାଙ୍କୁ ଗୃହ କାର୍ଯ୍ୟରେ ଏପରି ବାଧା ସୃଷ୍ଟି ନକରି କୌଣସି ଡାକ୍ତରଙ୍କ ପରାମର୍ଶ ନେବାକୁ ଉପଦେଶ ଦେଇଥିଲେ। ଏହି ସମୟରେ ମୋଦୀ ସଭାପତିଙ୍କୁ ଅନୁରୋଧ କରିଥିଲେ ରେଣୁକାଜୀଙ୍କୁ କିଛି ନ କହିବା ପାଇଁ, କାରଣ ‘‘ରାମାୟଣ ସିରିଆଲ୍‌ ପରେ ଆଜି ଯାଇ ଏପରି ହସ ଶୁଣିବାର ସୌଭାଗ୍ୟ ମିଳିଛି।’’ କୁହାଯାଉଛି ରାମାୟଣ ସିରିଆଲରେ ସୂର୍ପଣଖା ଚରିତ୍ର ଏହିପରି ଅଟ୍ଟହାସ କରିବା ଦେଖା ଯାଇଥିଲା। ଏହା ପରେ ରେଣୁକା ଚୌଧୁରୀ ଓ କଂଗ୍ରେସ୍‌ ଏହାକୁ ମୋଦୀଙ୍କର ଲିଙ୍ଗବିଦ୍ୱେଷୀ କାର୍ଯ୍ୟ ରୂପେ ଅଭିହିତ କରି ଅଭିଯୋଗ କରିଛନ୍ତି ଯେ ମୋଦୀ ନାରୀକୁ ସମ୍ମାନ ଦେଇ ଶିଖି ନାହାନ୍ତି। ଜଣେ ନାରୀଙ୍କୁ ଅପମାନିତ କରିଥିବାରୁ ମୋଦୀ କ୍ଷମା ମାଗନ୍ତୁ ବୋଲି ରେନ୍‌କୋଟ୍‌ ଘଟଣା ପର ଭଳି ଏବେ ରାମାୟଣ ଘଟଣା ପରେ କଂଗ୍ରେସ ଦାବି କରିଛି। ପ୍ରଶ୍ନ ହେଲା, ରେଣୁକା ଚୌଧୁରୀ ଯଦି ମୋଦୀଙ୍କ ମନ୍ତବ୍ୟ ଯୋଗୁଁ ଜଣେ ବ୍ୟକ୍ତି ରୂପେ ନୁହେଁ, ଜଣେ ନାରୀ ରୂପେ ନିଜକୁ ଅପମାନିତ ବୋଧ କରୁଛନ୍ତି, ତେବେ ସେଦିନ ଗୃହରେ ସେ ପ୍ରଦର୍ଶନ କରିଥିବା ଆଚରଣ କ’ଣ ତଥାକଥିତ ନାରୀସୁଲଭ ଥିଲା? ଅକାରଣେ ଉନ୍ମାଦ ଭଳି ଅଟ୍ଟହାସ କରିଚାଲିବା ସେଭଳି ନାରୀସୁଲଭ କାର୍ଯ୍ୟ ନୁହେଁ। ତେଣୁ ନିଃସନ୍ଦେହରେ ପୂର୍ବ ଭଳି ଏଥର ମଧ୍ୟ ଯେ କ୍ଷମା ପ୍ରାର୍ଥନା ଦାବି ଦାବିରେ ହିଁ ରହିଯିବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର